Unknown

 

 

 

 

 

 

 

 

 

 

 

ମନ୍ଦାକ୍ରାନ୍ତା

ଶ୍ରୀ ଦୁର୍ଗାମାଧବ ମିଶ୍ର

 

ପଦେ ଅଧେ

 

ବିଭିନ୍ନ ସମୟରେ ଲିଖିତ କେତୋଟି କ୍ଷୁଦ୍ରଗଳ୍ପ ଏକତ୍ର କରି ପ୍ରକାଶ କରିବା ନିମନ୍ତେ ବହୁ ବନ୍ଧୁଙ୍କର ଅନୁରୋଧ ସତ୍ତ୍ୱେ ତାହା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରି ନ ଥିଲା । କଲମକୁ ଗୌଣକରି କଲମ ଧରିବାର ସୂକ୍ଷ୍ମ କୌଶଳ ଯେଉଁଦିନଠାରୁ ଶିକ୍ଷା କରିବାକୁ ପଡ଼ିଲା, ସେଇଦିନ ବୋଧହୁଏ ମନ ଭିତରର ସମସ୍ତ ଆଶା ଓ ଆକାଂକ୍ଷା ସକାଳର କୁହୁଡ଼ି ସୂର୍ଯ୍ୟ-କର-ସ୍ପର୍ଶରେ କଟିଗଲା ପରି କଟି ଯାଉଥିଲା ।

 

କିନ୍ତୁ ବନ୍ଧୁମାନଙ୍କର ସାଗ୍ରହ ଅନୁରୋଧ, ସଂପାଦକ ସାଥୀମାନଙ୍କର ବାରମ୍ବାର ତାଗିଦା ଯୋଗୁ ଏଇ ହାତରୁ କଲମ ସଂପୂର୍ଣ୍ଣ ଖସି ଯାଇପାରି ନାଇଁ । ସେମାନେ ସମସ୍ତେ ଏଇ ପୁସ୍ତକଟିର ପ୍ରକାଶନ ନିମନ୍ତେ ମୁଖ୍ୟତଃ ଦାୟୀ । ସେମାନଙ୍କର ଋଣ ପରିଶୋଧ କରିବାକୁ ମୋର ଶକ୍ତି କାହିଁ-?

 

ମୋର ପରମ ବନ୍ଧୁ ଅଧ୍ୟାପକ ଶ୍ରୀ ଚିନ୍ତାମଣି ବେହେରା ଏହି ପ୍ରକାଶନ ନିମନ୍ତେ ଯାହା ସାହାଯ୍ୟ କରିଛନ୍ତି, ତାହା ଏ ଯୁଗରେ କୌଣସି ବନ୍ଧୁ ପାଇଁ ଆଉ ଜଣେ ବନ୍ଧୁ କରିପାରେ ବୋଲି ହୁଏତ ବିଶ୍ଵାସ ହୁଏ ନାହିଁ । ବହିର ସଂକଳନର ସମଗ୍ର ଭାର ସେ ନେଇ ନ ଥିଲେ ବହିଟି ଆଜି ବୋଧହୁଏ ସକାଳର ଆଲୋକ ଦେଖିପାରି ନଥାନ୍ତା । ମୁଁ ତାଙ୍କ ନିକଟରେ ଚିରକୃତଜ୍ଞତା ପାଶରେ ଆବଦ୍ଧ ।

 

କବି ଶ୍ରୀ ରାଧାମୋହନ ଗଡ଼ନାୟକଙ୍କର ଉତ୍ସାହ ମୁଁ ସବୁବେଳେ ପାଇଆସିଛି । ସେଥି ନିମନ୍ତେ ମୁଁ ତାଙ୍କ ନିକଟରେ ଋଣୀ ।

 

ଏତଦ୍‌ବ୍ୟତୀତ ମୋର ଯେତେ ଶୁଭାକାଂକ୍ଷୀ ଗୁରୁଜନ ଓ ବନ୍ଧୁ ଏ ବହିଟିର ପ୍ରକାଶରେ ଆଗ୍ରହ ପ୍ରକାଶ କରିଛନ୍ତି, ସେମାନଙ୍କୁ ଏହି ଅବସରରେ ମୋର ଅନ୍ତରର କୃତଜ୍ଞତା ଜ୍ଞାପନ କରୁଛି-

 

ନଂ ୯, କ୍ୟାଣ୍ଟନ୍‌ମେଣ୍ଟ ରୋଡ଼,କଟକ

ଇତି

 

 

ତା ୧୫ । ୪ । ୧୯୬୧

ଦୁର୍ଗାମାଧବ ମିଶ୍ର

Image

 

ସୂଚୀପତ୍ର

 

୧.

ଦଳିତ କଳି

(ତରଣୀ)

୨.

ପ୍ରହେଳିକା

(ଝଙ୍କାର)

୩.

ନିଥର ଢେଉ

(ଆସନ୍ତା କାଲି)

୪.

ଗୋଧୂଳି ଛାୟା

(ଆସନ୍ତା କାଲି)

୫.

ଏ ନୁହେଁ ଅଭିନୟ

(ଆସନ୍ତା କାଲି)

୬.

ଇନ୍ଦ୍ରଧନୁ

(ସହକାର)

୭.

ଆର୍ଯ୍ୟପୁତ୍ର

(ଆସନ୍ତା କାଲି)

୮.

ଅଭ୍ରଙ୍କଷ

(ଡଗର)

୯.

ନଷ୍ଟକଳି

(ବୀଣା)

୧୦.

ସିନେମା ଦେଖୁନି ତ !

(ସତ୍ୟବାଦୀ)

୧୧.

ପଦ୍ମଭୁକ୍

(ଡଗର)

୧୨.

ଜିତିଲା କିଏ ?

(ପ୍ରଜାତନ୍ତ୍ର)

୧୩.

ଶଇଳ ଭାଜିପଡ଼େ

(ପ୍ରଜାତନ୍ତ୍ର)

୧୪.

ଓ, ଆଜି ଅଗଷ୍ଟ ପନ୍ଦର !

(ଝଙ୍କାର)

୧୫.

ସେଇ ହସ ଟିକକ

(ଝଙ୍କାର)

୧୬.

କମ୍ପନ ଥମିଯାଏ

(ଝଙ୍କାର)

୧୭.

ମରମର ତାଜ

(ଝଙ୍କାର)

୧୮.

ଛଦ୍ମବେଶୀ

(ଡଗର)

୧୯.

କର୍ମ କର୍ତ୍ତା କ୍ରିୟା

(ସହକାର)

୨୦.

ଆସାନ୍‌ ସୋଲ

(ପ୍ରଜାତନ୍ତ୍ର)

୨୧.

ଜନକ ଆଉ ପ୍ରେମିକ

(ସହକାର)

୨୨.

ଉପହାର

(ଝଙ୍କାର)

Image

 

ଦଳିତ କଳି

 

ସବୁଦିନପରି ସେଦିନ ମଧ୍ୟ ମୃଣାଳିନୀ ବେଶ ବାନ୍ଧୁଥିଲା । ସାମାନାର ଦରପଣରେ ପ୍ରତିବିମ୍ବିତ ହୋଇ ଉଠୁଥିଲା ସୁଚିକ୍‌କଣ ମୁହଁଟି ତା’ର–ତାହାରି ଉପରେ ସେ ସ୍ନୋ ମାଖୁଥିଲା ।

 

ପ୍ରତିଦିନ ସେ ସ୍ନୋ ମାଖେ, ଅଧରର ରଙ୍ଗିମାକୁ ଗାଢ଼ କରେ ଲିପ୍‌ଷ୍ଟିକ ଦେଇ, ଗାଲର ମଝିରେ ରୁଜ୍ ଘଷି ଡାଳିମ୍ବରଙ୍ଗ କରିବାକୁ ତାକୁ ଭାରି ଭଲ ଲାଗେ । ହସିଲେ ତା’ର ଗାଲର ଗର୍ତ୍ତ ଯୋଡ଼ିକ ସୁନ୍ଦର ଦିଶେ ।

 

“ଆଜି କିଏ କିଲୋ କେତକୀ ?”

 

“ମଲା, ସେଇ ପ୍ରଫେସର ମ, ଚିନିମୟ ବାବୁ ନା କ’ଣ ।”

 

ଚିନ୍ମୟ ବାବୁ...ସୁଖ୍ୟାତ ପ୍ରଫେସର ଚିନ୍ମୟ ଦାସ... ଥରି ଉଠିଲା ମୃଣାଳିନୀ.. ପ୍ରାଣରେ ବଡ଼ ଅହେତୁକ ଜାଗିଲା ତା’ର ସ୍ପନ୍ଦନ–ନିଜର ଦୁର୍ବଳତାରେ ନିଜେ ଶିହରୀ ଉଠିଲା ସେ ।

 

କାହିଁକି ଏ ଦୁର୍ବଳତା ? ଏଇ ଚଟୁଳ ଅଧର ଯୋଡ଼ିକ ପ୍ରତି ରାତ୍ରିରେ ପାଇଛି କେତେ ଲକ୍ଷପତିର ସ୍ପର୍ଶ, କେତେ କୋମଳ କଣ୍ଠର ବେପଥୁ ଶିହରଣ–କୌଣସି ଦିନ ତ ମୃଣାଳିନୀର ନିଷ୍ଠୁର ବୁକୁତଳେ ସାମାନ୍ୟ ସ୍ପନ୍ଦନ ଦେଖା ଦେଇନି ! ସେ ଛଳନା କରିଛି, ସମ୍ଭାଷଣରେ ଅନ୍ତରତଳ ତୋଷି ନେଇଛି, ଖରାରେ ମୁରୁକୁଟିଆ ହୋଇଯାଇଥିବା ଗଛମୂଳରେ ଏତେ ଜୋରରେ ବାଲତି ବାଲତି ପାଣି ଅଜାଡ଼ିଛି ଯେ, ଗଛଟିର ମୂଳ ଛିଡ଼ି ପଡ଼ିଛି, ସମସ୍ତେ ଲୋଟି ପଡ଼ିଛନ୍ତି ତାଆରି ସମ୍ମୁଖରେ–ତାଆରି ଦୁଆର ସାମନାରେ ।

 

ହାଃ ! ହାଃ !! ହାଃ !!!

 

ହସିଲା ମୃଣାଳିନୀ–ଅଧା ଲିପଷ୍ଟିକ ମରା ଓଠଟା ତାହାର ଶାର୍ଦ୍ଦୁଳର ତଳପାଟି ପରି ଥରି ଉଠିଲା । ଜଲଦି ଜଲଦି ଉପର ଓଠ ତଳ ଓଠରେ ଚାପି ଦେଲା ସେ–ତଳ ଓଠରେ ଅଳ୍ପ ନାଲି ଛାପଟିଏ ପଡ଼ିଗଲା–ତାଆରି ଉପରେ ପୁଣି ଲିପ୍‌ଷ୍ଟିକ ଘଷି ଚାଲିଲା ସେ ।

 

କିନ୍ତୁ...

 

କିନ୍ତୁ ଆଜି ଯେ ସେମାନଙ୍କ ମଧ୍ୟରୁ କେହି ଆସୁ ନାହାନ୍ତି । ଆଜି ଆସୁଛନ୍ତି ଚିନ୍ମୟ ବାବୁ… ଚିନ୍ମୟ । ମନଭିତର କୋମଳ ହୋଇ ଆସିଲା । ପୁଣି ଜାଗିଲା ହିଂସା ଆଲୋକ ରେଖା ଦୁଇ ଆଖିରୁ...ନୂଆ ଅତର ଶିଶିଟାଏ ଖୋଲି ଝାଡ଼ିଦେଲା । ଶାଢ଼ିରେ.. ବ୍ଲାଉଜରେ...ଆଉ ଦିହସାରା ।

 

କାହିଁକି ଆସୁଛି ଚିନ୍ମୟ ?

 

–ପ୍ରଫେସର ଚିନ୍ମୟ ଦାସ ?

 

ଜୀବନରେ କଣ ରହିଯାଇଛି ତା’ର ? କେଉଁଥିପାଇଁ ତାର ଏ ନୀରସ ଦୁର୍ବଳତା ?

 

ମନେପଡ଼େ......

 

ମୃଣାଳିନୀ କଲେଜ ହଷ୍ଟେଲ ବାରେଣ୍ଡା ପ୍ରତିଦିନ ଝାଡ଼େ–ମାଆ ଉପର ମହଲା ଝାଡ଼ୁ ଝାଡ଼ୁ ତଳ ମହଲା ଝଅଟ ଝଅଟ ଝାଡ଼ି ପକାଏ ମଣି । (ତାକୁ ସମସ୍ତେ ମଣି ବୋଲି ଡାକୁଥାଆନ୍ତି ସେତେବେଳେ)

 

ଯିମିତି ତାଆର ଖଡ଼ିକା ପହଁରା ସିମିଟି ଚଟାଣରେ ଖସ୍ ଖସ୍ ହୋଇ ଚାଲିଯିବା ଆରମ୍ଭ କରେ, ତମାମ ହଷ୍ଟେଲର କୋଠରୀ ଦ୍ଵାର ଗୋଟି ଗୋଟି ହୋଇ ଖୋଲିଯାଏ । ଏତେବେଳେ କିଛି ଡିସ୍‍ଟରବାନ୍‌ସ ନାଇଁ–ବହି ଉପରେ ନାଆଁକୁ ମୁହଁକୁ ଥୋଇ ଆଖି ଯୋଡ଼ାକ ଲଦି ହୋଇ ଯାଇଥାଏ ମଣି ଉପରେ ସଭିଙ୍କର ।

 

ପହିଲେ ପହିଲେ ଯେତେବେଳେ ନୂଆ ନୂଆ ହୋଇ ମଣି ଦେହରେ ମଳୟ ଛୁଉଁଥିଲା ସେତେବେଳେ ଭାରି ଭାରି ମାଡ଼ି ପଡ଼ୁଥିଲା ମଣିକୁ ।

 

ଇସ, ଏଗୁଡ଼ାକ କି ନିଉଁଛୁଣା କଥା–କ’ଣ ମଣିଷଟାକୁ ଏତେ ଅନାନ୍ତି କେଜାଣି ?

 

ମନହୁଏ ସଫା ସଫା ସଭିଙ୍କୁ କହି ଦିଅନ୍ତା–ଗାଳି ଫଜିତ୍ କରନ୍ତା–

 

ଜିଭଯାଏ କଥା ଆସି ପୁଣି ଲେଉଟି ଯାଏ, କାହିଁକି କେଜାଣି ଭଲ ଲାଗେ ପର ମୁହୂର୍ତ୍ତରେ... ସତେ ଯେମିତି ସେଇ ଅନେଇବାରେ ପୂରି ରହିଛି ଜୀବନର ସବୁ ସାର୍ଥକତା ।

 

କିଛି କହିପାରେ ନାହିଁ ମଣି ।

 

ସେତିକିବେଳେ ଗୋଟା ବ୍ଲକର ପିଲାଙ୍କୁ କାଶ ମାଡ଼େ–କେହି କେହି ମଧ୍ୟ ସତରେ କାଶିବାକୁ ଆରମ୍ଭ କରି ଦିଅନ୍ତି–ହଫିଙ୍ଗ କଫ....

 

ହସଲାଗେ ମଣିକୁ । ହସେ । ସମସ୍ତେ ଭାବନ୍ତି ମଣି ମୋ’ରିଆଡ଼େ ଅନାଇ ହସିଲା–

 

ଠିକ୍ ଯେମିତି ଚୌଧୁରୀବଜାର ଛକ ଉପରେ ଲକ୍‌ସ ସାବୁନର ବିଜ୍ଞାପନ ସାଥିରେ ନିୟତି ଗୁହର ଆଖି ତାକୁ ଯେ ଅନାଇଲା, ତାଆରି ଆଡ଼କୁ କେବଳ ଚାହିଁଥାଏ ।

 

ସବୁଦିନେ ଆସେ ମଣି । ନାଲିକସ୍ତା ଶାଢ଼ିରେ ବଡ଼ ବଡ଼ ଫୁଲପକା ଧଡ଼ି–କାନିର ପଣତଟା ଅଣ୍ଟାପାଖେ ଜବରରେ ଗୁଡ଼େଇ ହୋଇଯାଇ ଥାଏ–କାଖରେ ଗୋଟାଏ ଗାଣ୍ଡୁଆ, ହାତରେ ମୁଠାଏ ଝାଡ଼ୁ ।

 

ଯୌବନୋଜ୍ଜ୍ଵଳ ମୁହଁ ଉପରେ ବିନ୍ଦୁବିନ୍ଦୁ ଝାଳ ବେଶ୍ ମନାଏ–କେବେ ତାକୁ ପୋଛି ଦେବାର ପ୍ରୟାସ କରେନି ସିଏ ।

 

ମାସ ଆରମ୍ଭରେ ପ୍ରତି କୋଠରୀରେ ପହଞ୍ଚେ ମଣି-ବକ୍‍ସିସ–

 

ଟଙ୍କାଟାଏ ବଢ଼ାଇ ଦେଉ ଦେଉ ଦର୍ଶନ ଛାତ୍ର ଦାନବିହାରୀ କୁହନ୍ତି–

 

ଟିକିଏ ନାଚନ୍ତୁନି ମଣି ?

 

ମଣି ଆପଣାର ଗୁରୁ ନିତମ୍ବକୁ ସାମାନ୍ୟ ହଲେଇ ଦେଇ କୁହେ–ମତେ ନାଚି ଆସେନି ଯେ–

 

ଦାନବିହାରୀ ଦିନଟାଯାକ ଖାଲି ଭାବନ୍ତି ତାଙ୍କ ମନ ଭିତରୁ ଏ କ୍ଳିଷ୍ଟ ଭାବନାକୁ ସବ୍‍ଲିମେଟ୍ କରିବେ–

 

ଅର୍ଥନୀତି ଛାତ୍ର ଅଶୋକ ପ୍ରତ୍ୟେକ ପାହୁଲାର ମୂଲ୍ୟ ନ ନେଇ ଛାଡ଼ନ୍ତିନି ।

 

–ନା ମଣି ତତେ ଗୀତଟିଏ ଗାଇବାକୁ ହେବ–ହାତରେ ତାଙ୍କର ପାଞ୍ଚଟଙ୍କିଆ ନୋଟ୍–

 

ମଣି ଗୁଣୁଗୁଣୁ ହୋଇ ବୋଲେ–

 

–ନାଇଁ ବା ଘୁମାଲେ ପ୍ରିୟ...

 

କଳାକାଠ ଟେବୁଲରେ ଟିପ୍ ଟିପ୍ କରି ତାଳ ଧରନ୍ତି ଅଶୋକ–

 

ବୋଲା ସରିଲା ବେଳକୁ କହନ୍ତି–

 

କେତେ ଆଣିଛୁ ଦେଖି–ଦେ ଚାରି ଟଙ୍କା–ନୋଟ୍‍ଟା ନେ–

 

ମଣିର ମନ ଫିକା ପଡ଼ିଯାଏ–ଟଙ୍କା ଗୋଟାକ ପାଇଁ ଏତେ ଗୀତ ବୋଲିଲା ସେ । ରାଗରେ ନାକ ଫୁଲାଇ ସେ ଚାଲିଯାଏ ।

 

ଅର୍ଥନୀତିର କେଉଁ ନୀତି ଅନୁସାରେ କେଜାଣି ଅଶୋକ ଅନୁସରଣ କରି ଦୁଇ ଟଙ୍କିଆ ନୋଟଟିଏ ଗୁଞ୍ଜି ଦେଇ ଆସନ୍ତି ମଣିର ହାତରେ–

 

ସବୁ ଦୁଆରୁ ସେ ଫେରିଆସେ ପୂର୍ଣ୍ଣ ହସ୍ତରେ–ତା’ର ଯୌବନର କର ଆଦାୟ କରି ।

 

କିନ୍ତୁ ଫିଟେନି ଗୋଟିଏ କବାଟ–

 

ସେ ହେଉଛି ଚିନ୍ମୟର–

 

ବିଶ୍ୱବିଦ୍ୟାଳୟର କୃତୀ ଛାତ୍ର ଚିନ୍ମୟ, ସେ ବୃତ୍ତିପାଏ–ଶ୍ରେଣୀରେ ପ୍ରଥମ ଛଡ଼ା ଦ୍ଵିତୀୟ ହୋଇନି–ତା’ପାଇଁ ସବୁବେଳେ ଗୋଟିକିଆ କୋଠରୀ ଥୁଆ–ସାରା କଲେଜର ଆଖି ଚିନ୍ମୟଆଡ଼େ–

 

ଶ୍ରେଷ୍ଠ ବକ୍ତାରୂପେ ପୁରସ୍କୃତ ହୋଇଛି ସେ–କଲେଜର ଯେତେକ ପୁରସ୍କାର ଓ ପଦକ ତାଆରି ନାଆଁ–କଲେଜ ଇଉନିୟନର ସଭାପତି ।

 

ତା’ କଥାରେ ଗୁରୁତ୍ଵ ଅଛି ।

 

ତା’ କଥାରେ ଆଦର୍ଶ ଅଛି ।

 

ସେ ଖୋଲିବ କବାଟ ମୃଣାଳିନୀ ପାଇଁ–ଆଉ ତାକୁ ଦେବ ପଇସା– ?

 

ମୃଣାଳିନୀ ଆସିବାର ଜାଣିଲେ ସେ ଜୋରରେ ବନ୍ଦ କରି ଦିଏ କବାଟ–ଯାହା ଟିକିଏ ଫାଙ୍କ ଥାଏ ସେଥିରେ ସମ୍ବଲପୁରୀ ପରଦା ଗୁଞ୍ଜିଦିଏ–

 

ଯିମିତି ମଣିର ଛାଇମଧ୍ୟ ଦୂଷିତ !!

 

ମୃଣାଳିନୀ ତା’ କୋଠରୀ ସାମନାରେ ଝାଡ଼ୁ କଲାବେଳେ ମନ ଭିତର ତା’ର ବିଦ୍ରୋହ କରି ଉଠେ–ମନ ହୁଏ ଝାଡ଼ୁ ମୁଣ୍ଡିର ଲୁହା ବଳାରେ ପିଟି ପିଟି ସେ କୋଠରୀର କବାଟଟା ଭାଙ୍ଗି ଦିଅନ୍ତା ଆଉ ଦେଖେଇ ଦିଅନ୍ତା ତା’ ଭିତରର ନାରୀତ୍ଵ କିପରି ଲାଞ୍ଚିତ ଆଉ ପଦ ଦଳିତ ହେଉଛି ପ୍ରତି ପଳେ ପଳେ ।

 

କିନ୍ତୁ ପର ମୁହୂର୍ତ୍ତରେ ଆଶଂକା ଜାଗେ–ତଥାପି ଯଦି ନ ଟଳେ ହିମାଳୟ–ତଥାପି ଯଦି ଭାଙ୍ଗି ନ ଯାଏ ଦୁର୍ଭେଦ୍ୟ ଲାଲକିଲ୍ଲା– ?

 

ଦୁମ୍ ଦୁମ୍ ହୋଇ ସେ ଖଣ୍ଡକ ଭଲ କରି ନ ଖରକି ବାହାରି ଯାଏ ଆର କୋଠରୀ ଆଡ଼କୁ ମଣି–

 

କେତେ ଖଣ୍ଡି କାଶ ଆଉ ସୁସୁରି ତାକୁ ଅଭିନନ୍ଦନ ଜଣାଏ । ପୁଣି ଭୁଲି ଯାଏ ସେ ସବୁ-

 

ସବୁ କାମ ସାରି ବଟାନିକାଲ୍ ଗାର୍ଡ଼ନର ଗୋଟେ ଲେମ୍ବୁ ଗଛ ମୂଳେ ଅଧା ଶୁଆ ଠାଣିରେ ଶୋଇ ଶୋଇ ଭାବେ ମୃଣାଳିନୀ–କଲେଜ ପଡ଼ିଆରେ ମୃଦୁଳ ପବନ ତା’ ଦିହରେ ନିଆଁ ଲଗାଏ–ସେ ଏ ପାଖକୁ ସେ ପାଖ ହେଉଥାଏ ।

 

ଏଥରକ ମିଳିଲା ଜମା ପନ୍ଦରଟଙ୍କା–ବାବୁମାନେ କାଇଁକି ଏଥର ଊଣା ଦେଲେ କେଜାଣି ? ବାବୁମାନଙ୍କର ମନ ଜମା ସୁଖ ନାଇଁ ଯେମିତି ।

 

–ଏ ପରୀକ୍ଷାଟା ଲାଗିଛି ନାଁ–କୁଆଡ଼ୁ ଏ ନିଆଁନଗା ପରୀକ୍ଷା ଆସୁଛି କେଜାଣି ! ଆହା ବାବୁଗୁଡ଼ିକ ତ କୁଆଡ଼େ କୁଆଡ଼େ ଚାଲିଯିବେ–ଇମିତି ତିନି ଛେକ ବାବୁ ଯିବାର ସେ ଦେଖିଲାଣି ।

 

ଅସ୍ପଷ୍ଟ ହୋଇ ଆଖି ଆଗରେ ସେମାନଙ୍କର ଝାପ୍‍ସା ଝାପ୍‍ସା ମୂର୍ତ୍ତି ନାଚିଯାଏ–

 

କିନ୍ତୁ ସଭିଙ୍କ ଆଗରେ ଗୋଟିଏ କାମନା–ଗୋଟିଏ ତୃଷା–କେତେବେଳେ ଛାତିର ଲୁଗା ଖସି ଯାଇଛି ମଣିର–ନଜର ନାଇଁ–ଟଙ୍କାଗୁଡ଼ାକ ଏପଟ ସେପଟ କରୁଛି ।

 

ଇମିତି କେତେ ଟଙ୍କା ଆସୁଛି ଯାଉଛି–

 

କେତେ ବାବୁ ଆସୁଛନ୍ତି ଯାଉଛନ୍ତି–

 

ମଣିକୁ କିମିତି କିମିତି ଅଡ଼ୁଆ ଅଡ଼ୁଆ ଲାଗିଲା–କାଇଁକି କେଜାଣି ସାମନାକୁ ଅନାଇ ଦେଲା ବେଳକୁ ଗୋଟେ ବାରିପଟେ ଝରକା ଅଧା ଖୋଲି ଯାଇଛି–ଆଉ ସେଇ ଝରକା ପଛପଟ ଗୋଟେ ବହି–ପଛପଟେ ଗୋଟେ ମୁହଁ–ମୁହଁ ଦିହରେ ଦୁଇଟା ଆଖି–ଆଖି ଉପରେ ଗୋଟାଏ ମୋଟା ଲାଇବ୍ରେରୀ ଫ୍ରେମର ଚଷମା ।

 

ମୃଣାଳିନୀର ଆଖି ସଙ୍ଗେ ସେ ଆଖି ମିଶି ଯାଉଣୁ ନ ଯାଉଣୁ ବହି ହଟି ଯାଇଛି–

 

ବନ୍ଦ ହୋଇ ଯାଇଛି ଝରକା–

 

ଏଇ ତେବେ ଚିନ୍ମୟ ବାବୁ–

 

ଥୋପ ଗିଳିଛନ୍ତି–

 

କିନ୍ତୁ ଲାଜକୁଳା–

 

ହସି ହସି ଫାଟି ପଡ଼ିଲା ମଣି–ସତେ ଯିମିତି ହୀରାକୁଦ ବନ୍ଧରେ ନୂଆ ହୋଇ ପାଣି ଜମିଛି ।

 

ଚୁଉପ୍ ଚୁଉପ୍ ଝରକା ପାଖକୁ ଯାଇ ନଖରେ ଟିପା ମାରି ଡାକେ–ବାବୁ...ବାବୁ...ମ...

 

ସୋରଶବଦ ନାଇଁ–

 

ତଥାପି ଲାଜ–ଇସ, ବେଶୀ ପାଠ ପଢ଼ିଲେ ଇମିତି ଲାଜମାଡ଼େ ପରା– ।

 

ସେଦିନ ସଞ୍ଜବେଳିଆ ସମସ୍ତେ ବୁଲିବାକୁ ଚାଲିଗଲା ପରେ ମଣି ବେଶବାସ ହୋଇ ଆସେ–ହଷ୍ଟେଲଟା ଯାକର ପିଲା ଚାଲି ଯାଇଥାନ୍ତି ଖେଳି ବୁଲି–ଏକା ଚିନ୍ମୟ ବସି ବସି ଦିନ ଆଲୁଅର ଶେଷ ବିନ୍ଦୁ ପର୍ଯ୍ୟନ୍ତ ନିଜର ବ୍ୟବହାରରେ ଲଗାଉଛି ।

 

ମଣି ଜାଣେ ନିଶ୍ଚୟ ଚିନ୍ମୟ ବସିଥିବ ।

 

ବାରିପଟେ ବୁଲିଯାଇ ସେଇ ଝରକା ପାଖେ ଠିଆ ହୋଇ ଚିତ୍କାର କରେ–ଆଃ–

 

ଚମକିପଡ଼େ ଚିନ୍ମୟ–ତା’ର ଐକାନ୍ତିକତା ଭାଙ୍ଗି ଚୁନା ହୋଇଯାଏ ।

 

–କିଏ ?

 

–ବାବୁ, ମୁଁ ମ–ଚମକି ପଡ଼ିଲ କି ?

 

ବାଘ ଚମଟାକୁ ଭଲକରି ଉପରକୁ ଝିଙ୍କି ଆଣି କୃତ୍ରିମ ରୋଷରେ କୁହେ ଚିନ୍ମୟ “କାହିଁକି କଅଣ ହେଲା ?

 

ତା ପରେ ଚାରିଆଡ଼େ ଅନାଏଁ–କେହି ଦେଖୁଚି କି ?

 

–କେହି ନାଇଁ ମ ବାବୁ, ତମେ ଆଉ ମୁଁ–

 

ଏ କ’ଣ–ଯେତେ ଚେଷ୍ଟା କଲେ ବି ବାଘଚମ ଖସିଆସୁଛି–

 

କୋମଳ ଲୋମହୀନ ମେଷ ଶାବକ କୁଉଁ କୁଉଁ କରି ଥରିଉଠୁଛି ।

 

ଚିନ୍ମୟ ଚିଡ଼ିଗଲା–

 

କିନ୍ତୁ ସାମନାରେ ରୂପର ଭରା ଯୌବନ...

 

ଦିଅନା ବାବୁ ମୋ ପାଉଣାଟା–ତମର ତ ଦେବାକୁ ମନ ଅଛି–ମୁଁ କାହାକୁ କହିବିନି ଯେ–

 

ଏଁ, ମଣି କଅଣ ଚିନ୍ମୟର ମନ କଥା ଜାଣିସାରିଛି–ଜାଣି ପାରିଛି ଚିନ୍ମୟର ଗୋଟେ ବାଘଛାଲ ଦରକାର !!

 

ଇସ୍ କି ଘୃଣ୍ୟ–କିନ୍ତୁ କି ସତ୍ୟ !!!

 

ତରତରରେ ତକିଆ ତଳୁ ପାଞ୍ଚଟଙ୍କିଆ ନୋଟଟିଏ ଉଠାଇ ରେଲିଙ୍ଗ୍ ବାଟେ ଗଳାଇ ଦେଲା ଚିନ୍ମୟ–

 

ଜାଣି ଜାଣି ମୃଣାଳିନୀ ସାମାନ୍ୟ ଛୁଇଁଦେଲା ଚିନ୍ମୟର ହାତକୁବାବୁ, ଯାଉଚି...ଆସିବି ଯେ…

 

ଆଉ ଚିନ୍ମୟର ମୁହଁରେ ରକ୍ତ ନାଇଁ–ଯିମିତି ସବୁ ନିଗିଡ଼ ଯାଇଛି ଦିହରୁ...

 

ଯିମିତି ବାଘଛାଲ ଜଳିଯାଇଛି ।

 

ଯିମିତି ଲୋମହୀନ ମେଷ ଶିଶୁ ଗ୍ରୀଷ୍ମ ଶୈତ୍ୟର ଅତ୍ୟାଚାରରେ କୁଙ୍କୁରି ଉଠୁଛି–

 

ଓଃ, ସେ କଅଣ କଲା !

 

ହଁ, ମଣି ଆଖିରେ ଚିନ୍ମୟର ସେ ବାଘଛାଲ ନାଇଁ କି ଆଉ ସେ କୋକୁଆ ଭୟ ନାଇଁ ଚିନ୍ମୟକୁ ।

 

ଚିନ୍ମୟର ଘର ଆଗେ ଝାଡ଼ୁ କରୁ କରୁ ଖଡ଼ିକା ପହଁରା ଅହେତୁକ ଭାବେ ଦୁଆରବନ୍ଧ ଦେହରେ ସେ ଘଷି ଘଷି ଓଳାଏ–କାରଣ ସେ ଜାଣେ... ସତେ ଅବା କବାଟର ସ୍ଵଚ୍ଛତା ଭିତରେ ସେ ଦେଖିପାରେ... ସେପାଖେ ବସିଛି ଜ୍ଵଳନ୍ତ ଇନ୍ଧନରେ ଜଳି ଜଳି ସୁଖ୍ୟାତ କଲେଜ ଛାତ୍ର ଚିନ୍ମୟ ଦାସ ।

 

କେବଳ ତା’ର ସ୍ପର୍ଶ ପାଇଁ ସେ ବ୍ୟାକୁଳ–ମଝିରେ କେବଳ କୌଳିକତା ଆଉ ଲୌକିକତାର ପ୍ରାଚୀର ।

 

ତା ପରେ ଯାହା ହେବାର ହୋଇଛି–ମୃଣାଳିନୀ ଆଉ ଚିନ୍ମୟ ଦୁହେଁ ଆଉଜି ଆସିଛନ୍ତି ପରସ୍ପର ଆଡ଼କୁ । ସମସ୍ତଙ୍କ ଅଗୋଚରରେ କଲେଜ ପଡ଼ିଆରେ ସିମେଣ୍ଟ ଚଉକି ଉପରେ ଦୁହେଁ ଦୁହିଁଙ୍କୁ ଭେଟିଛନ୍ତି–ତା’ପରେ ଚାଲିଛି ପର୍ଯ୍ୟାୟ ପରେ ପର୍ଯ୍ୟାୟ ।

 

ନାହିଁ ନ ଥିବା କଥା ଘଟିଛି ।

 

ବିଖ୍ୟାତ ଛାତ୍ର ଚିନ୍ମୟ ଦାସ ଦ୍ଵିତୀୟ ଶ୍ରେଣୀ ପାଇଛି ଏମ୍. ଏ.ରେ ଅବଶ୍ୟ ତାର ଔଜଲ୍ୟରେ ଅଧ୍ୟାପକମଣ୍ଡଳୀ ଏତେଦୂର ମୁଗ୍ଧ ଯେ, ଅନ୍ୟ କେହି ଚିନ୍ମୟକୁ ଟପିପାରିନି । କିନ୍ତୁ ପ୍ରଥମ ଶ୍ରେଣୀ ପାଇନି ସେ...

 

କାହିଁକି ସେ ପାଇଛି ଦ୍ଵିତୀୟ ଶ୍ରେଣୀ ?

 

ସେ କଥା ଭାବିବାକୁ ଆଉ ଫୁରୁସତ୍ ନାଇଁ ଚିନ୍ମୟକୁ । ଚିନ୍ମୟ ଦାସ ଅଧ୍ୟାପକ ହୋଇଛି–ଆଖିର ଚଷମାର କାଚ ବଦଳି ଆହୁରି ମୋଟା ହୋଇଛି–ମୁହଁରେ ସାମାନ୍ୟ ଭାଷା.... ତା ମଧ୍ୟ କ୍ରମଶଃ ବନ୍ଦ ହୋଇଯାଉଛି ।

 

କ୍ଲାସ ଛଡ଼ା ଆଉ କେଉଁଠି ସେ କଥା କୁହେନି । ନବାଗତ ଛାତ୍ର ଭକ୍ତିରେ ନଇଁପଡ଼େ ଏତେବଡ଼ ‘ଆଦର୍ଶ’ ଚରିତ୍ର ପାଖରେ ।

 

ତା ପରେ ଶିକ୍ଷାବିଭାଗ ସେକ୍ରେଟେରୀଙ୍କ ଝିଅ ସହିତ ବିବାହ ମଧ୍ୟ ହୋଇଯାଇଛି–ବୋଧହୁଏ ସେ ଦୁଇଟି ସନ୍ତାନର ଜନକ ।

 

`ଓଃ–

 

ଇଉଡିକୋଲନର ଶିଶିଟା ଆଣି ମୁହଁରେ ସିଞ୍ଚିଲା ମୃଣାଳିନୀ ।

 

...କିନ୍ତୁ...

 

ମୃଣାଳୀ ବଞ୍ଚିଛି ।

 

ଆତ୍ମହତ୍ୟା କରିନି ମୃଣାଳିନୀ ।

 

ଭ୍ରୂଣହତ୍ୟା କରିନି ମୃଣାଳିନୀ ।

 

ତା’ର ପ୍ରଥମା କନ୍ୟା କମଳା ଏବେ ବି ଓ୍ୟାଭେଲ ହୋମରେ ଶିକ୍ଷା ପାଏ–ସେ ନିଜେ କିନ୍ତୁ ଅବିବାହିତା–

 

ସେ ଜୀବନକୁ ପଳ ପଳ କରି ଉପଭୋଗ କରୁଛି–ତାର ମାନସିକ ଅବସ୍ଥା ଭିତରେ ନିଆଁ ଲାଗିଛି ପ୍ରଥମ ଥର ଯେଉଁଦିନ ତାଆରି ଆଗରେ ଚିନ୍ମୟ ଆଉ ତା’ର ସ୍ତ୍ରୀ ହଷ୍ଟେଲ ବାଟ ଦେଇ ଚାଲି ଯାଉଥିଲେ–ଆଉ ମୃଣାଳିନୀ ଛିଡ଼ା ହୋଇଥିଲା ନିତ୍ୟନୈମିତ୍ତିକ ଠାଣିରେ....

 

ପରିଚିତ ଗଳାରେ କହିଉଠିଲା–ବାବୁ...ବାବୁ ମ !

 

ଗୋଟେ ମାଈ କୁକୁଡ଼ା ଆଉ ଗୋଟିକୁ ଦେଖିଲେ ନାସିକାକୁଞ୍ଚନ କଲା ପରି ମିସେସ୍‍ ଦାସ ଭ୍ରୂକୁଞ୍ଚନ କରି ପଚାରିଲେ...

 

–ସେ କିଏ କି ଡାର୍ଲିଂ ?

 

ସେତେବେଳେ ଚିନ୍ମୟ ଦେହରେ ନବପରିହିତ ବାଘଚମଡ଼ା–

 

–କିଏ ହୋଇଥିବ, ମେହେନ୍ତରାଣୀ ଟୋକି... ବାଧି ନ ଥାନ୍ତା ମୃଣାଳିନୀକୁ, ଯଦି ଚିନ୍ମୟ କହିଥାଆନ୍ତା...

 

–ସେ ମଣି, ମୁଁ ତାକୁ ଜାଣେ ।

 

ମଣି ସେଇଦିନ ସେଇଠି ଫିଙ୍ଗିଦେଲା ଗାଣ୍ଡୁଆ ଆଉ ଝାଡ଼ୁ...

 

ତା’ର ମଧ୍ୟ ଆସିଛି ଜୀବନରେ ନୂଆ ଅଧ୍ୟାୟ...

 

ଆପଣାର ରୂପକୁ ପଣ୍ୟ କରି ମେଲାଇ ଦେଇଛି ତାର ବିପଣୀ–ଦୁନିଆରେ ଯେତେ ପୁରୁଷ ସମସ୍ତଙ୍କ ବିରୋଧରେ ଏକାକୀ ଅଭିଯାନ ଚଳେଇ....

 

ଗୋଟି ଗୋଟି କରି ସମସ୍ତଙ୍କର ବାଘଛାଲକୁ ଉତ୍ତାରି ନିଆଁରେ ଆହୁତି ଦେଇଛି ସେ...

 

ଆଃ, କି ତୃପ୍ତି...

 

...କି ନାହିଁ ନ ଥିବା ସୁଆଦ !!

 

ତା’ର ମାଂସାଶୀ ମନ ଭିତର ପେଟପୂରା ଏଓଡ଼ି ମାରିଛି ।

 

ସାଫଲ୍ୟରେ ସେ ବିକଶି ଉଠିଛି ।

 

କିନ୍ତୁ କାହିଁକି ଆସିଛି ଚିନ୍ମୟ ଦାସ... ?

 

କେଉଁଥିପାଇଁ ଆସିଛି... ?

 

ଆଉ କଣ ବାକି ରହିଯାଇଛି ତା’ ପାଖରେ ?

 

ନା. ନା କେତକୀ–ତୁ ଦରଜା ବନ୍ଦ କରିଦେ–ଆଜି କେହି ମୋ ପାଖକୁ ଆସିପାରିବେନି–ମୋ’ର ଦେହ ଭଲ ଲାଗୁ ନାଇଁ ମୋଟେ ।

 

ଆହା...ଚିନ୍ମୟ ଦାସ....

 

କାହିଁକି ସେ ଜାଣି ଶୁଣି ପୁଣି ଥରେ ଭାଙ୍ଗୁଛି ଆପଣାର ସୁନାର ସଂସାରଟାକୁ....

 

–ଭାଙ୍ଗୁ... ଭଲକରି ଭାଙ୍ଗୁ... ତା’ ପାଇଁ ଏତେ ଦରଦ କାହିଁକି ମୃଣାଳିନୀର.... ?

 

–ନା...ନା…

 

ଚିନ୍ମୟ, ତୁମେ ଫେରିଯାଅ...

 

ତୁମେ ଲେଉଟିଯାଅ ଚିନ୍ମୟ....

 

ତୁମର ବାଘଛାଲ ନେଇ ତୁମେ ବାହୁଡ଼ିଯାଅ...

 

ବହଳ ସୋଫା ଉପରେ ଫୁଲି ଫୁଲି କାନ୍ଦୁଥିଲା ମୃଣାଳିନୀ...

 

ଚିନ୍ମୟ…

 

ଚିନ୍ମୟ ଆସି ନ ଥିଲା...

Image

 

ପ୍ରହେଳିକା

 

ମିସେସ୍ ରାୟ....

 

ନୀଳ ପ୍ଲାଷ୍ଟିକର ଭ୍ୟାନିଟି ବ୍ୟାଗ....ହେଜେଲିନ୍‍ର ଭୁରୁଭୁରୁ ସୌରଭ... ଜର୍ଜେଟର ଶାଢ଼ି...ପିଠି ପଟକୁ ଖୋଲୁଥିବା ବ୍ଲାଉଜ୍ ଆଉ ସାମନାରେ ଯୌବନର ନମୁନା ଦେଖାଇବାକୁ ବୋଧହୁଏ ରମ୍ବସ୍ କ୍ଷେତ୍ର ପରି ଖଣ୍ଡିଏ ଖୋଲା... ରମଣୀୟ ଛେଳି ଛୁଆ ଚମଡ଼ାର ଜୁତା... ସରୁଆ ଧାର ମୁହଁ... ଦିହଯାକ କୋରିକାରି ଆଣିଲେ ବି ଏତେ ଟିକିଏ ଚର୍ବି ବାହାରିବନି....

 

...ମିସେସ୍ ରାୟ....

 

ରୋଟାରୀ କ୍ଳବର ଡିନରରେ ସେ ପ୍ରଥମ କିମ୍ବା ଦ୍ଵିତୀୟ ସ୍ଥାନରେ ବସନ୍ତି... ସଙ୍ଗୀତ ପରିଷଦରେ ତାଙ୍କର କଣ୍ଠର ଝରଣା ପ୍ଲାବନ ସୃଜେ... ଶିକ୍ଷଣଶୀଳ ନାଟ୍ୟ-ସଂଘରେ ତାଙ୍କର ଚରଣକୋକନଦ ଇନ୍ଦ୍ରଜାଲ ରଚେ...ପ୍ରତି ସଭାର ସଭାନେତ୍ରୀ...ପ୍ରତି ଗୃହସ୍ଥର ସ୍ଵପ୍ନ-ସାଥୀ...

 

...ମିସେସ୍ ରାୟ...

 

ସିନେମା ହଲରେ.....କ୍ଵାଲିଟି ରେସ୍ତୋରାଁରେ...‘ମହେନ୍ଦ୍ରତନୟା’ କୂଳରେ…ଦଳେଇ ଘାଇ’ ବନ୍ୟାବିପନ୍ନ ଅଞ୍ଚଳରେ...କିଲଟିର ସାହେବଙ୍କର ଖାସ୍ କାମରାରେ...

 

...ମିସେସ୍ ରାୟ....

 

ମିଷ୍ଟର ମହାନ୍ତି କୁହନ୍ତି ଆଖିରେ ହସ ଖେଳାଇ–ବଡ଼ ଜୋର ଅଠର କିମ୍ବା ଉଣେଇଶି ହେବ ଆପଣଙ୍କୁ ।

 

‘ଭାଇକୋନା’ କନାର ନରମ ଡିନ୍ନର ଜେକେଟ୍‍ଟାରେ ହାତ ବୁଲାଇ ବୁଲାଇ ଆତ୍ମପ୍ରସାଦ ଲାଭ କରୁ କରୁ ମିଷ୍ଟର ଦାସ କୁହନ୍ତି–

 

–ଆରେ ଯାଃ, ଷୋଳ ହୋଇଥିବ କି ନାଇଁ ।

 

ମିସେସ୍ ରାୟ ଖାଲି ହସନ୍ତି...

 

କୁଚ୍ କୁଚ୍ ନାଲି ଓଠ ଦିଫାଳ ଭିତରୁ ଯେମିତି ବାଧାବନ୍ଧ ନ ମାନି ମାଡ଼ିଆସୁଛି ଜୁଆର ରସୋଚ୍ଛ୍ଵଳ ହୋଇ...

 

...ମୋନାଲିସା...

 

ସତ କହିବାକୁ ଗଲେ ମିସେସ୍ ରାୟଙ୍କ ବୟସ କେତେ ହେବ ଅନ୍ଦାଜ କରିବା ଅସମ୍ଭବ-। ତାଙ୍କର ସେ ସମ୍ବେଦନଶୀଳ ରୂପରାଶି ପାଖରେ ପ୍ରତ୍ୟେକ ରୂପାଧ୍ୟାୟୀ ପରାଜୟ ଘେନି ଫେରିଆସେ । କିନ୍ତୁ ଲକ୍ଷ୍ୟ କରିବାର କଥା, ସେ କେବେହେଁ ଆପଣାର ଭାଣିଜୀ କୁମୁଦିନୀ ସାଥିରେ କୁଆଡ଼େ ବୁଲି ଯାଆନ୍ତି ନି । କାରଣ କୁମୁଦିନୀ ଜାଣେ, ନିଜ ଆଖିର ଚତୁଃପାର୍ଶ୍ଵବର୍ତ୍ତୀ କାଳିମାକୁ ଲୁଚାଇବା ନିମନ୍ତେ ମିସେସ୍ ରାୟ କେତେ ସମୟ ଧରି ଅଙ୍ଗରାଗର ସଦ୍‍ବ୍ୟବହାର କରନ୍ତି । କୁମୁଦିନୀ ମଧ୍ୟ ଏ କଥା ଜାଣି ନ ଥାନ୍ତା । ଦିନେ ଠିକ୍ ଗୋଧୂଳି ସମୟ ହେବ-। ହଠାତ୍ ବିଜୁଳି ଆଲୁଅ ଲାଇନ୍ ଖରାପ ହୋଇଗଲା । ମିସେସ୍ ରାୟ ସେତେବେଳେ ଆଇନା ସାମନାରେ ପ୍ରସାଧନରତା । ଭୀତା ହରିଣୀ ପରି ଘରୁ ବାହାରି ଆସିଲା ବେଳକୁ ଦୁଷ୍ଟ କୁମୁଦିନୀ ରମେଶ ସଙ୍ଗେ କ’ଣ ଗପ କରୁଛି । ଗୋଧୂଳିର ଅସ୍ପଷ୍ଟ ଆଲୋକରେ ନାରୀର ଆଖି ଠିକ୍ କଳି ନେଇଛି ନାରୀର ସେ ରୂପସଂଭାରକୁ... ଗାଲର ସେ ଲୋଚାକୋଚା... ଆଖି ଚାରିପାଖର ସେ କାଳିମା, ଅଧର ଯୁଗ୍ମର ସେ ରକ୍ତହୀନତା, ଟାସେଲ୍ ବିହୀନ କେଶରାଶିର ସେ ବିରଳତା ସବୁ ମୁହୂର୍ତ୍ତକେ କଳି ନେଇପାରିଛି କୁମୁଦିନୀ... ସ୍ତମ୍ଭିତ ହୋଇଛି ।

 

–କ’ଣସବୁ ଏଠି ହେଉଛି କୁମ ?

 

ଗର୍ଜି ଉଠିଛନ୍ତି ମିସେସ୍ ରାୟ ।

 

ତା’ପରେ ଆସିଯାଇଛି ଲାଇଟ୍ । ଆହତା ଫଣିନୀ ପୁଣି ଲେଉଟି ଯାଇଛି ଆପଣା ବିଲକୁ ।

 

ମିଷ୍ଟର ରାୟ–ମାନେ ମିସେସ୍ ରାୟଙ୍କର ସ୍ଵାମୀକୁ କେହି କେବେ ଦେଖିଥିଲା ପରି ମନେ ହୁଏନି । କେହି କେହି କୁହନ୍ତି, ମିସେସ୍ ରାୟ ଯେତେବେଳେ ଗୋଟିଏ ସନ୍ତାନର ଜନନୀ, ସେତେବେଳେ ମିଷ୍ଟର ରାୟଙ୍କର ମୃତ୍ୟୁ ହୁଏ । ତାହା ପରେ ‘ରମେଶ’ର ଜନ୍ମ । ପ୍ରଥମ ପୁତ୍ର ‘ଜର୍ଜ’ (ମିସେସ୍ ରାୟ ସ୍ଵାଧୀନତା ପୂର୍ବରୁ ଇଂରେଜୀ ନାଆଁକୁ ଭଲ ପାଉଥିଲେ) ପ୍ରାୟ ୨୭।୨୮ ବର୍ଷ ବୟସରେ ମରିଯାଏ ଅତି ଆକସ୍ମିକ ଭାବରେ... କେହି କୁହନ୍ତି ସେ କାଳେ ଆତ୍ମହତ୍ୟା କରିଥିଲା । ଏବେ ଏକମାତ୍ର ‘ରମେଶ’ ମିସେସ୍ ରାୟଙ୍କର ସାଥୀ । ଭାଣିଜୀ କୁମୁଦିନୀ କେଇ ମାସ ହେଲା ଆସି ଏଠି ପଢ଼ୁଛି ।

 

ସଞ୍ଜବେଳେ କେହି ନ ଥିଲାବେଳେ ମିସେସ୍ ରାୟ ଆଉ ରମେଶ ଏକତ୍ର ବସି ବସି ସଞ୍ଜ ବିତେଇ ଦିଅନ୍ତି । ରମେଶ ପଢ଼େ କାହିଁ କେଉଁ ଦେଶର ପରୀର କଥା, ବୃଦ୍ଧା ମିସେସ୍ ରାୟ ପ୍ରକୃତ ଷୋଡ଼ଶୀ ପରି ଉତ୍କର୍ଣ୍ଣ ହୋଇ ଶୁଣନ୍ତି...କୁରୁଳି ଉଠନ୍ତି । ନିଶ୍ଵାସକୁ ଆପ୍ରାଣ ରୋକି ମୁହଁରେ ଫୁଟାନ୍ତି ମନ୍ଦାରର ରକ୍ତିମା...ମଝିରେ ମଝିରେ ରମେଶକୁ ମାଗନ୍ତି ଗୋଟିଏ ସିଗାରେଟ୍ । ହାତୀଦାନ୍ତର ହୋଲ୍‍ଡ଼ରରେ ‘ମାର୍କୋପୋଲ’ଟିଏ ରଖି ଦିଆସିଲିରେ ନିଆଁ ଧରାଏ ରମେଶ ।

ରମେଶ ଗମ୍ଭୀର । ଲାଜକୁଳା ଆଉ କିମିତି କେଜାଣି ବିବ୍ରତ ଯେପରି । କ’ଣ ସେ କରୁଛି ଜାଣିପାରୁନି । କ’ଣ ସେ କରିବ ଜାଣିପାରୁନି । ସୂର୍ଯ୍ୟମୁଖୀ ପରି ସେ ସର୍ବଦା ମିସେସ୍ ରାୟଙ୍କ ପ୍ରତି ଅକୃଷ୍ଟ ।

 

ଘଣ୍ଟା ଘଣ୍ଟା ଧରି ମାଆ ଆଉ ପୁଅ ଖାଇସାରି ‘ସଉରା’ ଭାଷା ଶିଖନ୍ତି । ପୁଅ ମାଆକୁ ବତାଏ, ଆଉ ମାଆ ଯିମିତି କୁନି ଭଉଣୀ ପରି ସବୁ ଶିଖିପକାଏ, ଉଦରସ୍ଥ କରିପକାଏ । ଦୁଇଜଣଙ୍କୁ ସେତେବେଳେ ଦେଖିଲେ ଜଣାପଡ଼େ ଯିମିତି ଦିହିଁଙ୍କ ଭିତରେ ରମେଶ ବୟସରେ ବଡ଼...ମିସେସ୍ ରାୟ ଛୋଟ ।

 

କୁମୁଦିନୀ ଆପଣାର ଛୋଟ ଝରକାଟି ଦେଇ ଭାବେ ....ଆଉ ଭାବେ...

 

ବାହାରେ ଫେବୃଆରୀର ନରମ ଚନ୍ଦ୍ରିକା...ଶୀତ ଯାଇନି... ଗ୍ରୀଷ୍ମ ଆସିନି...। ଏ ମଧୁର ରାଜା ନିଶିଥିନୀରେ ରମେଶ କୁମକୁ ତା’ର ଛୋଟ ଅଷ୍ଟିନକାର ଖଣ୍ଡିକରେ ବସାଇ ବୁଲିଗଲେ କିମିତି ହୁଅନ୍ତା ? ରମେଶ ଆପଣାର ସ୍ଵଭାବସୁଲଭ ଗାମ୍ଭୀର୍ଯ୍ୟ ସହିତ ଷ୍ଟିଅରିଂ ଧରି ଓଠକୁ ଚାପିରଖି ବିଶ୍ଵାମିତ୍ରଙ୍କର ନୂତନ ସଂସ୍କରଣ ପରି ଚଳାନ୍ତା ଗାଡ଼ି । ଉର୍ବଶୀ ପରି କୁମ ରମେଶର ଗାମ୍ଭୀର୍ଯ୍ୟକୁ ତରଳାଇ ଦିଅନ୍ତା । ବାଆଁହାତ ଷ୍ଟିଅରିଂରୁ ଖସି କୁମୁଦର କଟି ବେଷ୍ଟନ କରନ୍ତା । ଆଉ ଦୁହେଁ ଚାଲନ୍ତେ, ଚାଲୁଥାଆନ୍ତେ...

 

ଇସ୍...

 

ଅନାଇ ରହେ କୁମୁଦିନୀ...ଅନାଇ ଥାଏ ଯେଉଁଠି ମାଆ ଆଉ ପୁଅ ଅହେତୁକ ଭାବରେ ଅଧିକ ସମୟ ଧରି ପଡ଼ି ଚାଲିଛନ୍ତି କୁମୁଦିନୀର ପରିସ୍ଥିତିକୁ ଉପେକ୍ଷା କରି ।

 

ସେଦିନ ମିସେସ୍ ରାୟ କାହିଁକି କେଜାଣି ଟିକିଏ ଶୀଘ୍ର ଶୋଇବାକୁ ଚାଲିଗଲେ । ବଗିଚା ଭିତରେ ଲୁଚି ରହିଥିଲା କୁମ । ଭାବିଲ ରମେଶ ଆପଣା ଶୋଇବାଘରେ ପହଞ୍ଚିବା ପୂର୍ବରୁ ତା’ ହାତମୁଠାକୁ ଚାପି ଦେଇ କୁହନ୍ତା...

 

...ରମେଶ...

 

କିନ୍ତୁ ମିସେସ୍ ରାୟଙ୍କର ଶ୍ରବଣଶକ୍ତି ଯେ ଅତି ତୀକ୍ଷ୍‍ଣ ।

 

ଅଗତ୍ୟା କୁମୁଦିନୀ ଫେରିଯାଏ ଆପଣା ଶୟନକକ୍ଷକୁ ହତାଶାର ଦୀର୍ଘଶ୍ଵାସ ନେଇ ।

 

କୁମୁଦିନୀ ରମେଶକୁ ଭଲପାଏ ଆଉ ରମେଶ କୁମୁଦିନୀକୁ । କିନ୍ତୁ ମଝିରେ ପ୍ରଧାନ ଅନ୍ତରାୟ ମିସେସ୍ ରାୟ–ଜଟାୟୁ ପରି ଡେଣା ମେଲାଇ ବିସ୍ତାରି ଯିମିତି ରମେଶକୁ ଆପଣାର ପକ୍ଷ ଛାୟାରୁ ଦୂର କରିବାକୁ ଚାହାନ୍ତିନାହିଁ ସେ ।

 

ଯେଉଁଆଡ଼େ ବୁଲିଗଲେ ସାଥିରେ ରମେଶ । ରେଡ଼ିଓ ଷ୍ଟେସନରେ ଗୀତ ବୋଲିବାକୁ ଗଲେ ମଧ୍ୟ ସଙ୍ଗରେ ରମେଶ ଗାଡ଼ିରେ ନେଇ ପହୁଞ୍ଚାଇ ଦିଏ, ଆଉ ବାହାରେ ଅପେକ୍ଷା କରେ ମାଆ ଆସିବା ପର୍ଯ୍ୟନ୍ତ ।

 

ବିଚାରା ରମେଶ... ନରମ ଦିହଟି ତା’ର ସତେ ଯିମିତି ସରମରେ ଗଢ଼ା । କି ପୁରୁଷ କି ସ୍ତ୍ରୀ ଯାହାକୁ ଅପରିଚିତ ଦେଖିଲେ ସେ ଲାଜରେ ଝାଉଁଳିପଡ଼େ । ମାଆଙ୍କର ବଳିଷ୍ଠ ବ୍ୟକ୍ତିତ୍ଵ ପାଖରେ ସେ ଯିମିତି ନତ, ସଙ୍କୁଚିତ ।

 

କଡ଼ା ତାଗିଦା ଭିତରେ ଯିମିତି କୁମ ଆଉ ରମେଶ ଦୁହିଁଙ୍କର ସମ୍ପର୍କରେଖା ସରୁ ହୋଇଆସେ ।

 

କୁମ ଅନ୍ଧୁଣୀ ନୁହେଁ... ଯେତେବେଳେ ସେ ଦେଖେ ରମେଶର ତଳତଳ ଆଖି ଯୋଡ଼ିକ ନିବଦ୍ଧ ରହିଛି ମିସେସ୍ ରାୟଙ୍କର କୃତ୍ରିମଦୀପ୍ତିଯୁକ୍ତ ମୁଖମଣ୍ଡଳ ଉପରେ...ସେଥିରେ ଭରି ରହିଛି ପ୍ରଚୁର ଲାଳସା, ସଙ୍କୋଚ ଆଉ ଲଜ୍ଜା... ଆଉ ମିସେସ୍ ରାୟଙ୍କର କି ଉଗ୍ର ଆନନ୍ଦ ତହିଁରେ...

 

କୁମ ସେତେବେଳେ ଭାବେ... ରମେଶର କାନ ରଗଡ଼ି ଦେଇ କୁହନ୍ତା...

 

...ରମେଶ, ଏ ଭୁଲ୍...ସବୁ ଭୁଲ୍...

 

କିନ୍ତୁ…

 

ରମେଶ ତ ମିସେସ୍ ରାୟଙ୍କୁ ଭଲ ପାଏନି... ସେ କେବଳ ତାଙ୍କ ପାଇଁ ମୁଗ୍‍ଧ, ବାତୁଳ-। ରମେଶ ନିଜେ ଜାଣେ ମିସେସ୍‍ ରାୟଙ୍କ ବିନା ରମେଶର ବ୍ୟକ୍ତିତ୍ଵ ନାଇଁ ।

 

....ଆଉ ମାଆ ?

 

ସେଦିନ କୁମକୁ କହିଲା ରମେଶ, ଯେତେବେଳେ ନିମନ୍ତ୍ରିତ ହୋଇ ମିସେସ୍ ରାୟ ଯାଇଥିଲେ ଲଞ୍ଚ୍ ଖାଇ ଆଉ କୁମ ପ୍ରସ୍ତାବ କଲା ସାଥୀ ହୋଇ ଦୁହେଁ ବୁଲିଯାଆନ୍ତେ ।

 

ରମେଶର କଳା କଳା ଆଖିରେ ଥିଲା ଗୋପନ ବ୍ୟଥା ।

 

କୁମୁଦିନୀ ସେଦିନ ପିନ୍ଧିଥିଲେ ନୂଆ ଜାଲି ବ୍ଲାଉଜଟିଏ ।

 

ଲୁହ ଛଳଛଳ ଆଖିରେ କୁମ କହିଲା–

 

–ତୁମେ କ’ଣ ମୋତେ ଭଲ ପାଅନି, ରମେଶ ଭାଇ ?

 

–ମୁଁ ନିଜେ ଜାଣେ ନି କୁମ ! କିନ୍ତୁ ମାଆ ସେଦିନ କହୁଥିଲେ…

 

ରହିଗଲା ରମେଶ..

 

–କ’ଣ କହୁଥିଲେ ?

 

କହୁଥିଲେ...କହୁଥିଲେ ଯେ.. ତୋତେ ଭଲ ପାଇବା ନିର୍ବୋଧ ବାଚାଳତା... ତୋତେ ଭଲ ପାଇଲେ କାଳେ ଛଅ ମାସ ଭିତରେ ମୁଁ ହାଲିଆ ହୋଇଯିବି...ତେଣିକି ଜୀବନଟା ହେଉ ଗୋଟାଏ ଦୁର୍ବହ ଭାର...

 

ବିଳପି ଉଠିଥିଲା କୁମର ଉଛୁଳା ଯୌବନ...

 

–ତୁମେ କ’ଣ ବିଶ୍ଵାସ କଲ ରମେଶ ଭାଇ ଏଥିରେ ?

 

କିଛି କହିପାରିଲା ନି ରମେଶ; କାରଣ ସେ ତ ଏପର୍ଯ୍ୟନ୍ତ ଦିନେହେଲେ ନିଜେ ଭାବିନି କୌଣସି ବିଷୟରେ । ମାଆ ଯାହା ଭାବିଛନ୍ତି ସେଇ ତ ତା’ର ଭାବନା...

 

ଅନନ୍ୟୋପାୟ ହୋଇ କଥାର ସ୍ରୋତ ବଦଳାଇବା ପାଇଁ ସେ କହିଲା..

 

...ତୋ’ର ଏ ବ୍ଲାଉଜଟି ଭାରି ସୁନ୍ଦର ହୋଇଛି କୁମ !

 

...କିମିତି ?

 

କୁମର ଆଖି ଲୁହ ପୁଣି ଫେରି ଯାଉଥିଲା ଏ କଥା ପଦକରେ...ସତେ ଯେମିତି ସେ ସମର୍ଥନ ପାଇଛି ରମେଶ ଆଖିରେ...

 

...ମାଆ ଆଜିକାଲି ଇମିତି ଗୋଟିଏ ବ୍ଲାଉଜ୍ ପିନ୍ଧୁଛନ୍ତି...ତାଙ୍କୁ ଖୁବ୍ ସୁନ୍ଦର ମାନୁଛି, ନୁହେଁ ?

 

ରମେଶ ମୁହଁରେ ଷୋଡ଼ଶୀର ବ୍ରୀଡ଼ା...ଚପେଇ ରଖିବା ପାଇଁ କି ଅସଫଳ ପ୍ରଚେଷ୍ଟା !

 

କୁମ ନ ହସି ରହିପାରି ନ ଥିଲା ।

 

ହାୟ ରମେଶ !

 

ସେଦିନ ସନ୍ଧ୍ୟାସାରା ଘର ଭିତରେ କବାଟ ଦେଇ ଶୋଇ ରହିଲା କୁମୁଦିନୀ ନୟନ ଜଳରେ ଆପଣାର ବସନ ତିନ୍ତାଇ...

 

–ମୋର ଜମା ଦୋଷ ନାଇଁ ଜର୍ଜ, ମୋର ମୋଟେ ଦୋଷ ନାଇଁ । ବାସନ୍ତୀକୁ ବାହା ହୋଇଥିଲେ ତୁ ନିଶ୍ଚେ ଛଅ ମାସ ଭିତରେ କ୍ଳାନ୍ତି ବୋଧ କରିଥାଆନ୍ତୁ । ଆଉ ବାସନ୍ତୀ–କ’ଣ ହେଲାଣି ସେ–ଛଅଟା ଛୁଆ–ବେକବୁଜା ବ୍ଲାଉଜ୍ ମଡ଼େଇ ଆଜି ଲଞ୍ଚକୁ ଆସିଥିଲା–ବ୍ରହ୍ମାନନ୍ଦକୁ ବାହା ହୋଇ ତା’ ଜୀବନ ଖାଇ ସାରିଲାଣି ।

 

କୁମୁଦିନୀର ସମସ୍ତ ଅଶ୍ରୁ ସତେ ବାଷ୍ପୀଭୂତ ହୋଇଗଲା...କବାଟ ଫାଙ୍କରେ କାନକୁ ଦେଇ ଶୁଣିଲା–କୁମର ଶୋଇବାଘର ଓ ମିସେସ୍ ରାୟଙ୍କର ଶୋଇବାଘର ମଝିର ବ୍ୟବଧାନ ଯେଉଁ କବାଟ ଖଣ୍ଡିକ ତହିଁରେ ।

 

–ତୋ’ ବାପା ଏଇ ଦେଶୀ ଲୋକ ନ ଥିଲେ । ଖାଣ୍ଟି ଇଂରେଜ; ତେଣୁ ତୋତେ ଜର୍ଜ ବୋଲି ଡାକୁଥିଲି । ତୁ କ’ଣ ଓଡ଼ିଆଣୀ ବାସନ୍ତୀକୁ ବାହାହୋଇ ତୃପ୍ତି ପାଇଥା’ନ୍ତୁ ? ଏଁ, ଏମିତି ବଡ଼ ବଡ଼ ଆଖିରେ ଚାହିଁଛୁ କାହିଁକି ?

 

ହିଃ, ହିଃ, ହିଃ–ଓ ରମେଶ କଥା ! ତାକୁ ତ ବିଲେଇ ମାଛକୁ ଟାକି ବସିଲା ପରି ଅନେଇ ବସିଛି କୁମ । ମୁଁ ଟିକିଏ ଆଖି ବୁଜିଦେଲେ ମାଡ଼ି ବସିବ ।

 

ତା’ପରେ ନିଃଶବ୍ଦତା–

 

କୁମୁଦିନୀ ଆପଣା ବୁକୁର ସ୍ପନ୍ଦନ ରେଳଗାଡ଼ି ଚାଲୁଥିଲା ପରି ଶୁଣିପାରୁଥିଲା ।

 

ବାହାରେ ଗର୍ଜୁଥିଲା ଅଦିନିଆ ତୋଫାନ–ଘଡ଼ଘଡ଼ି ବିଳପି ଉଠୁଥିଲା ରହି ରହି–

 

ସମଗ୍ର ଶରୀରଟାକୁ ଗୋଟାଏ ମସ୍ତବଡ଼ କାନ ପରି କରିଦେଇ କୁମୁଦିନୀ ଶୁଣିବାକୁ ଚେଷ୍ଟା କରୁଥିଲା ଫାଙ୍କରେ–

 

–ଉଃ ଇମିତି ସେଦିନ ଅଦିନିଆ ଝଡ଼ରାତି–ଜର୍ଜ ମରିଗଲା ପୋଟାସିୟମ୍ ସାଇନାଇଡ଼୍ ଖାଇ–ତା’ ଛାତି ପକେଟରୁ ବାହାରିଲା ବାସନ୍ତୀର ଫୋଟ–ଉଃ–ଉଃ–ବାସନ୍ତୀର–ଉଃ–

 

ବାହାରେ କୁମୁଦର ଦୁଆରେ କିଏ ମୃଦୁ ଆଘାତ କଲା ।

 

–କିଏ ?

 

ପଶିଆସିଲା ରମେଶ ଅତି ସନ୍ତର୍ପଣରେ ।

 

–ମାଆଙ୍କ ଦେହ ଭଲ ନାଇଁ କି କ’ଣ ସେ ଆଡ଼ୁ ଆସି ସିଧା ଆପଣା ଘରକୁ ପଶିଛନ୍ତି । ଡାକ୍ତର ଡାକିବା କି ?

 

କୁମୁଦିନୀ ଜାଣେ ଆଉ ଜାଣେ ଯେ ମିସେସ୍ ରାୟଙ୍କର ଶୋଇବାଘରକୁ ସମସ୍ତଙ୍କର ପ୍ରବେଶ ନିଷେଧ ।

 

ହଠାତ୍ ମଝି ଦରଜା ଖୋଲିଦେଇ କୁମର ଶୋଇବା ଘରକୁ ପ୍ରବେଶ କଲେ ମିସେସ୍ ରାୟ

 

–ତୁମେ ଦି’ଜଣ ବସି ବସି କ’ଣ ଗପୁଛ ଏଠି–ବୈଠକଖାନା ଗଲା କୁଆଡ଼େ ? ନିଶ୍ଚିନ୍ତରେ ଶୁଆଇ ଦେବନି ନା କ’ଣ ?

 

–ତୋତେ କେତେଥର କହିଛି ରମେଶ, ଅନ୍ୟର ବିଶେଷରେ ସ୍ତ୍ରୀଲୋକର ଶୋଇବାଘରକୁ ଯିବା ସୌଜନ୍ୟର ବିରୋଧୀ ।

 

–ମାଆ... ?

 

ଦୁଇଜଣଯାକ ଚିତ୍ରପିତୁଳୀ ପରି ଯିମିତି ଅନେଇଥିଲେ ମିସେସ୍ ରାୟଙ୍କ ଆଡ଼େ ।

 

–କ’ଣ ଅନାଇଛୁ ଇମିତି ରମୁ ?

 

–ମାଆ... ?

 

ଭଙ୍ଗା ଦର୍ପଣଟାରେ ଟୁକୁରାଗୁଡ଼ାକୁ ଅଠା ଲଗେଇ ଯୋଡ଼ି ଛିଡ଼ା କରେଇଲେ ଯିମିତି ଦିଶେ ସିମିତି ଦିଶୁଥିଲେ ମିସେସ୍ ରାୟ ।...କାହିଁ ଚଲାଆଖିର ସେ ଶାଣିତ ରସାଣ...କାହିଁ ଗଲା ଅଧରର ସେ ଅପରୂପ ରକ୍ତିମା... କାହିଁଗଲା ଷୋଡ଼ଶୀର ସେ ଠାଣି...କାହିଁ ଗଲା ? କାହିଁ ଗଲା ?

 

–ମାଆ, ତୁମେ କ’ଣ ବୁଢ଼ୀ ହୋଇଗଲଣି ?

 

–ଆଜି ନୂଆ କରି ଜାଣିଲୁ ରମୁ ? ହାଃ, ହାଃ, ହାଃ ।

 

ହସର ସେ ନିରବଚ୍ଛିନ୍ନ ନିଥରତା ନାଇଁ...ଖାଲି ଯିମିତି ପାଣି ଅଜାଡ଼ିଲା ପରି ହସ...

 

ତୁମେ ଦିହେଁ ବାହା ହୋଇପଡ଼ ରମୁ !

 

–ମାନେ ?

 

ରମେଶ ଆଶ୍ଚର୍ଯ୍ୟ ହେଲା । ଆଜି ମାଆଙ୍କର ହୋଇଛି କଅଣ ?

 

–ମାନେ ତୁ କୁମୁଦିନୀକୁ ବାହା ହୋଇପଡ଼ । ହାଃ, ହାଃ, ହାଃ ।

 

–କିନ୍ତୁ ତୁମେ ଯେ କହୁଥିଲ ଭାଇ ଭଉଣୀ ବାହା ହୁଅନ୍ତି ନି ।

 

–ହଁ କହୁଥିଲି, ଏବେ ବି କହୁଛି । କିନ୍ତୁ ତୁ ତ କୁମର ଭାଇ ନୋହୁଁ । ତୋ’ର ବାପା ମିଷ୍ଟର ରାୟ ଭଳି ଅପର୍ଦାଥ ନୁହନ୍ତି । ସେ ହେଉଛନ୍ତି ମିଃ ମିତର୍...ଲାଟ ସାହେବଙ୍କର ପ୍ରାଇଭେଟ୍ ସେକ୍ରେଟେରୀ ଥିଲେ...ଏବେ ସ୍ଵାଧୀନତା ପରେ ଲଣ୍ଡନ ଚାଲିଗଲେ ବସବାସ କରିବା ପାଇଁ...

 

ମିସେସ୍ ରାୟ ବୋଧହୁଏ ପୂର୍ବଦିନର ସେ କଥା ମନେ ପକାଇ ଯୌବନର ସମସ୍ତ ଉଲ୍ଲାସରେ ଥରି ଉଠିବାକୁ ବସୁଥିଲେ । କିନ୍ତୁ ଶରୀର ସମସ୍ତ ସ୍ନାୟୁ ଯିମିତି ଛିଡ଼ି ଯାଇଥିଲା ସେତେବେଳକୁ ।

 

–ସତ କହୁଛ ନା ମାଆ ?

 

–ସତ ! ହାଃ, ହାଃ, ହାଃ ।

 

ବାହାରେ ତୁମୁଳତର ତୋଫାନ ବହୁଥିଲା ମିସେସ୍ ରାୟଙ୍କର ହାସ୍ୟକୁ ଉପହାସ କରି ।

 

–ଲାଟ ସାହେବଙ୍କର ସେକ୍ରେଟେରୀ...ଆଇ. ସି. ଏସ୍. ଅଫିସର...ତା’ ନ ହେଲେ ସେ କ’ଣ ମୋ’ର ପ୍ରେମିକ ହୋଇ ପାରିଥାନ୍ତେ ?

 

–ଓଃ, କି ଦୁର୍ଭାଗ୍ୟ ! କ’ଣସବୁ ତୁମେ କହୁଚ ମାଆ ? କାହାର ଦୁର୍ଭାଗ୍ୟ ? କ’ଣ କହୁଛି-? ତୋର ଦୁର୍ଭାଗ୍ୟ ନା ମୋ’ର ! ହାଃ, ହାଃ, ହାଃ ।

 

ଝଡ଼ ବେଗରେ ଆପଣା ଘର ଭିତରକୁ ପଶିଲେ ମିସେସ୍ ରାୟ ।

 

କୁମୁଦିନୀ ଚାହିଁଥିଲା ହତୋତ୍ସାହ ନିର୍ବାକ ରମେଶକୁ...ରମେଶର ଆଖିରୁ ବୋଧହୁଏ କଟି ଯାଉଥିଲା କୁୟାସା...ଚାରିପାଖର ଖୋଳ ଭିତରୁ ଲୋମହୀନ ନବୀନ ଜୀବଟିଏ ବାହାରି ଆସୁଥିଲା ଯେମିତି ।

 

ସକାଳୁ ମିସେସ୍..ରାୟଙ୍କର କବାଟ ଖୋଲି ଦେଖିବାକୁ ମିଳିଲା ତାଙ୍କର ମୃତଦେହ ସାମନାରେ ଜର୍ଜ ଆଉ ରମେଶର ଦୁଇଟା ବଡ଼ ବଡ଼ ଫଟୋ ।

 

ଅତି ମାତ୍ରାରେ ଶୋଇବା ଔଷଧ ଖାଇଦେବାରୁ ମୃତ୍ୟୁ ଘଟିଛି ବୋଲି ଡାକ୍ତର ମତ ଦେଲେ ।

 

(କୌଣସି ବୈଦେଶିକ ଗଳ୍ପର ଆଂଶିକ ଛାୟା ଏ ଗଳ୍ପରେ ପଡ଼ିଛି –ଲେଖକ)

Image

 

ନିଥର ଢେଉ

 

ହଟ୍ ହଟ୍...

 

କେତେଥର ମନା କରିଚି ବାବୁ...ସେଠି ଛିଡ଼ା...ହୁଅନି । ଏଡ଼େ ବଡ଼ ବଡ଼ ଅକ୍ଷରରେ ଲେଖା ଅଛି । ‘ପୁରୁଷ ପ୍ରବେଶ ଦ୍ଵାର’ ‘ଇସ୍ତ୍ରୀ ପ୍ରବେଶ ଦ୍ଵାର’–ଫେର୍ ବି ପୁରୁଷ ପ୍ରବେଶ ଦ୍ଵାରରେ ଇସ୍ତ୍ରୀ ପ୍ରବେଶ ଦ୍ଵାରରେ ପୁରୁଷ...ଛି...ଛି...

 

ହସିଲେ ସୁରେଶ ବାବୁ...

 

ନେଭି ବ୍ଲୁ ଦଶଣିଆ ଡ୍ରିଲ୍‍ର ହାଫ୍ ପ୍ୟାଣ୍ଟ...ରଂଗ ଛାଡ଼ି ଆସିଲାଣି ଠାଏ ଠାଏ । ବାହୁ ପାଖରେ ସୋରା ଚିରା ଥାଇ ମାର୍କିନ କନାର ହାଫ୍‍ସାର୍ଟ–ଗୋଡ଼ରେ ହଳେ ଛିଣ୍ଡା ଚପଲ, ହାତରେ ଗୋଟେ ଜବରଦସ୍ତ ଠେଙ୍ଗା ।

 

‘ହଇ ଆଜ୍ଞା, ଆଜିକାଲି ଯୁଗ ଓଲଟି ଗଲାଣି...ମରଦଗୁଡ଼ାକ ମାଇପି ପାଲଟି ଗଲେଣି....ଆଉ ମାଇପିଗୁଡ଼ାକ ମରଦ...ନିଇତି ତ ଖବରକାଗଜରେ ସେଇଆ ବାହାରିଲା...’

 

ଠେଙ୍ଗାଟାରେ ଭରାଦେଇ ବୁଢ଼ା ଜମାଦାର ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇପାରେ...କେବଳ ସେତିକି ନୁହେଁ, ରିକ୍‍ସା, ମଟର, ସାଇକେଲ, ଘୋଡ଼ାଗାଡ଼ି, ଲୋକଗହଳି ନିୟନ୍ତ୍ରଣ କରେ ଏଡ଼େ ସୁବିଧାରେ ଯେ, କଟକ ସହରର ଟ୍ରାଫିକ ହାବିଲଦାର ମଧ୍ୟ ତା’ ଆଗରେ ହାର ମାନିଯିବ ।

 

‘ହୋ ସାଇକେଲ ବାବୁ, ସେଠି ସାଇକେଲ ଗଛମୂଳେ ଡେରି ଦେବାକୁ କିଏ ହୁକୁମ ଦେଲା ଶୁଣେ ?

 

–ଆରେ ଦୂର୍, ସବୁବେଳେ ଏ ବୁଢ଼ା ବକ୍ ବକ୍ କଲା ।

 

–ବାବୁ, ସାଇକେଲ ସେଠୁ ଉଠାଉଛ ନା ପୁଣି–

 

–ଆରେ ବାବୁ, ଆଉ ସାଇକେଲ କେଉଁଠି ରଖିବା ?

 

–ସେଇ କଥା ପଚାରୁନ । ଖାଲି ମାଡ଼ିଯାଉଛ । ହେଇ ଯେ ଦିଶୁଛି ‘ସାକ୍ଷୀଗୋପାଳ ଖୁଣ୍ଟି’ ସେଇଠି ରଖ । ଦି’ଅଣା ପଇସା ପଡ଼ିବ, ହଁ, ତେବେ କେଡ଼େ ହେପାଜତରେ ସାଇକେଲ ରହିବ ।

 

ହସିଦେଇ ଚାଲିଗଲା ସାଇକେଲବାଲା ।

 

...ବାବୁ, ଓଳିକି ।

 

ଥୁ କରି ମେଞ୍ଚାଏ ପାନପିକ ଭୂଇଁରେ ପକେଇ ଉପରକୁ ମୁହଁ ଟେକି ଅନେଇଲା ଜମାଦାର ସୁରେଶ ଆଡ଼େ ।

 

କ’ଣ ଦିହ ଭଲ ହୋଇଗଲା ହଜୁର ନା ଆଉ କେତେ ଦିନ ।

 

ନର୍ସିଂହୋମର ରୋଗୀ ସୁରେଶ...ଅଭିଜାତ ରୋଗୀ ।

 

ଗଦିଦିଆ ଆରାମଚେୟାରଟାରେ ଠେଲେଇ ହୋଇ ବସି ସୁରେଶ କହିଲା–ଥୋଡ଼ା ଆଚ୍ଛା ହୋ ଗୟାହୈ, ଲେକିନ୍‍, ଫିର୍‍ ଭି...

 

ଜମାଦାର ପାନଖିଆ ଦାନ୍ତରେ ହସ ଫୁଟାଇ କହିଲା, ନାଇଁ ବାବୁ, ପୂରା ଭଲ ହେଲେ ଯାଇ ଯିବେ ।

 

ଓହୋ...ମୁଁ ବାବୁ ସାଥିରେ କଥା ହୋଇଛି କି ନାଇଁ ଏଠି ଜମା କଲୁଣି ରିକ୍‍ସା...ହଟାଓ, ହଟାଓ ।

 

ଦୁର୍ବୋଧ୍ୟ ତେଲଗୁ ଭଷାରେ କ’ଣ କହିଲା ରିକ୍‍ସାବାଲା ।

 

ଜମାଦାର ବି ଛାଡ଼ିବାର ପାତ୍ର ନୁହେଁ । ସେ ମାନିଯିବାକୁ ତିଆର ନୁହେଁ ଯେ ସେ ତେଲୁଗୁ ବୁଝିପାରୁନି ।

 

ରାଗି କରି କହିଲା–

 

...ଏ ମଣ୍ଡି...ରିକ୍‍ସାବାଲା ଗାରୁ...

ହସିଲା ରିକ୍‍ସାବାଲା...ଭବିଲା ଜମାଦାର ବୋଧହୁଏ ତେଲେଗୁ ଭାଷାରେ ଜଣେ ପଣ୍ଡିତ । ଆରମ୍ଭ କରିଦେଲା ବକ୍ତୃତା । ସବୁ ପାରିଲା ପରି ହସି ହସି, ଟୁଙ୍ଗାରି ଟୁଙ୍ଗାରି ଜମାଦାର କହିଲା–

–ଯା ବାପଧାନ ଆଗ ରିକ୍‍ସା ପଛକୁ... ଓଠ ଶୁଖି କଳାକାଠ ପଡ଼ିଗଲାଣି...କୋଳରେ ଦୁଇ ବର୍ଷର ଶିଶୁ । ସାଥିରେ ସିମେଣ୍ଟ ରଙ୍ଗର ଢିଲା ପଞ୍ଜାବିଟିଏ ପିନ୍ଧି ଭଦ୍ରଲୋକଟିଏ–ବାଳଗୁଡ଼ିକର ରଙ୍ଗ କ୍ରମଶଃ ଧଳା ହୋଇଆସୁଛି ।

ବୋଧହୁଏ ଭଦ୍ରମହିଳାଙ୍କର ଦେହ ବେମାର ଅଛି ।

ରିକ୍‍ସା ଅଟକିଲା ।

ପୁରୁଷ ଜଣକ ପ୍ରଥମେ ଓହ୍ଲେଇ ପଡ଼ିଲେ । ‘ଆସ’ କହି ଚାଲିଗଲେ ଆଗରେ । ସ୍ତ୍ରୀଟି କିନ୍ତୁ ଛୋଟ ଛୁଆଟିକୁ କୋଳରେ ଧରି ଓହ୍ଲେଇବାକୁ ଅକ୍ଷମ ରିକ୍‍ସା ଭିତରୁ ।

ହଟୋ...ହଟୋ...

ଜମାଦାର ପାଟି ଦୂରରୁ ଶୁଭୁଥିଲା ।

ପୁରୁଷ ବୁଲି ଚାହିଁଲେ ।

–କଣ ଓହ୍ଲେଇବାକୁ ମନ ହେଉନି କି ?

–ଓହ୍ଲେଇ ପାରୁନି ‘ମିନୁ’କୁ ଧରି...ଟିକିଏ ଧରୁନ ତାକୁ । କ୍ଷୀଣକଣ୍ଠରେ କହିଲେ ସ୍ତ୍ରୀ ଜଣକ ।

–ଧରି ନ ପାରିବ ତ ପିଲା ଜନ୍ମ କର କାହିଁକି ? ମୋତେ ଜଳେଇ ପୋଡ଼େଇ ମାରିବା ପାଇଁ ?

–ଓଃ, ବୋଉ ଲୋ !

ଆଖିରୁ ଲୁହ ନିଗିଡ଼ି ପଡ଼ିଲା ଭଦ୍ରମହିଳାଙ୍କର । ମୁହଁ ଫେରାଇନେଲେ ଭଦ୍ରଲୋକଟି ।

ଜୀବନ କ୍ଷତବିକ୍ଷତ ତାଙ୍କର । ସବୁ ସୂକ୍ଷ୍ମ ପ୍ରବୃତ୍ତି ଉପରେ ଖୋଳପା ବାନ୍ଧିଗଲାଣି ଯିମିତି-। ଆଉ କିଛି ବାଧୁନି ।

 

–ପ୍ରତିଦିନ ଡାକ୍ତରଖାନାକୁ ଦଉଡ଼ିଥିବି ଅଫିସ ବନ୍ଦ କରି ୟାଙ୍କରି ପାଇଁ । ସେଆଡ଼େ ଗଲାବେଳକୁ ଜମାହୋଇଥିବା ଫାଇଲ୍‍ । ନାଲି କାଳିରେ ବଡ଼ ବଡ଼ ଅକ୍ଷରରେ ବଡ଼ ସାହେବ ମାଗିଥିବ କୈଫିୟତ, କାହିଁକି ତୁମର ଏଇତକ ଦିନ ଛୁଟିର ଦରମା କାଟି ଦିଆ ନ ଯିବ ?” ଦୁଇ ଦିନର ଦରମା ଚାରିଟଙ୍କା–ଟଙ୍କେ ନୁହେଁ କି ମଷେ ନୁହେଁ । ଚାରିଟଙ୍କା କଟିଗଲେ ଖାଇବ କ’ଣ ସବୁ ତୁମେ ? ମୋତେ ଘୋଷାରି ଘୋଷାରି ଖାଇବତ !

 

–ଓଃ...ମୁଁ ତ କହୁଥିଲି ଆସିବିନି ବୋଲି...ତୁମେ ଆସ କାହିଁକି ଇମିତି କୁହ କାହିଁକି ?

 

–ଆସିବିନି ? ଚାରା ଅଛି ନ ଆସିବାକୁ ? ଜୀଅନ୍ତା ଲଦନତ ବୋହିଛି ।

 

ହଟୋ...ହଟୋ...

 

ବୁଢ଼ା ଜମାଦାରର ଛଞ୍ଚାଣ ଆଖି ପଡ଼ିଲା ରିକ୍‍ସା ଆଡ଼େ ।

 

...ଏତେ ଡେରି କାହିଁକି ? ହଟୋ...ହଟୋ...

 

–କ’ଣ ଆସୁଛ କି ନାଇଁ ଯେ...

 

ଉଠିବାକୁ ଚେଷ୍ଟା କଲେ ଭଦ୍ରମହିଳା–ପାରିଲେନି–ପୁଣି ଲଥ୍ କରି ବସିପଡ଼ିଲେ ।

 

କି ସୁଆଙ୍ଗ ଯେ ଲାଗିଛି !!

 

ଭଦ୍ରଲୋକ ବିରକ୍ତିର ସହିତ ଆଗେଇଗଲେ ଡାକ୍ତରଖାନା ଆଡ଼େ ।

 

ଜମାଦାରର ଆଖି ଅଟକିଗଲା ।

 

କଳା ଅପରଛନିଆ ହାତ ଦିଇଟା ବଢ଼ାଇଦେଲା ସେ ।

 

–କ’ଣ ହେଲା ମା ? ମତେ ଦିଅ, ମୁଁ ସାନବାବୁଙ୍କୁ ଧରେଁ । ଆପଣ ସୁବିଧାରେ ଓହ୍ଲାନ୍ତୁ-। କୋଟରଗତ ଲୋତକସିକ୍ତ ଆଖି ଖୋଲି ଅନେଇଲେ ଭଦ୍ରମହିଳା...କାହାର ଏ କରୁଣା-? ମରୁ-ନଦୀରେ କୁଆଡ଼ୁ ଉଠୁଛି ଜୁଆର ?

 

ହାତ ତୋଳି ମିନୁକୁ ବଢ଼େଇଦେଲେ ଜମାଦାର ହାତରେ…ଆୟାସର ସହିତ ଓହ୍ଲେଇଲେ ରିକ୍‍ସାରୁ ।

 

ଥରେ ଅନେଇଲେ ଜମାଦାରଆଡ଼େ...ଥରେ ଆପଣାର ଚାଲିଯାଉଥିବା ସ୍ଵାମୀଙ୍କ ଦିଗରେ ।

 

ଲୁହାଭିଜା ଦୀର୍ଘନିଶ୍ଵାସଟିଏ ଛାଡ଼ିଲେ ଭଦ୍ରମହିଳା । ଜମାଦାର ରୁକ୍ଷ ହାତରୁ ଶିଶୁଟିକୁ ତୋଳିନେଇ ପୁଣି ଚାଲିଲେ ସ୍ଵାମୀଙ୍କ ପଛେ ପଛେ ।

 

ଜମାଦାର ମୁହୂର୍ତ୍ତେ ଚାହିଁଲା ତାଙ୍କର ଯିବା ରାସ୍ତାକୁ । ସଙ୍ଗେ ସଙ୍ଗେ ସ୍ଵପ୍ନାଭିଭୂତ ପରି ଚିତ୍କାର କଲା ।

 

ହଟୋ, ହଟୋ ରିକ୍‍ସା...

 

ତା’ର କୋରଡ଼ିଆ ଆଖିରେ ଜକେଇ ଉଠିଥିଲା ଦୁଇ ବୁନ୍ଦା ଲୁହ...

 

ଭଦ୍ରମହିଳା ସେତେବେଳକୁ ଆଉଟ୍ଡ଼ୋର୍‍ର ଜନଗହଳି ଭିତରେ ନିଶ୍ଚିହ୍ନ ହୋଇଗଲେଣି ।

 

ଅନେଇଥିଲା ଜମାଦାର...

 

ଅନେଇଲେ ଛାତ ଉପରୁ ସୁରେଶ ବାବୁ । ଗିଲାସେ କମଳାରସ ଧରି ତାଙ୍କ ପଛରେ ଅନେଇ ରହିଥିଲେ ସିଷ୍ଟର୍ ମେରୀ...

Image

 

ଗୋଧୂଳି ଛାୟା

 

ଅସରନ୍ତି ଆଶା ପରି ସାମନାରେ ପଡ଼ିରହିଛି ଅବିଶ୍ରାନ୍ତ ରାସ୍ତା, ବିରାମ ନାଇଁ, ଶେଷ ନାଇଁ ସତେ ଯିମିତି । ବୈଶାଖ ମାସର ଝାଞ୍ଜି ପାହାଡ଼ର ଉତ୍ତପ୍ତ କୋଳ ଛୁଇଁ ବୋହିଆସୁଛି ଧୀରେ ଧୀରେ...ପୋଡ଼ି ଯାଉଛି ମୁହଁ, ଉଡ଼ିଯାଉଛି ଛାତି ତଳର ଶତ ଆଶା ଓ ଆଶଙ୍କା...

 

ସାଇକେଲ ଛୁଟିଛି…

 

ପ୍ୟାଡ଼ଲ୍ ଘୁରି ଘୁରି ଚାଲିଛି । କର୍‍ର କର୍‍ର କରୁଛି ଫ୍ରି ହୁଇଲ୍ କିମିତି ଗୋଟାଏ ଅଭିଯୋଗମିଶା ସ୍ଵରରେ–

 

ଆହୁରି ଦୁଇ ମାଇଲି ବାକି...

 

ଧୋବି କଲେଜରେ ଚପରାସି କାମ କରେ । ଟ୍ରେଜେରୀରୁ ଟଙ୍କା ଆଣିବା, ଟ୍ରେଜେରୀକୁ ଅସୁଲ ଟଙ୍କା ନେବା ତା’ର କାମ । ତିରିଶି ବର୍ଷ ହେଲା ଚାକିରି ହେଲାଣି, ଦିନେ ହେଲେ ବି ଅଣାଏ ପଇସା ଏପାଖ ସେପାଖ ହୋଇନି ତା’ର । ଖୁବ୍ ସଚ୍ଚୋଟ ଚପରାସି, ବଡ଼ କିରାନୀଙ୍କର ଭୂରି ଭୂରି ପ୍ରଶଂସା, ସାହେବଙ୍କର ସଦାୟ ଆଳାପ ସେତିକିରେ ଧୋବିର ବୁକୁ କୁଣ୍ଢେମୋଟ ହୋଇଯାଏ, କିନ୍ତୁ ପେଟ ଭିତରର ଭୋକ ତ କମେନା–ସେଇ ବକତେ ପେଜୁଆ ପେଜୁଆ ଭାତ, ପାଣିଆ ଡାଲମା, ବାସ୍ । ଠାଆକରୁ ଦିଇଠା ଚାଖିନି ସେ...କେତେବେଳେ ବା ବୁଜୁଳିଟାରେ ପଦୁଆଁ ବାନ୍ଧି ଦେଇଥାଏ ଦି’ଖଣ୍ଡ ଆମ୍ବୁଲ କି କଇଁଆ ମେଞ୍ଚାଏ । ସେତିକି ସାଇତିରଖେ ଧୋବି ଭଲ ଦିନମାନଙ୍କ ପାଇଁ...

 

ଆଉ ଟକକରେ ଜହ୍ନ ଉଇଁବ, ହସି ହସି ଭୀରୁ ଜ୍ୟୋତ୍ସ୍ନା ଆତ୍ମସମର୍ପଣ କରିବ ଧୂସର ଗଛଲତାର ଫାଙ୍କରେ...ରାତି ହୋଇଯିବ ବେଶୀ । ଗାଆଁ ମଶାଣିରୁ ମଢ଼ଖିଆ ବିଲୁଆ ରଡ଼ି ଛାଡ଼ିବ-

 

ହଠାତ୍ କାହିଁକି ଧୋବିର ଆଣ୍ଟ ମନ ଭିତରେ ଆଶଙ୍କା ଖେଳିଗଲା...ଏଁ, ଚାଳିଶି ବର୍ଷ ହେଲାଣି ଧୋବିକୁ । ତଥାପି ସେ ଡରୁଛି ମଶାଣିକୁ...ଭୂତପ୍ରେତ...ଛି...

 

ଆହୁରି ଜୋରରେ ପ୍ୟାଡ଼ଲ ଦାବିଲା ଧୋବି...ସତେ ଯେମିତି ପବନ ପରି ଉଡ଼ିଯିବ । ଚେନ୍ ଖସିଗଲା । କି ହଇରାଣ

 

ଅହେତୁକ ଭାବେ ସାଇକେଲ ଘଣ୍ଟି ଟିଂ ଟିଂ କରି ଚାଲିଲା ଧୋବି ।

 

କଦଳୀ କାନ୍ଧି ଚୋରି ମାମଲାରେ ଆସିଥିଲା ପରିଆ; କହିଲା, ପଦୁଆଁ କୁଆଡ଼େ ଚାରିଦିନ ହେଲା ବେମାର ପଡ଼ିଛି, ବସନ୍ତ-ଆଖି ଯୋଡ଼ାକ ଛାଡ଼ି ଦିହସାରା ଠାକୁରାଣୀ ସିଇଁ ହୋଇ ଯାଇଛନ୍ତି–ପତାଖୋଲି ଚାହୁଁନି ମୋଟେ...ଧୋବିର ଟାଣୁଆ ମନ ମୁହୂର୍ତ୍ତକ ପାଇଁ ଚହଲି ଉଠିଲା । ହଠାତ୍ ଜାଗିଲା ବୁକୁ ଭିତରେ ଜୁଆର; ପୁଣି ମଉଳି ପଡ଼ିଲା–ପିଲାମାନଙ୍କର ପରୀକ୍ଷା ଫିସ୍–ପନ୍ଦର ହଜାର ଟଙ୍କା ଟ୍ରେଜେରୀରେ ଆଜି ପଇଠ ନ କଲେ ନ ଚଳେ । ଧୋବି ନ ଗଲେ ଏତେ ଟଙ୍କା କିଏ ନେଇ ଯିବ ? ନା ସେ ଯିବ, ନିଶ୍ଚୟ ଯିବ ।

 

ନିର୍ବିକାର, ନିର୍ବିକଳ୍ପ ଋଷି ଯିମିତି ଚାଲିଛି ଧୋବି, ଅବିଚଳିତ ମନ, ଅନାଦୃତ ଭାବନା । ଫେରିଚାଲିଛି–ସେଇ ଧତଡ଼ା ସାଇକେଲ–ଛୁଟିଚାଲିଛି ଦୂରକୁ, ଆହୁରି ଦୂରକୁ, ଆହୁରି ଦୂରକୁ ।

 

ଚାରି ମାଇଲ ରାସ୍ତା ଚାରି ଯୋଜନ ପରି ଲାଗୁଛି ଧୋବିକୁ ଆଜି । ବାଆଁ ଆଖିଟା କାହିଁକି ଡେଉଁଛି । ଇସ୍ ଏତିକିରେ ଡରିଯିବ ସେ ? ମୋଟେ ନୁହେଁ । ଅତି ସଂଯତ ତାର ଭାବନା । ପାଞ୍ଚ ଟଙ୍କାରେ ତିନି ଟଙ୍କା ମିଶାଇଲେ ଯିମିତି ଆଠ ଟଙ୍କା ହୁଏ ସିମିତି ।

 

ହେଇ ସାମନାରେ ହିଡ଼ବୁଦା, ମଶାଣିପଦା । ବାଁଆକୁ ମୋଡ଼ିଗଲେ ଧୋବିର ଗାଁ । ଧୋବିର ଗାଁ ସତ, କିନ୍ତୁ ସେଠି ଅଧେ ମଣିଷ ଧୋବିକୁ ଚିହ୍ନନ୍ତି ନାଇଁ । ବାରବର୍ଷଯାଏ ଯାହା ଗାଆଁରେ ଥିଲା । ସେହିଦିନୁ କଟକରେ ବିତିଯାଇଛି ଦିନଗୁଡ଼ାକ–ଗାଆଁର ମୂଲିଆ ଚାଷୀଏ ଆକାଳେ ସକାଳେ ଧୋବିକୁ ଗାଆଁରେ ଦେଖିଲେ ସମ୍ମାନ ସହିତ ବାଟ ଛାଡ଼ିଦିଅନ୍ତି । କଟକ ମୁଲକର ବାବୁ ଧୋବି । ଯେତେବେଳେ ରାତି ରହି ସକାଳେ ଫେରେ ।

 

ଛିଣ୍ଡା ଶୀତଳପଟିଟା ଉପରେ ଅଗଣା ମଝିରେ ଶୋଇରହି ପଦୁଆଁ କେତେ ଥର କୁହେ–

 

ଏତେଦିନ ହେଲା ଆସି, ଦିନେ ତ ଟିକିଏ କଟକଆଡ଼େ ନେଲନି ମୋତେ ? ସେଠି କୁଆଡ଼େ ଚିତ୍ରଗୁଡ଼ାକ କଥା କୁହନ୍ତି । ମାଇପିମାନେ ମୁଣ୍ଡରୁ ଓଢ଼ଣା କାଢ଼ି ରାସ୍ତାଘାଟରେ ପୁଅ ପିଲାଙ୍କ ପରି ହେଁ ହେଁ ଫେଁ ଫେଁ ହୋଇ ବୁଲନ୍ତି । ମୋତେ ଟିକିଏ ନେବନି ସେଠିକି ?

 

ସବୁ ଶୁଣି ଚୁପ୍ ରହିଛି ଧୋବି । ଜହ୍ନର ନିଷ୍ପ୍ରଭ ଆଲୋକରେଖା ପାଇଁ ହୁଏତ ପଦୁଆଁ ଲକ୍ଷ୍ୟ କରିପାରେନି କି ଆୟାସର ସହିତ ଧୋବି ଉଦ୍‍ଗତ ଲୁହ ଚାରିପାଖେ ଆଖିରେ ତା’ର ।

 

ସେଇ ପଦୁଆଁ ଆଜି ତା’ର ବେମାର ପଡ଼ିଛି ।

 

କାଳେ କାମରେ ଖଇଚା ହୋଇଯିବ ବୋଲି ଭୟରେ ଚିଠି ଲେଖିନି ଧୋବି କତିକି । ଗୋଟିଏ ଥର ଲେଖିଥିଲା ସାନ ପୁଅ ନରିଆର ଦିହ ଦୁଃଖ ହୋଇଥିଲାବେଳେ । ଅବଧାନ ଗଣ୍ଡେ ପଇସା ନେଇ ପୋଷ୍ଟକାର୍ଡ଼ ଖଣ୍ଡିକରେ ଲେଖି ଦେଇଥିଲା । ଧୋବି ସେ ଚିଠି ପାଇ ଉଠିଲା ଥାନରୁ ଦଉଡ଼ି ଆସିଲା । ଘରେ ପହଞ୍ଚିଲାବେଳକୁ ନରିଆ ଦିହର ତବତି ଓହ୍ଲାଇ ଗଲାଣି । ଝାଡ଼ିଝୁଡ଼ି ହୋଇ ଉଠି ପଖାଳ ବେଲାଏ ଠୁଙ୍କୁଛି ।

 

ଧୋବିର ମୁଣ୍ଡରେ ରକତ ଗରମ

 

–କିଲୋ କାହା ଦିହ ଦୁଃଖ ହୋଇଥିଲା କି ନରିଆ ମା’ ?

 

ଧୋବି ଚଢ଼ା ଗଳାରେ ହାଙ୍କିଲା ଠିକ୍ ଯିମିତି ହେଡ଼୍ କିରାଣୀ ବାବୁ ଧୋବି ଉପରେ ଆଦେଶ ଆଉ ଅଭିଯୋଗ ଅଜାଡ଼ି ଦିଅନ୍ତି ।

 

ଶଙ୍କିଗଲା ପଦୁଆଁ, ଏବେ ପୂରା ମନେପଡ଼େ, କିମିତି ତା’ର ହଳଦୀ ଗୁରୁଗୁରୁ ମୁହଁ ଉପରେ ପରସ୍ତେ କଳା ଛାଇ ଖେଳିଗଲା କହିଲା–ତିନିଦିନ ହେଲା ନରିଆର ଆଶା ଛାଡ଼ିଦେଇ ପଡ଼ିଥିଲି । ଆଜି ଦି ପାନେ କ’ଣ ବଟିକା କବିରାଜ ଦେବାରୁ ଜର ଟିକିଏ ଘଡ଼ିଏ ହେଲା ଓହ୍ଲେଇଛି-। ନଇଲେ ତ ତାତିରେ ଖଇ ଫୁଟି ଯାଉଥିଲା । ମୁଁ–

 

–ଥାଉ, ଥାଉ ବେଶୀ ବକ୍‍ବକ୍ କରନା । କ’ଣ ଟିକିଏ ମେଲେରିଆ ହୋଇଥିବ, କିଏ ପାଡ଼ିଲା, କିଏ ଛିଙ୍କିଲା, ସବୁଥିକି ମୁଁ ଧାଇଁ ଆସୁଥିବି ସୁବିଧା ପଡ଼ିଛି–ପାଖ ବାଟ ।

ଆତ୍ମସନ୍ତୋଷ ପ୍ରକଟି ଉଠିଲା ଧୋବି ମୁହଁରେ ।

ହଜାର ହଜାର ସରକାରୀ ଟଙ୍କା ପଇଠ କରିବା ମୋ ଡିଉଟି–ଜାଣିଛୁ ନାଁ ? ଆଜି ସେତକ ସିମିତି ଥୁଆହେଲା ସିନ୍ଦୁକରେ, ହାକିମ କ’ଣ ଭାବିବେ, ମୁଁ ଯାଉଛି ।

ମୁହୂର୍ତ୍ତେ ରହିଲାନି ଧୋବି । ସାଇକେଲ ବୁଲେଇଲା ପଦୁଆଁର ସବୁ ଆକୁଳ ମିନତି ବ୍ୟର୍ଥ ହୋଇଗଲା ନିସ୍ପନ୍ଦ ମେଘର କୁହାଟ ପରି ।

କାହିଁକି ଲେଖୁଥିଲା ସିଏ ? ଯେଉଁଦିନ ଆସନ୍ତି, ଦିପଦ ହସି ହସି କହନ୍ତି କଥା–ଯାହି ଦିଇଟା ଖାଇ ସକାଳୁ ଫେରନ୍ତି–

ଆଜି କ’ଣ ସେଇଆ କରି ନ ଥାନ୍ତେ ? ଅନୁଶୋଚନାରେ ନୟନକୋଣରୁ ଝରିପଡ଼ିଲା ଲୁହ ପଦୁଆଁର । ପଦ୍ମା ମେଘନା ତିସ୍ତାର ଜୁଆରରୁ ବଳି ବୁକୁ ଭିତରୁ ଉତୁରି ପଡ଼ିଲା କୋହ ।

ସେଇଦିନୁ ସେ ଆଉ କିଛି ଲେଖେନି ।

ଇଆରି ଭିତରେ ନରିଆ ଆଉ ଦିଇ ତିନି ଥର ବାଧକା ପଡ଼ିଲାଣି, ଖାଲି ଦକ୍ଷିଣ କାଳୀଙ୍କି ମୁଣ୍ଡିଆ ମାରେ; ନିଃସହାୟ ଆଖିର ଲୋତକରେ ଠାକୁରଙ୍କ ପଦ ମାଜଣା କରେ–ଠାକୁରେ ଶୁଣନ୍ତି ।

 

ଏଥରକ ଚିଠି ଦେଇନି ପଦୁଆଁ ।

 

ଧୋବି ଆହୁରି ଜୋରରେ ସାଇକେଲ ଛୁଟାଇଲା । ମନ ପବନ ଘୋଡ଼ା ପରି ଛୁଟିଯାଆନ୍ତା କି ? ଆଜି କିମିତି ହେଲେ ଫେରିଲେ କାଲି ଟଙ୍କା ନେବାକୁ ହେବ ଟ୍ରେଜେରୀ ।

 

ରାତି ଘଡ଼ିଏ ହେଲାଣି ।

 

ଅଧରାତି ପରି ଗୋଟାକରେ ନିଶା ଗରଜୁଛି । ତାଟି କବାଟ ଭିତରୁ କିଳିନେଇ ଯେ ଯୁଆଡ଼େ ଶୋଇଲେଣି । ତାଆରି ଭିତରେ କଟକ ସହରର ତୃତୀୟ ଶ୍ରେଣୀ ଘୋଡ଼ାଗାଡ଼ିଠାରୁ ଆହୁରି ମନ୍ଥର ଗତିରେ ଧୋବିର ସାଇକେଲ ଛୁଟିଥାଏ ।

 

ଘର ସାମନାରେ ବ୍ରେକ ଦେଲା ଧୋବି ।

 

ଛୋଟିଆ ନାଲି କିରାସିନିର ଡିବିରି ।

 

ମନ୍ଦୁରାଟା ଭିତରେ ପଦୁଆଁର ଅପରଛନିଆ ଦିହଟା ଭାରି ଭୟଙ୍କର ଦିଶୁଛି । ବୁଢ଼ୀଟିଏ ତାଆରି ପାଖେ ଜଗିବସିଛି, ବସୁ ବସୁ ଢୁଳାଇ ପଡ଼ୁଛି ରହି ରହି...

 

–ଏ ବିଦିଆ ମା, ଟିକିଏ ଅନେଇଲୁ ବାହାରକୁ, ମୋତେ କାଇଁକି ଲାଗୁଛି ସେ ଆଜି ଆସିବେ ।

 

–ଆଲୋ କିଏ ?

 

–ସେଇ ମ, ନରିଆବାପ ।

 

ନରିଆ ଆର ଘର ଛିଣ୍ଡା ମଶିଣାରେ ଶୋଇ ପଡ଼ିଥାଏ ।

 

–ଏ ଯେଉଁ ଅନ୍ଧାର, ରାତି ଅଧ । ଏଥିରେ ଆଗ ଯମ ଆସେ ନା ?

 

–ଯମକୁ ଆସିବାକୁ ମନା କରନା ବିଦିଆ ମା, ସେ ଆସୁ ଆଉ ଏତେ ଅଣହେଳା ଭିତରେ ଆଉ କେଇଦିନ ବଞ୍ଚିବି କହିଲୁ ? କାହିଁକି ଜୀଇବି ?

 

–ଛି ଭଉଣୀ, କାନ୍ଦନା, ମୋ ରାଣ ।

 

–ତୋ' ରାଣ ପକାନା ଲୋ ମୋ' ରାଣ ପକା । ମୁଁ ତ ନିଶ୍ଚେ ମରିବି । ତୁ କାହିଁକି ଘୋଷାରି ହେଉଛୁ ଭଲା ?

 

ସାଇକେଲ ଘଣ୍ଟି ଦେଲା ଧୋବି । ଧଡ଼ପଡ଼ ହୋଇ ଉଠି ବସିଲା ଶେଯରେ ପଦୁଆଁ...ମୁହଁରେ ଅସାମାନ୍ୟ ଦୀପ୍ତି ।

 

ସେ ଆସିଛନ୍ତି ! ହଁ ସେ ଆସିଛନ୍ତି ।

 

ନରିଆ, ନରି ରେ–

 

–କେତେଥର ତୁ ଇମିତି ମୋତେ ଉଠାଇଲୁଣି ଶୁଣେ ? କାଲି, ଆଜି ପଅରିଦିନ । ବାବା ତ ଖାଲି କାମ ଛାଡ଼ି ଧାଇଁଛି ଇଆରି ପାଇଁ !

 

ନରିଆ ବି ଜବାବ ଦେଉଛି । ଦେଉ ।

 

ସାଇକେଲ ଉଠାଇ ଘରକୁ ପଶିଲା ଧୋବି । ଦିହର ଝାଳରେ କାମିଜ ଖଣ୍ଡିକ ଭିଜିଯାଇଛି ।

 

–ତୁମେ ଆସିଛ ?

 

–ନ ଆସନ୍ତି କିମିତି ? ପରିଆ ଆଜି ସକାଳେ ଯାଇ କହିଲାରୁ ଛୁଟିଛି ।

 

–ମୁଁ ତ ପରିଆକୁ କହି ନ ଥିଲି ତୁମକୁ କହିବାକୁ । ମନ ଭିତରେ ପଦୁଆଁର ଆତଙ୍କର ଚାବୁକ ବସିଗଲା ଯିମିତି–

 

–କାମ ମାରା କରି......

 

–ନାଇଁ, କାମ ସକାଳର ସାରିଦେଇ ଆସିଛି । ପୁଣି କାଲିକି, ତୁ ନିଶ୍ଚିତ ଶୋଇପଡ଼ ।

 

ତୃପ୍ତିରେ ହସିଲା ପଦୁଆଁ–ମଶାଣି ଭିତର ପ୍ରେତ ଯିମିତି ହସୁଛି ।

 

କୁରୁତା କାଢ଼ି ଧୋବି ଶେଯ ପାଖେ ଯାଇ ବସିଲା । ବିଦିଆ ମା' ସସମ୍ଭ୍ରମେ ଉଠିଗଲା ।

 

–ନାଇଁ ନାଇଁ, ତୁମେ ପାଖରେ ବସନି । ଠାକୁରାଣୀ ବିଜେ ହୋଇଚନ୍ତି ପରା ! ତୁମେ ଯାଇ ଶୋଇପଡ଼ ।

 

ମୁଁ ତ ପଡ଼ିଲି, ଖାଇବ କଅଣ ? ବଡ଼ି ଦିଇଟା ଆଚାର... ଖନି ବାଜି ଆସିଲା ପଦୁଆଁର-

 

ଜଳଜଳ କରି ଚାହିଁଛି–ପାଟି ପାକୁପାକୁ କରୁଛି–କିଛି କହିପାରୁନି ମୋଟେ ।

 

ଧୋବିର ଅନ୍ତର ତରଳିଗଲା । ପଦୁଆଁର ଦୁଇହାତ ପାପୁଲିକୁ ଆପଣାର ଛାତି କତିକି ଭିଡ଼ିଆଣି ଜୋରରେ ଚିପିଦେଲା ସେ–ବେକକୁ ଓଲଟାଇ ଅନେଇଲା ପଦୁଆଁ–ଫିକ୍ କିନା ହସି ଦେଲା...

 

କୁଆପଥର ପାଲଟିଗଲା ଧୋବିର ହାତମୁଠାରେ ପଦୁଆଁର ହାତ ପାପୁଲି ।

 

ଧୋବିର ବିକଳ ଆଖିରୁ ଲୁହର ସୁଅ ନିଗିଡ଼ି ଆସିଲା–ନରିଆ କାନ୍ଦିଲା ।

 

ବିଦିଆମା ଆଖି ପୋଛିଲା–

 

ପଦୁଆଁ ଚାଲିଗଲା ।

 

ଚାରିଆଡ଼ ଖାଲି ହତାଶ ଜଣାଗଲା ଧୋବିକୁ...

 

ମନ ଭିତର ଚିତ୍କାର କରିଉଠିଲା ଗଭୀର ଆତ୍ମଗ୍ଳାନିରେ ।

 

ପଦୁଆଁ ଚାଲିଗଲା ।

 

ଶବ ଉଠାଇ ମାଲଭାଇ ବାହାରିଗଲେ ।

 

ଫୁକିଆ ତରା ଗାଆଁ ମୁଣ୍ଡ ନଡ଼ିଆ ଗଛ ଭିତରୁ ଦପ୍‍ଦପ୍ ଜଳୁଥିଲା । ସୁଲୁସୁଲିଆ ପବନ ଧୋବିର ତାତିଲା ମଥା ଉପର ଦେଇ ବୋହିଗଲା ।

 

ସକାଳ ହୋଇଯିବ ।

 

ସକାଳୁଆ ଆଜିକାଲି କଚେରୀ ।

 

ଏଇଛୁଣିକା ନ ଫେରିଲେ ନ ଚଳେ । ଫେରିବାକୁ ପଡ଼ିବ ଧୋବିକୁ–ଚାକିରି କରିଛି ସିଏ । ଦିନେ ଦି’ଦିନର ଚାକିରିଆ ନୁହେଁ, ବର୍ଷ ବର୍ଷ ଧରି ଅଠର ବର୍ଷ ।

 

ପଦୁଆଁ ଚାଲିଗଲା । ସେ ଆଉ ଫେରିଆସିବ ନାହିଁ । କିନ୍ତୁ ସେ ଯେ ଚାକିରି କରିଛି ।

 

ଯେଉଁ ବାଟରେ ସାଇକେଲ ସଞ୍ଜବେଳେ ମୁହାଁଉଥିଲା, ଠିକ୍ ସେଇ ବାଟେଇ ଲେଉଟିଲା ।

Image

 

ଏ ନୁହେଁ ଅଭିନୟ

 

–କ୍ଷମା କରନ୍ତୁ ମିସ୍ ମେନକା !

 

–ନିଃସଙ୍କୋଚରେ ଆସିପାରନ୍ତି ଆପଣ ।

 

ଘର ଭିତରେ ଆଗନ୍ତୁକ କେତେଜଣ ପ୍ରବେଶ କଲେଣି । ମେନକା ନିଶ୍ଚଳ–ସୋଫାସେଟ୍‍ର ମେହଗାନିରେ ପ୍ରତିଫଳିତ ହେଉଛି ତା'ର ନରମ ହାତୀଦାନ୍ତ ରଙ୍ଗର ମୃଣ୍ମୟୀ ବାହୁ-। ପକ୍ଷ୍ମଳ ଆଖିପତା ତଳେ ନିରାଜନାର ନୀରବ ନିଶାଣ–ଓଠର ଲାଲିମାରେ ବିଦ୍ରୂପର ବିଦ୍ରୂପ୍ତ ବଡ଼ିମା–ଝୀନ ଉତ୍ତରୀୟ ରନ୍ଧ୍ରେ ରନ୍ଧ୍ରେ ରଞ୍ଜକତାର ରମଣୀୟ ରାସ ।

 

ଆପଣ ଯିମିତି ବସିଛନ୍ତି ବସନ୍ତୁ ମିସ୍ ମେନକା ! ଆମର ଷ୍ଟାଫ୍ ଫଟୋଗ୍ରାଫର ଗୋଟାଏ...

 

...ଇସ୍, କି ସୌଭାଗ୍ୟ...

 

ଘରର ଚାରିଆଡ଼େ ଆଖି ବୁଲାଇ ଆଣିଲା ଅଭିଜ୍ଞ ସଂପାଦକ ପୁଲିନ ବର୍ମା । ସବୁଆଡ଼େ ପରିପୂର୍ଣ୍ଣତା ଆଉ ପ୍ରାଚୁର୍ଯ୍ୟର ବିପୁଳ ବନ୍ୟା–ବମ୍ବେ ମେରିନ୍ ଡ୍ରାଇଭର ୩୩୯ ନମ୍ବର ଫ୍ଲାଟ ।

 

ସମ୍ମୁଖରେ ଦିଗନ୍ତପ୍ରସାରୀ ବୀଚିବିକ୍ଷୋଭିତ ଆରବସାଗର...ଆହୁରି ନିକଟରେ ରବର ତିଆରି କଳା ଅଜଗର ସାପ ପରି ଗଡ଼ିଚାଲିଛି ପ୍ରଶସ୍ତ ରାଜପଥ–ଅଦୂରର ବାଲି ଉପରେ ଖଜୁରୀ ଜାଲ ଦେହରେ ପରଦା ପରି ବନ୍ଧା ହୋଇଛି ଖଣ୍ଡେ ଆଭରଣ–ବାହାରେ ଦୁଇ ହଳ ଚପଲ–ଗୋଟିଏ ପୁରୁଷର, ଗୋଟିଏ ସ୍ତ୍ରୀର...

 

ପୁଲିନ ବର୍ମା ନିଇତି ଏଇ ଦୃଶ୍ୟ ଦେଖିଆସିଛି–ନିଜକୁ ମଧ୍ୟ କେତେଥର ଭସାଇ ଦେଇଛି ସେଇ ବନ୍ୟାରେ ଜାଣିଶୁଣି–ଆସନ୍ତା ସଂଖ୍ୟାମାନଙ୍କ ପାଇଁ ପ୍ରଚୁର ଖୋରାକ୍...ଆଉ ବମ୍ବେର ସରଗରମ ବାତାବରଣରେ ଗରମ ପିଠା ପରି ପତ୍ରିକାର ଅଣନିଶ୍ଵାସୀ କାଟ୍‍ତି ।

 

ଆଜି ସେ ଆସିଛି ୩୩୯ ନମ୍ବର ଫ୍ଲାଟକୁ–ବମ୍ବେ ସିନେମା ଜଗତରେ ସ୍ପନ୍ଦନ ସୃଷ୍ଟି କରି ଉଠିଛନ୍ତି ଯେଉଁ କେତୋଟି ଚିତ୍ରତାରକା–ମିସ୍ ମେନକା ସେମାନଙ୍କ ମଧ୍ୟରୁ ବୋଧହୁଏ ଶ୍ରେଷ୍ଠ–ପ୍ରତ୍ୟେକ ବକ୍‍ସ ଅଫିସ ଚିତ୍ରରେ ମେନକା ନାୟିକା–ପ୍ରତ୍ୟେକ ଯୁଗୋପଯୋଗୀ ପତ୍ରିକାରେ ତାଙ୍କ ପ୍ରତିଛବି । ସମଗ୍ର ଦୁନିଆ ଯିମିତି ଅନାଇ ବସିଛି ପିଞ୍ଜରାବଦ୍ଧ ଏଇ ଶୁଆଟି ଆଡ଼େ–ଥରେ ଖସି ଆସିଲେ ଟାକୁକିନା ଗିଳିଦେବ–ହଜମ କରିଦେବ... ଆଉ ପ୍ରତୀକ୍ଷା କରିଥିବ ଅନ୍ୟ ଜଣକ ପାଇଁ ।

 

ସେଇ ଏ ମିସ୍ ମେନକା–ତାଙ୍କର ଖଳଖଳ ହସ ଜୀମୂତାବରଣ ଭେଦି ସୂର୍ଯ୍ୟାଲୋକ ବିଛାଡ଼ିଦିଏ–ତାଙ୍କର ଲୋଭନୀୟ ଅଙ୍ଗଲତା ଆଖିରେ ଭେଳିକି ଲଗାଏ–ତାଙ୍କର ପ୍ରତ୍ୟେକ ଗତିବିଧି ଜନତାର ଧ୍ୟେୟ ବସ୍ତୁ ।

 

ପୁଲିନ୍ ବର୍ମା ଭାବି ନ ଥିଲା ଏତେ ଚଞ୍ଚଳ ଆସିବାର ଅନୁମତି ପାଇବ ବୋଲି । ମେନକାଙ୍କର ପ୍ରତ୍ୟେକ କଥା ଟିପିନେବା ପାଇଁ ସାଥିରେ ଆଣିଛି ଜଣେ ଷ୍ଟେନୋଗ୍ରାଫର, ତାଙ୍କର ପ୍ରତ୍ୟେକ ଗତିବିଧି ଉତ୍ତାରିଦେବା ପାଇଁ ସାଥିରେ ଆଣିଛି ଜଣେ ଫଟୋଗ୍ରାଫର ।

 

ପୁଲିନ୍ ବର୍ମା କଳ୍ପନା କରୁଥିଲା କିପରି ମେନକାଙ୍କର ଏଇ ପୂରା ସାଇଜ୍ ଫଟୋ ପତ୍ରିକାର ପ୍ରଥମ ପୃଷ୍ଠାରେ ଛାପିଦେବ ତ୍ରିରଙ୍ଗ ସମ୍ବଳିତ କରି । ଉଧାର କରି ଆଇଭରି ଫିନିସ୍ କାଗଜ କିଣିବ...ଆଉ ସଂଖ୍ୟାଟିର ନାମ ଦେବ–ମିସ୍ ମେନକା ସ୍ପେଶାଲ ।

 

ସେଥିପାଇଁ କେତେ ସେଠ୍ ଆଡ଼ଭାନ୍‍ସ ଦେଇ ସାରିଲେଣି–କେତେ ପ୍ରେସ ପ୍ରତିଯୋଗିତା ଆରମ୍ଭ କରି ସାରିଲେଣି । କେତେ ବ୍ଲକ୍ ତିଆରି ବିଭାଗ ବହିନା ଦେଲେଣି ବ୍ଲକ୍ ତିଆରି କରିବା ପାଇଁ ।

 

କିନ୍ତୁ–

 

କିନ୍ତୁ–ଏ କ’ଣ ? ମିସ୍ ମେନକା ଆଜି ଏତେ ଗମ୍ଭୀର କାହିଁକି ? ତାଙ୍କ ମୁହଁରୁ ତ ପଦେ କଥା ବାହାରୁନି । ଗୋଟିଏ ଚୌକି ଛାଡ଼ି ସେ କୁଆଡ଼େ ଉଠୁ ନାହାନ୍ତି–ଷ୍ଟେନୋଗ୍ରାଫର ଅନେଇ ରହିଚି–ଫଟଗ୍ରାଫର ଚାହିଁବସିଛି ।

 

କେତେ ସେ କଳ୍ପନା କରିଛି ମିସ୍ ମେନକାଙ୍କର ପ୍ରତ୍ୟେକ ଅଙ୍ଗଭଙ୍ଗୀର ନେବ ଗୋଟିଏ ଗୋଟିଏ ଫଟୋ–କେତେବେଳେ ଅସଂଯତଭାବେ ତାଙ୍କ ଶାଢ଼ି ଟେକି ହୋଇ ଯାଇଥିବ ଆଣ୍ଠୁ ଉପରକୁ ଅଥବା ସେ ହସିହସି ଆପଣାର ଡାହାଳିଆ ଆଉ ବେଗୁନିଭିଲାର ବଗିଚା ଭିତରେ ଯେତେବେଳେ ଲୋଟି ଯାଉଥିବେ ଅସଂଯତ ବସନରେ । କିନ୍ତୁ ଚିରହାସ୍ୟମୟୀ ମେନକାଙ୍କର ହୋଇଛି କଅଣ ? ଅଙ୍ଗର ପ୍ରତ୍ୟେକ ଇଞ୍ଚ ଯାହାର ଅବଲୀଳାକ୍ରମେ ହସିଉଠେ ରୂପେଲି ପର୍ଦ୍ଦାର ତାଳେ ତାଳେ, ସେ ଆଜି ବିମୁଗ୍‍ଧ ... ?

 

କାଇଁ ପୁଲିନ ବର୍ମାତ ପାମିଷ୍ଟକୁ ଠିକ୍ ଟଙ୍କା ଦେଇ ଆସିଛି ସମୟ ଓ ବାର ଦେଖି ...କ’ଣ ବ୍ୟର୍ଥ ହେବ ତାର ଏ ଅଭିଯାନ ?

 

ଯଦି ବ୍ୟର୍ଥ ହୁଏ...

 

ଆପଣ କେତେଦିନ ଧରି ରହିଛନ୍ତି ମିସ୍ ମେନକା ?

 

ପୁଲିନ୍ ଜାଣେ ନିଷ୍ଫଳ ଏ ପ୍ରଶ୍ନ । କାରଣ ଘରର ମାଲିକ ଏ ପ୍ରଶ୍ନର ଉତ୍ତର ଦେବ ମିସ୍ ମେନକାଙ୍କ ଅପେକ୍ଷା ।

 

–ଆପଣଙ୍କର ଘର ?

 

ତା ବି ତ ବହୁ ଆଗରୁ ବାହାରିଛି ପତ୍ରିକାରେ–ଉତ୍ତର ପ୍ରଦେଶର ଗୋରଖପୁର ବୋଲି ।

 

ତେବେ.....

 

ତେବେ....ମିସ୍ ମେନକାଙ୍କୁ କ’ଣ ପଚାରିବ ପୁଲିନ ବର୍ମା ? ସୋଫାର ମେହଗାନିରେ ଠିକ୍ ସେହିପରି ପ୍ରତିଫଳିତ ହେଉଛି ମିସ୍ ମେନକାଙ୍କର ଲୋଭନୀୟ ଅଙ୍ଗରେଖା, କିନ୍ତୁ ମିସ୍ ମେନକା ସ୍ତବ୍‍ଧ, ନିଶ୍ଚଳ, ଜଡ଼, ସ୍ଥାଣୁ । ତାଙ୍କର ଜୁଏଲ ଖଚିତ ଘଡ଼ିରେ ବିନାଶବ୍ଦରେ କଟିଯାଉଛି, ସେକେଣ୍ଡ ପରେ ସେକେଣ୍ଡ, ସେକେଣ୍ଡ ପରେ ସେକେଣ୍ଡ.....ମୁଠା ମୁଠା ଟଙ୍କା ।

 

ହତଭମ୍ବ ପୁଲିନ ବର୍ମା ମୁଣ୍ଡରେ ଉଠିଛି ଝଡ଼ ଝଞ୍ଜା ଆଉ ଭୂମିକମ୍ପ । ପିଲାଦିନେ ପଢ଼ିଥିଲା ମଉନାବତୀ କଥା–ଏ କଣ ସେହି ମଉନାବତୀ ? କ’ଣ କଲେ ମୌନତ୍ଵ ଭାଙ୍ଗିବ ତାଙ୍କର-?

 

ମୁଣ୍ଡରେ ଝଡ଼ ଗର୍ଜୁଥିଲା ଆଉ ଟେବୁଲ ଫ୍ୟାନଟାରୁ ବୋହୁଥିଲା ଅବିଶ୍ରାନ୍ତ ପ୍ରଭଞ୍ଜନର ଫୁତ୍‍କାର ।

 

ହଠାତ୍ ପୁଲିନର ମୁହଁ ଉପରକୁ ଲକ୍ଷ୍ୟକରି କ’ଣଟିଏ ଖସିପଡ଼ିଲା । ଗୋଟାଏ ସେକେଣ୍ଡ ପାଇଁ ଆପଣାର କେନ୍ଦ୍ର ହରାଇ ବସିଲା ପୁଲିନ–ଗ୍ରାମ୍‍ଫୋନ ରେକର୍ଡ଼ରେ ପିନ୍ ଚଳାଇଲା ପରି ହସରେ ଭାଜି ପଡ଼ିଲେ ମିସ୍ ମେନକା....

 

–କ’ଣ ଚମକି ପଡ଼ିଲେ ନା–ଏ ‘ଲୁସି’ଟା ଯେଉଁ ଦୃଷ୍ଟ । ଏତେ ବଡ଼ ବିପଦରେ ଧୈର୍ଯ୍ୟ ହରାଇ ନଥିଲେ ପୁଲିନ ।

 

–ଲୁସି ! କେଉଁ ଲୁସି ?

 

ହଳଦିଆ ରଙ୍ଗର ଲହୁଣୀ ପରି ପୁଚୁପୁଚୁ ମାର୍ଜାର ଶିଶୁଟିଏ ମିସ୍ ମେନକାଙ୍କର ଲକ୍ଷ ଜନ ଅଭିପ୍ରେତ ବକ୍ଷଦେଶରେ ମୁଖ ଗୁଞ୍ଜି ଆଖି ମିଟିମିଟି କରୁଛି ।

 

....କୁହନ୍ତୁ ମେନକାଦେବୀ.....

 

–ଜାଣନ୍ତି ଲୁସିର ଇତିହାସ ! ....ନା, ନା, ଆପଣ କୁଆଡ଼ୁ ଜାଣିବେ ସେ ଇତିହାସ–ଗୋପାଳପୁର–ଅନ୍–ସି ପାମବିଚ ହୋଟେଲରେ ମୁଁ ସେତେବଳେ ଗ୍ରୀଷ୍ମାବକାଶ କଟାଇବାକୁ ଯାଇଥାଏ । ଦେଖିଛନ୍ତି ଗୋପାଳପୁର ?

 

ବେଶ୍ ସୁନ୍ଦର ଜାଗା–ଏକର ଏକର ବଳି–ସାମନାରେ ମୋର ସେଇ ଶାଢ଼ି ରଙ୍ଗର ନୀଳ ସାଗର....

 

ବମ୍ବେର ଏହି କୋଳାହଳମୁଖରିତ ମ୍ୟାରିନ ଡ୍ରାଇଭଠାରୁ ଆହୁରି ମନୋରମ ମୋତେ ଲାଗେ ଗୋପାଳପୁର ।

 

ବୋଧହୁଏ ଜୁନ୍ ମାସ ସେ ଗୋଟିଏ ଉତ୍ତପ୍ତ ସନ୍ଧ୍ୟା ।

 

ମୁଁ ମୋର ଲାଲ ସନ୍ତରଣ ଜେକେଟ୍ ଟା ପିନ୍ଧି ମନଇଚ୍ଛା ପହଁରୁଥାଏ । ନହଡ଼ା ଉପରେ ନହଡ଼ା ଆସି ଭସାଇ ନେଉଥାଏ । ମୋତେ ଭିତରକୁ ପୁଣି ଛାଡ଼ି ଦେଉଥାଏ ଆଣି ସିକ୍ତ ସିକତା ବୁକୁରେ । ମୁଁ ପ୍ରତ୍ୟେକ ଢେଉକୁ କାଟୁଥାଏ । ଓଃ, ସେ କି ଆନନ୍ଦ ! ବୀଭତ୍ସ ଲୋଲୁପ ମଣିଷ–ପଶୁ ସେଠି ସତୃଷ୍ଣ ନୟନରେ ଅନାଇ ନ ଥାଏ । ଜାଲବନ୍ଧା ହରିଣୀ ଆଡ଼େ । ମୁକ୍ତ ସାଗରର ଛୋଟ ଗୋଟିଏ ଜୀବ ପରି ମୁଁ ଖୋଜୁଥାଏ ନୀଳିମା ଜଳବେଣୀ ଭିତରେ ।

 

ପ୍ରାୟ ଦୁଇଘଣ୍ଟା ସ୍ନାନ ସାରି ଉପରକୁ ଉଠିଆସିଲା ବେଳକୁ ବୋଧହୁଏ ମାଛି ଅନ୍ଧାର ହୋଇ ଆସିଲାଣି । ବେଶଭୂଷାରେ ଶ୍ଳଥତା...ମୁଖରେ ପ୍ରଶାନ୍ତିର ସ୍ପଷ୍ଟ ଅବଭାଷ ।

 

ହଠାତ୍ ଚକ୍ କରି କ’ଣ ଗୋଟେ ମୋ ଆଗରେ ଜଳି ଉଠିଲା–ନିଭିଗଲା ମୁହୂର୍ତ୍ତକ ପରେ । ଆଖିର ଜଳକା ନ କଟୁଣୁ କାହାର ହାତ ମୋ କାନ୍ଧ ଉପରେ ପଡ଼ି ସାରିଥିଲା ମୁଁ ଚିତ୍କାର କରି ଉଠିଥାନ୍ତି–ପାରିଲି ନାଇଁ ! ମୁଁ ନିଜକୁ ଛଡ଼େଇ ନେଇ ପାରିଥାଆନ୍ତି–ପାରିଲି ନାହିଁ । ମୁଁ ମୋର ଅସଂଯତ ଅବସ୍ଥାରେ ଫଟୋ ଉଠାଇବା ପାଇଁ କମ୍ପ୍ଲେନ୍ କରିପାରିଥାଆନ୍ତି । ପାରିଲି ନାଇଁ । ମୁଁ ଯିମିତି ସେଇ ସୁଦୃଢ଼ ଦୁଇ ବାହୁ ଭିତରେ ହଜିଗଲି ।

 

–ରାଗିଲେ ବୋଧହୁଏ ।

 

ରାଗିବିନି ! ଏପରି ଅଭଦ୍ର ଭାବରେ….

 

ଦେଖନ୍ତୁ ମିସ୍‍ ମେନକା !

 

ଆପଣ କିପରି ମୋ ନାଆଁ ଜାଣିଲେ ?

 

ହେଟେଲ ସାମନାରେ ଗୋଟେ ବୋର୍ଡ଼ ଅଛି, ଯେଉଁଥିରେ ସମସ୍ତଙ୍କର ନାଆଁ ଲେଖାଥାଏ ….ଆଉ ଆପଣ କେବଳ….

 

ବେଶ୍, ବେଶ୍, ଆପଣ କିଏ ମୋ’ର ଫଟୋ ଏତେ ଅତର୍କିତ ଅବସ୍ଥାରେ ଉଠାଇବାକୁ ହୁକୁମ ଦେଲା କିଏ ? ଆପଣ ଏଠାକୁ ଆସିଲେ କିମିତି ? ମୁଁ ଯଦି ଆପଣଙ୍କୁ ....

 

ହେଟେଲ ଭିତରକୁ ଚାଲି ଚାଲି ପଶି ଆସିଥିଲୁ । ମୁଁ ମୋର ଗାଉନ୍ ଟା ଗୁଡ଼େଇ ନେଇଥିଲି ଇଆରି ଭିତରେ ।

 

ପୁଲିସରେ ଦିଏଁ ? ନା ନା, ତା ବୋଧହୁଏ ଆପଣ କରି ପାରିବେ ନାଇଁ ।

 

ଟିକିଏ ଅନେଇଲେ ସେ । ମୁଁ ବି ଅନେଇଲି; କିନ୍ତୁ ସେ ଆଖି ଦୁଇଟିର ପ୍ରଭାବରେ ମୁଁ ବି ଭାବିଲି ମୁଁ ସତେ ପାରିବି ନାଇଁ ।

 

ନିଅନ୍ ଆଲୁଅର ଝରଣା ପାମ୍‍ବିଚ ହୋଟେଲ ବାରଣ୍ଡାରେ ଖେଳିବୁଲୁଥିଲା ନହଡ଼ି ଭାଙ୍ଗି...ସାଗର ଗର୍ଜୁଥିଲା... ଗର୍ଜୁଥିଲା...

 

ତାଙ୍କର ବଳିଷ୍ଠ କପାଳ ଉପରେ ସଂଚିତ ହୋଇ ରହିଥିଲା କେଇଟୋପା ସ୍ଵେଦବିନ୍ଦୁ, ଆଉ ଶିରାଳ ହାତରେ ଯୌନ ପିପାସାର ଅଫୁରନ୍ତ ଜୁଆର ।

 

ଆପଣାର ଓଭରକୋଟ ପକେଟରୁ ସେ କାଢ଼ିଲେ ଏଇ ଟିକି ଲୁସିଟିକୁ । ଇସ୍, କି ରୋଗା ହଳଦିଆ ଦିଶୁଥିଲା ତାର ଦେହ; କିନ୍ତୁ ଆଖିରେ ଥିଲା କି ଲାବଣ୍ୟ... ମୁଁ ମୁଗ୍ଧ ହେଲି ।

 

ଲୁସି ମୁହଁରେ ବୋକ ଦେଲେ ମିସ୍ ମେନକା ।

 

ମୁଁ ହାତ ବଢ଼ାଇଲି, ମୋର ଥରଥର ହାତରେ ସେ ଟେକିଦେଲେ ଲୁସିଟିକୁ–କହିଲେ ମୋର ଅବୈଧ ଆଚରଣ ପାଇଁ ଏଇ ବୋଧହୁଏ ପ୍ରଚୁର କ୍ଷତିପୂରଣ ।

 

ମୁଁ କିନ୍ତୁ ଶୁଣି ନ ଥିଲି । ମୁଁ ଅନେଇଥିଲି ଲୁସିକୁ । ଲଜ୍ଜାରେ ମୁଁ ପ୍ରଥମଥର ପାଇଁ ଲାଲ ହୋଇ ପଡ଼ିଥିଲି ।

 

କେତେ ସମୟ ଧରି ମୁଁ ଲୁସିକୁ ଇମିତି ଅନେଇଛି ମୋର ମନେ ନାଇଁ । କିନ୍ତୁ ଆଖି ଟେକି ପୁଣି ଥରେ ଅନେଇଲା ବେଳକୁ ସେ ଆଉ ନାହାନ୍ତି । ଲୁସି ଯିମିତି ମିନତି କରି ମିଆଁଉ ମିଆଁଉ ହେଉଛି ।

 

ଓଃ......

 

ରହିଗଲେ ମିସ୍ ମେନକା ।

 

ନୀଳ ରୁମାଲରେ ମୁହଁସାରା ପୋଛି ପକେଇଲେ ।

 

ବର୍ଷ ବର୍ଷ ଧରି ମୁଁ ଖୋଜିଆସିଛି ତାଙ୍କୁ । ମୋର ଯେତେକ ଆଡ଼ମାୟାରର ସମସ୍ତଙ୍କର ଫଟୋ ତନ୍ନତନ୍ନ କରି ଦେଖିଛି–କିନ୍ତୁ ତାଙ୍କୁ ପାଇ ନାଇଁ ।

 

କି ସାମାନ୍ୟ କଥା ପାଇଁ ମୋତେ ଋଣୀ କରିଦେଇ ଚାଲିଗଲେ ସେ ।

 

ପ୍ରତିବର୍ଷ ମୁଁ ଯାଏ ପାମ୍‍ବିଚ ହୋଟେଲର ସେଇ କୋଠରୀକୁ, ଆଉ ପ୍ରତିଦିନ ସନ୍ଧ୍ୟାରେ ଯାଏ ସନ୍ତରଣ କରିବାକୁ ଠିକ୍ ସେଇ ସ୍ଥାନରେ । ସାଥିରେ ଲୁସି ବି ଥାଏ–ଆଶା ମୋତେ ନ ହେଲେ ବି ତାଙ୍କର ଆଦରର ଲୁସିକୁ ଦେଖିବାକୁ ଚାଲିଆସିବେ ଭୁଲରେ ।

 

କିନ୍ତୁ ସେ ଆଉ ଆସନ୍ତିନି । ଏଡ଼େ ସୁନ୍ଦର ଲୁସିକୁ ଦେଖିବାକୁ ସେ ଆସନ୍ତିନି ।

 

ମେନକାଙ୍କର ଗୋରା ଗାଲ ଧୋଇ ବହିଯାଉଥିଲା ଅଶ୍ରୁର ଉଷ୍ଣପ୍ରସ୍ରବଣ । ପୁଲିନ ବର୍ମା ଖାଲି ଚାହିଁଥିଲେ ।

 

କିଛି ଦିନ ପରେ ଡାକରେ ପାଇଲି ମୋର ଗୋଟିଏ ଫଟୋ । ସେଇ ଫଟୋ, ଯାହାରି ପାଇଁ ମୁଁ ଲୁସିକୁ ପାଇଛି । ଡାକଘର ଠିକଣାରେ ଗାଆଁ ଗଳି-କନ୍ଦି ସବୁ ଯାଇ ଖୋଜିଆସିଲ–କିନ୍ତୁ ସେ ତ ମିଳିଲେ ନାଇଁ ।

 

ଭାବିଥିଲି ସେଇ ଡାକଘର ପାଖରେ ଲୁସିକୁ ଛାଡ଼ିଦେଇ ଆସିବି, କିନ୍ତୁ ପାରିଲି ନାଇଁ ।

 

ଲୁସି ଥିଲେ ସେ ନିଶ୍ଚୟ ଆସିବେ, ଲୁସିକୁ ମୁଁ ଛାଡ଼ିପାରିବି ନାଇଁ ।

 

ସେ ନିଶ୍ଚୟ ମୋତେ ଛାଡ଼ି ରହିପାରିବେନି ।

Image

 

ଇନ୍ଦ୍ରଧନୁ

 

“କିଲୋ ଭୂକୁନୁ, ତତେ ପରା ସେତିକିବେଳୁ କହିଲିଣି ସେଇ ଯୁ ଜର୍ଜ୍ଜେଟ ଶାଢ଼ିଟା ବାପା କୁଆଁର ପୁନିଆକୁ ଆଣି ଦେଇଥିଲେ ତାକୁ ପିନ୍ଧିପକା ବୋଲି ।”

 

କୁନୁ ନ ଶୁଣିଲା ପରି ସେଇବାଟେ ତଳକୁ ମୁହଁ ପୋତି ଚାଲିଗଲା ।

 

“କିଲୋ, ମୁହଁଟା କାହିଁକି ଭଲ ମନ୍ଦ ଦିନରେ ଏଡ଼ୁଟାଏ କରିଛୁ ମ ? ଫୁରୁଫୁରୁ ବାଳଗୁଡ଼ିକ ଉଡ଼ୁଛି; ଟିକିଏ ଅଁଳା ତେଲ ଆଲମାରିରୁ ନେଇ ମୁଣ୍ଡ ବାନ୍ଧିପକା । ଭାଇନା ଯୁ ରିବନ କଲିକତାରୁ ଆଣି ଦେଇଥିଲା, ସେ ସାଇତା ହୋଇଚି କାହିଁକି ଶୁଣେ ?”

 

“କିଲୋ ଶୁଭୁଛି ?”

 

“ମୁଁ ପାରିବିନି ବୋଉ ! ମୋ ଦିହ ଭଲ ଲାଗୁନି ।”

 

କୁନୁର କଣ୍ଠରେ ଅଜସ୍ର ଅଭିଯୋଗ, ନିଃସହାୟ କିମିତି !

 

ବୋଉ ତାଟକା ହୋଇ ମୁଣ୍ଡରେ ହାତ ମାରିଲେ ।

 

“ପାରିବୁନି ?–ହଇଲୋ, ପାରିବୁନି ?”

 

ଏହାକୁ ମିଶାଇ ଦୁଇ ଡଜନ ଥର ବୋଧହୁଏ କୁନୁକୁ ଇମିତି ହଠାତ୍ ମୁଣ୍ଡ ବାନ୍ଧି ଜର୍ଜ୍ଜେଟ ଶାଢ଼ି ପିନ୍ଧିବାକୁ ଆଦେଶ ଆସିଥିବ । ଜୀର୍ଣ୍ଣ ଘର ଖଣ୍ଡି ପୂରି ଉଠିଥିବ କେତେଗୁଡ଼ିଏ ନୂଆ ଆଗନ୍ତୁକଙ୍କର କୋଳାହଳରେ । ପଡ଼ିଶା ଘରୁ ଚା’ କପ୍ ଆଉ ପିଆଲା ମାଗି ତହିଁରେ ଚା ପୂରାଇ କେତେଥର କେତେ ଭଦ୍ରଲୋକଙ୍କୁ ଚା’ ଖୁଆଇଥିବ ସେ ।

 

ସବୁ ଯୁବକ ସମାନ । ଆଖିରେ ହିଂସ୍ର ଚାହାଣି, ସତେ ଯେମିତି ଗୋଡ଼ରୁ ମୁଣ୍ଡଯାଏ ସବୁ ଟିକିନିଖି କରି ଦେଖି ପକାଇବେ ।

 

କୁନୁକୁ ଖରାପ ଲାଗେ; ଚା କପ୍ ଥୋଇଦେଇ ବାହୁଡ଼ି ଆସେ ।

 

ବୋଉ ପଛରୁ ପେଲନ୍ତି ।

 

“କିଲୋ ଯାଉନୁ, କଅଣ ସେ କହିବେ, କଅଣ କଥାବାର୍ତ୍ତା କରିବେ । ଇମିତି ଝଅଟ କାମ ତୁଲେଇଲା ପରି ପଳେଇ ଆସୁଛୁ କଅଣ ମ ?”

 

ଲାଜରେ କୁନୁ ରଙ୍ଗା ପଡ଼ିଯାଏ ।

 

ଉନ୍ନତ ବକ୍ଷ ତଳେ ଅନାଦୃତ ଯୌବନ ତା’ର ବିଦ୍ରୋହୀ ହୋଇଉଠେ ।

 

ଗୋଡ଼ ତା’ର ଚଳେନି ।

 

ହୁଏ ତ ସେଇଆ କୁନୁର ପ୍ରଧାନ ଦୋଷ । ଭରସି କରି ଉପରେ ପଡ଼ି କଥା କହି ପାରେନି ।

 

ଫରଓ୍ୟାର୍ଡ଼ ନୁହେଁ–ମଫସଲି ।

 

ସୁନାରିମ୍ ଚଷମାଦିଆ ଭଦ୍ରଲୋକ ସିଗାରେଟ ଧୂଆଁ ତଳେ କଅଁଳ ହସର ଲହରୀ ଖେଳାଇ ଖେଳାଇ ବିଦାୟ ନିଅନ୍ତି ।

 

ଆଶା ଆଉ ଆଶଙ୍କାର ମଝିରେ ଥରି ଥରି କୁନୁର ବାପା ବିଦାୟ ଦିଅନ୍ତି ତାଙ୍କୁ ।

 

ମାସେ ଯାଏ, ଦି ମାସ ଯାଏ ।

 

ସମ୍ବାଦ ନାଇଁ, ଚିଠି ନାଇଁ ।

 

ପୁଣି ହୁଏ ସେଇ ନାଟକର ପୁନରାଭିନୟ ।

 

କିଏ ଟ୍ରାଉଜର ପିନ୍ଧି ଆସେ; କିଏ ଆସେ ପାଇଜାମା ଉପରେ ଚୁଡ଼ିଦାରେ ପଞ୍ଜାବି ମଡ଼େଇ । ଆଉ କିଏ ଅତି ସରଳ–ଧୋତି ଚଦର, ଏମ. ଏ. ପଢ଼ନ୍ତି ।

 

ଫେରିଯାଆନ୍ତି.....ଫେରିଯାଆନ୍ତି ସମସ୍ତେ । ଆକାଶର ଚଲା ବଉଦପୁଳାକ ଉଡ଼ି ଉଡ଼ି ଦୂର ଦିଗ୍‍ବଳୟ କୋଳରେ ଲୁଚିଯାଏ....

 

କୁନୁର ଆଖିରେ ଲୁହ...

 

“ତୁ କାନ୍ଦୁଚୁ କୁନୁ .... ?

 

କଣ୍ଠରେ କ୍ରୋଧରେ ସତ୍ତା ନାଇଁ; ଯଦି ଓ ସେଥିପାଇଁ ଉଦ୍ଦିଷ୍ଟ ଥିଲା କଥା କେତେ ପଦ ।

 

ବୋଉ ବି ପଣତ କାନିରେ ଲୁହ ପୋଛିଲେ ।

 

–“ଯାଆ ମା, ସବୁଦିନେ ସମାନ ନ ଥିବ; ମାଆ ଦକ୍ଷିଣକାଳୀ ମୋ’ ଦୁଃଖ ବୁଝିବେ ।”

 

କୁନୁର ଆହତ ଯୌବନ ଅଭିଯୋଗ କରିଉଠେ କ୍ଷଣିକ ଉତ୍ତେଜନାର–ପ୍ରାବଲ୍ୟରେ ।

 

“ମୁଁ ତ ତତେ କେତେଥର କହିଛି ବୋଉ, ମୁଁ ଗାର୍ଲସ୍କୁଲରେ ମ୍ୟାଟ୍ରିକ୍ ଯାଏଁ ପଢ଼ି ହାସପାତାଳର ନର୍ସ ହେବି ବୋଲି; ଦରମା ମିଳିବ ବେଶ୍ । ଭାଇନା କ’ଣ ଏକୁଟିଆ ଘର ଚଳେଇବେ, ଆଉ ମୁଁ ପାରିବି ନାଇଁ ?”

 

କାନ୍ଦୁରା ମୁହଁରେ ବୋଉଙ୍କର ତାଚ୍ଛଲ୍ୟର ହସ ଝରିପଡ଼େ–“ବାୟାଣୀଟା !!!”

 

ମନ ମାନେ ନାହିଁ କୁନୁର । ଏକୋଇଶି ପୂରି ବାଇଶି ଚାଲିଲାଣି, ମୁଣ୍ଡକୁ ହାତ ପାଇଲାଣି; ତଥାପି ସେ କ’ଣ ସେ ଦିନର ସେଇ ବାୟାଣୀ ?

 

ଅଭିଯୋଗ କରେ ନାହିଁ କୁନୁ–ଆପଣା ଭିତରେ କୁହୁଳି କୁହୁଳି ଜଳିଯାଏ ।

 

ଲମ୍ବ ହୋଇ ଠାକୁରଙ୍କ ଆଗରେ ସାଷ୍ଟାଙ୍ଗ ପ୍ରଣିପାତ କରି କୁନୁ ତା’ର ପ୍ରାର୍ଥନା ଜଣାଏ । କଅଣ ଜଣାଏ କେଜାଣି ?

 

ଧୀରେ ଧୀରେ ଭଙ୍ଗା ସୁଟକେଶ ପାଖକୁ ଯାଇ ଖୋଲିବସେ ସେଇ ଶାଢ଼ିଟି । ଆଉ କଜଳ ସିନ୍ଦୂର ପେଡ଼ି...ଅଁଳା ତେଲ... କେତେ ଦିନର ସଞ୍ଚିତ ଦଶଆଣିଆ ସ୍ନୋ କେବଳ ଏଇ ଦିନମାନଙ୍କ ପାଇଁ ।

 

ଯୂପକାଠ ପାଖରେ ପଶୁ ସତେ ଯିମିତି ଆପଣାକୁ ସଜ୍ଜିତ କରି ରଖୁଥାଏ ।

 

ବାପା ଦୁଇହଜାର ପର୍ଯ୍ୟନ୍ତ ଗଲେଣି...କୋଡ଼ିଏ ଭରି ସୁନା; ତଥାପି...ତଥାପି...

 

ବାପାଙ୍କର ସଇଁତିରିଶି ବର୍ଷ ବୟସରେ ବାଳ ଝୋଟ ହେଲାଣି–ସେକ୍ରେଟେରିଏଟ୍ କିରାନୀ । କଲିକତାରେ ଏମ୍. ଏ. ପଢ଼ିବା ପାଇଁ ପୁଅକୁ ବୃତ୍ତି ଛଡ଼ା ଆଉ ପଚାଶ ଟଙ୍କା ସାହାଯ୍ୟ ଦେବେ; ଧାନ କିଣିବା ପାଇଁ ନଗଦ ଟଙ୍କା ଦରକାର–ତହିଁରେ ପୁଣି ଏ ଜୁଲମ । ବାପା ବୋଉ ରାତିସାରା କଅଣ କଥା ହୁଅନ୍ତି ଖାଲି; ନିଦ ଆଖିକୁ ଆସେନି ତାଙ୍କର ।

 

ରାତି..... ରାତି....

 

ଛାତି ଥରିଉଠେ କୁନୁର ।

 

ଦଉଡ଼ିଆ ଖଟ ଖଣ୍ଡକରେ ପଡ଼ି ଉପରେ ମଝବୁତ୍ କନ୍ଥାଟାଏ ଘୋଡ଼େଇହୋଇ ନାଲି କିରାସିନି ଡିବିରିର ନିଷ୍ପ୍ରଭ ଆଲୋକରେ ସେ ପଢ଼ି ଚାଲିଥାଏ ଉପନ୍ୟାସ….ପୃଷ୍ଠା ପରେ ପୃଷ୍ଠା...ଉତ୍କଣ୍ଠା ।

 

ସ୍ଵପ୍ନପୁରୀର ଯୁବକ ରାତିର ଅନ୍ଧାରରେ ଆସି ଯୁବତୀ ସହିତ ମିଷ୍ଟାଳାପ କରି କୋଳକୁ ଆଉଜେଇ ଆଣୁଛି ଯୁବତୀକୁ । କାନ ଉପରର ଅମାନିଆ ଚୂନା କୁନ୍ତଳ କେଇକେରା ଉଠେଇ ନେଇ ଓଠ ଉପରେ ଆଙ୍କିଦେଉଛି ଗାଢ଼ ଚୁମ୍ବନ ।

 

ଚୁମ୍ବନ !

 

ଓଠ ଥରିଉଠେ କୁନୁର । ବିଜୁଳି ବେଗରେ ଶିହରଣ ଦିହ ଗୋଟାକ ଖେଳିଯାଏ ତା’ର.... କନ୍ଥାଟାକୁ ଦୁଇ ହାତରେ ଜାବୁଡ଼ି ଧରି ଛାତି ଉପରେ କଷିକରି ଚାପିଦିଏ ।

 

ପୁଷମାସ...

 

ବାହାରେ ଶୀତୁଳିଆ ପବନର ଦୁରନ୍ତ ଅଭିସାର....

 

ଭିତରେ ତାତି...ବୈଶାଖର ତାତି....

 

ବୃଦ୍ଧାଙ୍ଗୁଳିରେ ବୁନ୍ଦା ବୁନ୍ଦା ଝାଳ ପୋଛିପକାଏ କୁନୁ ।

 

ପଢ଼ିଚାଲେ... ପଢ଼ିଚାଲେ ....

 

ବଳିଲା ବଳିଲା ସୁଗୋଲ ବହୁ ଉପରେ ଚିପା ବ୍ଲାଉଜ; ପତଳା ଝରଣା ଶାଢ଼ି ଛାତି ଉପରେ ଉଠିଯାଇଛି । ବୁକୁର ମଝିକି ଲମ୍ବିଆସିଛି ସ୍ଵର୍ଣ୍ଣହାର ସୁନାର ପଦକ–ମୟୂର ପୁଚ୍ଛ ତୋଳି ନୃତ୍ୟ କରୁଛି । ମର୍କରି ଲାଇଟ୍ ତଳେ ଉପନ୍ୟାସର ନାୟିକା ଅପେକ୍ଷା କରି ବସିଛି ନାୟକକୁ.... । କାନର ଦୁଇ ଗଣ୍ଡ ସ୍ପର୍ଶ କରି ସସମ୍ଭ୍ରମେ ଲେଉଟି ଯାଉଛି ।

 

ଆଠଅଣିଆ “ପତି ପରମ ଗୁରୁ” ଆଇନାରେ ଆପଣାକୁ ଆପେ ପରଖି ନେଉଛି କୁନୁ ।

 

ସେ... ଆଉ ଉପନ୍ୟାସର ନାୟିକା... ଚୁମ୍ବନର ଦାଗ ତ ଉକୁଟି ଉଠି ନାଇଁ କୁନୁର ଶ୍ୟାମଳ କପୋଳରେ–ଉକୁଟିବ ବି ନାଇଁ ।

 

ଦିଇ ଟୋପା ଲୁହ...

 

ଯାଃ, ସବୁ ବିଲିବିଲା ହୋଇଥିଲା–ସବୁ ସ୍ନୋ, ସବୁ ପାଉଡ଼ର... ଆଉ ପାରିବି ନାଇଁ ।

 

ବୋଉ କେତେବେଳେ ପଛରେ ନିଃଶବ୍ଦରେ ଛିଡ଼ା ହୋଇ ଦେଖୁଥିଲେ କି କଅଣ, ଫେରିପଡ଼ି ଆର ଘରେ ପଶିଗଲେ ।

 

ରହିଗଲା ଦୀର୍ଘଶ୍ଵାସର ଅଫୁରନ୍ତ ବେଦନା….

 

କୁନୁ ଚମକିପଡ଼ି ଅନେଇଦେଲା ।

 

ସେ ଉପନ୍ୟାସ ତ ପଢ଼ୁ ନାଇଁ ।

 

ଆହୁରି ଥରେ ଫ୍ଲଫରେ ମେଞ୍ଚାଏ ପାଉଡ଼ର ଧରାଇ ଲିଭିଲା ଜାଗାମାନଙ୍କରେ ଢାଳି ପକେଇଲା ପରି ଛିଞ୍ଚାଡ଼ି ଦେଇଗଲା ସେ ।

 

ବିଜୟିନୀର ମନୋବୃତ୍ତି ତା’ଭିତରେ ।

 

କାହିଁକି ସେ କାନ୍ଦିବ ?

 

ସାରା ଦୁନିଆରେ ଯେତେ ଝୁଅ, ସମସ୍ତେ କଅଣ ଜଣେ ଅପରିଚିତ ପୁରୁଷର ବିଳାସସାମଗ୍ରୀ ହେବା ଛଡ଼ା ଆଉ କୌଣସି କାମକୁ ଅଯୋଗ୍ୟା ? ସମସ୍ତେ କଅଣ ଖାଲି ସାଜିବେ ଉପନ୍ୟାସର ନାୟିକା, ଚଳଚ୍ଚିତ୍ରର ତାରକା ?

 

ନା, ନା–କଦାପି ନୁହେ ।

 

ହେଇଟି ତାଆରି ସାଙ୍ଗ ସୁଲୁ–ବାପା ବଡ଼ଲୋକ–ଅଚଳାଚଳ ସମ୍ପତ୍ତି–ଘିଅ ଖାଇ ଦୁଧ ଆଞ୍ଚୁଛନ୍ତି । ଗେଲବସର ଝୁଅ ସୁଲୁ–ଗୋଟିକ । ବାପା କୋଡ଼ିଏ ହଜାର ଟଙ୍କାରେ ଜ୍ଵାଇଁଟିଏ କିଣି ଛନ୍ଦିଦେଲେ ତାକୁ ।

 

କାଆଲି ସୁଲୁ ପଣତ କାନିରେ ଅନ୍ତରର ଉଚ୍ଛଳ ଅଶ୍ରୁଧାର ଚାପି ରଖୁ ରଖୁ କହୁଥିଲା, “କୁନୁ ଲୋ, ତୁ କେଡ଼େ ଭାଗ୍ୟବତୀ, ମୁକ୍ତ ଆକାଶର ବିହଙ୍ଗୀ ତୁ ।”

 

“କେତେଦିନ ସହିବି ଏତେ ଅନାଦର କହିଲୁ କୁନୁ ? ସବୁଦିନେ ଏଗାରଟା ବାରଟା ରାତିରେ ଫେରନ୍ତି–କର ଲେଉଟାଇ ଶୁଅନ୍ତି । ଦିନେ ଦିନେ ମୋଟେ ଆସନ୍ତିନି । ହସି ହସି କଥା ଦିପଦ ଶୁଣିବାର ବି ଅଧିକାର ନାହିଁ । ଏ ଜୀବନ ନୁହେଁ ତ କୁନୁ, ଜୀବନ୍ତ ମରଣ !”

 

ଜୀବନ୍ତ ମରଣ ! ସତେ ତ, ଜୀବନ୍ତ ମରଣ !

 

କୁନୁର ମନ କଅଣ ହୋଇଯାଏ । ସବୁ ଭାବନା ପୁଣି ଲେଉଟି ପଡ଼େ; ଓଲଟ ପାଲଟ ହୋଇଯାଏ । ଉତ୍ସାହବୋଳା, କରୁଣିମ, ସାହସୀ ମୁହଁ ପୁଣି ଅନ୍ଧାରିଆ ହୋଇଆସେ । ଛାତିତଳେ କିଏ ଯେମିତି ହାତୁଡ଼ି ନିହାଣ ନେଇ ଲୁହାକଣ୍ଟା ଗୁଡ଼ାଏ ପିଟି ପକାଉଛି ।

 

ପଅରଦିନ ମାମି ଆସିଥିଲା । ଦିଇ ଘଣ୍ଟା କାଳ ଗପ କଲା ବସି ବସି । ମାମିର କୋଳରେ ପୁଅ, ନାଲି ଟୁକୁଟୁକୁ କଅଁଳ ଛନଛନ; ଠିକ୍ ମାମିର ଆକର୍ଣ୍ଣ ଭ୍ରୂଲତା, ଲାଲ୍ ଓଠ, ଚଉଡ଼ା କାନ୍ଧ ନେଇଛି ଛୁଆଟି । ମାମି ତାକୁ ଥରକୁଥର ଉନ୍ନତ ଛାତି ଉପରେ ଚାପି ଧରି ତୁନି କରୁଥାଏ । ଆଉ କହି ଚାଲିଥାଏ କେତେ କଥା–କିମିତି ଅଫିସରୁ ଫେରିଲା ବେଳକୁ ମାମି ତାଙ୍କ ହାତକୁ ତୋଳିଦିଏ ଛୋଟ ‘କୁନି’ଟିକୁ । ସବୁ କ୍ଳାନ୍ତି ଭୁଲିଯାନ୍ତି, ସବୁ ଦୁଃଖ କୁଆଡ଼େ ମୁହୂର୍ତ୍ତକେ ଚାଲିଯାଏ । ଝୁଲାରେ ଝୁଲାଇ ଦେଲେ କୁନି କୁଆଡ଼େ ହସିଉଠେ । ବାପା, ବୋଉ ବୋଲି ଡାକେ...ଇମିତି କେତେ ।

 

କୁନୁ ସବୁ ଶୁଣେ–ମାମିର ଆନନ୍ଦଭରା କଥା ଶୁଣେ, ଆଉ ବି ଶୁଣେ ସୁଲୁର ମର୍ମଫଟା କରୁଣ କାହାଣୀ । ନିର୍ବିକାର ଋଷି ସତେ ଯିମିତି । ବିସ୍ମୟ ବିସ୍ଫାରିତ ଆଗ୍ରହୀ ଆଖିଯୋଡ଼ା ତା’ର ସତେ ଯିମିତ ସବୁ ଗ୍ରହଣ କରିଯିବାକୁ ତିଆରି ।

 

କୁନୁ ଭିତରେ ଚାଲେ ସିଦ୍ଧାନ୍ତ, ଆଉ ସିଦ୍ଧାନ୍ତ ଭିତରେ ଦ୍ଵନ୍ଦ୍ଵ ଯୁଦ୍ଧ । ଯୌବନ ଟକମକ କରି ଫୁଟିଉଠେ...ଠିକ୍ ଯିମିତି ତତଲା ପେଜ ଅଣକେ । କାଇଁ ସମାଧାନ ? ଚାରିଆଡ଼େ ଯିମିତି କ୍ଵେଟାର ଭୂମିକମ୍ପ । ସମାଧାନ କାଇଁ ? କାଇଁ ?

 

ବନବାସିଆ ମେଘ ଆକାଶ ଗୋଟାକ ଛାଇ ଘେରିଦିଏ ।

 

“କୁନୁ ଲୋ, କୁନୁ ମ, ମଲା କାଲୁଣୀ ହେଲୁଣି କି ? କେତେ ବେଳୁ ଡାକି ଡାକି ତଣ୍ଟି ଶୁଖିଗଲା ମୋର ।”

 

କୁନୁ ଫେରି ଚାହିଁଲା ।

 

“ଆଲୋ ଏଆଡ଼େ ଆ ଭଲା, ସମସ୍ତେ ପରା ଆସିବା ବେଳ ହେଲାଣି ?”

 

କୁନୁର ମନ ଭିତରର କୁହୁଡ଼ି କଟିଯାଏ ।

 

“ମୁଁ ପାରିବିନି ବୋଉ ଏତେ ଥର ଥିଏଟର ଅଭିନେତ୍ରୀ ସାଜି । ମୁଁ ବହୁତ ଭାବିଛି, ପାରିବିନି ।”

 

ଆଖିରେ ତା’ର ଉଛୁଳା ଅଶ୍ରୁ ବନ୍ଧ ମାନିଲା ନାଇଁ । ଖଟ ଉପରେ ଦୁଲ୍‍କିନା ଶୋଇପଡ଼ିଲା । ଉପରେ ଝିଙ୍କି ଆଣିଲା ଚଦରଟା । ଖାଲି କଇଁ କଇଁ ଶୁଭୁଥାଏ–ଥରି ଉଠୁଥାଏ ଚାଦର ତଳ…..

 

ବୋଉ ବୁଝେଇଲେ...ବହୁତ ବୁଝେଇଲେ ।

 

ଯନ୍ତ୍ରଚାଳିତବତ୍‍ ଉଠିଲା କୁନୁ–ଆଖିରେ ଟୋପେ ବି ଲୁହ ନାଇଁ । ବୋଉଙ୍କ ଛାତିରେ ଦମ୍ଭ ଆସିଲା । ବୀରତ୍ଵଛଟା ପ୍ରକଟାଇ କୁନୁ ଚାଲିଗଲା ଆରଘରକୁ–ସତେ ଯିମିତି ନେପୋଲିଅନ ବୋନାପାର୍ଟ ଉଆଟରକୁ ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହେବାକୁ ବାହାରିଛନ୍ତି ଅବା ଫରାସୀ ବାଳିକା ଜୋଆନ୍ ଅଫ୍ ଆର୍କ....... ।

 

କେଡ଼େ ସୁନ୍ଦର ସେ ସତେ ଦେଖିବାକୁ.... ପୂରିଲା ପୂରିଲା ଗାଲରେ ନିଶ ଦୁଇଟା ବେଶ୍ ମାନୁଥାଏ । କି ଆନ୍ତରିକତା କଣ୍ଠଦେଶରେ ।

 

କୁନୁ ସ୍ଵପ୍ନରେ ହସିଉଠିଲା । ନିଦ ଭାଜିଗଲା ।

 

ଅନ୍ଧକାର ପାହାନ୍ତିଆ ହୋଇଆସିଛି । ପୂର୍ବରୁ କୁହୁଡ଼ି କାଟି ସୂର୍ଯ୍ୟକିରଣ ଘର ଭିତରେ ପଶିଆସିବ ଆଉ ଟିକକରେ ।

 

ଲୋହିତ ସୂର୍ଯ୍ୟ ଉଷାରାଣୀଙ୍କର ଓଠରେ ଚୁମ୍ବନ ଆଙ୍କି ଦେଉଛନ୍ତି । ସରମରେ ନାଲି ପଡ଼ିଯାଇଛି ପୂର୍ବ ଆକାଶ ।

 

ଦିଓଟି ଚଢ଼େଇ ପତର ଡାଳରେ ପରସ୍ପର ସାଥିରେ ଲଗାଲଗି ହୋଇ ବସିଛନ୍ତି । ପକ୍ଷ ଉପରେ ତାଙ୍କ କମନୀୟ ରଶ୍ମିର ଢେଉ...

 

ଅବସାଦରେ ଭରିଉଠିଲା କୁନୁର ଅନ୍ତର । ହଠାତ୍ କାହିଁକି ମୁଣ୍ଡରେ ସବୁ ଗୋଳମାଳିଆ ହୋଇଗଲା । କାଲୁଆ ପବନ ମୁଣ୍ଡ ଭିତରେ ଝଡ଼ଝଞ୍ଜା ସୃଷ୍ଟି କରି ବହିଗଲା ।

 

ହିଂସ୍ର ମନ ତାର ଚିଡ଼ିଉଠିଲା । ଟେକାଟିଏ ଥିଇରି କରି ଉଠେଇନେଇ ଚଢ଼େଇ ଯୋଡ଼ିକଙ୍କ ଉପରକୁ ଫିଙ୍ଗିଦେଲା ସେ । ଦୁହେଁ ଯାକ ସାଙ୍ଗସୁଙ୍ଗା ହୋଇ ଉଡ଼ିଗଲେ… ଉଡ଼ିଗଲେ.... ପଛରେ ଖାଲି କେଁ କଟର ..... ଅଭିସମ୍ପାତ !!

 

ବାପା କଚିରିକୁ ଗଲେଣି । କୁନୁ ଖାଇ ପିଇ ବସିଛି ।

 

ଡାକବାଲାର ସାଇକେଲ ଘଣ୍ଟି ଦାଣ୍ଡଦୁଆରେ ।

 

–ଚିଠି ଖଣ୍ଡେ ।

 

ବୋଉ କୁନୁ ହାତକୁ ବଢ଼ାଇଦେଲେ, ପଢ଼ିଲୁ ମା !

 

ମହାଶୟ,

 

ପୁଅ ଆମର ପଢ଼ୁଛି । ଏଇନା ବାହା ହେବାକୁ ଅନିଚ୍ଛୁକ–ତେଣୁ ଅଇଛା ବାହାଘର ହେବା ସମ୍ଭବ ନୁହେଁ–

 

ଚିଠିଟି ସରିପାରିଲା ନାହିଁ । କୁନୁର ଆଖି ଲୁହରେ ଜାଲୁ-ଜାଲୁଆ ହେଇଗଲା । ଘୃଣାରେ ଥରିଉଠିଲା ଅନ୍ତର ତାର । ଚିଠି ଖଣ୍ଡ ଫିଙ୍ଗିଦେଇ ଦଉଡ଼ିଗଲା ଘର ଭିତରକୁ–

 

ବୋଉ ନିର୍ବାକ୍ ଆଖିରେ ଚାହିଁଥାଆନ୍ତି । କି କରୁଣ, କି ମର୍ମନ୍ତୁଦ ସେ ଚାହାଣି !

 

ଘରଭିତରେ ଠାକୁରଙ୍କର ଫଟୋଟା ସମିତି ନିଷ୍ଠୁର ଭାବରେ ହସୁଛି ପୂର୍ବପରି ।

 

ହା ଭଗବାନ !

 

ଫଟୋଟାକୁ କାନ୍ଥଆଡ଼କୁ ମୁହଁ କରି ରଖିଦେଲା କୁନୁ । ଇସ୍ କି ଅଭଦ୍ର, କି ନିର୍ମମ !

 

ଘରଭିତରେ ଘରଚଟିଆ ଦୁଇଟା କେଚେରେ କେଚେରେ ହୋଇ କୁଟାକାଠି ଆଣି ବସା ତିଆରି କରୁଥିଲେ ।

 

କୁନୁ ଅସହାୟ ହୋଇ ସେମାନଙ୍କଆଡ଼େ ଚାହିଁରହିଲା ଖାଲି–କି ମଧୁମୟ, କି ସରଳ, କି ସୁନ୍ଦର ।

 

ଦୁଇଟାଯାକ ଚଢ଼େଇ ବିପଦ ଆଶଙ୍କା କରି ଝରକାବାଟେ ଉଡ଼ିଗଲେ ଫୁର୍‍ରକିନା ।

 

ସେହି ଦିଗକୁ ଝରକାର ରେଲିଂ ଭେଦି କୁନୁ ଚାହିଁଥାଏ, ଆଉ ଚାହିଁଥାଏ ।

Image

 

ଆର୍ଯ୍ୟପୁତ୍ର

 

ଆର୍ଯ୍ୟପଲ୍ଲୀ.....

 

ସମୁଦ୍ରର ବୀଚି ଉପରେ ଟିକି ନୋଳିଆ ଗାଆଁଟିଏ । ବାଲିପନ୍ତାର, ଆଠ ଦଶୋଟି କୁଡ଼ିଆ । ପ୍ରତି ମୁହୂର୍ତ୍ତରେ ସମୁଦ୍ର ଯିମିତି ଧୋଇନେଉଛି ଗାଆଁର ପାଦଦେଶ ।

 

ଝାଉଁ ବଣ । ଚାବୁକ ଆଉ ଲଙ୍କାଆମ୍ବ, ଘଞ୍ଚ ଆଉ ଲଗାଲଗି । ତାଆରି ଭିତରେ ସର୍ପିଳ ଗତିରେ ଯିବାକୁ ହୁଏ, କାହିଁକି ନା ବାଲି ଉପରେ ଚାଲିଲେ ପାଦ ଗଳିଗଳି ଯାଏ.... ଘୋଳି ହୋଇଯାଏ...... କେହି କେବେ ଏଠି ରାସ୍ତା ତିଆରି କରିବା କଥା ଭାବିନାଇଁ । ଏଠିତ ମଟରଗାଡ଼ି ଥିବା କେହି ନାଗରିକ ରୁହେନି କିମ୍ବା ଏହା ଜାତୀୟ ସଂପ୍ରସାରଣର କେନ୍ଦ୍ର ନୁହେଁ ଯେ ପ୍ରତିଦିନ ତିନି ଚାରିଟା ଜିପ୍ ଏଠାକୁ ଆସିବା ଆବଶ୍ୟକ ହେବ ।

 

ଦଣ୍ଡା ସାମ୍ମା....

 

ଚିକ୍‍କଣ କଳା ମିଚିମିଚି ବଳିଷ୍ଠ ଚେହେରା...ବେକରେ ପିଟା ସୁନାର ଗୋଟେ ଚିପା ପାତିଆ.....ଧାନୁଆ ମାଳି ସୋରାଏ ମୁଣ୍ଡରେ ଖୋଷା । …..ଓଡ଼ିଆ ତେଲଗୁ ଉଭୟ ବୁଝେ ଆଉ କୁହେ ।

 

ଆର୍ଯ୍ୟପଲ୍ଲୀର ଅନାର୍ଯ୍ୟ ନାରୀ ସେ ।

 

ସେ ବି ସ୍ଵପ୍ନ ଦେଖେ । ହଳଦିଆ କସ୍ତାକୁ କିମିତି ପିନ୍ଧିଲେ ସେ ସୁନ୍ଦର ଦିଶିବ । ଶଙ୍ଖାକୁ ହାତରେ କେଇପଟ ନାଇଲେ ମନେଇବ । କେତେବେଳେ ହସିଲେ ମନ ଖୁସି ହେବ ସବୁ ସେ ଶିଖେ ।

 

ବାଲିରେ ଚୁଆ ଖୋଳି ଧଡ଼ିଆ ଧଡ଼ିଆ ଚାବୁକ ଗଛର ଚାରାରେ ମାଠିଆ ମାଠିଆ ପଣି ନିଇତି ସକାଳେ ସଞ୍ଜେ ଅଜାଡ଼େ–ଶୋଷିଲା ଶୁଖିଲା ବାଲି ଶୋଷିନିଏ ପଣି–ଚାରା ଜଳିଯାଏ–ପୁଣି ରୁଆଏ–ପ୍ରକୃତି ସାଥିରେ ସେ ଯାହା ଯୁଦ୍ଧ କରେ, ହୁଏତ ଦାମୋଦର ଉପତ୍ୟକା ଯୋଜନା ଖୋଦ୍ ଚିଫ୍ ଇଞ୍ଜିନିୟର ସେତେ ଶକ୍ତି ଖଟାଇ ଲଢ଼ୁ ନ ଥିବେ । ସୂର୍ଯ୍ୟକିରଣରୁ ରକ୍ଷା କରିବାକୁ ସାନ ଚାଳିଆଟିମାନ ବାନ୍ଧେ–ଥରେ ଚେର ଲାଗିଗଲେ ଗଲା । ଅସୁର ଗଛ–ମାଡ଼ିଯିବ ଯେ ।

 

ଗୁରେୟା–ତାରି ସ୍ଵାମୀ–ହୁଲି ଡଙ୍ଗାଟିରେ ବସି ଜାଲ ନେଇ ଯାଏ ସମୁଦ୍ରକୁ । ଯାହା ପାଏ ଆଣି ଅଜାଡ଼ି ଦିଏ କାନତରାଟି ଆଗରେ....କଞ୍ଚା ପଇସା....ଟଙ୍କାକର ମାଲ ସୁଉକାକୁ ବିକି ତାଡ଼ି ଦୋକାନରେ ପେଟେ ପିଇ ଘରକୁ ଫେରେ । ଦଣ୍ଡା ସାମ୍ମା ତାର ଆଇଲା ପଥକୁ ଅନାଇ ନ ଥାଏ–ଜାଣେ ସେ–ହୁଏତ ରାତିରେ ନ ଫେରିପାରେ ଗୁରେୟା ।

 

ଦଣ୍ଡା ସାମ୍ମା ଆଉ ଗୁରେୟା–

 

ଦୁହେଁ ବାହା ହୋଇଛନ୍ତି ।

 

କିନ୍ତୁ ଦିହିଁଙ୍କର ପରସ୍ପର ପ୍ରତି କିଛି ଦାୟିତ୍ଵ ଅଛି ବୋଲି ମନେ ହୁଏନି ତ ।

 

ସମୁଦ୍ରରେ ଢେଉ ଗୋଟିଏ ଆସେ–ସେ ପୁଣି ଆସେ କେତେ ତେଜରେ, ତାପରେ ମିଳେଇ ଯାଏ... କିନ୍ତୁ କୁକୁର ଛୁଆ ପରି ଗୋଡ଼ରେ ଗୁଡ଼େଇ ତୁଡ଼େଇ ହୁଏ.....ତା’ପରେ ଆସେ ଆଉ ଗୋଟେ....କେହି କାହାର ଅପେକ୍ଷାରେ ନ ଥାଏ ।

 

ଦଣ୍ଡା ସାମ୍ମା ଚାବୁକ ଗଛର ଶୁଖିଲାପତ୍ର ଆଉ କାଠ ବାହାରେ ବିକି ଚାଉଳ ଆଣେ–ରାନ୍ଧେ ଖାଏ । ଗୁରେୟା ଥିଲେ ମୁଠାଏ ଖାଏ, ନ ଥିଲେ ତ ନାଇଁ । କୋଉଠି ହେଲେ ଖାଇ ନ ଥିବ କି ?

 

ଦଣ୍ଡା ସାମ୍ମାର ପୁଲକିତ ଯୌବନ ଲୋଟିପଡ଼େ କୁର୍ମାୟାର ବଳିଷ୍ଠ ବନ୍ଧନରେ.....ତା’ରି ପଡ଼ୋଶୀ….

 

ହସେ ଦଣ୍ଡା ସାମ୍ମା–ହସେ କୁର୍ମାୟା....

 

ଗୁରେୟାଟା କି ବୋକା ସତେ !

 

ସେଦିନ ଦଣ୍ଡା ସାମ୍ମାର ଦିହ କିମିତି ସିରିସିରି ଲାଗୁଛି । ବାହାରେ ଟିକିଏ ବର୍ଷା ହେଉଛି-। ଝାଉଁବଣ ମର୍ମର ଉଠୁଛି ଅଦୂରରୁ ।

 

ହାଇ ମାରି ଅଳସ ଭାଙ୍ଗି ଦଣ୍ଡା ସାମ୍ମା ଚୁଲିରେ ଜାଳ ପକାଇଲା ।

 

କୁର୍ମାୟା ଆଉ ଗୁରେୟା ଦୁହେଁ ତିନି ଦିନି ହେଲା ଯାଇଛନ୍ତି । ସମୁଦ୍ରକୁ ମାଛ ଧରିବା ପାଇଁ....

 

ଏ ଯେଉଁ ପବନ ଆଉ ଝିପି ଝିପି ବର୍ଷା...

 

ତିନି ଦିନି ପାଇଁ ନୁହେଁ ଯେ ଗୁରେୟା ତ ସାତଦିନ ଯାଏ ପାଣିରେ ରହି ମାଛ ନେଇ ଫେରିଛି ।

 

ଟିକିଏ କିରାସିନି ପକାଇ ନିଆଁ କାଠିଟା ମାରିଦେଲା ଚୁଲି ଭିତରେ.....

 

ଆଜି ତୁଚ୍ଛାଟାକୁ ତିନ୍ତି ତିନ୍ତି ଏତେ ପାଣି ଦେଉଥିଲା ଦଣ୍ଡା ସାମ୍ମା ଝାଉଁଗଛଗୁଡ଼ାକରେ....ଏତେ ବର୍ଷା ହେବ ବୋଲି ହେଲେ ଜାଣିଥାଆନ୍ତା !

 

ଛାଡ଼ ।

 

ଈଗଲ ପକ୍ଷୀ ପରି ଅନ୍ଧାର ହୋଇ ସମୁଦ୍ରର ସେଇ ଦୂର ଦିଗ୍‍ବଳୟରୁ ଛାଇ ହୋଇଯାଉଛି...କିଲଟର ସାଇବ ଗାଡ଼ିରେ ଆସିଥିଲେ ହାଉଆ ଖାଇବାକୁ....ଫେରି ଯାଉଛନ୍ତି ତରତର ହୋଇ । ବର୍ଷା.... !!!

 

ଆହୁରି କାଳିଆ ହୋଇ କ’ଣ ଗୋଟେ କୂଳରେ ଲାଗି ଆସୁଛି ସମୁଦ୍ରରେ … ଦଣ୍ଡା ସାମ୍ମାର ନିପୁଣ ଆଖି ଠିକ୍ କଳି ନେଇଛି । ଡଙ୍ଗା ଅଟକିଲା ।

 

ଜଣେ ଲୋକ ଅନ୍ଧାରରେ ମାଡ଼ି ଆସୁଛି । କାନ୍ଧ ତା’ର ନଇଁ ପଡ଼ିଛି ।

 

ଛାଇ ମୂର୍ତ୍ତି ଧୀରେ ଧୀରେ ଦଣ୍ଡା ସାମ୍ମାଆଡ଼େ ମାଡ଼ି ଆସୁଛି । ନିଶ୍ଚେ ଗୁରେୟା ହେବ ପରା !

 

ଡିବିରିଟା ଜଳିଲା ଦଣ୍ଡା ସାମ୍ମା ।

 

ଟୋପା ଟୋପା ଝାଳ...କପାଳ ଉପରର ମୋଟ ଶିରା ଟାଙ୍କି ହୋଇଗଲାଣି...ନିଶ୍ଵାସ ମୁହୁର୍ମୁହୁଃ ଚାଲିଛି ।

 

ଏ କ’ଣ ? ଏ ଯେ କୁର୍ମାୟା । ଆଉ ଜାଲ ଭିତରେ.... ?

 

ଓଃ... ଆଖି ବୁଜି ହୋଇଗଲା ଦଣ୍ଡା ସାମ୍ମାର.....ଗୁରେୟା...ନାକରୁ ଦୁଇଧାର ନେଳିଆ ରକ୍ତ ନିଗିଡ଼ି ପଡ଼ିଛି । ମୁଣ୍ଡ ଫାଟି ଛତୁ ହୋଇଯାଇଛି । ଜାଲରେ ଗୁଡ଼େଇ ତୁଡ଼େଇ ହୋଇ ଫୁଲିଗଲାଣି ଗୁରେୟା ।

 

ଗୁରେୟା ମରିଯାଇଛି ।

 

ଉପରକୁ ଅନାଇଲା ଦଣ୍ଡା ସାମ୍ମା–

 

କୁର୍ମାୟାର ମୁହଁରେ ତୃପ୍ତିର ହସ ।

 

ତୋ’ର ପାଇଁ ଆଜି ତାକୁ ନିପାତ କରି ଦେଇଛି ଦଣ୍ଡା ସାମ୍ମା...ଚିରକାଳ ଲାଗି ତୁ ମୋର ହୋଇ ରହିବୁ–ଏ କୁଳାଙ୍ଗାର ଆଉ ନ ଥିବ ସମୁଦ୍ର ମଝିରେ ମୋତେ ପଚାରିବାକୁ ଯେ ମୁଁ କାହିଁକି ତୋତେ ଶରଧା କରେ ।

 

ଦଣ୍ଡା ସାମ୍ମାର ଦିହର ରକ୍ତସବୁ ଜମା ହୋଇଗଲା ମୁଣ୍ଡରେ–ତୁ ଖୁଣ କରିଛୁ କୁର୍ମାୟା ! ତୁ ଖୁଣ କରିଛୁ । ମୁଁ ତୋତେ କହି ନ ଥିଲି ଗୁରେୟାକୁ ମାରିଦେବାକୁ !

 

ଆହା ଗୁରେୟା !

 

ବିଳପିଉଠିଲା ଦଣ୍ଡା ସାମ୍ମାର ବୁକୁ ତଳ ।

 

ବାହାରେ ଝଡ଼ ଗର୍ଜୁଥିଲା ।

 

କୁର୍ମାୟା ନିର୍ବୋଧ ପରି ଅନେଇଥିଲା ଦଣ୍ଡା ସାମ୍ମାଆଡ଼େ....କି ବିଚିତ୍ର ସତେ !!

 

ଯାହା ପାଇଁ ଦିନେ ହେଲେ ଦୁଃଖ କରିନି ଦଣ୍ଡା ସାମ୍ମା, ତା’ ପାଇଁ ସେ ଆଜି କାନ୍ଦୁଛି ?

 

ଝାଉଁବଣ ବିଳପି ଉଠୁଥିଲା ଝଡ଼ ସାଥିରେ । ଲଙ୍କା ଆମ୍ବ ଟପ୍‍ଟାପ୍ ଝଡ଼ି ପଡ଼ୁଥିଲା ପବନର ତୋଡ଼ରେ ।

 

କୁର୍ମାୟା ଛିଡ଼ାହୋଇ ରହିଥିଲା ସ୍ତମ୍ଭିତ ହୋଇ…..

Image

 

ଅଭ୍ରଙ୍କଷ

 

ବାବା ତ ଏଇ ଟିକିଏ ହେଲା ସଞ୍ଜଭ୍ରମଣରେ ବାହାରିଗଲେ, ଆସନ୍ତୁ...ଆସନ୍ତୁ.... !

 

ଅତି ସନ୍ତର୍ପଣରେ ବୈଠକଖାନା ଭିତରକୁ ପ୍ରବେଶ କଲା ହରୀଶ୍ ! –ମିଃ ଘୋଷ ତାହାହେଲେ ନାହାନ୍ତି ?

 

–ନାଁ, ବସନ୍ତୁ । ମୁଁ ଏଇକ୍ଷଣି ଚା’ କରି ନେଇଆସୁଛି ।

 

–ଏକାକୀ ନିଃସଙ୍ଗ ଏ ସନ୍ଧ୍ୟା... ଅଳ୍ପ ଅଳ୍ପ ଶୀତ ପଡ଼ି ଆସିଲାଣି... ତାହା ସହିତ ମିସ୍ ତନିମା ଘୋଷଙ୍କର ସାନ୍ନିଧ୍ୟ । ଏହାଠାରୁ ବଳି କପେ ଗରମ ଚା’ର ମୂଲ୍ୟ କ’ଣ ବେଶି ହୋଇପାରେ-?

 

ଦୁଇ ହାତ ଭିଡ଼ିଧରି ହରୀଶ୍ ବସେଇଦେଲା ତନିମାକୁ ଆପଣା ପାଖରେ ।

 

–ବସନା, ଚା’ କଣ ନ ଖାଇଲେ ଚଳେନି ?

 

ତିନିମାର ହାତ ଝାଳରେ ଜୁଡ଼ୁବୁଡ଼ୁ…ବକ୍ଷରେ ଆନ୍ଦୋଳନର ସଂକେତ ।

 

–ନାଇଁ, ବାପା କହିଛନ୍ତି, ଭଦ୍ରଲୋକ ଆସିଲେ ଚା’ ନ ଖାଇବାକୁ ଦେବାର ଅର୍ଥ ଭଦ୍ରଲୋକଙ୍କୁ ‘ଚାଲିଯାଅ’ ବୋଲି କହିବା ।

 

–କିନ୍ତୁ ତୁମେ ମୋତେ ଚାଲିଯିବାକୁ କହିଲେ ବି ମୁଁ ତ ଚାଲିଯାଇ ପାରିବିନି ତନିମା !

 

–ଛିଃ, ଅନ୍ତତଃ ଲାଇଟ୍‍ଟା ଲଗେଇ ଆଣେ... ଅନ୍ଧାର ହୋଇ ଆସିଲାଣି ଯେ....ବାପା ତ ଏଇକ୍ଷଣି ଲେଉଟି ଆସିବେ ।

 

ଡେରାଡ଼ୁନ୍ କଲେଜରୁ କୃତିତ୍ଵର ସହିତ ପାଶ୍ କରି ହରୀଶ୍ ଯେତେବେଳେ ପ୍ରଥମେ ଯାଇ ‘ଦେବଭୂମି’ରେ ଜଣେ ଜୁନିଅର ଜଙ୍ଗଲ ବିଭାଗ ଅଫିସର୍ ହୋଇ ଯୋଗଦେଲା, ସେ ଭାବିଲା ଜୀବନରେ କୃତୀଛାତ୍ର ହେବା ବୋଧହୁଏ ସବୁଠାରୁ ବଡ଼ ଅଭିଶାପ ।

 

ଚାରିପାଖରେ ଅନନ୍ତ ନିବିଡ଼ ଜଙ୍ଗଲ.... ରିଜର୍ଭ ଫରେଷ୍ଟ…ସଭ୍ୟତାର ଉଷାଲୋକ ଏଠାକୁ ଆସିବାକୁ କେତେ ଯୁଗ ଲାଗିବ ତା’ର ଠିକଣା ନାଇଁ ।

 

ସେ ପହଞ୍ଚିଲା ବେଳକୁ ସଞ୍ଜ ହୋଇ ଆସିଥିଲା ସେଦିନ । ପରଦିନ ସକାଳ ଯେମିତି ପାହିଛି, ଦେଖିଲା ସୂର୍ଯ୍ୟୋଦୟ ବାକି ଅଛି ।

 

–ମଣିଲାଲ୍, ଚା’ ଚା’– ?

 

ବେଡ଼୍‍ଟିରେ ଦୀର୍ଘ ଚାରି ବର୍ଷ ଧରି ଅଭ୍ୟସ୍ତ ହରୀଶ୍ ପାଗଳ ପରି ଚିତ୍କାର କରିଉଠିଲା...ଆଖି ଖୋଲିଲାବେଳକୁ ଚିରପରିଚିତ ବାମ୍ଫୁଆ ଚା’ କପ୍‍ଟି ନ ଦେଖି ।

 

ରହି ରହି ଆର ଘରୁ ଫରେଷ୍ଟ ଗାର୍ଡ଼ କାଶୁଥିଲା–ଷାଠିଏ ବର୍ଷର ବୁଢ଼ା....ସେ କି ଜାଣେ ରାତି ନ ପାହୁଣୁ ନୂଆ ସାଇବ ମାଗିବସିବ କପେ ଚା..... ମହା ମୁସ୍କିଲରେ ପଡ଼ିଲା ସେ ।

 

କ’ଣ କରିବି, ଭାବିବାକୁ ଆଉ ବେଳ ନାଇଁ । ଛୁଆ ବାଘ ପରି ନୂଆ ସାଇବ ଖାଲି ହେଣ୍ଟାଳୁଛି । ବୁଢ଼ାର କ’ଣ ମନ ପାଇଲା, ଧାଇଁ ଧାଇଁ ଚାଲିଗଲା ଘରୁ ବାହାରକୁ ଛିଣ୍ଡା ଜର୍ସି ଖଣ୍ଡକ କୌଣସିମତେ ଦିହରେ ଗଳାଇଦେଇ । ବୁଢ଼ା ବୟସରେ ଦଉଡ଼ୁଛି ନାଲି ରାସ୍ତାର ଖାଲ ଢିପ ଉପରେ ଜମା କାକର ବୁକୁରେ ।

 

ହରୀଶ୍ ମନରେ ହଠାତ୍ ଖଟକିନା କ’ଣ ଲାଗିଲା–ବୁଢ଼ା ପାଗଳ ହୋଇଗଲା ନାଇଁ ତ ! ନତୁବା ସେ କ’ଣ ଚାହୁଁଛି ବୁଢ଼ା ତ ବୁଝି ନାଇଁ ।

 

ଭାଗ୍ୟ ଉପରେ ନିର୍ଭର କରି ଟବାକୋରେ ବଳିଲା ଖଣ୍ଡେ ସିଗାରେଟ୍ ସେଇ ଶେଯରେ ଶୋଇ ଶୋଇ । ଉପରେ ମଖମଲ ରେଜେଇ ଛାତିଯାଏ ଉଠି ଭାଙ୍ଗିପଡ଼ିଛି । ଜୀବନଟା ଯିମିତି ପିତା ଲାଗୁଛି ।

 

ଓଃ....କି ଈଶ୍ଵରପରିତ୍ୟକ୍ତ ଜାଗାରେ କଞ୍ଜରଭେଟର ପୋଷ୍ଟିଙ୍ଗ୍ କଲା !

 

ଝାଳନାଳ ହୋଇ ଧପାଲି ଫେରିଲା ବୁଢ଼ା ମଣିଆ–କେଉଁ ସାହେବ ମିଜାଜ୍ ଖୁସ୍ ଥିଲାବେଳେ ତାଙ୍କୁ ମଣିଆ ନାଆଁଟା ପସନ୍ଦ ହୋଇନି...ଡାକିଛି ମଣିଲାଲ୍...ସେଇ ନାଆଁ ରହିଯାଇଛି... କାଗଜପତ୍ରରେ କିନ୍ତୁ ମଣିଲାଲ ସନ୍ତକ କରେ ମଣିଆ ବାରିକ ।

 

ହାତରେ ତା’ର ପ୍ଲାଷ୍ଟିକ୍‍ର ପ୍ରିନସେସ୍ ମାର୍ଗାରେଟ୍‍ଙ୍କର ବଷ୍ଟ୍‍ ଫଟୋଗ୍ରାଫ ଥାଇ ଟ୍ରେ । ଖାଣ୍ଟି ଇଂଲିଶ୍ ଚାଇନାରେ ‘ଟି’ ପଟ୍...କପ୍ ପିଆଲା ସବୁ । ପରିଚିତ ଚା’ର ବାସନାରେ ଶିରାପ୍ରଶିରା ଉଜ୍ଜୀବିତ ହୋଇଉଠିଲା ହରୀଶ୍‍ର । ବିନା ବାକ୍ୟବ୍ୟୟରେ କପେ ଚା’ ନିଃଶେଷ କରିସାରି ଆଉ କପେ ତିଆରି କରୁ କରୁ ସ୍ନେହସ୍ନିଗ୍‍ଧ ଆଖିରେ ପଚାରିଲା ହରୀଶ୍–

 

–କାହାଁ ସେ ଲାୟା ମଣିଲାଲ୍ !

 

–ହଜୁର,ଘୋଷ ସାହେବ୍‍ କେ ମକାନ୍ ସେ ।

 

–ଘୋଷ ସାହେବ !

 

ଟ୍ରେର ଘୋଡ଼ଣୀକୁ ଆଉ ଟିକିଏ ନିରେଖି କରି ଅନେଇ ରହିଲା ହରୀଶ । ଏମ୍ବ୍ରୟଡ଼ରୀ କରାହୋଇଛି....‘ତନିମା’

 

–କୌନ୍ ସା ଘୋଷ୍ ସାହେବ ମଣିଲାଲ୍ ?

 

–ଏକସକ୍ୟୁଜ୍ ଅସ୍ ।

 

କହି ପରଦା ଟେକି ଭିତରକୁ ପ୍ରବେଶ କଲେ ଜଣେ ବୃଦ୍ଧଉଚ୍ଚତାରେ ଛଅ ଫୁଟରୁ ଟିକିଏ ବେଶି–ପରିଧାନ ଖଣ୍ଡେ ଧଳା ଇସ୍ତ୍ରୀକରା ହାଫ୍‍ପ୍ୟାଣ୍ଟ, ଧଳା ହାଫ୍‍ସାର୍ଟ ଉପରେ ପାଉଁଶିଆ ରଙ୍ଗର ହାଫ୍‍ ସୁଏଟାର୍ ।–ହାତରେ ହାତୀଦାନ୍ତର ବାଡ଼ି–ମୁହଁରେ ଲଙ୍ଗଳ ସିଆର ପରି ସ୍ପଷ୍ଟ ଗଭୀର ରେଖାଗୁଡ଼ିଏ ।

 

ଆଉ ତାଙ୍କ ପଛକୁ ସଦ୍ୟସ୍ନାତ ଗୋଲାପଟି ପରି ଧଳା ବ୍ଲାଉଜ୍ ଓ ଧଳା ଶାଢ଼ିପରିହିତା ତନିମା....

 

–ମୁଁ ମିଷ୍ଟର ଘୋଷ, ରିଟୟାର୍ଡ଼ ଆର୍ମି କର୍ଣ୍ଣେଲ...ଆଉ ଏ ମୋ ଝିଅ ତନିମା...

 

ଶେଯରୁ ଉଠିପାରି ନ ଥିଲା ହରୀଶ୍ ହଠାତ୍ ଏ ଆବିର୍ଭାବରେ ଚକିତ ହୋଇ ।

 

ଘରେ ଗୋଟିଏ ହୋଇ ଜିନିଷ ସଜା ହୋଇନି–ନୂଆ ଚାକିରି–ଯାହା ବା ସାମାନ୍ୟ ଆସବାବପତ୍ର ଆଣିଥିଲା, ସେ ଖୋଲା ହୋଇନି ଏପର୍ଯ୍ୟନ୍ତ ।

 

ମଣିଲାଲ କିନ୍ତୁ ବଙ୍ଗ୍‍ଲୋ ଅଫିସରୁ ଦୁଇଖଣ୍ଡ ବାଟା ଚୌକି ଆଣି ପକେଇ ଦେଇଥିଲା ସମ୍ବର୍ଦ୍ଧନା ଜଣେଇ ।

 

–ମୁଁ ହରୀଶ୍ ରାୟ । ଏଠି ନୂଆ ହୋଇ ଜଏନ୍ କଲି କାଲି ସଞ୍ଜରେ.....

 

ନିଜର ପରିଚୟ ଦେଲା ହରୀଶ୍ ।

 

–କ୍ଷମା କରିବେ ହରୀଶ୍, ଏଟା ଭଦ୍ରଲୋକକୁ ଦେଖାକରିବା ସମୟ ନୁହେଁ । ତଥାପି ଏଠାରେ ଭଦ୍ରଲୋକର ଏତେ ଅଭାବ ଯେ ଆଦବକାଏଦା ଜଗିବାକୁ ମୋଟେ ଇଚ୍ଛା ହୁଏନା ।

 

ମୋର ମନେ ଅଛି, ମୁଁ ଯେତେବେଳେ ଠିକ୍ ରିଟାୟାର କରିବା ପୂର୍ବରୁ ‘ଉରି’ରେ କ୍ୟାମ୍ପ କରୁଥିଲି, ଆଉ ସେତିକିବେଳେ ଠିକ ‘ସିଜ ଫାୟାର’ ହୋଇଥାଏ କାଶ୍ମୀର ସୀମାରେ । ମୁଁ ଇମିତ ତୁମରି ପରି କ୍ୟାମ୍ପ ଖଟଟାରେ ଶୋଇ ପଡ଼ିଥାଏ ପରମ ତୃପ୍ତିରେ ।

 

ତୁମେ ବିଶ୍ଵାସ କରିବନି ହରୀଶ, ନିଜେ ଜେନେରାଲ କରିଆପ୍‍ପା ଆସି ମୁହଁ ଉପରୁ ରେଜେଇଟା କାଢ଼ିନେଲା ବେଳକୁ ମୁଁ ସଙ୍ଗେ ସଙ୍ଗେ ତକିଆ ତଳୁ ରିଭଲଭରଟା କାଢ଼ି ତାଙ୍କ ଛାତି ପାଖରେ ଲଗେଇ ଦେଇ ଚିତ୍କାର କରି ଉଠିଲି–

 

–ହାଣ୍ଡସ୍ ଅପ୍....

 

ଠୋ ଠୋ ହସିଲେ ଜେନେରାଲ । ପରିଚିତ ହସରେ ନିଦ ଭାଜିଗଲା ବେଳକୁ ଆଗରେ ମୋର ଜେନେରାଲ, ହାତରେ ମୋ’ର ରିଭଲଭର, ଦେହରେ ରାତ୍ରିର ପାଇଜାମା...ସୂର୍ଯ୍ୟ ଉଇଁ ନାଇଁ ।

 

–ଚମକିପଡ଼ିଲୁ ଘୋଷ ?

 

–ସାର୍, ଏତେ ସକାଳୁ ?

 

–ଏ ପାଖରେ ତ ଆଉ କେହି ନାହାନ୍ତି ତୁମରି ବ୍ୟାଟାଲିୟନ ଛଡ଼ା–ଚାଲି ଚାଲି ଆସିଲି.... ସିଜ୍ ଫାୟାର୍‍ଟାକୁ ପାଳିବାକୁ ହେବ କି ନା ।

 

ବୃଦ୍ଧ କେତେବେଳୁ ଚୌକି ଛାଡ଼ି ଉଠିପଡ଼ି ଅଭିନୟ କରୁଥାଆନ୍ତି କିପରି ସେ ଶୋଇଥିଲେ...କିପରି ଜେନେରାଲ୍ ଆସିଲେ....ଇତ୍ୟାଦି.... ।

 

ତା’ପରେ ସେ ଦିନ ଯେଉଁ ଶିକାର, ଯେଉଁ ହୁଇସ୍କି, ଯେଉଁ ଫ୍ଲାସ, ତୁମେ ପିଲାଲୋକ କ’ଣ ବୁଝିପାରିବ ?

 

ହଠାତ୍ ପ୍ରଥମ ଦେଖାରୁ ଏତେଗୁଡ଼ାଏ କଥା ଶୁଣିବା ନିମନ୍ତେ ପ୍ରସ୍ତୁତ ନ ଥିଲା ହରୀଶ । କ’ଣ ଉତ୍ତର ଦେବ ଭାବିପାରିଲା ନାଇଁ ।

 

କିନ୍ତୁ ଭାବିବାକୁ ପଡ଼ିଲା ନାଇଁ ତାକୁ ।

 

ତନିମା ଉତ୍ସୁକ ଗଳାରେ ପ୍ରଶ୍ନ କଲା–

 

–କ’ଣ ଶିକାର ହେଲା ବାପା ?

 

–ଓଃ, ସେ କଥା କ’ଣ କହୁଛୁ ମା ? ଯେତେ ଜବାନ୍ ସମସ୍ତେ ଜଙ୍ଗଲଟା ସାରା ଖେଦିଗଲେ । ଗୋଟାଏ ଆଡ଼ୁ ଡ୍ରମ୍ ଆଉ ବିଗୁଲ୍ ବଜାଇ ବଜାଇ ହୁରୁଡ଼େଇ ଆଣିଲେ ଯେତେ ଜନ୍ତୁ । ମୁଁ ମଞ୍ଚା ଉପରେ ଲେପଟି ହୋଇ ବସିଥାଏ, ଆଉ ଜେନେରାଲ୍ ମୋ ପଛରେ । ମୋଟା ଲୋକ କିନା–ଖାଲି ସଅଁସଅଁ ନିଶ୍ଵାସ ମାରୁଥାଆନ୍ତି । ମୁଁ ତାଙ୍କ ଆଣ୍ଠୁକୁ ଚିପିଦେଲି । ଇସାରା ବୁଝିନେଲେ ଜେନେରାଲ । ସାମନାରେ ବିରାଟ ମହାବଳ–ଜିଭଚାଟି....

 

ଥରିଉଠିଲା ତନିମାର ତନୁଲତା...

 

ବାସ୍ ୩୦୩ ନମ୍ବର ରାଇଫଲର ଗୋଟେ ଗୁଳିରେ ମୋ’ର–ଟଳିପଡ଼ିଲା ସେଇଟା । ତା’ ପରେ ଭାଲୁ, ବାରହା, ସମ୍ବର । ସବୁ ମିଶି ମୋର ମନେଅଛି ୧୮ଟା ଜନ୍ତୁ ମାରିଆଣିଲୁ । ସେଥିରୁ ପ୍ରାୟ ବାରଟା ମାରିଥିବି ମୁଁ ।

 

–ବାପା !

 

ତନିମାର କଣ୍ଠରେ ଗୌରବର ଝଙ୍କାର ।

 

–ହଁ ମା, ବାରଟା ! ଜେନେରାଲ କହିଲେ–ଘୋଷ, ତୁଇ ଏକା ଅସଲ ଶିକାରୀ, ଆମେ ସବ ଥାର୍ଡ଼ କ୍ଳାସ ।

 

–ବାପା, ବାପା,ଜେନେରାଲ କେତୁଟା ମାରିଲେ ?

 

–ବୋଧହୁଏ ଚାରିଟା ।

 

–ମୋଟେ ଚାରିଟା ! ବାପା ସେଠୁ କ’ଣ ହେଲା କୁହ– !

 

ହରୀଶ୍ ଦେଖିଲା ତା’ର ସତ୍ତା କ୍ରମଶଃ ଲୋପ ପାଇଯାଉଛି । ପିତାପୁତ୍ରୀଙ୍କର ଏଇ ସ୍ଵାର୍ଥପର କଥୋପକଥନ ଭିତରେ ।

 

ସେ ଇତି ମଧ୍ୟରେ ଉଠିଯାଇ ବାଥ୍‍ରୁମରେ ମୁହଁ ଧୋଇ, ପେଣ୍ଟ କାମିଜ୍ ମଡ଼େଇ, ସିଗାରେଟରେ ନିଆଁ ଧରେଇ ଫେରିଲାଣି..... ଦୁହିଁଙ୍କ ଭିତରୁ କେହି ଲକ୍ଷ୍ୟ କରି ନାହାନ୍ତି ତା’ର ଗତିବିଧିକୁ ।

 

ବୃଦ୍ଧ କହି ଚାଲିଛନ୍ତି–ଆଉ ତନିମା ଅନେଇଛି ତାଙ୍କରି ଆଡ଼େ–ଲାଲ ଓଠ ଦି’ ଫାଳ ଦୁଇ ଭାଗ ହୋଇଯାଇ ଡାଳିମ୍ବ ମଞ୍ଜି ପରି ଦାନ୍ତଗୁଡ଼ିକର ଅସ୍ତିତ୍ଵ ସୂଚାଉଛି । ମୁହଁରେ ଅସାମାନ୍ୟ ଲାବଣ୍ୟ ଆଉ ଗର୍ବର ସମ୍ମିଶ୍ରଣ ।

 

ବାବା ତା’ର ଦୁନିଆରେ ଶ୍ରେଷ୍ଠ ଯୋଦ୍ଧା, ସାହସୀ ଆଉ ବୀର । ମଣିଷ ପରି ଜଣେ ମଣିଷ–ଭଗବାନ୍ !

 

ଆଉ ଏହା ମଧ୍ୟ ସତ୍ୟ ଯେ, ମିଷ୍ଟର ଘୋଷଙ୍କର ପୁରୁଷକାର ପାଖରେ ସମସ୍ତେ ନିଷ୍ପ୍ରଭ.... ମ୍ଳାନ । ତାଙ୍କର ପାପୁଲି ଉପର ଟଣାଟଣା ଶିରାରେ, ଲୋମଶ ହାତର ଗୁରୁ ଗୌରବରେ, ଆଣ୍ଠୁ ଉପରର ବଳିଷ୍ଠ ମାଂସପେଶୀ ଦିହରେ ସବୁଠି ଯିମିତି ଖୁନ୍ଦିହୋଇ ରହିଛି ପ୍ରଚୁର ପୌରୁଷ ।

 

କିମିତି ତାଙ୍କର କାନର ଗୋଟାଏ ଫାଳ ଉଡ଼ିଗଲା ?–ସେ ବି ଏକ କାହାଣୀ । କିମିତି ପେଟରେ ଗୋଟାଏ ଗୁଳି ବାଜି ବୃହଦନ୍ତ୍ର ଭିତରେ ଗୁଡ଼େଇ ହୋଇ ରହିଗଲା; ତିନି ମାସ ଅର୍ମି ହାସପାତାଳରେ ପଡ଼ି ଆରୋଗ୍ୟ ହୋଇ ଫେରିଲେ, କିମିତି ତାଙ୍କର ଛାତିଯାକ ଖାଲି ବେଅନେଟ୍ ମାଡ଼ର ଦାଗ.... ।

 

–ରାତିରାତି ଦିନଦିନ ଆମେ ଚାଲିଥାଉଁ–ପାଣି ବୋତଲଟା ପଛପଟେ ଝୁଲୁଥାଏ–ମନ୍ଦାଏ ପାଣି ତଣ୍ଟି ଅଠାଅଠା ହୋଇ ଗଲାବେଳକୁ ପିଉଁ–ତୋଟା ଦେଖି ତମ୍ବୁ ପାରି ପଡ଼ିଯାଉଁ–ପୁଣି ସକାଳ ନ ହେଉଣୁ ବିଗୁଲ୍ ବାଜେ ।

 

ମିଃ ଘୋଷଙ୍କର ଦେହରେ ଲୋମ ଟାଙ୍କୁରି ଉଠେ,–ଆଉ ତନିମା ମଧ୍ୟ ଥରିଉଠେ ସେହି ସ୍ପର୍ଶର ସାନ୍ନିଧ୍ୟରେ ।

 

ପ୍ରାୟ ପ୍ରତିଦିନ ଯାଏ ହରୀଶ୍ ମିଃ ଘୋଷଙ୍କର ଘରକୁ । ଜଙ୍ଗଲର ଟୁର୍ ସାରି ହାଲିଆ ହୋଇ ଫେରିଆସେ ଟିକିଏ ତନିମା ସହ ନିରୋଳାରେ କଥା କହି ସବୁ କ୍ଳାନ୍ତି ଭୁଲିଯିବାକୁ । ତନିମା ତାକୁ ଆଦର କରେ । କେବେହେଲେ ସ୍ନେହର ଅଭାବ ନାଇଁ ତା ପାଖରେ । ନୀରବ ସଞ୍ଜରେ ସେ କେତେଥର ତନିମାକୁ ଚୁମ୍ବନ କରିଛି... କେତେ ଥର ତନିମାକୁ ଗୋଟେଇନେଇ ଛାତିଭିତରେ ପୂରେଇ ଦେଇଛି । କୌଣସିଥିରେ ତନିମାର ଆପତ୍ତି ନାଇଁ.... ଓଜର ନାଇଁ ।

 

ତଥାପି କିନ୍ତୁ ହରୀଶ୍‍ର ମନରେ ରହିଯାଇଛି ଖଟ୍‍କା–ସେ ତନିମାକୁ ନିଜର କରିପାରି ନାଇଁ । ତନିମା ଯିମିତି ରହିଯାଇଛି ଦୂରରେ–ଅତି ଦୂରରେ । ମଝିରେ ସତେ ଅବା ମିଃ ଘୋଷଙ୍କର ପ୍ରଶାନ୍ତ ମୂର୍ତ୍ତି । ସବୁ ଢେଉ ସେଠି ବାଧା ପାଇ ଫେରି ଆସେ–ଆଗେଇ ପାରେନା ସେ ବିରାଟ ବ୍ୟକ୍ତିତ୍ଵକୁ ଏଡ଼ିଦେଇ ।

 

ଇମିତି ଦିନ ନାଇଁ ଯେଉଁଦିନ ତନିମା ବାପାଙ୍କ କଥା କହି ନଥିବ ହରୀଶ୍‍କୁ ।

 

–ଶୁଣିଲଣି ନା...ବାପା ଆଜି ହେଇ ସେ ଆମ୍ବଗଛଟାକୁ ଲକ୍ଷ୍ୟକରି ଗୋଟାଏ ଗୁଳିରେ ତିନିଟା ହରଡ଼ ଚଢ଼େଇ ମାରି ଖସେଇଦେଲେ ।

 

ମୁହଁରେ ରକ୍ତିମ ଆଭା ତନିମାର ନହଡ଼ି ଭାଙ୍ଗୁଥାଏ ।

 

ହରୀଶ୍‍ର ପୌରୁଷ ଗର୍ଜିଉଠିଛି ହିଂସା, ଈର୍ଷା ଆଉ ଅସୂୟାରେ...

 

–ତୁମେ କ’ଣ ବାପାଙ୍କୁ ବାହା ହେବ ତନିମା ?

 

–କିଏ କହିଲା ? ନାଇଁ ତ–

 

–ତେବେ ସବୁବେଳେ ତାଙ୍କର ଜୟଗାନ କାହିଁକି ?

 

–ତୁମେ ମୋଟେ ବୁଝିବନି ହରୀଶ୍ । ବାବା ଠିକ୍ ଏଇ ନଈ ପରି ପ୍ରଶାନ୍ତ ଆଉ ଉଦାର-। ତାଙ୍କ ଭିତରେ କୌଣସି ଦୁର୍ଭାବନା ନାଇଁ–ଆଉ ନାଇଁ ନୀଚତ୍ଵ । ତୁମେ କ’ଣ ତାଙ୍କର ଉଚ୍ଚତାକୁ ଛୁଇଁ ପାରିବ ?

 

ବେଶ୍ ଚଟକଣାଟାଏ ଖାଇଲା ହରୀଶ୍ । ତଥାପି ସେ ଆଜି ମୁଣ୍ଡ ନୋଇଁ ଦେଉନି । ଗୋଟେ କିଛି ଫଇସଲା ନ କରି କେତେ ଦିନ ଧାଉଁଥିବ ଏ ମୃଗତୃଷ୍ଣା ପଛରେ ।

 

–ତେବେ ତୁମେ ମୋତେ ବାହା ହେବନି ତନିମା ?

 

–ମୁଁ କାହାକୁ ବାହା ହେବିନି; ତୁମକୁ ବି ନୁହେଁ ?

 

ତନିମାର ଗଣ୍ଡ ଧୋଇ ଅଶ୍ରୁ ବହି ଯାଉଥିଲା । ସେ ହଠାତ୍ ଘର ଭିତରକୁ ପଶିଗଲା ।

 

ମଝିରେ କେତୁଟା ଦିନ ପାଇଁ ହରୀଶ୍ ଆଉ ଆସି ନାଇଁ । ତନିମାକୁ ସେ ବ୍ୟଥା ଦେଇଛି...ଆଉ ତନିମା ମଧ୍ୟ । ତା’ଛଡ଼ା କାମର ଚାପା ।

 

ସେଦିନ ଠିକ୍ ପରଦା ଆଡ଼େଇ ବୈଠକଖାନାରେ ପଶି ଯାଇଛି କି ନାଇଁ, ତନିମା ବ୍ୟଗ୍ରତାର ସହିତ ଆରମ୍ଭ କରିଦେଲା–

 

–ବାବା...

 

ତାକୁ ପୂରା କରିବାକୁ ନ ଦେଇ ହରୀଶ୍ କହିଲା–

 

–ମୁଁ ଘରଭିତରେ ଗୋଡ଼ ଦେଇଛି କି ନାଇଁ ତୁମ ମୁହଁରୁ ବାହାରିଲାଣି–‘ବାବା’ ।

 

ତନିମା ହସିଲା ।

 

ସେ ହସରେ ଯିମିତି କିଏ ଭରିଦେଇଛି ଦୁନିଆର ସବୁ ପବିତ୍ରତା, ସବୁ ସୌନ୍ଦର୍ଯ୍ୟ ଓ ସକଳ ଶୁକ୍ଳିମା...

 

–ଚୁପ୍, ଚୁପ୍, ବାବା ସେ ଘରେ ବସିଛନ୍ତି ଯେ, ତୁମକୁ ଅପେକ୍ଷା କରି...

 

ହରୀଶ୍ ଚିଡ଼ିଯାଇ ପଚାରିଲା ।

 

–ସେ କିମିତି ଜାଣିଲେ ମୁଁ ଆସିବି ବୋଲି ?

 

–ସେ ଜାଣନ୍ତି, ଭଲକରି ଜାଣନ୍ତି ।

 

–ହିଁ, ନିଶ୍ଚୟ ଜାଣିଥିଲେ... ଏଣ୍ଡୁଅ ଦୌଡ଼ି ଦୌଡ଼ି ସିଜୁ ବାଡ଼ ଯାଏଁ–

 

ଆଉ ଥରେ ହସିଲା ତନିମା ।

 

–ଯାଅ ନା !

 

–ଯିବି ଯେ, କିନ୍ତୁ ଆଜି ସଞ୍ଜରେ–

 

–ହଁ–

 

ଆଜି ସଞ୍ଜରେ, ଆମ ଘରେ–

 

ହରୀଶ୍ ତା' ହାତ ଆପଣା ମୁଠା ଭିତରେ ଚାପିଦେଲା–ଇସ୍ କି ଥଣ୍ଡା–ବରଫଠୁ ବଳି । କାହିଁକି ତାର ଦେହର ଉଷ୍ଣିମା ଚାଲିଯାଇଛି ?

 

ବଡ଼ ବାରଣ୍ଡା ଟପି ଭିତରକୁ ପଶିଗଲାବେଳକୁ ଆରାମ ଚେୟାରଟାରେ ମିଷ୍ଟର ଘୋଷ ଲମ୍ବ ହୋଇ ପଡ଼ିଯାଇଛନ୍ତି । ଦେହରେ ବଡ଼ ଗୋଟେ ଗରମ ଡ୍ରେସିଙ୍ଗ୍ ଗାଉନ୍, ଓଠରେ ଲମ୍ବ ମୋଟା ହାନାଭା ସିଗାର୍, ମୁଣ୍ଡ ପାଖରେ ପୁଲାଙ୍ଗର ଏକ ତେଜୀୟାନ୍ ଦୀପ...ଅଭୁତ ସମ୍ମିଶ୍ରଣ...

 

–କ'ଣ ପଢ଼ୁଛନ୍ତି ?

 

ତୁମେ ଜାଣ ହରୀଶ୍, ନିଶ୍ଚୟ ଜାଣିଥିବ, ଏ ପୁଲାଙ୍ଗ ଆଲୁଅ ଆଖି ପାଇଁ ଖୁବ୍‍ ଉପକାରୀ ?

 

ହରୀଶ୍ ଯିମିତି ଅଧଘଣ୍ଟେ ହେଲା ସେଠି ଛିଡ଼ା ହୋଇଛି ଏବଂ ହରୀଶ୍‍ର ଉପସ୍ଥିତି ପ୍ରତି ସେ ଯେପରି ବହୁ ଆଗରୁ ସଚେତନ ସେହିପରି ଭାବ ପ୍ରକଟାଇ କହିଲେ ମିଃ ଘୋଷ ।

 

ହରୀଶକୁ ବିରକ୍ତ ଲାଗିଲା ଟିକିଏ, ଚୁପ୍ ରହିଲା ସେ...

 

–ଓ, ଛିଡ଼ା ହୋଇଛ ଯେ, ବସ, ବସ । ସେ ଚୌକିଟା ଟାଣି ଆଣ । ଆମର ଶିକାରର ନୀତି ହେଲା, ବାଘକୁ ଯନ୍ତାରେ ପୂରାଇବା ? –ଗୋଟେ ମୋଟାସୋଟା ଛେଳି ଯୋଗାଡ଼ କର ! ପୁରୁଷକୁ ଯନ୍ତାରେ ପୂରେଇବ... ? ଗୋଟିଏ ସୁନ୍ଦର ସ୍ତ୍ରୀ ଯୋଗାଡ଼ କର ! ତେଣୁ ମୁଁ ଜାଣିଥିଲି ତୁମେ ନିଶ୍ଚୟ ସିଧାସଳଖ ଏଇ ଯନ୍ତା ଭିତରକୁ ପଶିଆସିବ.... ।

 

–କ'ଣ କହୁଛନ୍ତି ଆଜି ମିଷ୍ଟର ଘୋଷ ?

 

–ତୁମେ ତନିମାକୁ ବାହାହେବ ହରୀଶ୍ ?

 

ହ୍ଵାଇନଟ୍ ? ପୂରାପୂରି ବୁଡ଼ିଗଲାଣି ଝାଳରେ ହରୀଶ୍‍ର ।

 

ଇମିତି ତ କେବେ କୁହନ୍ତିନି ମିଃ ଘୋଷ–

 

–ହାଃ, ହାଃ, ହାଃ,... ହସିଲେ ମିଃ ଘୋଷ । ସେଇଥିରେ ପୁଲାଙ୍ଗ ଦୀପଟା ଲିଭିଗଲା ଗଭୀର ଅନ୍ଧାରରେ ଦୁହିଁଙ୍କୁ ଛାଡ଼ିଦେଇ । କେବଳ ଜଳନ୍ତା ସିଗାରର ନାଲି ନିଆଁରେ ମିଃ ଘୋଷଙ୍କ ମୁହଁରେ ଅସ୍ତିତ୍ଵ ସୂଚିତ ହେଉଥାଏ ।

 

–କିନ୍ତୁ ତନିମା ତୁମକୁ ବାହାହେବେ ନାଇଁ ତାର ‘ବାବା’ ଥିବା ପର୍ଯ୍ୟନ୍ତ । ହାଃ,ହାଃ,ହାଃ...

 

ଏଥର ରୀତିମତ ଭୟରେ ଥରିଲାଣି ହରୀଶ୍ । ମିଃ ଘୋଷଙ୍କ ମୁହଁରେ ରେଖା ଏ ଗଭୀର ଅନ୍ଧାରରେ କଳିବା ଅସମ୍ଭବ । ଖାଲି ଦପ୍ ଦପ୍ ଜଳୁଛି ନିଭୁଛି ସିଗାରର ନିଆଁ–ଯେପରି ଜଣାପଡ଼ୁଛି ସେ ଘନଘନ ଧୂଆଁ ପିଇ ଯାଉଛନ୍ତି ହସିହସି...

 

କିନ୍ତୁ ମନେରଖ ବତ୍ସ ! ତନିମା ବିଶ୍ଵାସୀ, ଅନୁଗତା ଓ ପୁରୁଷତ୍ଵର ପୂଜାରିଣୀ । ଠିକ୍ ମୋ’ର ଆଲ୍‍ସେସିଆନ୍ କୁକୁରୀ ‘ସୋନିଆ’ ପରି । ଜାଣ ମୁଁ ସୋନିଆକୁ କେଉଁଠୁ ଆଣିଥିଲି ?

 

ଓଃ, ‘ସୋନିଆ’ର ଇତିହାସ ଗାଇବାକୁ ତ ମୁଁ ତୁମକୁ ଡାକି ନ ଥିଲି । ବୟସବୃଦ୍ଧି ସଙ୍ଗରେ ମତିଭ୍ରମ ହେଉଛି ମୋ’ର ।

 

–ହିଁ, ତୁମେ ଶିକାର କରିବାକୁ ଯିବ ?

 

–କାହିଁକି ନ ଯିବ ? ନିଶ୍ଚୟ ଯିବ...

 

ନିଜେ ପ୍ରଶ୍ନ କରି ଉତ୍ତର ଦେଇ ଚାଲିଛନ୍ତି ମିଃ ଘୋଷ...

 

–ଜଙ୍ଗଲ ବିଭାଗର ଅଫିସର, ତୁମେ ଶୀକାର କରିବନି ତ ଆଉ କିଏ କରିବ ? ମୁଁ ଆଜି ଏଇ ରାତିରେ ବାହାରିଲି ‘ରଣଝାଲି’ । ମୋର ଘନିଷ୍ଠ ବନ୍ଧୁ ମଜୁମଦାର ଆସିଛି କରାଚୀରୁ । ତୁମେ ଆସ...ଯାଅ, ତୁମର ସମସ୍ତ ସମାନ୍ ନେଇ ଫେରିଆସ...ତୁମର ବନ୍ଧୁକ ବୋଧହୁଏ ଅଛି... ଆଚ୍ଛା ନ ଥାଉ...ମୋ’ର ଦୁଇଟା ଅଛି । ଚଳିଯିବ । ଖାଲି ପୋଷାକ ବଦଳେଇ...ଯାଅ...

 

ଗୁଳା ବୃଷ୍ଟି ହେଲା ପରି ଗୋଟାକ ପରେ ଗୋଟାଏ କଥା.... କାହା ସହିତ କାହାର ସମ୍ପର୍କ ନାଇଁ । ତଥାପି ଯିମିତି ମାନିବାକୁ ପଡ଼ିବ । ଆଉ ତନିମା... ?

 

ଉଃ...

 

ଭାବିବାକୁ ବା ତର କାଇଁ ?

 

ଘୋଷଙ୍କର ନାଲି ଜିପରେ ଲଦି ହୋଇ ବାହାରିପଡ଼ିଲା ବେଳକୁ ରାତି ନଅଟା । ତନିମା ଅନେକ ଦୂରଯାଏଁ ରୁମାଲ ହଲେଇ ହଲେଇ କହୁଥାଏ–‘ଟା...ଟା’…ତା’ ଆଖିରେ ମଧ୍ୟ ଲୁହ ପୂରି ଉଠୁଥାଏ । କାରଣ ସେ ଜିଦ୍ ଧରିଥିଲା...ମିଃ ଘୋଷ ମନା କରିଦେଲେ ଏସବୁ ଭୟଙ୍କର ଦୃଶ୍ୟ ପାଇଁ ସ୍ତ୍ରୀଲୋକମାନଙ୍କୁ ଭଗବାନ୍ ଗଢ଼ି ନାହାନ୍ତି ।

 

ଆଜି ସଞ୍ଜରେ କଣ୍ଟ ଦେଇଥିଲା ତନିମାକୁ ହରୀଶ୍....ହଠାତ୍ ଯିମିତ କ’ଣ ହୋଇଗଲା ।

 

ଜଙ୍ଗଲ ରାସ୍ତାର ଦୁଇକଡ଼ରେ ଘଞ୍ଚ ନିବିଡ଼ ଅରଣ୍ୟ । ଜିପ ଉପରୁ ହୁଡ଼ଟା କାଢ଼ିଦେଇ ସେମାନେ ଚାଲିଥାଆନ୍ତି । ହରୀଶ୍ ସ୍ପଟ ଲାଇଟଟା ବୁଲାଉଥାଏ ଏ ପାଖରୁ ସେ ପାଖ ।

 

ମଇଲମାଇଲବ୍ୟାପୀ ଘୋର ଅରଣ୍ୟ । ମୁଣ୍ଡକଣ୍ଟା ପରି ଅଙ୍କାବଙ୍କା ରାସ୍ତା ଉପରେ କରୁଣ ଚିତ୍କାର କରି ଜିପ୍ ଚାଲିଛି । କନକନିଆ ଶୀତରେ ଥରିଉଠୁଛି ହରୀଶ୍‍ର ଛାତି ।

 

ମିଃ ଘୋଷ ସଂପୂର୍ଣ୍ଣ ନୀରବ ।

 

କ’ଣ କରୁଥିବ ଏକାକୀ ତନିମା ? ଆଉ ବୃଦ୍ଧଙ୍କର ହଠାତ୍ ଏ ଶିକାର ଝୁଙ୍କ୍ କାହିଁକି ? ମିଃ ଘୋଷ କ’ଣ ଜାଣିପାରିଛନ୍ତି ତାଙ୍କ ଦୁହିଙ୍କର କଥା ? ଗୁଡ଼େଇ ତୁଡ଼େଇ ହେଉଛି ଭାବନା ।

 

ହଠାତ୍ ହରୀଶ୍‍ର ସ୍ପଟ ଲାଇଟରେ ଚିକ୍‍କିନା ନୀଳ ଆଲୁଅ ଦିଶିଗଲା । ମିଃ ଘୋଷ ଜିପ୍ ଅଟକେଇଲେ ।

 

ଗୋଟାଏ ସେକେଣ୍ଡରେ ଜଙ୍ଗଲରୁ ରାସ୍ତାକୁ ଡିଆଁ ମାରିଲା ମହାବଳ । ଥରିଗଲା ହରୀଶ ହାତର ସ୍ପଟ୍ ଲାଇଟ୍ ।

 

ହରୀଶ୍ ସତୃଷ୍ଣନୟନରେ ଅନାଇ ରହିଛି ମିଃ ଘୋଷଙ୍କର ଡବଲ ବାରେଲ ରାଇଫଲ୍ ଆଡ଼େ ।

 

କିନ୍ତୁ ଏ କ’ଣ !

 

ମିଃ ଘୋଷଙ୍କର ରାଇଫେଲରୁ ଗୁଳି ଫୁଟୁନି । ବାଘ ମାଡ଼ି ଆସୁଛି ।

 

ମିଃ ଘୋଷ ସିଧା ଜିପ୍‍ରୁ ଓହ୍ଲାଇପଡ଼ିଲେ ତଳକୁ । ସାମନାରେ ମହାବଳ । ହରୀଶ୍‍ର ଛାତିରେ ଭୂମିକମ୍ପର ସୂଚନା...

 

–କ’ଣ ହେବ ?

 

ଆଖିପିଛୁଳାକେ ବାଘ କୁଦିପଡ଼ିଲା ମିଃ ଘୋଷଙ୍କ ଉପରେ । କିନ୍ତୁ ଦେହର ସମସ୍ତ ଶକ୍ତି ପ୍ରୟୋଗ କରି ଫିଙ୍ଗିଦେଲେ ବାଘକୁ ପ୍ରାୟ ପାଞ୍ଚଗଜ ଦୂରକୁ ।

 

‘ଫୁଟାଅ ଗୁଳି–’

 

ଗର୍ଜିଉଠିଲେ କର୍ଣ୍ଣେଲ ଘୋଷ ।

 

ଅନନ୍ୟୋପାୟ ହରୀଶ୍ ଗୁଳି ଫୁଟାଇଲା । ଲକ୍ଷ୍ୟଭ୍ରଷ୍ଟ ହେଲା ସେ ।

 

ବାରୁଦ ଧୂଆଁରେ ପାଗଳ ପରି ଦୌଡ଼ିଆସିଲା ବାଘ...କିନ୍ତୁ ଠିକ୍ ଅଧାରେ ପହଞ୍ଚିଛି କି ନାଇଁ ମିଃ ଘୋଷଙ୍କ ହାତରୁ ଛୁଟିଗଲା ଉନ୍ନୁକ୍ତ ଛୁରା । ଠିକ୍ ବାଘର ବେକରେ ଗଳିଗଲା । ତଥାପି ଗତିର ବେଗରେ ଘୁଷୁରି ଘୁଷୁରି ଆସିଲାବେଳକୁ ନଖରେ ପୁଳାଏ ମାଂସ ଉଠିଗଲା ହରୀଶର ଜଙ୍ଘରୁ । ହରୀଶ୍ ଫୁଟେଇଲା ଗୁଳି । ବାଘ ଟଳିପଡ଼ିଲା ଶେଷଥର ପାଇଁ ।

 

“କିନ୍ତୁ ଏ କ’ଣ କଲେ ମିଃ ଘୋଷ ?”

 

ରଣଝାଲିରେ ପଚାରିଲା ହରୀଶ୍ । ମିଃ ଘୋଷ ପଛ ସିଟରେ ପଡ଼ିଥାଆନ୍ତି । ମୁହଁରୁ ଫାଳେ ଉଡ଼ିଯାଇଛି । ଅଜସ୍ର ରକ୍ତସ୍ରାବ ହେଉଛି । ଫରେଷ୍ଟ ରେଷ୍ଟ୍ ସେଡ଼୍‍ରେ ତାଙ୍କୁ ଶୁଆଇଦେଇ ପାଣି ମୁନ୍ଦାଏ ପିଆଇଲା ହରୀଶ୍ । ଭଲକରି ସେତକ ବାହାରି ଆସିଲା ।

 

ଯେଉଁ ଫାଳକ ଓଠ ରହିଥିଲା ସେଥିରେ ମଧ୍ୟ ବୀରତ୍ଵର ତୀବ୍ର ବ୍ୟଞ୍ଜନାଦୀପ୍ତ ହସ । କେଉଁ ଗହ୍ଵର ଭିତରୁ ଯେମିତି ବାହାରୁଛି କଥା ।

 

–ତୁମେ ଚାହଁ ତନିମାକୁ ? ତନିମା ମୋତେ ଛାଡ଼ିବ ନାଇଁ; ତେଣୁ ମୋତେ ଛାଡ଼ିବାକୁ ପଡ଼ିବ ।

 

–ତନିମା ଚାହେଁ ଜଣେ ବୀର, ସାହସୀ ଓ ସୁପୁରୁଷ ତା’ର ସ୍ଵାମୀ ରୂପରେ...ମୁଁ ଯଦି ସାଧାରଣ ମଣିଷପରି ବଡ଼ ଜୋର ବର୍ଷ ଦୁଇଟା ବଞ୍ଚି ମରିଥାଆନ୍ତି, ତେବେ ସେ ତୁମକୁ ହୁଏତ ସ୍ନେହ କରିପାରି ନ ଥାଆନ୍ତା ।

 

ଆଜି ତା’ର ବାବା ବାଘ ସଙ୍ଗେ ଲଢ଼ି ମରିଛି ବୀର ପରି... ଆଉ ତା’ର ପ୍ରେମିକ ବାଘକୁ ମାରିଛି; ତା’ର ବାବାର ପ୍ରତିଶୋଧ ନେଇଛି ବୀର ପରି...

 

ବାଘ ମରିଛି ।

 

ବାବା ମରିଛନ୍ତି ।

 

ବଞ୍ଚିରହିଛି ହରୀଶ୍...ବାବାର ପ୍ରେମ ଓ ସ୍ନେହର ଅଧିକାରୀ ହୋଇ...

 

...ଶେଷଥର ପାଇଁ ହସି ଉଠିଥିଲେ ମିଃ ଘୋଷ୍ ପରମ ତୃପ୍ତିରେ...

 

ହରୀଶ୍ ଅନେଇଥିଲା...ଆଉ ଅନେଇ ରହିଥିଲା... ।

Image

 

ନଷ୍ଟ କଳି

 

ସରୁ ପିମ୍ପୁଡ଼ିଗୁଡ଼ାକ ଝାଡ଼ିଦେଇ ବିନୋଦ ପାନିଆଟିକୁ ନିଜର ଗହଳିଆ ବାଳ ଭିତରେ ବୁଲାଇ ଆଣିଲା ଅନ୍ୟମନସ୍କ ଭାବରେ । ପୁଣି ଲେଖିଚାଲିଲା–

 

“ରୁଦ୍ଧ ଜୀବନର ନିଷ୍ଫଳ ହାହାକାର ତୁମେ ବୁଝିପାରିବନି । ଏଇ ଯେ ତୁମକୁ ନେଇ ମୁଁ ମନଗହୀରର ସୂକ୍ଷ୍ମତମ ଭାବନାକୁ ରୂପ ଦେଉଚି, ତା’ର ପଛରେ ଛପି ରହିଚି ଯୁଗ ଯୁଗର ଅଶ୍ରୁଳ ଦରଦୀ ଦୀର୍ଘଶ୍ଵାସ, ଶତ ଅଶ୍ରୁମିଶା ଆକାଂକ୍ଷା ଯାହା ଆଜି ମୋ’ ହାତରେ କଲମ ଧରେଇଛି । ଆଉ ମୁଁ ଲେଖୁଚି କ-ବି-ତା ।”

 

ବିନୋଦ ଅଟକିଗଲା । ହୃଦୟର ସଂଚିତ ଭାବରାଶିର ବିସ୍ଫୋରଣ ତା’ର ମସ୍ତିଷ୍କର ଭାବନାଶକ୍ତି ଓତପ୍ରୋତ କରି ସବୁ ଗୋଳମାଳ କରି ଦେଇଥିଲା । ରାଇଟିଙ୍ଗ୍ ପ୍ୟାଡ଼ର ସବ୍‍ଜା ଚିକ୍କଣ କାଗଜ ଉପରେ ୱାଟରମ୍ୟାନ୍ କାଳିର କଳା ମିଚିମିଚି ଢେଉ-ଢେର ଅକ୍ଷରଗୁଡ଼ିକ ଦିଶୁଥାଏ ଯେପରି ସୁଦୂର ମେଘ ଉପରେ ଉଡ଼ନ୍ତା କେଇଟି ଦଳବଦ୍ଧ ପକ୍ଷୀ–ଫାଙ୍କା ଆକାଶରେ ବିନ୍ଦୁ ବିନ୍ଦୁ ହୋଇ ଉଡ଼ି ଯାଉଛନ୍ତି ଦୂରକୁ ।

 

ବିନୋଦ କବି । ଅନ୍ତର ଭିତରର ବେସୁର ଛନ୍ଦହୀନ ରାଗିଣୀରେ ସେ ରୂପ ଦେଇଚି ‘କବିତା’ କୁ । ସେ ଚିଠି ଲେଖୁଚି କବିତାରେ–ଝରକଲମର ଅବିଶ୍ରାନ୍ତ ଧାରା ପରି, ସମାପ୍ତିର ଆଦର୍ଶ ନ ରଖି ।

 

ହଁ, ସେ କବିତା ଲେଖେ; ପୃଷ୍ଠାଏ ନୁହେଁ, ଦୁଇ ପୃଷ୍ଠା ନୁହଁ, ମନଇଚ୍ଛା ଲେଖେ । ଲଫାଫାର ଗର୍ଭ ଅନ୍ତଃସତ୍ତ୍ଵା ନାରୀର ଗର୍ଭ ପରି ଫୁଲି ଉଠେ–ସେ ଲେଖେ ।

 

ଏମିତି ସେ କେତେ କବିତା ଲେଖେ; ଲଫାଫାରେ ଭରେ । କିନ୍ତୁ କୌଣସିଟିରେ ଡାକଘରର ମୋହର ବସି ତା’ର ରଙ୍ଗିନ ଲଫାଫାକୁ ଅସୁନ୍ଦର କରିଦିଏନି–ତକିଆ ତଳେ ରହି ରହି ତେଲିଆ ହୋଇଯାଏ–ତଥାପି ତାର ଲେଖା ସରେନି । ସେ ଲେଖିଚାଲେ ।

 

ଦୁନିଆରେ ତା’ ଛଡ଼ା କେହି ଆଉ ତାକୁ କବି ବୋଲି ଚିହ୍ନେ ନାଇଁ । ସେ ବି କାହାକୁ କବି ବୋଲି ପରିଚୟ ଦିଏ ନାହିଁ । ତା’ର ଭାବନା ନିଷ୍ଫଳ ମେଘ ପରି ହୃଦୟ-ଆକାଶରେ ମିଳେଇଯାଏ–ତଥାପି ସେ ଲେଖେ ।

 

ଅସରା କବିତାଟିକୁ ପୂରଣ କରିବାକୁ ସେ ଚେଷ୍ଟା କଲା । ମନ ଭିତରର ପୁଞ୍ଜିଭୂତ ଭାବନାରାଶି ଏକାଥରକେ ଆସି ତା’ର ମସ୍ତିଷ୍କକୁ ବିକୃତ କରି ପକେଇଲ । ଫଳରେ ସେ କୌଣସିଟିକୁ ରୂପ ଦେଇପାରିଲା ନାହିଁ ।

 

ଦର୍ପଣଟାକୁ ମୁହଁ ପାଖକୁ ଟେକିନେଇ ବିନୋଦ ଦେଖିଲା, ତା ମୁଖର ପ୍ରତିଚ୍ଛବି । ଲାମ୍ବା ଲାମ୍ବା କେଶରେ କବିତାର ସ୍ପନ୍ଦନ ଗାଲର ଅଧାଯାଏ ପଶି ଆସିଥିବା ସୁଦୀର୍ଘ କଳା ମଚମଚ କଲି ଦୁଇଟାରେ ବନ୍ଧନର ପିପାସା, ଲାମ୍ବା ଲାମ୍ବା ଆଖି ଦିଟାରେ ଅଫୁରନ୍ତି ଫେନିଳତା, ଢିଲା ପଞ୍ଜାବୀ,ରୋଲ୍ଡ଼, ଗୋଲଡ଼୍ ବୋତାମ୍, ନିଛକ୍ କବି । ସଦା ଓଠଟାରେ ଛେପଭିଜା ଜିଭଟି ଥରେ ବୁଲେଇ ଆଣିଲା, ଶେତା ଓଠଟା ମୁହୂର୍ତ୍ତକ ପାଇଁ ଲାଲ ଦିଶିଲା, କି ସୁନ୍ଦର ! !

 

ଚୌକି ଉପରୁ ଉଠିଯାଇ ସେ ଝରକା ବାଟେ ବାହାରକୁ ଅନେଇଲା । ଏପ୍ରିଲ ମାସର ଲମ୍ବା ଅପରାହ୍ନଟି ଆଲୁମିନିଅମ ରଙ୍ଗରେ ଚିତ୍ର ହେଲା ପରି ଦିଶୁଚି । କବିର ପ୍ରାଣରେ ପୁଲକ ଜାଗିଲା, ସେ ଚାହିଁରହିଲା ସ୍ତବ୍ଧକାତର ଦୃଷ୍ଟିରେ ।

 

କବିତାର ନିମନ୍ତ୍ରଣ–

 

ସନ୍ଧ୍ୟା ପୂର୍ବରୁ ଚାହା ଭୋଜିର ଆୟୋଜନ ନିହାତି ରକ୍ଷା କରିବାକୁ ପଡ଼ିବ–ଭଦ୍ରତାର ଖାତିରରେ ନ ହେଲେ ମଧ୍ୟ ଅନ୍ତରର ଅନୁରୋଧରେ–

 

କବିତାର ନିମନ୍ତ୍ରଣ ।

 

ସେଭିଙ୍ଗ୍ ସୋପରେ ବ୍ରସଟା ଘଷି ଫେଣ ବାହାର କରୁ କରୁ ବିନୋଦ ଭବିଲା–କବିତା–ସେ ନିମନ୍ତ୍ରଣ କରିଚି–କାହିଁକି ?

 

କବିର ସ୍ଵପ୍ନିଳ କଳ୍ପନା ଆଗେଇଗଲା ଆହୁରି ଦୂରକୁ । ପତଳା ଦହିରେ ତା’ର ଶାଢ଼ି ଆକାଶ ରଙ୍ଗର, ତୃତୀୟ ଜହ୍ନ ବୁଡ଼ିଯିବା ପରେ ଚଇତାଳି ଆକାଶର ରଙ୍ଗ । ଆଉ ବ୍ଲାଉଜ ରଙ୍ଗ ମେଘାନା । ଟିକକ ଆଗରୁ ଯୁଠି ଜହ୍ନ ଉଇଁଥିଲା, ସେଇ ଜାଗାରେ ଫୁଲିଲା ଫୁଲିଲା ସାଦା ସାଦା ନରମ ମେଘ । କ୍ରମ ଓଷ୍ଠାଧରରେ ଲିଲି ଫୁଲର ରଙ୍ଗିମା । ଇତସ୍ତତଃ ବିକ୍ଷିପ୍ତ ଚୂର୍ଣ୍ଣ କୁନ୍ତଳ–ଅଶ୍ଵତ୍‍ଥ ପତ୍ର ପରି ବାତାନ୍ଦୋଳିତ, ଥରଥର । କଳା ଆଖିରେ ତା’ର ଆବେଶ–କଳା କେଶରେ ରାତ୍ରିର ନିବିଡ଼ତା ।

 

ମୁହଁରେ ଫିଟିକିରିଟା ଘଷିସାରି ବିନୋଦ ମୁହଁଟାକୁ ଟର୍କିସ ତଉଲିଆରେ ପୋଛିନେଲା-। ହାତ ଯୋଡ଼ିକ କପାଳ ଉପରକୁ ଉଠାଇନେଇ କହିଲା, ‘କବିତା ଦେବୀ, ନମସ୍ତେ-!’ ସତେ ଯିମିତି ଥିଏଟର ପେଣ୍ଡାଲକୁ ଯିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରିନେଉଚି ।

 

ବିନୋଦ ଆଖି ଆଗରେ ଭାସିଗଲା ବିସ୍ମୃତିଗର୍ଭରେ ନିକ୍ଷିପ୍ତ କେତେ ଦରଭୁଲା କଟାଷ, କେତେ ଆପଙ୍ଗ-ଇଙ୍ଗିତ । ସାକ୍ଷୀଗୋପାଳର ଛୁରିଅନା ବଣରେ ବଂଶୀସ୍ଵନ ଦୁଇଟି ଆସଙ୍ଗଲିପ୍‍ସୁ ପ୍ରାଣକୁ ନିକଟେଇ ଆଣିଥିଲା । କପୋତର ମିଳନସଙ୍ଗୀତର ପ୍ରତ୍ୟୁତ୍ତର ଦେଇଥିଲେ କପୋତୀ । ଗୋଟିଏ ହୃଦୟ ଆଉ ଗୋଟିଏ ହୃଦୟ ପାଖରେ ନଇଁ ଆସିଥିଲା । ଜଣେ କହିଥିଲା, ‘ବିନୁଭାଇ, ତୁମେ ମୋତେ–’

 

ମୁଣ୍ଡ ଉପରେ ଛୁରିଅନା ଗଛଟାରେ ଏକଲା କୋଇଲିର କୁହୁ କୁହୁ ଅବଶିଷ୍ଟ ଅଂଶତକ ପୂରଣ କରି ଦେଇଥିଲା, ସତେ ଯିମିତି stethoscope ସାହାଯ୍ୟରେ ମାପି ନେଇଥିଲା ଦୁଇଟି ନିଭୃତ ପ୍ରାଣର ସ୍ପନ୍ଦନ ।

 

କାଳବୈଶାଖୀର ଝାଞ୍ଜି ଫଗୁଣର ନେଳିଆ ପତରକୁ କରିଦେଲା ନୀରସ, ଶୁଷ୍କ, ହଳଦିଆ । ବିନୋଦ ସେଇଭଳିଆ ଗୋଟିଏ ହତଭାଗ୍ୟ । ସେ ପଛରେ ପଡ଼ିଗଲା ଯେ ପଡ଼ିଗଲା । କବିତା ଚାଲିଗଲା ଆଗକୁ ।

 

ସେଇ କବିତା ଆଜି ନିମନ୍ତ୍ରଣ କରିଚି । କାହିଁକି ?

 

ପାଶ୍ଚାତ୍ୟ ରୁଚିର ସାଜସଜ୍ଜା । କବିତାର ବୈଠକଖାନାରେ ଏକାଧିକ ଅତିଥି–ସମସ୍ତେ ହସ ହସ ... ସମସ୍ତେ ଜୀବନ୍ତ । ତା’ ଭିତରେ ବିନୋଦର ସତ୍ତା ହଜିଗଲା । କେହି ତା’ ପରି ଅଦ୍ଭୁତ ଜୀବପ୍ରତି ଆଖି ଟେକି ଚାହିଁଲେନି । ସାମାନ୍ୟ ହତାଦରରେ କ୍ଷୁଣ୍ଣ କବି ଦୁଆର ଝରକା କିଳି ସୂର୍ଯ୍ୟାଲୋକର ଦୂରରେ ଯେ ନିତି ରୂପର ଉପାସନା କରେ, ନିରୋଳାରେ ଫାଙ୍କା ଆକାଶକୁ ଅନାଇ ଅକ୍ଷର ମିଳାଇ ଲେଖେ କବିତା, ବାସ୍ତବ କବିତାର ଆରାଧନା ପାଇଁ ଧୂପ, ଦୀପ, ନୈବେଦ୍ୟ ସଜେଇବାରେ ସେ ବଡ଼ ହତୋତ୍ସାହ ହୋଇପଡ଼ିଲା–ଅନଭିଜ୍ଞ ପଦ୍ମଭୁକ୍ କବି ବିଚରା ।

 

କବିତା ଆସିଲା–କିନ୍ତୁ ଏ କ’ଣ ? ଏ’ତ ସେଇ ପାଞ୍ଚବର୍ଷ ତଳର ସଜଫୁଟା ଶିଶିରସ୍ନାତ କବିତା ନୁହେଁ । ସେ କବିତା ମାରିଯାଇଚି–ଆଉ ତା’ରି ପିଣ୍ଡରେ ପ୍ରାଣ ପାଇଚି ଗୋଟିଏ ଦରମଉଳା କୀଟଦଷ୍ଟ, ଅର୍ଦ୍ଧସ୍ଫୁଟ ପୁଷ୍ପ । କିଶଳୟ ରଙ୍ଗର ଶାଢ଼ି ତଳେ ଧଳା ସାୟା ଫୁଟି ଦିଶୁଚି ବାହାରକୁ । ଛାତିପାଖ ଲୁଗା କୁଞ୍ଚା ହୋଇ ବ୍ଲାଉଜର ମଧ୍ୟଭାଗକୁ କେବଳ ଆବୃତ କରି କାନ୍ଧ ଉପରକୁ ଉଠିଯାଇଚି–ଅଧା ଛାତିଖୋଲା ବ୍ଲାଉଜ–ଓଠ ଅପେକ୍ଷାକୃତ ନାଲ–ଗାଲ କୃତ୍ରିମ ଗୋରା ।

 

ବିନୋଦ ଭାବିଲା, ସେ ବାଟ ଭୁଲି ଚାଲିଆସିନି ତ । ଭାବନାଜୀବୀ କବି ଭାବନାରେଇ ମଜ୍ଜିରହିଲା, ଆଉ କ’ଣ କରନ୍ତା ସେ ?

 

‘ବିନୁଭାଇ’–ପରିଚିତ ଥରଥର ସ୍ଵର; କିନ୍ତୁ ଲାଳିତ୍ୟର ସ୍ଥାନ ନେଇଚି ଅତିରିକ୍ତ କର୍କଶତା-

 

ବିନୋଦର ଶେତା ମୁହଁଟାରେ ରକ୍ତ ଖେଳିଗଲା । ଚମକି ପଡ଼ି ଏତେ ଜୋରରେ ଛିଡ଼ା ହୋଇପଡ଼ିଲା ଯେ କପାଳ ଉପରର ବାଳ ନାଚିଯାଇ ମୁଣ୍ଡ ଉପରକୁ ଉଠିଗଲା ।

 

ଥରିଲା ପାପୁଲିଟିଏ ବିନୋଦର ହାତକୁ ଧରି ପକେଇଲା–ଆବିଷ୍ଟ ହୋଇଗଲା ବିନୋଦ । ତା’ରି ନିଜୋରିଆ ଛାତିଟା ଚହଲି ଗଲା ଭାବପ୍ରବଣତାରେ ।

 

କିନ୍ତୁ ବିନୋଦ ଲକ୍ଷ୍ୟ କରିଆସିଚି, କବିତା ପ୍ରତ୍ୟେକ ଅତିଥିକୁ ଏହିପରି ସମ୍ଭାଷଣ କରିଚି । କାହାକୁ ଆଶ୍ଳେଷରେ ଜଡ଼ାଇ ଧରିଚି, କାହାଆଡ଼କୁ ଭ୍ରୂଲତା ନଚାଇ କଟାକ୍ଷ ହାଣିଚି । ତେବେ ନୂତନତ୍ଵ କାଇଁ ? ଅନ୍ତରର ଗୋପନୀୟ କଥୋପକଥନ କାଇଁ ? କବିତା ପକ୍ଷରେ ଆଜି ଏ ପ୍ରକାର ସମ୍ଭାଷଣ ଅତି ମାମୁଲି, ଅତି ସାଧାସିଧା । ବିନୋଦ ଆଉଥରେ କବିତାର ରସାଳ ଓଠଆଡ଼େ ଅନେଇଲା–ତା’ରି ଭିତରେ ହଜିଗଲା ସେ ।

 

‘ବିନୁ ଭାଇ’

 

ତନ୍ଦ୍ରା ଭାଜିଲା । କିମିତି କିମିତି ଲାଗିଲା ବିନୋଦକୁ ।

 

‘ହଁ କବିତା, ମୁଁ ଯାଉଚି–’

 

‘କାଲି ଆସିବ ।’

 

ଜଣାଗଲା ନାଇଁ ଏ କବିତାର ଅନୁରୋଧ, ଜିଜ୍ଞାସା ନା ଆଦେଶ ।

 

ଉତ୍ତରକୁ ଅପେକ୍ଷା ନ କରି ଜଣେ ଯୁବକର ବାହୁ ପାଶରେ ଆବଦ୍ଧ ହୋଇ ସେ ଚାଲିଗଲା ଘର ଭିତରକୁ ।

 

ଦରିଦ୍ର ନିଃସ୍ଵ କବିର ଅନ୍ତର ମାପିବାକୁ ଅବସର ନ ଥିଲା ତା’ର ।

 

–ଜୀବନରେ ବାସ୍ତବତାର ଚାବୁକ ବଡ଼ ତୀବ୍ର, ବଡ଼ ଦୁଃସହ । ରକ୍ତର ଆକର୍ଷଣ, କଞ୍ଚା ମାଉଁସର ମୋହ ବଡ଼ ଅମାନିଆ । ସ୍ମୃତିର ନୀରବ ପୂଜାରୀ ଆଜି ବାସ୍ତବତା ପାହାଚରେ ଧକ୍‍କା ଖାଇଚି, କବିତା ପ୍ରବଞ୍ଚନାମୟ ଦୁନିଆରେ ଗତି କରିବାକୁ ତା’ର ସାହସ କୁଳେଇନି ।

 

ବିନୋଦ ଆଉ ଲେଖିଥାଆନ୍ତା, ନିଜର ପ୍ରାଣୟୀ ଜୀବନର ରୂପରେଖ ଦେଇଥାଆନ୍ତା ଏଇ ଶେଷ କବିତାଟିରେ । କିନ୍ତୁ ତା’ର ଭାବରାଜି ଧର୍ମଘଟ କଲା ପରି ତାକୁ ଧାରା ଛୁଆଁ ଦେଲେ ନାହିଁ । ଅଗତ୍ୟା ଲଣ୍ଠନ ଚପେଇ ରଖି ସେ ଦେଖିଲା ଗୋଟିଏ ମୁହଁ ଅନ୍ୟର ଇଚ୍ଛାରେ ଆରକ୍ତିମ ଦୁଇଟି ଓଠ, ଦୁଇଟି ଚକ୍ଷୁରେ ବିସ୍ମୃତିର ଅନ୍ଧକାର । ସ୍ଵପ୍ନ ସମାନ ମୁଖ, ସ୍ଵର୍ଗ ସମ ବକ୍ଷ, ସ୍ଵର୍ଗର ଛାୟାପଥ ସଦୃଶ ବାହୁ । ନିଆଁ ଲାଗିଲା ତା’ର ରକ୍ତରେ, ତା’ର ଯୌବନରେ । ସେ ଆଖି ଫେରାଇ ପାରିଲାନି, ନିରିଖି କରି ଅନେଇଲା–କଳା ଆଖି ଦୁଇଟି ବୁଜି ହୋଇଆସୁଚି । ଗଳା ଯେଉଁଠି ବକ୍ଷ ସହିତ ମିଶିଛି, ସେଇଠି ଜାଗିଛି ସ୍ପନ୍ଦନ; ବୁକୁ ପାଖରେ ଉଠିଚି ଢେଉ ଗୋଟିଏ କିଶଳୟ ରଙ୍ଗର ଶାଢ଼ିରେ ।

 

ଅଫୁରନ୍ତି ରାତ୍ରିର ସ୍ପର୍ଶହୀନ ରୋମାଞ୍ଚ ।

 

ବୁଜା ଆଖିରେ ଅନ୍ଧକାର ଆଲୁଅ କରି ସେ ଆସି ଛିଡ଼ା ହେଲା । ସେଇ କିଶଳୟ ରଙ୍ଗର ଶାଢ଼ି; କିନ୍ତୁ ପାଞ୍ଚ ବର୍ଷ ତଳର ଭିଜା ଭିଜା ଆଖି, ଥରଥର ଛାତି–ନିସ୍ପନ୍ଦ, ଚିରନ୍ତନ ।

 

ବିନୋଦର ତନ୍ଦ୍ରା ଭାଜିଗଲା । ପକେଟରୁ ଚାବିଟା କାଢ଼ୁକାଢ଼ୁ ହାତରେ ବାଜିଗଲା ଗୋଟିଏ କଅଁଳିଆ ଚିଜ–ବଉଳଫୁଲର ହାରଟିଏ–ନେଇଥିଲେ ନିରୋଳାରେ କବିତାକୁ ଉପହାର ଦେବାକୁ । କିନ୍ତୁ–

 

ହାରଟି ଚାରି ଘଣ୍ଟା କାରାବାସ ପରେ ବି ମଉଳି ଯାଇନି, ଟୋପା ଟୋପା କାକର ଏବେ ବି ଲାଖିରହିଛି ।

 

କବିତା ମରିଛି–କିନ୍ତୁ ଜୀଇରହିଚି କବିର କଳ୍ପନାରେ ।

✽✽✽

 

ସିନେମା ଦେଖୁନି ତ !

 

ଅବସନ୍ନ ରାତ୍ରି, ସଜଳ ବାଦଲ ତଳେ ଲୁଚି ଥରୁଥାଏ । ମ୍ରିୟମାଣ ମ୍ୟୁନିସିପାଲଟି ବତୀର ଆଲୋକରେଖା ବହଳ ଜଳକଣା ଭିତରେ ନାଚି ନାଚି ଝରୁଥାଏ । ଅନେଇଲି; ମନଟା ମୋର ସ୍ଥାଣୁ ପାଲଟିଗଲା । ଆକାଶରେ ମେଘଗୁଡ଼ାକ ସଚଳ ହେଲେ ପରା; ଟିକିଏ ଫାଙ୍କା ହେଲେ ! ତାରାଟାଏ ହସିଲା କି ? ଡିବିରି ଆଲୁଆରେ କାଲିର ଖବରକାଗଜଟାର ବିଜ୍ଞାପନ ସ୍ତମ୍ଭଗୁଡ଼ାକ ଯେପରି ହଠାତ୍ ମୁଖର ହେଲେ, ଆଖିଠାରି କହିଲେ ସେକ୍ରେଟରୀଏଟରେ କିରାନୀ ହେବ ? ଷ୍ଟେନୋଗ୍ରାଫର ନା ଇଞ୍ଜିନିୟର, ଓଭରସିଅର କି କଞ୍ଜରଭେଟର ? କ’ଣ ବା ଉତ୍ତର ଦେବି ? ଏ ପ୍ରଶ୍ନ କେତୋଟିର ଉତ୍ତର ଦେବାର ଯୋଗ୍ୟତା ଯେ ନାହିଁ !

ବିଶ୍ଵବିଦ୍ୟାଳୟରୁ କୃତିତ୍ଵର ସହିତ ଏମ. ଏ. ପାଶ କରିଛି । ତାହା ସହିତ ହାସଲ କରିଛି ଆତ୍ମସମ୍ମାନ, ଗାମ୍ଭୀର୍ଯ୍ୟ, ଦାମ୍ଭିକତା କେତେ କ’ଣ ?

ତଥାପି ବିଜ୍ଞାପନଗୁଡ଼ିକ ସଙ୍ଗେ କଥାବାର୍ତ୍ତା ହେବି ? ଭାବିଲି–କିନ୍ତୁ–

ଏତିକିବେଳେ “କିରେ, ଆଜି କ’ଣ ଶୋଇବା ହେବ ନାଇଁ କି, କୁନା ?”–ବାପା ଗର୍ଜନ କଲେ, ଝରକା ସେପାଖ ଘରୁ । “ଡିବିରି ଜାଳି ପୁଅ ପାଠ ପଢ଼ୁଛନ୍ତି । ଦି ପଇସାର କିରାସିନ ନିତି ଖରଚ ହେଉଛି, ବୁଝୁଛୁଟି ! ପଢ଼ି ପଢ଼ି ଯା ଦିଗଣ୍ଡାଯାକ ଆଠଟା କରିପକେଇଲ ତା ତ ଛାଡ଼ । କହିଲି, ଆମରି ଏଇ ବ୍ରାହ୍ମଣିଆ କର୍ମକର୍ମାଣିତକ କଲେ ପେଟ ନାହିଁ ଖାଇବାକୁ । ବାବୁ ଦୋପଟି ହେବ, ମେଜେଷ୍ଟର ହେବେ, ଛାଡ଼, ଆମ କପାଳ–”

ବାପାଙ୍କ ଜ୍ଵାଳାମୟ ଭାଷଣ ସରି ନ ଥାଏ । ଫୁଙ୍କି ଦେଇ ଡିବିରିଟା ନିଭେଇ ସାରିଥିଲି । କାହିଁ ହଷ୍ଟେଲର ଜ୍ୟୋତ୍ସ୍ନାନିନ୍ଦୀ ବିଜୁଳିବତୀ ଲ୍ୟାମ୍ପ, କାହିଁ ଗୋଟିଏ ଦରିଦ୍ର କୁଡ଼ିଆରେ ଧୂମ୍ର ଡିବିରି । ସେଇ ଡିବିରିଟି ଲାଗି ପୁଣି ନିଇତି ଅଧ୍ୟାୟେ ବକ୍ତୃତା । ଆଉ ତା ପଛେ ପଛେ “କିରେ ଦେହ ଭଲ ଲାଗୁଛି ଟି ?”

ହଁ, ସିମିତି ।

ସିମିତି କ’ଣ ?

ଶହେ ଦୁଇ ଡିଗ୍ରୀ ତାତି ଦିହରେ ଥାଏ–ମୁଣ୍ଡରେ ଥାଏ କେତେ ଡିଗ୍ରୀର ଉତ୍ତାପ କେଜାଣି ।

ନାଇଁ, ଭଲ ଲାଗୁଛି ।

ସ୍ଵସ୍ତିର ଦୀର୍ଘନିଶ୍ଵାସ ପକାଇ ବାପା ଛିଣ୍ଡା ମସିଣା ଖଣ୍ଡକରେ ଗଡ଼ିପଡ଼ିଲେ ।

ନିଦ ଲାଗିଲା ନାଇ; ଇମିତି କେତେ ରାତି ବିତିଛି । ତେବେ ଆଖିପତା ନଇଁଲା ।

ରେଖା ଆସିଲା ।

ନୀଳରଙ୍ଗ ଶାଢ଼ି ତଳେ ଗୋରା ଦିହର ତା’ର ମରୀଚିକା ସୃଷ୍ଟି କରି । ଏଇ ବେଶରେ ମୁଁ ତାକୁ ପହିଲେ ଦେଖିଥିଲି । ମୋ’ର ଚକ୍ଷୁରେ ତା’ର ଅଧରର ହସ ଟିକକ ବନ୍ଦୀ ହୋଇ ଯାଇଥିଲା ତା ପ୍ରଥମ ଇସାରାରେ । ତା’ପରେ ଦୁହେଁ ଦୁହିଁଙ୍କ ନିକଟକୁ ଲାଗି ଆସିଥିଲୁ କେତେ ଥର । ବୋଧହୁଏ ପ୍ରଣୟ-ପାଗଳ ମନ ମୋର ସ୍ଵପ୍ନର କୁହେଳି ତୁଳି ପହଁରି ପହଁରି ଭାସିଗଲା । ପବ୍ଲିକ କମିସନ ମୋତେ ସିଲେକ୍ଟ କଲା । ବଡ଼ କର୍ମଚାରୀ ମୁଁ । ୧୯୫୦ ମଡ଼େଲ ଫୋର୍ଡ଼ ଗାଡ଼ିରେ ଦୁହେଁ ଛୁଟିଲୁ କେଉଁ ସୀମାହୀନ ରାଜ୍ୟକୁ–ମଟର ଛୁଟିଲା ଦୁରନ୍ତ ବେଗରେ । ଆକ୍‍ସିଡ଼େଣ୍ଟ, ସାମନାର ପର୍ବତ ଦେହରେ ଧକ୍‍କା ବାଜିଲା କି ? ଚମକି ପଡ଼ିଲି, ଚିତ୍କାର କଲି । ସ୍ଵପ୍ନ ଭାଙ୍ଗି ଭାଙ୍ଗିଲା ନାହିଁ ସମ୍ଭବତଃ । ରେଖା ଥିଲା ପୁଣି ନ ଥିଲା ଯେ !

ବିଳିବିଳୋଉଚୁ କାଇଁକି କୁନା ?” –ବାପା ପାଟିକରି ଉଠିଲେ ।

ଅନୁଭବ କଲି, ଛାରପୋକ କାମୁଡ଼ାରେ ବ୍ୟସ୍ତ ହୋଇ କର ଲେଉଟେଇଥିଲି ବୋଧହୁଏ–ମୁଣ୍ଡଟା ବାଜିଥିଲା ତକିଆରେ । ନା ତକିଆ ନୁହେଁ, ମସିଣାରେ ।

ଇଆରି ଭିତରେ ଶେଫାଳୀ କେତେବେଳେ ଆସି କାନିପାରି ଭୂଇଁରେ ଶୋଇ ପଡ଼ିଥିଲା ମୋ’ରି ପାଖରେ । ଆଦରରେ ତାକୁ ଟାଣିଆଣି ଆଙ୍ଗୁଳିରେ ଖେଳାଇଲି କେଶଗୁଡ଼ାକ ।

ଶେଫାଳୀ ସହିତ ମୋର ବିବାହ ହୋଇଚି ଖୁବ୍ ଅଳ୍ପଦିନ ତଳେ । ଧନୀ ପିତା ତା’ର ମୋ’ରି ଉପରେ ବିଶ୍ଵାସ ରଖି କନ୍ୟାକୁ ଟେକି ଦେଇଥିଲେ ମୋ ହସ୍ତରେ । କିନ୍ତୁ ଶେଫାଳୀ ଝରା ଶେଫାଳୀ ପରି ଝରିପଡ଼ୁଛି ଏ ଦୀନ ଦରିଦ୍ର ପରିବାରରେ ପ୍ରତି ମୁହୂର୍ତ୍ତରେ ।

ଉପାୟ କ’ଣ ?

ଶେଫାଳୀର ବକ୍ଷ ଉପରେ ମଥା ଥାପି ଶୋଇବାକୁ ଚେଷ୍ଟା କଲି–ପୁଣି ଭାବନାର ସୁଅ ଛୁଟିଲା ଧୀରେ ଧୀରେ ଅଜାଣତରେ–ଶେଫାଳୀ ଛାତିର କୋମଳତା ଭିତରେ କ୍ଳାନ୍ତି ହଜିଗଲା ।

ପୁଣି...ସ୍ଵପ୍ନ–

ଧତରା ଘୋଷରା ଜୀବନ ସେକ୍ରେଟେରୀଏଟରେ ବିତି ଯାଉଛି । ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନ ଜଣାଇ ଜଣେ ବନ୍ଧୁର ଅନିଚ୍ଛାସତ୍ତ୍ୱେ ତାଆରି ପାଖରେ ରହି ଭଙ୍ଗା ବାଇକଟାରେ ଯାଏ; ଦିନ ଦଶଟାରୁ ସନ୍ଧ୍ୟା ଛଅଟା ଯାଏଁ ଗଧ ଖାଟେଣି । ସତୁରୀ ଟଙ୍କା ଦରମା । ପେଜୁଆ ଭାତ, ଗୋଡ଼ିମିଶା ଡାଲି, ସଢ଼ା ଆଳୁ ତରକାରୀ ବାବଦ ଚାଳିଶିଟି ଟଙ୍କା ଧରେଇ ଦେଇସାରିଲା ପରେ ଜଳଖିଆ ପାଇଁ କୋଡ଼ିଏ ତିରିଶି, ତା ଛଡ଼ା ଲୁଗାପଟା, ସାର୍ଟ, ଧୋବା,ଭଣ୍ଡାରୀ... ଧାରା ଚାଲିଛି–ଲାଞ୍ଛନା ସହିବାକୁ ପଡ଼ୁଛି ।

ବାପା କଡ଼ା ଚିଠି ହାଙ୍କୁଛନ୍ତି– ଟଙ୍କା ପଠା । ଶେଫାଳୀ ଚିଠି ଦେଇଛି–ମୋତେ ତୁମ କତିକି ନିଅ, ଯଉବନ କ’ଣ ମୋର ଇମିତି ହତାଦରରେ ଝରି ପଡ଼ିବାକୁ ତୁମେ ଚାହିଁ ? ଭଉଣୀ ଚିଠି ଲେଖିଛି–ତୁ ଚାକିରି କଲୁ, “ତାଙ୍କ” ପାଇଁ ତୁ ଚାକିରି ଖଣ୍ଡିଏ ଯୋଗାଡ଼ କରିଦେଲୁ ନାହିଁ । ମୋ ଦୁଃଖ ଘୁଞ୍ଚିଲା କାହୁଁ ? ଭାଇ ଚିଠି ଲେଖିଛି–ଭାଇନା, ନାନା ଦରମା ଦେଇ ନ ପାରିବାରୁ ମୋର ନାଆଁ କଟିଯାଇଛି । ବୋଉ ଚିଠି ଦେଇଛି–ଧନ ମୋର, ସେଠି ଝଡ଼ି ଯିବୁଣି, କଣ ଖାଉଥିବୁ ? ଯାହା ମିଳୁଛି ଶାଗ ପଖାଳ ଖାଇ ଏଠି ରହିବା, ତୁ ଚାଲିଆ । ସାହୀର ଦାମ ଲେଖିଛି–ଦାମବାବୁ, ମୁଁ ସପ୍ଲିମେଣ୍ଟାରୀରେ ଗଣିତର ଟିକିଏ ଖରାପ କରିଦେଇଚି, ଆଉ ସଂସ୍କୃତରେ ମଧ୍ୟ । ଟିକିଏ ପ୍ରଧାନ ପରୀକ୍ଷକମାନଙ୍କୁ କହିଲେ ଦୟାକରି କୃତଜ୍ଞ ରହନ୍ତି ।

ଟଙ୍କା କାଇଁ ? ସମୟ କାଇଁ ? ଧୈର୍ଯ୍ୟ କାଇଁ ? ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ହେବ ।

ଆଖିରୁ ଲୁହ ଝରି ମଧ୍ୟ ଝରୁ ନାହିଁ । ...ଛୋଟ ପିଲାଙ୍କ ପରି ଭୋ ଭୋ ହୋଇ କାନ୍ଦିଉଠିଲି ମୁଁ ।

ପାହାନ୍ତା ହୋଇ ଯାଇଥାଏ, ନିଦ ଭାଜି ଭାଜି ନ ଥାଏ । ଶେଫାଳୀ ପଣତକାନିରେ ଲୁହ ପୋଛିଲା ।

ଚାକିରି କାଇଁ ? ସେକ୍ରେଟରୀଏଟ କାଇଁ ?

ଛି, କାନ୍ଦୁଛ ତୁମେ ?

ବିରାଟ ପ୍ରଶ୍ନବାଚକ ଆଖିରେ ଅନାଇ ରହିଲି ଶେଫାଳୀର ଶେଫାଳୀବିନିନ୍ଦୀ ରୂପକୁ ।

ମହାତ୍ମା ଗାନ୍ଧୀକି ଜୟ ।

ସମ୍ମିଳିତ ଜନତା । ଗାଇଚାଲିଚି ରାସ୍ତାରେ ।

ଏ କ’ଣ ଶେଫ ?

ଆଜି ଅଗଷ୍ଟ ପନ୍ଦର ପରା । ପ୍ରଭାତଫେରି ଚାଲିଛି । ଶ୍ରାବଣର ସଜଧୁଆ ସକାଳ ।

ଆରେ ଗୁଡ଼ମର୍ଣ୍ଣି ମିଷ୍ଟର ରଥ ! ଏତେବେଳଯାଏଁ ଶୋଇଛୁ ନା ? ଆ,ଆ, ଉଠ ।

ଶେଫାଳୀ ସଜ ଲୁହଧୁଆ ମୁହଁରେ ଘରଭିତରକୁ ଅପସରି ଗଲା ।

ଆଇ ଆମ୍ ସରି !

ଘୁଞ୍ଚି ଯାଉଥିଲା ହରୀଶ୍ ।

ହାତ ଧରି ଭିଡ଼ିଆଣିଲି ପାଖକୁ ।

ମୁଁ ତତେ ଚିହ୍ନିପାରୁନି ରେ । ବେଶ୍ ହେଲଥ ହୋଇ ଯାଇଚି ତ ?

କାଇଁକି ଚିହ୍ନିବ ? ଏମ୍. ଏ .ପାଶ୍ କଲ । କଲେଜ ଟପି ଓଡ଼ିଶା ବାହାରେ ପଇଁତରା ମାରିଦେଇ ଆସିଲ । ଆଉ ଆମେ ତ କଲେଜ ହତା ମାଡ଼ି ପାରିଲୁନି ।

ଛାଡ଼ ଭାଇ, ସେ ଏମ୍ . ଏ. ର ମୂଲ୍ୟ କଣ ? ହଁ, ଏଇକ୍ଷଣି କ’ଣ କରୁଛ ?

ସିଗାରେଟ୍ ଧୂଆଁଟା ମୋ ମୁହଁକୁ ଭଲକରି ଛାଡ଼ିଦେଇ ହରୀଶ୍ କହିଲା–

ଆରେ ତୁମରିମାନଙ୍କର ଦୟାରୁ ବଞ୍ଚିରହିଛି । ଏଇନେ ଡିଭିଜନାଲ୍ ଆଡ଼ିସନାଲ୍ ପବ୍ଲିସିଟି ଅଫିସର୍ ।

ତା’ ମାନେ ?

ଧେତ୍ ଜାଣିନୁ କିଛି ? ଡାଇରେକ୍ଟର ଅଫ୍ ଏଡ଼ୁକେସନ୍ ଝିଅଙ୍କ ସାଥିରେ ମ୍ୟାରେଜ ହୋଇଗଲା ଆର ମାସରେ । ଆଉ ଏ ମାସରେ ତ ଆପଏଣ୍ଟମେଣ୍ଟ୍ ।

ଆରେ କିଏ ? ରେଖା ନା ?

ଏକ୍‍ଜାକ୍‍ଟଲି । କମ୍ କୌଶଳରେ ପାଇଛି ତାକୁ ? ତିନି ତିନିଟା ଟୋକାଙ୍କୁ ଭୂତେଇ ଦେଇଛି...ଛାଡ଼ । ଭାରି ସୁନ୍ଦର, ନାଇଁ ରେ ? ତୋ’ସାଥିରେ ଆଇ. ଏ. ପଢ଼ୁଥିଲା ନା ?

ସୁନାଫ୍ରେମ୍ ବନ୍ଧା ଜିରୋ ପାୱାର ଚଷମାଟା ସିଲ୍‍କ ରୁମାଲରେ ପୋଛୁ ପୋଛୁ ହରୀଶ୍ ଆଖି ମାରିଦେଲା କଣେଇ କରି । ମୁହଁ ମୋ’ର କଳା ପଡ଼ିଗଲା ।

ତନ୍ମୟ ହୋଇ ମୁଁ ଶୁଣୁଥାଏ ।

ସେଦିନର ହରିଆ ଆଜି ହରୀଶ୍ ବାବୁ, ପବ୍ଲିସିଟି ଅଫିସର୍ । କେତେ କାନମୋଡ଼ା ଦେଇଚି କଲେଜିଏଟ୍ ସ୍କୁଲରେ ପଢ଼ିଲାବେଳେ ଅଙ୍କ ଆସେନି ବୋଲି । ପୁଣି ରେଖା ତାକୁ–

ଚାକିରି କ’ଣ ଥିଲା ? ଗୋଟାଏ କ୍ରିଏଟ (ସୃଷ୍ଟି) ହେଲା ମୋ ପାଇଁ...ହେଃ...ହେଃ ...ହେଃ-।

ତାଜୁବ ହେଲି ।

ଆଇ ସି । ଏଣେ କୁଆଡ଼େ ?

ଆରେ ବୋକା, ତୁ ସିନା ଶୋଇଚୁ, ବେଶ୍ ପ୍ରେମାଳାପ ଚାଲିଚି ବର୍ଷାମୁଖର ପ୍ରଭାତରେ-। ଆଜି ଯେ ଅଗଷ୍ଟ ପନ୍ଦର । ପ୍ରଭାତଫେରି ପରିଚାଳନାରେ ମୁଁ ଆସିଚି ଏ ସର୍କଲକୁ ।

ଆଚ୍ଛା, ମ୍ୟାରେଜ୍ ହୋଇଗଲା, ଫିଷ୍ଟ୍ କାଇଁ ?

ଆରେ, ଦିହ ଖରାପ ଅଛି କି ?

ନାଇଁ ଭାଇ, ମନ ଖରାପ ଅଛି । ବେକାର କି ନା ।

ତତେ ଚାକିରି ମିଳୁ ନାହିଁ ? ବାଜେ କଥା ।

ଦୁଷ୍ଟାମିର ହସ ଫୁଟି ଉଠୁଥାଏ ତା’ ଓଠରୁ ।

ବେଶ୍ ଗମ୍ଭୀରହୋଇ କହିଲା–ଗୋଟାଏ କଥା କହିବି କିଛି ଭାବିବୁନି–ମୋର ଗୋଟାଏ ପର୍ସନାଲ ଆସିଷ୍ଟାଣ୍ଟ ଦରକାର...କିଛି କାମ ନାଇଁ । କେତେବେଳେ କିମିତି ଡିକ୍ଟେସନଟାଏ, ଆଉ ମୋ ଫରରେ ଦସ୍ତଖତଟାଏ । ଯୋଗ୍ୟ ଲୋକ ଖୋଜି ପାଉ ନାଇଁ ।

–ରହିବୁ ? ଦୁଇଶ ଟଙ୍କା ଦରମା–ପ୍ରମୋଶନ୍ ଅଛି । କୋଟ୍ ସ୍ଳିଭ ଟେକି ଘଡ଼ିଟାକୁ ଚାହିଁଲା । ମୋ’ର ଡେରି ହେଉଛି...ମୁଁ ଆସୁଛି...କାଲି ଭାବିକରି କହିବୁ ମୋତେ । ମୁଁ ଡାକବଙ୍ଗଳାରେ ଅଛି ।

–ନମସ୍କାର, ଆଉ ତୋ’ ମିସେସଙ୍କୁ ମଧ୍ୟ । ରସଭଙ୍ଗ କଲି ବୋଲି କ୍ଷମା ଦେବୁ । ଆସୁଛି, ନମସ୍କାର ।

ନ-ମ-ସ୍କା-ର ।

ନିର୍ବାକ୍ ମୁହଁରୁ ମୋ’ର ବାହାରିଆସିଲା ମୋ’ରି ଅଲକ୍ଷ୍ୟରେ ।

ବିସ୍ମୟ, ଘୃଣା ଆଉ ସନ୍ଦେହରେ ମୂକ ପାଲଟି ଯାଇଥିଲି ।

ଶେଫାଳୀ କବାଟ ଆଢ଼ୁଆଳରେ ଚାକିରି ମିଳିବା ଆଶାରେ ଉତ୍‍ଫୁଲ୍ଲ ହେଲା । ବାପା ପାଟିକଲେ, ‘‘ଆରେ, ବାବୁଙ୍କୁ ଚା ସିଗାରେଟ୍ ଦେଲୁନି ବୋକାଟା । ଯାଚିଲା ତିଉଣ ଛାଡ଼ିଦବ ଇଏ-।”

ମୋ କାନରେ ବାହାରୁ ଗଗନ ପବନ ମୁଖରିତକରି ଶୁଭୁଥାଏ ସମ୍ମିଳିତ କଣ୍ଠସ୍ଵର, ତା ସାଥିରେ ହରୀଶର ମଧ୍ୟ–

ମହାତ୍ମା ଗାନ୍ଧୀ କି ଜୟ, ସ୍ଵାଧୀନ ଭାରତ କି ଜୟ ।

Image

 

Unknown

ପଦ୍ମଭୁକ୍

 

–ମୃଦୁ......

 

ଗଭୀର ଆବେଗ ଆଉ ମିନତିଭରା କଣ୍ଠରେ ଡାକିଲି ।

 

ଗମ୍ଭୀରି ଘରୁ ଜବାବ୍ ପାଇଲି–

 

–ଯାଃ ସେ ସୁଆଗିଆ କଥାଗୁଡ଼ାକ ଆଉ କାହା ଆଗରେ କହିବ । ଏଡେବଡ଼ ପ୍ରଥମାଷ୍ଟମୀଟାରେ ନଟୁ କାନ୍ଦି କାନ୍ଦି ସ୍କୁଲକୁ ଗଲା–ନୂଆ ଲୁଗା ଖଣ୍ଡେ ନାଇଁ ବୋଲି । ତମ ଦେଇ ତ ମଲା କଙ୍କଡ଼ା ଲେଉଟିବ ନାଇଁ–ସେଦିନୁ ଲଗେଇଚି ଗୋଟାଏ ଯାଇ ଲୁଗା କାର୍ଡ଼ କରିଆଣ ବୋଲି–ଏଗୁରା ମିଣିପଙ୍କ କାମ ନା ମାଇପିଙ୍କର ? ଚିନି ଟିକିଏ ନାଇଁ ବୋଲି ନିନିର ସାଗୁଟିକ ତିଆରି ହୋଇପାରୁନି–ଜରରେ ତା ଦିହ ଖଇ ଫୁଟୁଛି–ଟିକିଏ ଡାକ୍ତର ଡାକିବା ନାଇଁ–ଆଉ ଲେଖାଚାଲିଛି କ’ଣନା ଆଦ୍ୟ ଆଷାଢ଼ର ସ୍ଵାଗତ ଗୀତି–ଋତୁରାଜଙ୍କର ବିଜୟମାଙ୍ଗଲ୍ୟ–ଲାଜ ମାଡ଼ୁନି–କାହା ଝିଅର ନାକଟା ତିଳଫୁଲ ପରି ଗୋଜିଆ–କାହା ବୋହୂର ଗାଲଗୁଡ଼ିକ ସୁନା ଦରପଣ ପରି ଡଉଲ । ସେଥିରେ ପୁଣି ଗୋଲାପ ଉକୁଟେ । କାହା ନାତୁଣୀର ଦାନ୍ତ ଦିଭାଡ଼ି ବାହାଡ଼ା ହୋଇଥାଉ ପଛେ ଡାଳିମ୍ବ ମଞ୍ଜି ପରି ଦିଶେ–ଏଇସବୁ ଦିନ ରାତି ଭାବି ଭାବି ନିଜ ରୂପ କିମିତି ହେଲାଣି ଦିଶୁଛିଟି !

 

ମୃଦୁଳାଠାରୁ ଏଡେବଡ଼ ନିଷ୍ଠୁର କଥା ଶୁଣିବି ବୋଲି ଆଶା କରି ନ ଥିଲି । ଅବଶ୍ୟ ୟା ପୂର୍ବରୁ ସେ ନାନା ପ୍ରକାର ଇଙ୍ଗିତରେ ତା ଅସନ୍ତୋଷର ଚିହ୍ନ ଫୁଟାଇଛି । ମୁଁ ତାହା ଦେଖି ସୁଦ୍ଧା ନ ଦେଖିଲା ପରି ରହୁଥିଲି । କିନ୍ତୁ ହଠାତ୍ ଏପରି ଉତ୍ତର ଶୁଣି ମନଟା ଭାଙ୍ଗିଗଲା । ପୁଣି ଥରେ ଗୋଟାଏ ମସ୍ତ ଦୋଷୀ ପରି କଣ୍ଠ ଥରାଇ ଡାକିଲି–“ମୃଦୁ, ଶୁଣିବନି ?”

 

“ଖବରଦାର୍, ତୁମେ ମତେ ସେପରି ଭାବରେ ଡାକିବନି । ତୁଚ୍ଛାଟାରେ କଟାଘା’ରେ କିଆଁ ଚୂନ ବୋଳୁଛ କହିଲ ? ତୁମର ସେଇ ଯେଉଁ କମ୍ ନମ୍ର କି ଧୂମ ପାଉଁଶ କବିତାକୁ ନେଇ କଥାବାର୍ତ୍ତା କର । ମୋ’ଠାରେ କି ଲୋଡ଼ା ? ତୁମର ସରସ ପଦ୍ୟମୟ ଜୀବନ ସହ ମୋ’ର ନୀରସ ଗଦ୍ୟମୟ ଜୀବନ କାନ୍ଧ ମିଳାଇ ଚାଲି ପାରିବନି–ଯେତିକି ବାଟ ଚାଲିଲା ସେତିକି......”

 

ମୃଦୁଳାର କଣ୍ଠରେ ଆଶୁ ଝଡ଼ ଓ ଧୂମକେତୁର ସୂଚନା ।

 

ଉଃ, କି ଯନ୍ତ୍ରଣାପ୍ରଦ ସେ ଉତ୍ତର ! ମନେହେଲା ସତେ ଯେମିତି କିଏ ଗୋଟାଏ ପିନ୍ କଣ୍ଟା ଧରି ମୋ’ର କଲିଜାଟାକୁ ଫୋଡ଼ି ଲହୁଲୁହାଣ କରି ପକାଉଛି ।

 

ସେଇ ମୃଦୁଳା ଏ । ତେବେ ୟା’ର ଏତେ ପରିବର୍ତ୍ତନ କାହିଁକି ? ଆଜି କିଆଁ ତା’ର ଶାନ୍ତଶିଷ୍ଟ ତନୁରେ ପିଶାଚର ଆବିର୍ଭାବ, କୋକିଳନିନ୍ଦୀ କଣ୍ଠ ତା’ର ଡାମରାକାଉ ସ୍ଵରଠାରୁ କର୍କଶ ! ଭାବି ପାରିଲିନି । ମୁଣ୍ଡଟା ଶଗଡ଼ଚକ ପରି ଘୂରିବାକୁ ଲାଗିଲା । ଗୋଟାଏ କବିତା ଅଧା ରହିଗଲା ଉପାଦାନ ଅଭାବରୁ–ଭାବିଥିଲି ମୃଦୁଳା ଆସି ସେତକ ପୂର୍ଣ୍ଣ କରିଦେବ ବୋଲି ।

 

–ଦୁଇ–

 

ଗାଆଁ ଗୋହିରୀର ଧୂଳିମୁଖା ହାଇସ୍କୁଲ ଛାଡ଼ି କଲେଜରେ ପଢ଼ୁଥାଏ–ଫାଷ୍ଟ ଇୟରରେ–ଯୌବନର ପ୍ରଥମ ପରଶ ଦିହଟାକୁ ରାଜା କରି ରଖିଥାଏ । ମଇଳା ଖଦଡ଼, ଲୁଗାର ସ୍ଥାନ ନେଇଥାଏ ସରୁ ମରସରାଇଜଡ ଧୋତି । ସାନ ସାନ ବାଳଗୁଡ଼ାକ ବ୍ୟାକ୍ ବ୍ରସିଂଦ୍ଵାରା ପଶ୍ଚାତ୍ ଦିଗକୁ ମୁହେଁଇଲେ । ଅବଶ୍ୟ ସେଗୁଡ଼ା ପ୍ରଥମେ ରକ୍ଷଣଶୀଳଙ୍କ ଭଳି ତାଙ୍କର ପୁରୁଣା ସ୍ଥାନ ଛାଡ଼ି ପଛକୁ ମୁହଁ କରିବାକୁ ନାରାଜ ହେଲେ । କିନ୍ତୁ ପରେ ଲାଇମଜୁସର ସ୍ନେହାଲିଙ୍ଗନରେ ପୋଷା ମାନିଗଲେ । ଏହିପରି ଭାବରେ “କଲେଜ ଉପବନେ ପ୍ରଜାପତି ପରି” ବୁଲୁଥାଏ ମନ ଖୁସିରେ–ସାଥିମାନଙ୍କ ମେଳରେ ।

 

କ୍ଲାସରେ ବରାବର ମୁଁ ପ୍ରଥମ ବେଞ୍ଚରେ ବସେ–ଉଦ୍ଦେଶ୍ୟ ଦ୍ଵିବିଧ–ମୁଖ୍ୟତଃ ମୋ’ର ସହପାଠିନୀମାନଙ୍କର ସୁକୋମଳ ମୁଖଦର୍ଶନ, ଗୌଣତଃ ପ୍ରଫେସରମାନଙ୍କର ଲେକ୍‍ଚରସବୁ ଭଲକରି ଶୁଣିବାର ବାହାନା ।

 

ସେଇଠାରେ ମୋ’ର ମୃଦୁ ସହିତ ପ୍ରଥମ ସାକ୍ଷାତ୍ । ତା’ର ହଳଦୀମିଶା ଗୋରା ଦିହରେ ସେ ଯେଉଁଦିନ ଗୋଟିଏ ନୀଳମେଘୀ ଶାଢ଼ି ପିନ୍ଧି କ୍ଲାସରେ ବସିଥିଲା ତା’ର ଚତୁଃପାର୍ଶ୍ଵକୁ ନିଜର ରୂପ ପ୍ରଭାରେ ଝଲସାଇ ଦେଇ, ସେଦିନ ମୋ’ର ଆଖି ଦି’ଟା ବଡ଼ ଅମାନିଆ ହୋଇ ତାରି ମୁହଁ ଆଡ଼କୁ ଟାଣି ହୋଇଗଲା । ଫୁଲର ଜୀବନରେ ତାର କଢ଼ ଅବସ୍ଥା ଓ ପୂରାପୂରି ଫୁଟିଯିବାର ଅବସ୍ଥା–ଏଇ ଦୁଇ ଅବସ୍ଥାର ମଝି ସମୟରେ ଫୁଲର ଯେଉଁ ମତାଣିଆ ସୌନ୍ଦର୍ଯ୍ୟ, ସେହି ସୌନ୍ଦର୍ଯ୍ୟ ମୃଦୁର ମୁହଁ ଫେରାଇ ଆଣିପାରିଲିନି । ପ୍ରଫେସରଙ୍କର ଲେକ୍‍ଚର ଏ କାନରେ ପଶି ସେ କାନରେ ବାହାରିଗଲା–ଖାଲି ତା’ର ସ୍ଵଚ୍ଛ ମସୃଣ ଚିବୁକରେ ମୋର ଅଧରର ପ୍ରତିବିମ୍ବ ଦେଖିବାର ବାସନା ବଳବତୀ ହୋଇଉଠିଲା ।

 

ସେଇଦିନୁ ମୋ ହୃଦୟରେ ପ୍ରଥମ କରି କବିତ୍ଵର ଅଙ୍କୁର ଫୁଟି ଉଠିଲା । ମୃଦୁଳା ହିଁ ତାର ବୀଜ ସ୍ୱରୂପ । ମୃଦୁକୁ କେନ୍ଦ୍ର କରି ଛୋଟ ବଡ଼ ଅନେକ ବ୍ୟାସାର୍ଦ୍ଧ ନେଇ ମୋର କବିତା ବୃତ୍ତ ଟାଣିବାରେ ଲାଗିଗଲି । ମିତ୍ରଙ୍କର Logic ବହିକୁ ଟ୍ରଙ୍କରେ ପୂରାଇ ମାନସିଂହଙ୍କ ‘ଧୂପ’ ଆଘ୍ରାଣରେ ଲାଗିଗଲି । ଅର୍ଥଶାସ୍ତ୍ର ପରିବର୍ତ୍ତେ ପ୍ରେମକାବ୍ୟ ହେଲା ମୋର ପ୍ରାଧାନ ଆଲୋଚ୍ୟ ବିଷୟ । ଦୁନିଆଟାକୁ ଖାଲି ସୁନେଲୀ ରଙ୍ଗରେ ଚିତ୍ରିତ ଦେଖିବାର ଚେଷ୍ଟାରେ ଓମାରଖୟାମ୍ ରୁବାୟତ ଦିନରାତି ଘୋଷିଲି । ସୁର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ମନକୁ ସେତେ ଆକର୍ଷଣ ନ କଲେ ବି ମନକୁ ଆକୃଷ୍ଟ କରିବା ପାଇଁ ଗଭୀର ଚେଷ୍ଟା କରିବାକୁ ପଡ଼ିଲା । ରାତି ରାତି ଉଜାଗର ରହି ହଷ୍ଟେଲ୍ ପକ୍କାରେ ସୁମଧୁର ଜ୍ୟୋତ୍ସ୍ନାପାନ କରିବାରେ ଲାଗିଗଲି । ମୃଦୁର ଗତି ନିରୀକ୍ଷଣ କରି, ତା’ର ପ୍ରତିଦିନର ବେଶଭୂଷା ଚାଲିଚଳନକୁ ଲକ୍ଷ୍ୟ କରି କବିତା ଲେଖିବାରେ ଲାଗିଗଲି । ମୋର ଏପରି ହାବଭାବ ଦେଖି ରମେଶ କହେ–

 

“କିରେ, ତତେ କି ରୋଗ ଧରିଛି କି ?”

 

କିଛି ନ କହି ଟିକିଏ ହସିଦିଏ । ରମେଶ କଅଣ ବୁଝେ କି ନ ବୁଝେ, ତା’ ତାକୁ ଜଣା ।

 

ଯାହାହେଉ ଯେତେବେଳେ ହଷ୍ଟେଲର Annual Competitionରେ ମୁଁ କବିତା ଲେଖାରେ ପ୍ରଥମ ପୁରସ୍କାର ପାଏଁ, ସେତେବେଳେ ମୋର ସବୁ ସାଥିମାନେ ଆଶ୍ଚର୍ଯ୍ୟ । ଅବଶ୍ୟ Competitionକୁ ଗୋଟିଏ କବିତା ଯାଇଥିଲା । ତା ବୋଲି ମୋ’ର ଯେ ବାହାଦୂରି ନ ଥିଲା ଏକଥା ନୁହେଁ ।

 

ସେଇଦିନୁ କଲେଜରେ ବଡ଼ଠାରୁ ଛୋଟଯାଏଁ ସମସ୍ତେ ମତେ ଡାକନ୍ତି ‘କବି’ ବୋଲି । ଆନନ୍ଦରେ ମୋର ଛାତି କୁରୁଳି ଉଠେ–ଗର୍ବରେ ମୋ’ର ଶିର ନଇଁପଡ଼େ....

 

ସେଦିନ ଘଟନାଟି ଆଜିଯାଏଁ ଭୁଲିନି–ଭୁଲିବି ବା କିପରି ? ଜୀବନର ଉଠପଡ୍ ଭିତରେ ସେ ଯେ ଗୋଟିଏ ସ୍ମରଣୀୟ ଦିବସ । ସେଦିନ କେଜାଣି କାହିଁକି ଗୋଟାଏ କ୍ଷଣିକ ଉତ୍ତେଜନାରେ କାଗଜ ପେନସିଲ୍ ଧରି ଲେଖୁ ଲେଖୁ ବହୁତ ଗୁଡ଼ାଏ କ’ଣ ଲେଖି ପକାଇଲି । ଜୀବନର ସମସ୍ତ ଅନୁଭୂତିର colour boxରୁ ରଙ୍ଗ ନେଇ ମୋର କଳ୍ପନା–ତୁଳୀ ସାହାଯ୍ୟରେ ଗୋଟିଏ ସର୍ବାଙ୍ଗସୁନ୍ଦର କବିତା ଲେଖି ଡାକରେ ପଠାଇଦେଲି ମୃଦୁଳା ନାଁରେ ଆଗତ ଭବିଷ୍ୟତ ଅପେକ୍ଷା ନ କରି । ଯେତେବେଳେ ମୋ’ର ହୋସ୍ ଆସି ପହଞ୍ଚେ, ସେତେବେଳେ ମୋ’ର ନିଜର ଭୁଲ୍ ବୁଝିପାରିଲି ।

 

ଅନ୍ତୁ ଆଉ କେହି ମାନୁ ନ ମାନୁ ମୁଁ ଭାଗ୍ୟକୁ ସବୁଠାରୁ ବଡ଼ ବୋଲି ମାନେ । ମୁଁ ଯେତେବେଳେ ମୋ’ର ଏ ପ୍ରକାର ଅର୍ବାଚୀନତାର କୌଣସି ଆଶୁ ଅମଙ୍ଗଳ ପାଞ୍ଚି ବସିଥାଏ, ସେତେବେଳେ ଗୋଟାଏ ଚିଠି ଆସି ପହଞ୍ଚିଲା । ଉପରେ ସ୍ତ୍ରୀସୁଲଭ କ୍ରମ ହସ୍ତାକ୍ଷର । ସେତେବେଳେ ଛାତି ଭିତରେ ଯେଉଁ ସ୍ପନ୍ଦନ ଖେଳିଗଲା, ତାକୁ ଅନୁଭବୀ ଛଡ଼ା ଆଉ ବୁଝିବାର ସାଧ୍ୟ କାହାର ? ଚିଠିଟା ପଢ଼ିବାକୁ ତର ସହିଲାନି । ସେଥିରେ ଥିଲା ଗୋଟିଏ ଛୋଟ ଗୀତ ଓ ତା ତଳେ ମୋର ଚିର ଇପ୍ସିତ ନାଁଟି ମୃଦୁଳା । ଗୀତଟି ଆଜିଯାଏ ମୋ ଛାତିରେ ଅଙ୍କା ରହିଛି । ସେ ଲେଖିଥିଲା–

 

“ସୋରିଷିଆ ଖରା ପରଶେ ପ୍ରିୟ ହେ କମଳ ଉଠିଚି ଜାଗି,

ସିନ୍ଦୁରା ଫାଟିନି–ଭଅଁର ଆସିନି ଓଠ ମଧୁ ନାହିଁ ମାଗି

ଶିଶିରସିକ୍ତ ସବୁଜ ଏ ଧରା ଅଶ୍ରୁଳା;

ପ୍ରଭାତ ନଳିନୀ ଲୋହିତ ଅରୁଣେ ଚାହେଁ ଯଥା ଚାହେଁ ‘ମୃଦୁଳା

 

ଏଇ ଚାରି ଧାଡ଼ିରେ ସେ ସତେ ଯେପରି ଜୀବନର ସବୁ ଲକ୍ଷ୍ୟ ଏକାଠି ଠୁଳ କରି ରଖି ଦେଇଥିଲା । ଯେତେ ପଢ଼ିଲେ ବି ମୋର ଅବସାଦ ଆସିଲାନି ।

 

ତା’ପରେ ପ୍ରଣୟର ଆନୁସଙ୍ଗିକ ମନୋଭାବ–ଚିଠିପତ୍ରର ରୀତିମତ ଆଦାନପ୍ରଦାନ–ବନ୍ଧୁମାନଙ୍କର ଶତ ବିଦ୍ରୂପ ସତ୍ତ୍ୱେ କ୍ଲାସରେ ପ୍ରଥମ ବେଞ୍ଚରେ ବସେ–ମୃଦୁଳାର ଉତ୍ତଳ ସୌନ୍ଦର୍ଯ୍ୟ ଦୂରରୁ ଉପଭୋଗ କରିବାକୁ । କେତେବେଳେ କିମିତି ସେ ମୋଆଡ଼େ ଚାହିଁଦେଲାବେଳେ ଚାରି ଚକ୍ଷୁର ମିଳନ ହୋଇଯାଏ । ମୃଦୁଳାର ମାଂସଳ ଗାଲରେ ଉଷାର ଆବିର୍ଭାବ ହୁଏ–ପୂରିଲା ମୁହଁ ତା’ର ଝାଉଁଳିପଡ଼େ ଲଜ୍ଜାର ତୀର କଷାଘାତରେ ।

 

ତା’ପରେ ମାସ ତିନି ଚାରିଟା କାନ କୁଣ୍ଡାଇଲା ପରିଚାଲିଗଲା । ବାପାଙ୍କର ଗୋଟିଏ ପୁଅ ମୁଁ ଓ ମୃଦୁ ତାଙ୍କ ବାପାଙ୍କର ଗୋଟିଏ ଝିଅ । ଉଭୟେ ଧନୀ ପରିବାର । ଉଭୟଙ୍କ ମଧ୍ୟରେ ବିନା ବାଧାବିଘ୍ନରେ ହୋଇଗଲା ବିବାହ–ଦୁହିଁଙ୍କର ଜୀବନର ଚିର ବୁଭୁକ୍ଷାର ପରିସମାପ୍ତି–ଯାହା ଶୁଣି କେତେକ ଶିକ୍ଷିତ କଲେଜ ଯୁବକ ମତେ ଈର୍ଷା କରିଥିଲେ । ପ୍ରକୃତରେ ଏମିତି ସୁବର୍ଣ୍ଣ ସୁଯୋଗ କେଇ ଜଣଙ୍କ ଭାଗ୍ୟରେ ଜୁଟେ ?

 

ଯାହାହେଉ, ଏଣିକି ମୃଦୁର ଦେହ ଓ ମନ ଉପରେ ମୋ’ର ଏକଚାଟିଆ ପ୍ରଭାବ ।

 

–ତିନି–

 

ମୃଦୁ ଓ ମୁଁ ଗୋଟିଏ ଘର ଭଡ଼ା ନେଇ ଥାଉଁ । ମୃଦୁର ଯୌବନ ଢଳଢଳ ଆଖି ଦିଓଟି ଦେଖି ଜୀବନର ସବୁ ଶୋଷ ଭୋକ ଭୁଲି ଯାଉଥାଏ । କଲମ–ମେସିନରୁ ଗୋଟିଏ ଗୋଟିଏ ହୋଇ କେତେ ଯେ ଅସୁମାରି କବିତା ବାହାରେ ତା’ର ସୀମା ରହେନି । କିନ୍ତୁ ଅଜ୍ଞ ସମ୍ପାଦକଗୁଡ଼ା ମୋ’ ଲେଖାର ମୂଲ୍ୟ ନିର୍ଦ୍ଧାରଣ କରିପାରନ୍ତିନି । ଜଣେ ସମ୍ପାଦକ ଲେଖିଲେ–

 

“...ଆପଣଙ୍କର ଲେଖା ଅତ୍ୟନ୍ତ କଦର୍ଯ୍ୟ ଓ ନଗ୍ନ । ଭାଷା ପ୍ରତି ଆପଣ ବଡ଼ ବେଶୀ ନଜର ଦିଅନ୍ତୁ । ଅଶ୍ଳୀଳତା ଦୋଷ ତ ଲେଖାର ପ୍ରତି ଧାଡ଼ିରେ ପୂରିରହିଛି । ଆପଣ ନିଜର ଅନୁଭୂତିକୁ ଟିକିଏ ଆବରଣ ଦେଇ ଲେଖନ୍ତୁ । ଠାଏଠାଏ ଆପଣ ଏକାଥରେ ଭାଷାର ଏତେ ଅଯଥା କସରତ୍ କରନ୍ତି ଯେ, ତାହା ଶ୍ରୁତିକଟୁ ଓ ଅର୍ଥହୀନ ହୋଇପଡ଼େ । ଆପଣଙ୍କର ଭାବ ଥାଇପାରେ, କିନ୍ତୁ ସ୍ଥାନେ ସ୍ଥାନେ ଆପଣ ଅଶ୍ଳୀଳ କରିପକାଇ ସହଜରେ ପାଠକ ମନରେ ବିକାର ଜନ୍ମାଇଥାନ୍ତି । ଆପଣଙ୍କର ଲେଖା ବୋଧହୁଏ ଦୀର୍ଘଜୀବନ ଲାଭ କରିବନି । ଏପରି ଲେଖିବାଦ୍ଵାରା ଭାଷାର ତ ଯାହା ଅପବ୍ୟବାହାର କରୁଛନ୍ତି, ତା’ ସଙ୍ଗେ ଅନ୍ୟ ପ୍ରଦେଶରୁ ଏତେଗୁଡ଼ିଏ ଶବ୍ଦ ଆମଦାନୀ କରି ଆମ ଭାଷାକୁ ଅଯଥା କ୍ଲିଷ୍ଟ କରୁଛନ୍ତି ସିନା !”

 

ମୁଁ ରାଗରେ ଅଗ୍ନିଶର୍ମା ହୋଇଗଲି । ଉତ୍ତରରେ କେବଳ ଏତିକି ଲେଖିଲି–

 

“ଯଦି ମୋର ଲେଖା କଦର୍ଯ୍ୟ ବୋଲି ବିବେଚିତ ହୁଏ, ତେବେ ଦୋଷ ମୋର ନୁହେଁ–ଦୋଷ ଏଇ କଦର୍ଯ୍ୟ ଓଡ଼ିଶା ପ୍ରଦେଶର–ଯହିଁରେ ଚିହ୍ନରା ଗହକ କେହି ନାହାନ୍ତି ।”

 

ଯାହାହେଉ, କେହି ନ ଛପାଇବାରୁ ମୋ’ ବହି ମୁଁ ନିଜେ ଛପାଇଲି । କିନ୍ତୁ ଲୋକେ ବି ତଦ୍ରୂପ–ସେଇ ରକ୍ଷଣଶୀଳ ମନୋବୃତ୍ତି–ଆମ ଭାଷା କ୍ଲିଷ୍ଟ ହୋଇଯିବ । ତେଣୁ ବହିଯାକ ମୋ’ର ଛପା ହୋଇ ବହିଦୋକାନୀମାନଙ୍କର ଗୋଦାମରେ ଠାକ ମରାହୋଇ ରହିଲା ।

 

ତଥାପି କବି ମୁଁ–ଦୁନିଆର ଲୋକେ ପଢ଼ନ୍ତୁ ନ ପଢ଼ନ୍ତୁ ମୋର ସେଥିରେ ଯାଏ କେତେ ଆସେ କେତେ ? ମୁଁ ଲେଖିବା କଥା, ଲେଖିବି । ଲୋକେ ସିନା ଆଜି ଚିହ୍ନିବେ ନାଇଁ–ଆଉ ପଚାଶ ବର୍ଷ, ଗଲେ ତ ବଳେ ଚିହ୍ନିବେ । ସେକ୍ସପିଅର ପୁଣି ତ ଏକାଦିନକେ ବଡ଼ ହୋଇ ନ ଥିଲେ । ତାଙ୍କୁ କ’ଣ ତାଙ୍କ ସମୟରେ ଏତେ ସମ୍ମାନ ମିଳୁଥିଲା ? ସେଇମିତି ମୋ’ ବହି ଛପା ଥାଉ ପରେ ଲୋକେ ଚିହ୍ନିବେ ।

 

ମୃଦୁ ବରାବର ମୋର କାବ୍ୟମୟ ଜୀବନ ସହିତ ତାଳ ଦେଇ ଆସୁଥାଏ । ମୋ’ର ସମସ୍ତ କବିତାର ପ୍ରେରଣାର ଉତ୍ସ ସେ । କିନ୍ତୁ ୟା ଭିତରେ ସେ କିଆଁ ଟିକିଏ ରୁକ୍ଷ ହୋଇପଡ଼ିଛି । ନଟୁ ଓ ନିନିକୁ ସେ ଯେତେ ପ୍ରାଣ ଭରି ସ୍ନେହ କରୁଛି, ମତେ ସେତେ ଭଲ ପାଇପାରୁ ନାଇଁ । ମୋ ପ୍ରତି ତା’ର ଟିକିଏ ବିତୃଷ୍ଣା ଜାଗିଲା ଭଳିଆ ଲାଗୁଛି । ଆଜି ନିନିର ଟିକିଏ ଜର ହୋଇଛି ନା କଅଣ, ସେଥିପାଇଁ ସେ ଭାରି ବ୍ୟାକୁଳ ଓ ତା’ର କଣ୍ଠସ୍ଵର ଏତେ ରୁକ୍ଷ ।

 

–ଚାରି–

 

“–ବୁଝିଲ ମୃଦୁ, ସଂସାରରେ ପୁଅ ଝିଅ କିଏ କାହାର ଓ କେତେ ଦିନର ? ଏ ସଂସାରରେ ସବୁ ଅନିତ୍ୟ–କେବଳ ମୁଁ ଅଛି ଏହା ହିଁ ନିତ୍ୟ । ଆମେ ଦୁଇ ଜଣ ଯେତେବେଳେ ଅଛୁଁ–ସବୁ ଅଛି । ତମେ ପ୍ରକୃତି–ମୁଁ ପୁରୁଷ । ଆମେ ପ୍ରତ୍ୟେକେ ପ୍ରତ୍ୟେକର ସତ୍ତା ଅନୁଭବ କରୁଛେଁ । ଦୁନିଆ ଭାସିଯାଉ, ସେଥିରେ ଆମର ଯାଏ କେତେ ? ତୁମର ଏଇ ରୂପଶ୍ରୀରେ ମୁଁ ମୋର ସମସ୍ତ ସତ୍ତା ଲୋପ କରିଦେବାକୁ କୁଣ୍ଠାବୋଧ କରିବିନି । ଚିରଦିନ ପାଇଁ ତୁମର ସବଳ ଅଙ୍ଗଲତାକୁ ମୁଁ ମୋର ବଳିଷ୍ଠ ବାହୁରେ ବାନ୍ଧି ରଖିଥିବି । ଆଜି ନିନି ଟାଇଫଏଡ଼ରେ ଚାଲିଗଲା–କାଲି ହୁଏତ ନଟୁ.....

 

କହୁ କହୁ ଗୋଟାଏ ବଡ଼ ହଳଦିଆ ଗେଣ୍ଡୁଫୁଲ ତା’ର କୃଷ୍ଣ କବରୀରେ ଖୋସିଦେଲି । ତାକୁ ମୋ’ର ଛାତିକି ଭିଡ଼ି ଆଣି କେଶରାଶିର ମଦିର ଗନ୍ଧ ଆଘ୍ରାଣ କରୁ କରୁ ତା’ର ଆଖିରୁ ମୋ କୁଞ୍ଚ କାନିରେ ଲୁହ ପୋଛିଦେବାକୁ ଯାଉଛି, ହଠାତ୍ ସେ ମୋତେ ମୋ’ କଥା ଶେଷ କରିବାକୁ ନ ଦେଇ ମୋ ମୁହଁରେ ତା’ର ଲହୁଣୀ ପରି କଅଁଳ ଓ ଶିଥିଳ ହାତଟିକୁ ମାଡ଼ି ଧଇଲା । ତା ସଙ୍ଗେ ସଙ୍ଗେ, ନଈବନ୍ଧ ଭାଙ୍ଗିଗଲେ ଯିମିତି ପାଣି ବହି ଆସେ, ସିମିତି ଢଳଢଳ ଆଖିରୁ ତା’ର ଲୁହ ବହି ମୋ ଛାତି ଓଦା କରିଦେଲା । ଅଶ୍ରୁଳକଣ୍ଠରେ ଓ ଭଗ୍ନସ୍ଵରରେ କହିଲା–

 

“–ତୁମେ ଏଡ଼ିକି ହୃଦୟହୀନ–ଏଡ଼ିକି ନିର୍ମ୍ମମ ! କେଉଁ ଉପାଦାନରେ ତୁମେ ଗଢ଼ା କେଜାଣି ? ଅଣହେଳାରୁ ତ ଗୋଟିଏ ଗଲା, ଆରଟିର ମଧ୍ୟ ଖୁବ୍ ମଙ୍ଗଳ ପାଞ୍ଚୁଛ ! ଧିକ୍ ତୁମ କବିତାକୁ ଶତଧିକ ତୁମ କବିତ୍ଵକୁ–ଲାଜ ମାଡ଼େନି । ବାସ୍ତବିକ ତୁମେ ମଣିଷ ନୁହଁ, ପଶୁ ।”

 

ଏତିକି କହି ସେ ମୋର ବନ୍ଧନମୁକ୍ତ ହୋଇ ଟେବୁଲ ଉପରେ ପଡ଼ିଥିବା ମୋର କବିତା ଖାତାଟିକି ଓ କଲମ ଦୁଆତ ନେଇ ଚାଲିଗଲା ଘର ବାହାରକୁ । ମୁଁ ନିର୍ବାକ୍ ହୋଇ ଚାହିଁ ରହିଲି । ଭାବିଲି ସିନେମା ଦେଖୁନି ତ !

 

କିଛି ସମୟ ପରେ ନାଲି ଓଠରେ ସୌଦାମିନୀ ପରି ଗୋଟିଏ କ୍ଷୀଣ ହାସ ଫୁଟାଇ ପୁଣି ଝଡ଼ ବେଗରେ ଘରକୁ ପଶିଆସିଲା । ମୁହଁରେ ତାର ଅବ୍ୟକ୍ତ ତୃପ୍ତି ଓ ଆନନ୍ଦ । ହାତରେ ଥିବା ପୋଡ଼ା କାଗଜର କିଛି ପାଉଁଶ, ଖଣ୍ଡେ ଭଙ୍ଗା କାଚ ଓ ଗୋଟାଏ ଭଙ୍ଗା ନିବ୍ ଟେବୁଲ ଉପରେ ଥୋଇଦେଇ କହିଲା–

 

–ଏଇ ନିଅ ତୁମର କବିତା ଓ କବିତ୍ଵର ଉପହାର ।

Image

 

ଜିତିଲା କିଏ ?

 

ଚଉଠି ରାତି–

 

ପନ୍ଦର ପାୱାର୍ ଇଲେକଟ୍ରିକ୍ ବଲ୍‍ବରୁ ନେଳିଆ ଆଲୁଅ ଘରସାରା ମୁଲାୟମ ଲହରୀ ଖେଳାଇ ଝରକା ସେପାଖେ ନିଶ୍ଚିହ୍ନ ହୋଇଯାଉଛି । ମୁଣ୍ଡ ଉପରେ ରେଡ଼ିଓ ସେଟ୍‍ଟିଏ, କାନ ପାଖରେ ଗୁଣୁଗୁଣୁ କଥା କହିଲା ପରି ଅସ୍ପଷ୍ଟ ସ୍ଵନରେ କଅଣ ଗାଇଚାଲିଛି ସିଏ...

 

ଆଗରୁ ଅତରରେ ମହକି ଉଠୁଛି କୋଠରୀସାରା ।

 

ବିମଳ ଖଟବାଡ଼ାରେ ମୁଣ୍ଡ ରଖି ଅଧାଶୁଆ ଠାଣିରେ ଦୃଷ୍ଟି ନିକ୍ଷେପ କରିଛି ପୁରୁଣା ମାସିକ ପତ୍ରିକା ଉପରେ । ନୀରବ ରାତ୍ରି...ଘର ବାହାରେ ଅସାମାନ୍ୟ ଆମୋଦର ଢେଉ ।

 

ପ୍ରତିମା ଆସିବ...

 

ମୁହୂର୍ତ୍ତକ ପରେ ନିକଟରେ ତା’ର ଆସି ଧରାଦେବ ପ୍ରତିମା–ଆତ୍ମସମର୍ପଣ କରିବ । ହସିହସି ମଧ୍ୟଯୁଗୀୟ ଠାଣିରେ କହିବ, ‘ପ୍ରିୟ ମୋ’ର...’

 

ପ୍ରତିମା ଆସିବ...

 

ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଏଥିରେ–ତଥାପି ଆଶ୍ଚର୍ଯ୍ୟ ଲାଗୁଛି । ଉଦବେଗର କାରଣ କିଛି ନାହିଁ; ତଥାପି ମନ ଭିତର ଉଦ୍‍ବିଗ୍ନ ହୋଇଉଠୁଛି । ଝଲସି ଉଠୁଛି ଆଖି ଆଗରେ ସାତ ବର୍ଷର ରହସ୍ୟମୟ ଅତୀତ; ଝଲସି ଉଠୁଛି ଆଖି ଆଗରେ ସାତ ବର୍ଷର ରହସ୍ୟମୟ ଅତୀତ; ଝଲସି ଉଠୁଛି ପ୍ରତି ଲୋମମୂଳ, ବୁକୁତନ୍ତ୍ରୀଥରା ସେଇ ଅତୀତ...

 

...ସେଇ ଅତୀତ । ମରି ନାହିଁ; ନିର୍ଜୀବ ହୋଇ ପଡ଼ିଥିଲା, ପୁଣି ଆଜି କାହିଁକି ଗର୍ଜିଉଠୁଛି ବିସୁଭିୟସ୍ ପରି ତରଳ ଲାଭା ଛିଞ୍ଚି ଛିଞ୍ଚି–

 

ମନେପଡ଼େ...

 

ଏଇ ପ୍ରତିମା... କୈଶୋର ଆଉ ଯଉବନର ସରହଦରେ ବସି ଆଖିପତା ତଳୁ ସୁନେଲୀ ରଶ୍ମି ବିଞ୍ଚୁଥିଲା...କୁହୁକ ସୃଷ୍ଟି କରୁଥିଲା ଲକ୍ଷ ତରୁଣଙ୍କର ଅନ୍ତରତଳେ । ଗାଆଁ ଗୋହିରୀର ଧୂଳି ଧୂସରା କେତେ ହାଇସ୍କୁଲ୍ ପିଲା କଲେଜ ବାତାବରଣର ମଳୟ ପରଶରେ ବଉଳି ଉଠିଲେ; ମଉଳିଲା କପୋଳରେ ସ୍ନୋ ଘସିଲେ, ଶସ୍ତା ଲକ୍ସ ସାବୁନରେ ଦେହ ଧଉଳେଇଲେ; କଲେଜ ଛକ ସେଲୁନରେ ନିଶ ସାଉଁଳେଇଲେ, ଧୋତି ଛାଡ଼ି ସୁଟର ଆଶ୍ରୟ ନେଲେ, ଭୁଲ ହେଲେ ବି ଇଂରାଜୀ କହିଲେ...

 

...କେବଳ ଏଇ ପ୍ରତିମା ପାଇଁ ।

 

କେତେ ନୀରସ ପ୍ରାଣରେ କବିତା ସ୍ଫୁରିଲା...ରାଜା ନିଶିଥିନୀରେ ଅନ୍ତର ଝୁରିଲା; ପୂର୍ଣ୍ଣିମାର ଚନ୍ଦ୍ରାଲୋକରେ କିଏ ଲୋଡ଼ିଲା ପ୍ରତିମାର ସାଥୀ, ନିରାଶ ହୋଇ ଗଳ୍ପ ଲେଖୁ ଲେଖୁ ଆଜି ବିଖ୍ୟାତ ଗାଳ୍ପିକ ସେ । ଦୁର୍ବଳମନା କେତେ ପାଗଳ ହେଲେ, ସବଳମନା କେତେ ବକ୍ତା ସାଜିଲେ, ମଝିମଝିଆ କେତେ କଲେଜ ସୋସାଇଟିମାନଙ୍କର ସେକ୍ରେଟାରୀ ବନିଲେ ।

 

...କେବଳ ଏଇ ପ୍ରତିମା ପାଇଁ ।

 

ପ୍ରତିମା ଭାବୁଥିଲା, ସତେ କ’ଣ ସେ ଏତେ ସୁନ୍ଦରୀ ! ଯେତିକି ସେ ନିଜ ସୌନ୍ଦର୍ଯ୍ୟ ଓ ଖ୍ୟାତି ଶୁଣୁଥିଲା ସେତିକି ମୁହଁ ଉପରେ କ୍ରୀଡ଼ା କରୁଥିଲା ଗାମ୍ଭୀର୍ଯ୍ୟର ଛାୟା; ବେଖାତିରର ଭ୍ରୂକୁଞ୍ଚିତ; ଅସହଣିକ ଆଖିର ଇସାରା...

 

ଉପର କହୁଥିଲା, ‘କି ନାଷ୍ଟି ଏ ଲୋକଗୁଡ଼ାକ...’

 

ଭିତର କହୁଥିଲା, ଆସ, ଆହୁରି ଆସ; ବନସିକଣ୍ଟାରେ ଖେଳାଇ ଖେଳାଇ ତୁମମାନଙ୍କୁ ନୟାନ୍ତ କରିବି ମୁଁ ।

 

ବିମଳ ସେତେବେଳେ ନୂଆ ଅଧ୍ୟାପକ, ପ୍ରଶସ୍ତ ଛାତିତଳେ ତାର ଉନ୍ମାଦନାର ଉଷ୍ଣପ୍ରସ୍ରବଣ... ତଥାପି ସଂଯତ ସେ । ବଯସର ତୁଳନାରେ ତା’ର ଗାମ୍ଭୀର୍ଯ୍ୟ ଅଧ୍ୟାପକ ମହଲରେ ତା’ ପାଇଁ ସମ୍ମାନ ଆଣି ଦେଇଥାଏ । ନିଜର କର୍ତ୍ତବ୍ୟ ସାରି ଫେରିଆସେ । ଝିଅମାନଙ୍କ ସହିତ ପଦେ କଥା କହିବାର ସୁଯୋଗକୁ ଟାକି ବସି ନ ଥାଏ ସେ...

 

ପ୍ରତିମା ଲକ୍ଷ୍ୟକରେ ବିମଳକୁ...

 

ଏ କଅଣ ଅଜେୟ, ଅଭେଦ୍ୟ ଚିତୋର ? ପ୍ରତିମାର ଉତ୍ତାଳ ରୁପତରଙ୍ଗ ତାର ଚରଣତଳେ ମଥାଛୁଇଁ ଫେରିଆସୁଛି । ପ୍ରତିମାର କରାୟତ୍ତ ହେବା କଅଣ ସମ୍ଭବ ନୁହେଁ ସେ ? କେଉଟ ଯେତିକି ମାଛ ମାରେ, ଆହୁରି ମାଛ ମାରିବାର ଇଚ୍ଛା ତା’ମନ ଭିତରେ ବଳବତୀ ହୋଇଉଠେ । ନିଇତି ତ କେରାଣ୍ଡି ଦଣ୍ଡିକରି ମରା ଚାଲିଛି; ରୋହିଟାଏ ଉଠନ୍ତା ଯଦି... । ରୋହି ପାଣିତଳେ ବୁଡ଼ି ଚାଲିଥାଏ...ଭାରି ଚାଲାକ ସେ ।

 

ତଥାପି ସେ ଖୋଜେ...ଆହୁରି ମନଦେଇ ଖୋଜେ...

 

ପ୍ରତିମା ମନଦେଇ ସୁଯୋଗ ଖୋଜୁଥିଲା...

 

ବିମଳବାବୁ କଲେଜ ପତ୍ରିକାର ସମ୍ପାଦକ । ଏଇ ତ ଅପୂର୍ବ ସୁଯୋଗ । କଲେଜ ସରି ଆସୁଥାଏ । ନିରୋଳା ବିଶ୍ରାମକକ୍ଷରେ ବିମଳ ଅପେକ୍ଷା କରି ବସିଥାଏ କେହି କାଳେ ଲେଖା ଆଣି ପହଞ୍ଚିବ ।

 

ଆଜି ମନ ଭିତରେ ବିଜୁଳି ଚମକିଲା ପରି ଗୋଟି ଗୋଟି ହୋଇ ସବୁ ଖେଳିଯାଉଛି ।

 

ସିଗାରେଟଟା ହାତରୁ ଖସିଆସି ଟ୍ରେ ଭିତରେ ପଡ଼ିଲାଣି । ରେଡ଼ିଓରୁ ଭାସିଆସୁଛି ଚିତ୍ରତାରକା ସୁରେୟାର ମାଦକତାଭରା ଗୁଞ୍ଜନ......

 

...ପ୍ରତିମା ଆସି ନାହିଁ, ଆସିବ ।

 

ପ୍ରତିମା ଆସିଲା...ଭ୍ରୂଲତାକୁ ନଚାଇ ଛାତିତଳେ ବଙ୍ଗୋପସାଗରର ଜୁଆର ସୃଷ୍ଟିକରି ପ୍ରତିମା ଆସିଲା ।

 

ସାରା, ଲେଖାଟି ଆଣିଥିଲି ।

 

ଦେଇଯାଅ ।

 

ଅନ୍ୟମନସ୍କ ଭାବ ଦେଖାଇ କହିଲା ବିମଳ ।

 

ଦୁହେଁ ଦୁହିଁଙ୍କର ଏତେ ନିକଟରେ...ଦୁହିଁଙ୍କର ସାନ୍ନିଧ୍ୟ ଦୁହିଁଙ୍କୁ ମୁଗ୍ଧ କରୁଥାଏ ।

 

ବ୍ଲାଉଜ ତଳୁ କବିତାକୁ କାଢ଼ି ବିମଳ ହାତକୁ ବଢ଼ାଇ ଦେଲା ପ୍ରତିମା । କି ଉଷୁମ...ଲାଗୁଛି କାଗଜଟା...ଛାତି ତଳର ତାତି...ବିହ୍ୱଳ ହୋଇଉଠିଲା ବିମଳ । ପ୍ରତିମାର ଓଠ ଉପରେ ସ୍ନିଗ୍‍ଧ ହାସ୍ୟର ଢେଉ । ହାତ ଥରିଉଠିଲା ବିମଳର । କାଗଜଟା ଖସିପଡ଼ିଲା ତଳେ ।

 

ପ୍ରତିମା ଦେଖିଲା ଶରସନ୍ଧାନ ଠିକ୍ ହୋଇଛି ତା’ର ।

 

ଚେୟାର ଉପରେ ଝୁଙ୍କିପଡ଼ି କାଗଜଟାକୁ ଉଠାଇ ଆଣିଲା ପ୍ରତିମା... ଠିକ୍ ସେତିକିବେଳେ ବିମଳ ମଧ୍ୟ କାଗଜଟାକୁ ଉଠାଇ ଆଣିବାକୁ ଚେଷ୍ଟା କରୁଥିଲା । ଦୁହିଁଙ୍କର ମୁହଁ ସମାନ ହୋଇଗଲା । ପ୍ରତିମାର କପାଳରେ ବାଜିଲା ବିମଳର ଉଷ୍ଣ ନିଶ୍ଵାସ...ଆଉ ପ୍ରତିମାର ନିଶ୍ଵାସ ବିମଳର ମୁହଁରେ... । ବିମଳର ପ୍ରତି ଅବୟବ ଥରିଉଠିଲା...ବେକମୂଳେ ଜମିଗଲା ଅନନୁଭୂତ ଶିହରଣର ଢେଉ । ଜାଣିଶୁଣି ଆଳସ୍ୟର ଇଙ୍ଗିତ ଦେଖାଇ ଢଳିପଡ଼ିଲା ପ୍ରତିମା......

 

କକ୍ଷ ବାହାରେ ଶେଷ ପିରିଅଡ଼ ସୂଚାଇ ଦପ୍ତରୀ ଘଣ୍ଟା ବଜାଇଦେଲା ।

 

ଚମକି ପଡ଼ିଲା ବିମଳ । ଇସ୍ କିଏ କାଳେ ଦେଖିଥିବ । ଅସ୍ଵସ୍ତିକର ଲାଗିଲା ତାକୁ ।

 

ମୁଲାଏମ ଓଠ ତଳେ ବିଜୟିନୀର ଦିପ୍ତିମୟୀ ହସ ଫୁଟାଇ ଆଜି ସନ୍ତର୍ପଣରେ ଫେରିଗଲା ପ୍ରତିମା...ବିମଳର ଗନ୍ଧ ବିଧୂର ଅନ୍ତରତଳେ ଝଡ଼ ସୃଷ୍ଟି କରି ସେ ଫେରିଗଲା । ବିମଳ ଭାବୁଥିଲା...ଆଉ ଭାବୁଥିଲା... ।

 

ଅନ୍ତର ତାର ଘୃଣାରେ ଥରିଉଠିଲା...କି ସାହସ ପ୍ରତିମାର ! ଛାତ୍ରମାନଙ୍କୁ କି ଆଦର୍ଶ ଦେଖାଇବ ବିମଳ ! ସତେ କ’ଣ ସେ ଏତେ ଦୁର୍ବଳ ! ନା, ସେ ଆହୁରି ସବଳ ହେବ...ଆହୁରି...ଆହୁରି ।

 

ଘୃଣାରେ ପ୍ରତିମା ଦେଇଯାଇଥିବା କବିତା ଆଡ଼କୁ ଅନେଇଲା । ସେ କବିତା ତ ନୁହେଁ, ପଦ ମିଳାଇ ପ୍ରେମର ନିମନ୍ତ୍ରଣ ପାଇଁ କେଇ ପଦ ଇଆଡ଼ୁ ସିଆଡ଼ୁ । ଟୁକୁରା ଟୁକୁରା କରି କାଗଜ ଖଣ୍ଡିକ ଚିରି ପକେଇଲା ବିମଳ । ତା’ ପରେ ବିମଳ ଜାଣିଶୁଣି ପାଷାଣ ହୋଇଯାଇଛି ପ୍ରତିମାର ଶତ ଇଙ୍ଗିତ ବିନା ଦ୍ଵିଧାରେ ଏଡ଼ାଇ ଦେଇଛି । ପ୍ରତିମା ଯେତିକି ପାଖକୁ ଆସିବାକୁ ଚେଷ୍ଟା କରିଛି, ବିମଳ ସେତିକି ଦୂରେଇ ଯାଇଛି ।

 

ହତୋତ୍ସାହ ହୋଇପଡ଼ିଲା ପ୍ରତିମା । ନ ହେଲା ବା ବିମଳ, ଆଉ କଅଣ କେହି ନାହାନ୍ତି-। ଅଙ୍ଗୁଳି ଦେଖେଇଲେ ବାହା ଗିଳିବାକୁ ତିଆର ସମସ୍ତେ । କିନ୍ତୁ କାହିଁକି...କାହିଁକି ବିମଳ ତ ଅଜେୟ ରହିଯିବ ? ପ୍ରତିମା ଭିତରେ ନାରୀତ୍ଵ ତାର ଆସନ ଦାବି କରି ବସେ । ଯେଉଁ ପାହାଡ଼ ଯେତିକି ବାଧା ଦିଏ, ତାହାରି ପଦତଳେ ତରଙ୍ଗିଣୀ ମୁଣ୍ଡ ପିଟି ସେତିକି ଜୋରରେ ଲେଉଟେ ପୁଣି ଥରେ ଫେରିଆସିବା ପାଇଁ ।

 

ପରିଶ୍ରାନ୍ତି ଭିତରେ ପ୍ରତିମାର ମୁଖରେ ଖେଳିଗଲାଣି ପାଣ୍ଡୁରତାର ନିବିଡ଼ ଛାୟା । ଯେତିକି ବିମଳ ତାକୁ ଖାତିରି ନ କଲା, ସେତିକି ସେ ପୂଜ୍ୟ ହେଲା ପ୍ରତିମା ପାଖରେ ।

 

ପ୍ରତିମାର ସାନ ଭଉଣୀ ଶୁଭ୍ରା ତାଆରି ଅନୁମତି ନେଇ ବିବାହ କରିଗଲା । କିନ୍ତୁ ପ୍ରତିମା ନିଜକୁ ପରୀକ୍ଷା କରି ଦେଖିଲା, ବିମଳକୁ ବିବାହ କରି ନ ପାରିଲେ ଜୀବନ ସାରା ତାର ଦୁଃଖମୟ ହୋଇଯିବ । ନା, ସେ ବିବାହ କରିବନି ।

 

ବର୍ଷକ ପରେ ଶୁଭ୍ରାର କୋଳରେ ଛୋଟ ଶିଶୁଟିଏ ଯେତେବେଳେ ଶୋଭା ପାଇଲା, ପ୍ରତିମାର ମନ ଭିତରେ ନିଆଁ ଲାଗିଗଲା ସତେ । ବକ୍ଷତଳର ମାତୃତ୍ଵ ବିଦ୍ରୋହ କରିଉଠିଲା । ବିମଳର ସାନ ଭଉଣୀ ପ୍ରତିମାର ସଙ୍ଗିନୀ । ତାଆରି ପାଖକୁ ଲେଖିଲା ସେ ଚିଠି ବିମଳ ମାରଫତରେ ।

 

“ନାରୀ ଜୀବନର ପରିସମାପ୍ତି ମାତୃତ୍ଵରେ । ସେଇ ତା’ର ଚରମ ଲକ୍ଷ୍ୟ । ସବୁ ଭଲ ପାଇବାର ମୂଳରେ ସେଇଟିକ ଛପି ରହିଛି । ହୁଏତ ତୁ ତାହା ବୁଝିପାରିନୁ । ମୁଁ ଏବେ ଅନୁଭବ କରୁଛି...”

 

ବିମଳ ଚିଠି ପାଇ ହସିଲା ଟିକିଏ । ଚିଠିଟି ସାନ ଭଉଣୀକୁ ବଢ଼ାଇ ଦେଲା ।

 

କରୁଣତାରେ ଭରିଉଠିଲା ତା’ର ଅନ୍ତର । ନାଇଁ ସେ ଆହୁରି ଟାଣ ହେବ । ଶିକ୍ଷକ ସେ-। ପୁରୁଷ ସେ ।

 

କିଏ ଜଣେ ଦୁଆର ସେପାଖେ ଉଁକି ମାରିଦେଇ ଫେରି ଯାଉଥିଲେ । ବିକ୍ଷିପ୍ତ ହୋଇଉଠିଲା ବିମଳର ଭାବନା–ନୂଆ ବୋଉ !

 

‘କି, କାହାର ପ୍ରତୀକ୍ଷାରେ । –ପଚାରିଲେ ନୂଆବୋଉ ?

 

ତମରି ।

 

ମୋ’ର ! ନାଇଁ ଗୋ ନାଇଁ । ମୁଁ ତ ତାଲିକାରୁ କଟିଲିଣି ଏବେ ସେଇ ଆସିବେ ଯାହା ଉପରେ ତୁମେ ଆଜିଯାଏ ବିଜୟର ବାନା ଉଡ଼ାଉଥିଲ । ତୁମର ଆଜି ପରାଜୟ ଯେ ବିମଳ !

 

ମୋ’ର ପରାଜୟ ।

 

ଏପର୍ଯ୍ୟନ୍ତ ସମସ୍ତ ଓତପ୍ରୋତ ଭାବନାର ରୂପ ଦେଲେ ନୂଆବୋଉ–ସତେ ଯିମିତି–।

 

–ସେଇ ପରାଜୟରେ କିନ୍ତୁ ମାଧୁରୀ ଅଛି, ନୂଆ’ଉ !

 

କଥାପଦକ କିନ୍ତୁ ଛାତିତଳୁ ବାହାରିଲା ନାଇଁ ।

 

ନୂଆବୋଉ ଦଣ୍ଡେ ଅନେଇଲେ । ମୃଦୁହସି ଫେରି ଯାଉଯାଉ କହିଲେ, “ହଉ ମୁଁ ପଠାଇ ଦେଉଛି, ପରାଜୟ ମାନିବାକୁ ଯେତେବେଳେ ତିଆର, ମୁଁ ପଠାଇ ଦେଉଛି ।

 

କାହିଁକି ପ୍ରତିମାକୁ ବିବାହ କରିବାକୁ ସମ୍ମତି ଦେଲା ବିମଳ ? କାହିଁକି ? ଉତ୍ତର ଦେଲା ନାଇଁ କେହି ତାଆର ବୁକୁତଳୁ ।

 

ଦୁଇ ବରଷ ଓଡ଼ିଶା ବାହାରେ ପଢ଼ି ଆସି ପ୍ରତିମା ଯେତେବେଳେ କଲେଜରେ ତାହାର ସହକର୍ମିଣୀ ହେଲା, ବିମଳ ଦେଖିଲା ପ୍ରତିମା କିମିତି ଭିନେ ଦିଶୁଛି । ପାଣ୍ଡିତ୍ୟ ମୁହଁରେ ତା’ର ଗାମ୍ଭୀର୍ଯ୍ୟ ସୃଷ୍ଟି କରିଛି । ପୂର୍ବର ଚପଳ ପ୍ରକୃତି ଆଉ ନାହିଁ । ମୁହଁ ଉପରେ ସବୁବେଳେ ବିଷାଦର ଢେଉ... ।

 

ଦୁଇ ବର୍ଷ ପରେ.........

 

ପୁଣି ସେଇ ବିଶ୍ରାମକକ୍ଷ, ସେଇ ଆସବାବ ପତ୍ର...କେବଳ ମଇଳା ପରଦାର ସ୍ଥାନ ନୂଆ ପରଦା ପୂରଣ କରିଛି । ଗତାନୁଗତିକ...ଛନ୍ଦମୟ ।

 

ପ୍ରତିମା କ୍ଳାସ ସାରି ଫେରି ଯାଉଥିଲା । କାହା ସହିତ ସେ ଆଜିକାଲି କଥା କହେ ନାହିଁ-। ପ୍ରଶାନ୍ତ ମହାସାଗର ପରି ଗମ୍ଭୀର ତା’ର ମୁହଁ ।

 

ଶୁଣିବେ କି ମିସ୍ ମହାନ୍ତି ? –ଆଶଙ୍କା ସଞ୍ଜାତକଣ୍ଠରେ ଡାକିଲା ବିମଳ ।

 

କୁହନ୍ତୁ, ସାର– ! ଫେରିପଡ଼ି କହିଲା ପ୍ରତିମା । ଅଭିମାନରେ ଆଖିପତା ତା’ର ଆନତ ହୋଇଆସିଛି, ସତେ ଯିମିତି ଏଇ ପଦକ ଶୁଣିବା ପାଇଁ ସେ ଯୁଗ ଯୁଗ ଧରି ଅପେକ୍ଷା କରିଆସିଛି-

 

ଆପଣ ଆଜିକାଲି କାହିଁକି ଏତେ ବିଷଣ୍ଣ ଦିଶୁଛନ୍ତି ?

 

ମୁଁ ତ ଜାଣିପାରୁନି ।

 

ଆପଣଙ୍କର ମୁହଁ କହୁଛି ।

 

ଆଉ ଆପଣଙ୍କର ?

 

ସାମନା ଦରପଣରେ ପ୍ରତିବିମ୍ବିତ ଆପଣାର ଚେହେରାକୁ ଚାହିଁଲା ସେ, ସତେ ଯିମିତି ନୂଆ କରି ଚାହୁଁଛି ସେ ନିଜକୁ । ମୁହଁ ଉପରେ କେତେଗୁଡ଼ିଏ ରେଖା ଗଣି ହୋଇଯାଉଛି । ସାତ ବର୍ଷ ତଳର ଏଇ ଅପରାହ୍ନର ପ୍ରଫୁଲ୍ଲତା ମୁହଁରୁ ତା’ର ଚୋରି କରି ନେଇଛି କିଏ ।

 

–ପ୍ରତିମା !

 

ଅତି ସନ୍ତର୍ପଣରେ ନିଜର ହାତମୁଠାରେ ପ୍ରତିମାର ହାତ ଜଡ଼ାଇ ଧରିଲା ବିମଳ ।

 

ପ୍ରତିମା !

କଣ୍ଠ ଗୁରୁ ହୋଇଆସିଲା ତା’ର ।

ପ୍ରତିମାର ଆଖିକୋଣରୁ ଅଶ୍ରୁ ସୀମା ଲଙ୍ଘନ କରି ବହିଗଲା, ସତେ ଯିମିତି ଗଙ୍ଗୋତ୍ରୀର ବରଫଖଣ୍ଡ ସୂର୍ଯ୍ୟତାପରେ ତରଳିବାକୁ ଆରମ୍ଭ କରିଛି ।

ତିନି ବର୍ଷ ତଳେ ଯେଉଁ ଛାତିତଳୁ କବିତାଟିକୁ କାଢ଼ି ସେ ବିମଳ ହାତକୁ ବଢ଼ାଇ ଦେଇଥିଲା, ଠିକ୍ ସେଇଠୁ ବାହାର କଲା ଆହୁରି ଖଣ୍ଡିଏ କାଗଜ ଆଜି । ସେ ଦିନର ଛାତି ଆଜି ଆଉ ନାଇଁ, ବ୍ଲାଉଜ୍ ଫୁଲିଉଠିଛି ବହୁତ ବେଶୀ ।

ଧରାଇଦେଲା କାଗଜ ଖଣ୍ଡିକ; ସେଇମିତି ଉଷୁମ, ସେଇମିତି ଆରାମଦାୟକ; କାଗଜ ନୁହେଁ, ବିମଳର ଛୋଟିଆ ଫଟୋଟିଏ ।

ବିମଳର ଆଖିରୁ ଦୁଇ ଧାର ଲୁହ ନିଗିଡ଼ି ପଡ଼ିଲା ।

ପ୍ରତିମାର ଅବହେଳିତ ନାରୀତ୍ଵକୁ ସ୍ଵୀକାର କରିବାକୁ ସଂକଳ୍ପ କଲା ସେ ସେଇ ମୁହୂର୍ତ୍ତରେ.....

ପ୍ରତିମା ନବବଧୂ ବେଶରେ ଆସି ଛିଡ଼ା ହେଲାଣି । କୌଳିକପ୍ରଥା ଅନୁସାରେ ମୁଣ୍ଡରେ ଓଢ଼ଣା । କି ସୁନ୍ଦର ମାନୁଛି ତାକୁ ! ବାହାରୁ ଦୁଆର କିଳିଦେଇ ଖିଲ୍ ଖିଲ୍ ହସି ଫେରିଗଲେ ନୂଆବୋଉ ।

ନୀଳ ବଲ୍‍ବ ଉପରେ ଦିଆଲୀ ପତଙ୍ଗ ଦିଓଟିଙ୍କର କ୍ରୀଡ଼ା ଦେଖୁଥାଏ ବିମଳ ।

...ପ୍ରତିମା ଆସିଛି !

ବାହୁବନ୍ଧନରେ ଭିଡ଼ଧରି ଚୁମ୍ବନ ଆଙ୍କିଦେଲା ବିମଳ । ଅଜଣା ପରଶରେ ଥରିଉଠିଲା ସାରା ତନୁ ।

ପ୍ରତିମା ବିମଳର ପ୍ରଶସ୍ତ ଛାତି ତଳେ ମଥା ରଖି ଦୁଷ୍ଟାମି ହସ ହସି କହିଲା, ‘‘ଜିତିଲା କିଏ, ସାର୍ ?”

ବିମଳ ଭୁଜବନ୍ଧନ ଦୃଢ଼କରି ଆଣୁଥିଲା ।

Image

 

ଶଇଳ ଭାଜିପଡ଼େ

(କ)

 

“ଦୁଆରଟା ବନ୍ଦ କରିଦେବାକୁ କହୁଛୁ ବୋଉ, ଗରମ ହେବ, ମୁଁ ଫ୍ୟାନ୍ ଟା ଖୋଲିଦେଉଛି ।”

 

“ଖୋଲୁନୁ, ଆଉ କେଇଟା ଦିନ କି ?”

 

ବଡ଼ ଭଉଣୀ ସୁଶୀଳା ମଝିରେ ପଶି କହିବାକୁ ଆରମ୍ଭ କରିଦେଲେ, ‘‘କୋଉ ଗଡ଼ଜାତ ମୁଲକ ପର୍ବତ ଖୋଲି ଭିତରେ ସଢ଼ିବାକୁ ପଡ଼ିବ ଏଣିକି । କେତେ ଫ୍ୟାନ୍ ଖୋଲୁଥିବୁ ଆଉ ?”

 

“ତୁ ସିମିତି କହନା ଲୋ ନାନୀ–”

 

ବାଷ୍ପାକୁଳ ମିନତିଭରା କଣ୍ଠରୁ ଅଶ୍ରୁ ଝରିପଡ଼ିଲା ଚାହୁଁ ଚାହୁଁ.....ଏଇ ସରଳା;

 

ଏହାରି ସହିତ ମୋ’ ଜୀବନ–ତରୀ ଚିରକାଳ ପାଇଁ ଛନ୍ଦା ହୋଇଯାଇଛି–ଧର୍ମବେଦୀର ସମ୍ମୁଖରେ...

 

ଅନେଇଲି ମଶାରୀ ଫାଙ୍କ ଭିତରୁ...ସରଳାର ସରଳ ଆନତ ମୁଖମଣ୍ଡଳରେ ଅଶ୍ରୁ ଟେବଲ ଲାମ୍ପ୍‍ର ଛାୟାନିବିଡ଼ ଆଲୋକ ରେଖା ଭିତରେ ପ୍ରତିଫଳି ଉଠିଚି ।

 

ବୋଉ ପଣତକାନିରେ ଲୁହ ପୋଛିଦେଲେ–

 

“ମୋ ମାଆଟା ପରା–”

 

ମୋ’ର ବିବାହ !

 

ଛାତ୍ର ଜୀବନର ପରିସମାପ୍ତି ଆଉ ଗାର୍ହସ୍ଥ୍ୟ ଜୀବନର ଅୟମାରମ୍ଭ, ଏହାରି ଭିତରେ ମାତ୍ର ଦୁଇଦିନ ଫରୁସତ୍ ମିଳିଥିଲା ଏଡ଼େ ବଡ଼ ପରିବର୍ତ୍ତନ ପାଇଁ ନିଜକୁ ପ୍ରସ୍ତୁତ କରିବା ନିମନ୍ତେ ।

 

ବିବାହ ମୋ’ର ସରିଯାଇଛି–ଗୋଟିଏ ମହଳଣ ସନ୍ଧ୍ୟାର ସ୍ଵପ୍ନିଳ କୁହୁକ ପରି । ବାସର ରାତ୍ରିର ସାଜସଜ୍ଜା ପାଇଁ ମୋତେ ସାଜି ହେବାକୁ ପଡ଼ିବ ଆଉ ଦୁଇଟା ଦିନରେ...ସବୁ ସୁନେଲୀ କଳ୍ପନା ମୋ’ର ରୂପ ପାଉଛି ଏତେ ଜଲ୍‍ଦି–ବେଗବତୀ ଗିରିନଦୀର ସ୍ରୋତପରି । ଉପଭୋଗ କରିବାର ଅବସର ନାଇଁ ।

 

ମଶାରୀର ଛୋଟ ଛୋଟ ଛିଦ୍ର ଭିତର ଦେଇ ମୁଲାଏମ ଆଲୋକର ଧୂପଛାୟା ମୋ’ ଉପରେ ବିଛାଡ଼ି ହୋଇ ପଡ଼ିଥାଏ । ଦୁଗ୍ଧଫେନନିଭ ଶଯ୍ୟା ଭିତରେ ମୋ’ର ଅସ୍ଥିଳ ତନୁ ବେଶ ଭିତରକୁ ନରମି ଯାଇଥାଏ । ଅଷ୍ଟମୀର ଫିକା ଜହ୍ନ ଆକାଶରୁ ବିଦାୟ ରଶ୍ମି ଢାଳୁଥାଏ ।

 

ରାତ୍ରିର ଏ ଉପାନ୍ତ ଲଗ୍ନ ।

 

ସରକାର ଅଭିମାନ ସରିଯାଇଛି । ଦି’ ଭଉଣୀ ବିଦାୟ ନେବା ପୂର୍ବରୁ ଅନ୍ତର ଭରି ଗପ କରି ନେଇଛନ୍ତି ।

 

ଭାବିଲି, ସରଳା ମୋ’ ପରି ଅଜଣା, ଅଶୁଣା, ନିଃସ୍ଵ, ଦରିଦ୍ରର ଗଳାରେ ବିନା ପରିଚୟରେ ବରଣମାଳା ଲମ୍ବାଇଦେଲା କାହିଁକି ? ହସହସ ମୁହଁରେ ? ନା ସମାଜର ତାଡ଼ନାରେ ବାପାଙ୍କୁ ଗୋଟାଏ ଦାୟରୁ ମୁକ୍ତ କରିବା ପାଇଁ ନୀରବ ସମ୍ମତି ଜଣାଇଥିଲା ସେ–ବୁଝିନାଇଁ । ସରଳା କ’ଣ ମତେ ଭଲପାଏ ? ଭାବୁଥିଲି କେଉଁ ଗଳ୍ପଉପନ୍ୟାସର ନାୟକ ପରି ବେଦନାଭରା...ମନରେ ଏଇ ଚିରନ୍ତନ ପ୍ରଶ୍ନ କେତେ ବାର ମନ୍ଥନ କରିଛି ପ୍ରାଣ ମୋର–କେବେହେଲେ ତା’ର ଜବାବ ପାଇ ନାଇଁ–ଜବାବ ନ ପାଇବାରେ ହିଁ ଆନନ୍ଦ ।

 

କିଏ ଜାଣେ ସରଳା ଆଜି–

 

(ଖ)

 

ବାସର ରାତ୍ରି–

 

ଅଖ୍ୟାତ ପଲ୍ଲୀଟିର ଅର୍ଦ୍ଧମୁମୂର୍ଷୁ ଘର ବଖୁରିକରେ ମୋ’ର ବାସରଶଯ୍ୟା ନୂଆବୋଉ ପାରିଦେବାକୁ କୁଣ୍ଠାବୋଧ କରି ନାହାନ୍ତି । ତା’ ଉପରେ ପୁଣି ପଡ଼ିଛି ଦି ତିନିଟା ଅଫୁଟା ମଲ୍ଲୀ କଢ଼–କୁଆଡୁ ଯୋଗାଡ଼ କରିଥିଲେ କେଜାଣି ?

 

ସରକାରଙ୍କର ଅନୁସନ୍ଧାନ କମିଟି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ, ଶ୍ରମିକମାନଙ୍କର ଅବସ୍ଥାରେ–କରି ନ ଥାନ୍ତେ ଯଦି ସେ ଦେଖିଥାନ୍ତେ ଏଇ ଦରିଦ୍ର କୁଟୀରଟିରେ କିପରି ଗୋଟିଏ ଦରିଦ୍ର ପରିବାର ପାଞ୍ଚ ପାଞ୍ଚୋଟି ଶିଶୁ ସହ ବାସକରେ । ତାଆରି ଭିତରେ ପୁଅର ବିବାହ ହୁଏ । ରାତ୍ରିର ରତିଳ ଲଗ୍ନରେ ଯୌନବୁଭୁକ୍ଷା ପରିତୃପ୍ତି ହୁଏ; ପ୍ରଜନନ ଚାଲେ । ସେଇ କୁଟୀରରେ ନୂଆ ଅତିଥିର କରୁଣ କ୍ରନ୍ଦନ ଗଗନ ମଥିତ କରେ–କେହି ଦୁଃଖ କରେନା–ଅତି ଦିହସୁହା ଏଇ ନିତିଦିନିଆ କଥାଗୁଡ଼ାକ ।

 

ସରଳାର ଫୁଲ ପରି କଅଁଳ ଅଙ୍ଗକୁ ଆଶ୍ଳେଷରେ ଜଡ଼ାଇ ଧରି ନରମ ଚିବୁକ ତଳେ ଅଙ୍ଗୁଳି ଟିପା ମାରୁ ମାରୁ ପଚାରିଲି, “କି ଦୁର୍ଯ୍ୟୋଗ ତୁମର ସରଳା ! ଯେଉଁ ଦିନ ତୁମେ ମୋ’ ସହିତ ଆପଣାକୁ ଛନ୍ଦି ଦେଇଛ–”

 

“ଦୁର୍ଯ୍ୟୋଗ ? କାହିଁକି ?”

 

ସରଳା କଣ୍ଠର ସରଳ ରାଗିଣୀ ବୀଣା ତାନରୁ ଝରିପଡ଼ିଲା ଏତେବେଳକୁ–ମୌନତା ଭାଙ୍ଗି ।

 

“ତୁମେ କବିଗୁଡ଼ା ବଡ଼ ନିରାଶାବାଦୀ–”

 

ବାସ୍ତବିକ ସରଳା ସେ; କିଛି ବୁଝେନି । ପିଲାଳିଆ କଣ୍ଠରୁ ତା’ର ଏପର୍ଯ୍ୟନ୍ତ ମଧ୍ୟ ଦରୋଟି ଝଙ୍କାର ଉଠୁଚି ! ଦୟା ଆସିଲା ।

 

ସହାସ୍ୟ ବଦନରେ ପଚାରିଲି, “ଆଚ୍ଛା, ସରଳା, ଫ୍ୟାନଟା ଖୋଲି ଦେଉନ ? ଗରମ ହେଉନିନା କ’ଣ ? କବାଟ ଯେ ବନ୍ଦ କରି ଦିଆହୋଇଛି ।”

 

ସରଳାର ନୟନରୁ ଅଶ୍ରୁ ଟାଣିଆଣିଲା ଏଇ କଥା କେଇପଦ । ଝାଳର ପଙ୍ଖାଟା ଆଣି ବିଞ୍ଚିଦେବାକୁ ବସିଲା ସେ । ହାତରୁ ଛଡ଼ାଇ ନେଇ କହିଲି, ‘‘ଥାଉ ସରଳା, ଦିନାକେତେ ଯାଉ, ଏସବୁ ପରିବର୍ତ୍ତନ ପାଇଁ ନିଜକୁ ଆରେଇ ନେବାକୁ ସମୟ ଦିଅ ଅନ୍ତତଃ ।”

 

ସରଳା ମୋ କୋଳରେ ଲୋଟିଗଲା ।

 

“ଏତେ ଅପମାନ ଦିଅନି, ପ୍ରିୟ !” –ନରମ ଗଳାରେ କହିଲା ସେ ।

 

ନୀରବ ସମ୍ମତି ଜଣାଇ ସୁଗୋଲ ବାହୁଯୁଗଳ ତାର ମୃଦୁ ପୀଡ଼ନ କରୁଥିଲି ।

 

ବାସର ପ୍ରଦୀପ ମୁମୂର୍ଷ ହୋଇ ଆସୁଥିଲା ଯଥେଷ୍ଟ ଘୃତର ଅଭାବରେ । ଅପରିଚ୍ଛନ୍ନ ଆକାଶର କ୍ଳାନ୍ତ ଛାୟା ଧରଣୀ କୋଳକୁ ନଇଁ ଆସୁଥାଏ ।

 

ହଠାତ୍ ଦୀପ ଲିଭିଗଲା ।

 

ସରଳା ନିଗଡ଼ ଭାବରେ ମୋର ଛାତି ଭିତରେ ମଥା ପୂରାଇ ଦେଲା ଭୟରେ ।

 

ଏ କ’ଣ ସରଳା ?”

 

କିଛି ଭାବିବ ନାଇଁ ତ କହିବି ?”

 

“କୁହ ।”

 

“ଆମ ଘରେ ରାତି ସାରା ବେଡ଼ ଲାମ୍ପ୍‍ ଜଳୁଥାଏ; ମୁଁ ଏତେ ଅନ୍ଧାରରେ କେବେ ଶୁଏନି–ଅଭ୍ୟାସ ନାଇଁ ।”

 

ହସିଲି ।

 

ବିଧିନିର୍ଦ୍ଦେଶ କିମିତି ମଣିଷର ପରିସ୍ଥିତିକୁ ଓତପ୍ରୋତ କରିଦିଏ, ତାହା ନିବିଡ଼ଭାବରେ ହୃଦୟଙ୍ଗମ କରୁଥିଲି ।

 

ଠିକ୍ ଏତିକିବେଳକୁ ଚାଳ ଆଟୁରୁ ଝୁରା ମାଟିଗୁଡ଼ାଏ ଝରି ପଡ଼ିଲା–ମୂଷାଟାଏ ଚାଲିଗଲା ବୋଧହୁଏ । ପରିଚିତ ହାତ ମୋ’ର କିଛି ନ ଘଟିଥିଲା ପରି ତାହା ଝାଡ଼ିଦେଲା ।

 

ସରଳା ପଚାରିଲା, “ଏଗୁଡ଼ା କ’ଣ ?”

 

କ’ଣ ଉତ୍ତର ଦେବି ବୁଝିପାରିଲି ନାଇଁ ।

 

କଣ୍ଠରେ ତା’ର ବ୍ୟସ୍ତତାର ସ୍ପଷ୍ଟ ଅବଭାଷ ।

 

ସୁଚିକ୍‍କଣ ଗଣ୍ଡ ଦେଶରୁ ମାଟିଗୁଡ଼ାକ ଝାଡ଼ିଦେଇ, ତଦୁପରି ଚୁମ୍ବନର ଦାଗଟିଏ ଲେଖିଦେଲି । କହିଲି–

 

“କି ଭୁଲ କଲ ସରଳା ତୁମେ ଜୀବନରେ ?”

 

ମୁହଁରେ ମୋ’ର କଅଁଳ ପାପୁଲିଟି ତାର ଚାପିଧରି ସେ କହିଲା, ‘‘ସିମିତି କହନି, ମୁଁ ଯଦି ଭୁଲ କରିଛି, ତୁମେ ତାଠାରୁ କିଛି କମ୍ କରିନ–”

 

ମୁଁ ଭୁଲ କରିଛି ?

 

ହଁ’ ନିଶ୍ଚୟ ଭୁଲ କରିଛି । ଗୋଟିଏ ନିରୀହା ସରଳା ପ୍ରାଣକୁ ଘାଣ୍ଟିଚକଟି ମାରିବା ପାଇଁ ମୁଁ ମୋର ନୀରବ ସମ୍ମତି ଜଣାଇଛି–ପ୍ରତିବାଦ ତ କରିନି କେବେ !

 

ମୋ’ର ନୀରବତା ସରଳା ସଶଙ୍କ ଚିତ୍ତରେ ନିରୀକ୍ଷଣ କରୁଥିଲା । ଆଉ ସମ୍ଭାଳି ପାରିଲାନି । ଭୋ, ଭୋ ହୋଇ କାନ୍ଦି ପକାଇଲା । ମୋ’ର ଗଣ୍ଡ ପଖାଳି ଦେଇ ବୋହିଗଲା ଜମାଟବନ୍ଧା ତପ୍ତ ଅଶ୍ରୁ । କହିଲା–

 

“ରାଗିଲ ବୋଧହୁଏ; ମୋ’ ରାଣ, ରାଗନି ।”

 

ବାସ୍ତବିକ ମୁଁ ରାଗି ନ ଥିଲି । ସରଳାର କଥାପଦକ ମନ ଭିତରେ ଓଜନ କରୁଥିଲି କେବଳ ।

 

ଲୁହ ପୋଛିଦେଲି ।

 

ସାନ ବାଉଁଶ ରେଲିଂଦିଆ ଝରକା ଫାଙ୍କରେ ସକାଳ ସୂର୍ଯ୍ୟର କମନୀୟ ରକ୍ତିମା ପଶିଆସିଲା ।

 

ସକାଳ ହୋଇଯାଇଛି ।

 

ନୂଆବୋଉ ବାହାରପଟୁ ଶିକୁଳିଟା ଖଡ଼୍ ଖଡ଼୍ କରିଦେଲେ ଜୋରରେ ଏବଂ ତା ସହିତ ମୁହଁରୁ ତାଙ୍କର ଉପୁଚି ପଡ଼ିଲା ଅରାଏ ହସ ।

 

ସରଳା ବସନ ସଜାଡ଼ି ବିଦାୟ ମାଗିଲା ।

 

ବାସର ରାତିର ଶେଷ ପରଶ ଆଙ୍କିଦେଇ ବିଦାୟ ଦେଲି ।

 

ଗଲାବେଳକୁ କାନରେ ମୋ’ର ଥିଇରି କରି କହିଗଲା ସେ–

 

“ଆଜିର ଏ ରାତି ତୁମେ ଭୁଲିଯାଅ–ମୋ’ର ଅନୁରୋଧ ଯେଉଁ ଆବହାଉଆରେ ତୁମେ ବଢ଼ି ଆସିଛ, ସେ ମୋ ଆକାଂକ୍ଷିତ । ଏଇ ଧୂଳିମାଟିର ଘର ବଖରିକ ପାଇଁ ନନ୍ଦନ କାନନ । କିଛି ସମୟ ଦିଅ ମୋତେ ଏସବୁ ନିଜର କରିନେବା ପାଇଁ । ଦେଖିବ, ତୁମଠାରୁ ମୁଁ ଆହୁରି ଆନନ୍ଦରେ ଚଳିପାରିବି ଏ ବାତାବରଣ ଭିତରେ–”

 

ଆଦର୍ଶ ହିନ୍ଦୁନାରୀର ପରମ୍ପରା ଚେଇଁ ଉଠିଚି ସରଳା ଭିତରେ । ମୋର ମନୋନୀତ ନ ହେଲେ ମଧ୍ୟ ସରଳାକୁ ବାଧା ଦେଲିନି ।

 

ସବୁଠାରୁ ସାନ ତିନି ମାସର ଭାଇଟି ମୋର ଖାଇବା ପାଇଁ କାନ୍ଦ ଆରମ୍ଭ କରିଦେଲାଣି-

 

ସରଳା ଦୁଆର ଖୋଲି ବାହାରକୁ ଚାଲିଗଲା ।

 

ମୁଁ ଭାବୁଥିଲି... ଆଉ ଭାବୁଥିଲି... ।

✽✽✽

 

ଓ, ଆଜି ଅଗଷ୍ଟ ପନ୍ଦର !

 

ଧତଡ଼ା ପଙ୍ଖାଟା ଟେବୁଲ୍ ଉପରୁ ଉଠାଇନେଇ ଚୌକି ଉପରେ ବସିପଡ଼ିଛି କି ନାହିଁ, କନକ ଧୀର ପଦକ୍ଷେପରେ ଘର ଭିତରୁ ପ୍ରବେଶକଲା ମୋ’ର ଅଲକ୍ଷ୍ୟରେ । ନୀଳ ହାଓ୍ୱାଇ ସାର୍ଟର ବୋତାମଗୁଡ଼ିକ କନକର ନମ୍ର ଅଙ୍ଗୁଳି ସ୍ପର୍ଶରେ ଖୋଲିଗଲା । ଧୀର, କମ୍ପିତ ହସ୍ତରେ ହାଓ୍ୱାଇ ଓ ତା’ପରେ ଗଞ୍ଜିଟି ଉତାରି ସାରି, ନଇଁପଡ଼ି ଜୋତାର ଲେସ ହୁଗାଳିଲା ବେଳକୁ କନକର ନରମ କପୋଳରେ ସମସ୍ତ ରକ୍ତ ଯିମିତି ଠୁଳ ହୋଇ ବାଢ଼ି ଦେଉଥାଏ ରକ୍ତ ଗୋଲାପର ବିଭା... ।

 

କନକ ମୋ’ର ସ୍ତ୍ରୀ ।

 

“ଟିକିଏ ରୁହ, ମୁଁ ଜୋତାଟା ଖୋଲିଦିଏଁ; ଆରମ ଲାଗିବ ଟିକିଏ ।”

 

“ଦୁଃଖେ ଯାଦେର ଜୀବନ ଗଢ଼ା” ତା’ ପକ୍ଷରେ ଆରାମ ଖୋଜିବା ବିରାଟ ବିକଟ ଉପହାସ, କନୁ ! ଥାଉ, ପୁଣି ତ ଅଇଚ୍ଛା ଯିବାକୁ ପଡ଼ିବ ଗ୍ରୋ-ମୋର ଫୁଡ଼ ଅଫିସକୁ ।

 

ପୁଣି ?

 

କନକର ନମ୍ରକଣ୍ଠରେ ଉତ୍ସୁକତାର ତପ୍ତ ଝଞ୍ଜା ବହିଗଲା ସତେ ।

 

ଆଉ କଣ କରାଯିବ କନୁ ?

 

ଜୀବନ-ସଂଗ୍ରାମରେ କ’ଣ ଏତେ ଚଞ୍ଚଳ ପଛଘୁଞ୍ଚା ଦେବି ? ଏତେ ସହଜରେ ? ବିଶ୍ଵବିଦ୍ୟାଳୟର ଡିଗ୍ରୀ ପାଇଛି, କୋଟ୍ କଲାରରେ ସ୍ଵର୍ଣ୍ଣପଦକ ଝୁଲାଇଛି, ରେକର୍ଡ଼–ଗ୍ରାମୋଫୋନ୍ ରେକର୍ଡ଼ ନୁହେଁ– ଭାଙ୍ଗି ବିଶ୍ୱବିଦ୍ୟାଳୟ ଅଧ୍ୟାପକମାନଙ୍କର ସ୍ନେହ ଅର୍ଜିଛି; ଦୁଇ ତିନି ପୃଷ୍ଠା ବ୍ୟାପୀ ଗୋଟାଏ ଗୋଟାଏ ଲମ୍ବା ସାର୍ଟିଫିକେଟ୍ ମଧ୍ୟ ଟ୍ୟାଗ୍‍ଟାରେ ଗୁନ୍ଥି ରଖିଛି ।

 

କିନ୍ତୁ–ଛାଡ଼, ସେ ସବୁଗୁଡ଼ାକ ବଖାଣି ବସି ତୁମର କୋମଳ ପ୍ରାଣରେ ଆଘାତ ଆଣିବି କାହିଁକି-?

 

ବାସ୍ତବିକ, ବାହା ହେଉଥିଲ କାହିଁକି ? ତେମେ କ’ଣ ଜାଣି ନ ଥିଲ, ଗୋଟାଏ ଏମ୍.ଏ. ପାଶକରା ଯୁବକ ପକ୍ଷରେ ସେତେବେଳେ ନିଜକୁ ରକ୍ଷଣ ଅସମ୍ଭବ, ସେ କ’ଣ ମୋ ଶାଢ଼ି, ବ୍ଲାଉଜ, ସ୍ନୋ, ଅତର ପାଇଁ ଖର୍ଚ୍ଚ ତୁଲେଇ ପାରିବ ?

 

ଧେତ୍ ମୁଁ କ’ଣ ସେ କଥା କହୁଥିଲି ? ସବୁ ଓଲଟା ବୁଝିଲ ତୁମେ । ଏମିତି ଲୋକ । ତୁମୋ ମୋତେ ତୁମର ଅନ୍ତର ଖୋଲି ସମସ୍ତ ବ୍ୟଥା ଯେବେ କହିବାକୁ ଇଚ୍ଛା କରୁନାହଁ, ତେବେ ମୋତେ ବିବାହ କରିବାର ଉଦ୍ଦେଶ୍ୟ ? କ’ଣ ଖାଲି ଦୋଳାରେ ବସି ଝୁଲା ହେବା ପାଇଁ ମୁଁ ଏଠାକୁ ଆସିଛି ?

 

ନାଇଁ କନୁ, ତୁମର ଅନ୍ତର ତଳେ ଏତେ ଟିକିଏ ବ୍ୟଥାର ରାଗିଣୀ ଗୁଞ୍ଜରି ଉଠିଲେ ତାହା ଶତଗୁଣିତ ହୋଇ ମୋ’ ପ୍ରାଣରେ ଗଭୀର ଆଲୋଡ଼ନ ସୃଜିବ କେବଳ । ଶୀଘ୍ର ଯିବାକୁ ହେବ; ପାନ ଅଛି ଘରେ ?

 

ନା, ପାନ ନାଇଁ, କାଲି ରାତିରୁ ସରିଯାଇଛି । ଆଉ ତା’ ଛଡ଼ା ତେଲ, ଲୁଣ, ଡାଲି–

 

ସରିବା ନିମନ୍ତେ ଅବସର ଦେଇପାରିଲି ନାହିଁ ।

 

ସେ ତାଲିକା ଯେ ସରିବାର ନୁହେଁ ।

 

ସାଇକେଲ ପ୍ୟାଡ଼ଲଟାରେ ଗୋଡ଼ ଦେଇ ଚଢ଼ିଗଲା ବେଳକୁ ପୁରୁଣା ହୁଗୁଳା ଚେନଟା ଖସିଗଲା ହଠାତ୍ । ଇରେଜମିକ୍ ସାବୁନ ଫେଣ ଦେଇ ଘଷା ହୋଇଥିବା ଚିକ୍‍କଣ ଚଉଡ଼ା ଚିବୁକ ଛେଚି ହୋଇଗଲା ସାଇକେଲ ହାଣ୍ଡଲଟାରେ ।

 

ଦାନ୍ତରୁ ରକ୍ତ ବାହାରିଆସିଲା ଛେପ ସାଥିରେ । ଭୃକ୍ଷେପ ନାହିଁ ।

 

କନକ ପଛରୁ ଡାକ ପକେଇଛି ମୁହଁ ଧୋଇଯିବା ନିମନ୍ତେ । କିନ୍ତୁ ସାଢ଼େ ଦୁଇଟାରେ ଯେ ଡିରେକ୍ଟରଙ୍କ ସହିତ ଆପଏଣ୍ଟମେଣ୍ଟ । ସାହେବୀ ଧରଣର ଲୋକ କିନା, କାଳେ ବିଗିଡ଼ି ଯାଇ ପାରନ୍ତି ।

 

ବାଟରେ ପାନ ଦୋକାନରେ ଓହ୍ଲାଇବାକୁ ପଡ଼ିଲା । କଲେଜ ଜୀବନର ସିଗାରେଟ ଖିଆ ଅଭ୍ୟାସଟା ଛାଡ଼ିବା ପାଇଁ ଏଇ ପାନର ଅବତାରଣା ।

 

ପାନ ଭାଙ୍ଗିବାକୁ ଡେରି ହେଲା ।

 

ଇତି ମଧ୍ୟରେ ଦୋକାନରୁ ଖବରକାଗଜଟା ଉଠାଇ ଆଣିଲି । ତ୍ରିରଙ୍ଗୀ ପତାକା, ମହାତ୍ମା ଓ ଜହରଲାଲଙ୍କ ଫଟୋ ।

 

ବ୍ୟାପାର କ’ଣ ? ଓ, ଆଜି ଅଗଷ୍ଟ ପନ୍ଦର, ସ୍ଵାଧୀନତା ସଂଖ୍ୟା ପ୍ରକାଶ ପାଇଛି ।

 

ଏକା ନିଶ୍ୱାସରେ ଆଖି ବୁଲାଇ ଆଣିଲି କାଗଜଟା ଉପରେ । ଅଧ୍ୟାପକ, ଅବସରପ୍ରାପ୍ତ ଡେପୁଟି ମାଜିଷ୍ଟ୍ରେଟ, ଓକିଲ, ଡାକ୍ତର, କଂଗ୍ରେସ ନେତା, ମନ୍ତ୍ରୀ ଏଇମାନଙ୍କର ଲେଖାରେ କାଗଜ ପୂର୍ଣ୍ଣ କରିବାକୁ ନାହିଁ ଏମାନଙ୍କର । ବାକି କେତେ ଜଣ ନୂଆ ଲେଖାଳୀ ଛାତ୍ର–କୁସ୍ତି କସରତ କଲା ଭଳିଆ କେତୁଟା କବିତା ଲେଖିଛନ୍ତି ଆଗାମୀ ଦୁନିଆରେ ସ୍ଵାଧୀନ ଭାରତର ସ୍ଵପ୍ନ ଦେଖି । ଛନ୍ଦ ନାଇଁ, ଭାବ ନାଇଁ, ଭାଷା ନାଇଁ, ତଥାପି ଛାପା ହୋଇଛି । ହେଉ ।

 

ମୋ ପାଖକୁ ସମ୍ପାଦକ ମହାଶୟ ଲେଖା ପଠାଇବା ପାଇଁ ଅନୁରୋଧ କରି ଯେଉଁ ପୋଷ୍ଟକାର୍ଡ଼ ଖଣ୍ଡିକ ଦୟାକରି ପଠାଇଥିଲେ, ତାହା ଲଣ୍ଠନରେ ଖୋସାହୋଇଛି ଆଖିରେ ଆଲୁଅ ପଡ଼ିବନି ବୋଲି ।

 

ଆଜି ପୁଣି ଅଗଷ୍ଟ ପନ୍ଦର ଆସିଛି ।

 

ଆର ବର୍ଷର ଏଇ ଅଗଷ୍ଟ ପନ୍ଦର ।

 

ଗାଙ୍ଗେୟ ସମୀରଣର ଶୀତ ଶୀତକାର ଭିତରେ ମୋର ଲେଖନୀରୁ ଝରି ପଡ଼ିଥିଲା ଯେଉଁ କବିତା, ତାହା ମୋର ବନ୍ଧୁ ମହଲରେ କାହିଁକି, ସାହିତ୍ୟିକ ମହଲରେ ମଧ୍ୟ ଚାଞ୍ଚଲ୍ୟ ଆଣି ଦେଇଥିଲା–କେତେ ଅଭିନନ୍ଦନ, କେତେ ଶୁଭେଚ୍ଛା ମୋର ଲେଖାମୁନକୁ ବଳବତ୍ତର କରିବା ପାଇଁ କାମନା କରି ଆସିଥିଲା କେଜାଣି ?

 

ସବୁଗୁଡ଼ା ଏବେ ବି ଟ୍ରଙ୍କ ତଳେ ପଡ଼ିଥିବ । କିନ୍ତୁ–

 

ସ୍ଵପ୍ନର କୁହେଳି ଆଜି ରାତ୍ରିର ବହଳ ତମସା ତଳେ ମିଶିଯାଇଛି । କିଟ୍‍ସ–କଳ୍ପିତ ଗଜଦନ୍ତ ମୀନାର୍‍ ଜତୁଗୃହ ପରି ଜଳିଯାଇଛି । ଦଗ୍ଧ ସନ୍ତପ୍ତ ଆତ୍ମା ରୂପ ପାଇଛି ନୂଆ କଳେବରରେ, ଠିକ୍ ଆମ ଜଗନ୍ନାଥଙ୍କ ପରି–ଆହୁରି ବୀଭତ୍ସ ରୂପରେ ।

 

ସେଦିନର କବି ଆଜି ଆତ୍ମହତ୍ୟା କରିଛି ସତେ !

 

ସେହି ପାର୍କର କଲମର ମୁନଟା ବଳବତ୍ତର ହେବା ଦୂରେ ଥାଉ, ଦରଖାସ୍ତ ଲେଖି ଲେଖି ଦନ୍ଥରା ହୋଇ ସାରିଲାଣି ।

 

ବାବୁ, ଆଗରେ ଗେଟ୍‍ଟା ଯେ ।

 

ତନ୍ଦ୍ରା ଭାଜିଗଲା ।

 

ମୋର ଲକ୍ଷ୍ୟସ୍ଥଳରେ କେତେବେଳେ ସାଇକେଲ ପହଞ୍ଚି ସାରିଛି । ଆପଣାକୁ କୌଣସି ରକମ ପ୍ରକୃତିସ୍ଥ କରି ଡ଼ିରେକ୍ଟରଙ୍କ କାମରାକୁ ପ୍ରବେଶ କଲି ।

 

ଫାଇଲ ଉପରୁ ଗୋଟିଏ ଆଖି ଉଠାଇ ମୋର ନମ୍ର ପ୍ରଣତିର ପ୍ରତିଦାନ ଜଣାଇଲେ ସେ । ଗୋଟାଏ ବେଞ୍ଚକୁ ହାତ ଠାରିଦେଲେ ବସିବା ପାଇଁ ।

 

ଫାଇଲ୍‍ କାମ ଚାଲିଥାଏ । ମଝିରେ ମଝିରେ ଡିକ୍‍ଟେସନ ମଧ୍ୟ ଡକା ହେଉଥାଏ ।

 

ପୂରା ଦୁଇ ଘଣ୍ଟା ବସିବାକୁ ପଡ଼ିଲା ସେଇ ଛାରପୋକପୂର୍ଣ୍ଣ ବେଞ୍ଚରେ । ଧର୍ଯ୍ୟ ହରାଉ ହରାଉ ପୁଣି ଆତ୍ମା ସମ୍ବରଣ କରିନିଏ ।

 

ଶେଷକୁ ସାହେବଙ୍କର ଓଷ୍ଠ ଥରିଉଠିଲା ମୋ ଆଡ଼କୁ ଚାହିଁ । ନିଶ୍ଚୟ କିଛି ନା କିଛି କହିବେ ।

 

–କୁଆଡ଼େ ଆସିଲ ?

 

–ଏଇ ଆପଣ କହିଥିଲେ ନା, ହପ୍ତାକ ପରେ ଆସିବା ପାଇଁ !

 

ଓ, ଚାକିରି କଥା ନା, ହେଲା, ହେଲା । ତୁମେ ବନାରସରୁ ଏମ୍. ଏ. ପାଶ୍ କରିଛ ପରା-!

 

–ଆଜ୍ଞା

 

–କେଉଁ କ୍ଲାସ ?

 

–କହିଥିଲି ପରା, ଫାଷ୍ଟକ୍ଲାସ ।

 

–କ’ଣ କରିବା, ଆପଣ ତ ସଦ୍ୟ ବିଶ୍ୱବିଦ୍ୟାଳୟରୁ ଆସିଛନ୍ତି । ଜାଣିଥିବେ କିମିତି ସରକାର ଡିଭାଲୁଏସନ୍ ପରେ ରିଟ୍ରେଞ୍ଚମେଣ୍ଟ ଚଳାଇଛନ୍ତି । ଏ ସମୟରେ ପୋଷ୍ଟସବୁ କମେଇ ଦେବାକୁ ଚେଷ୍ଟା ଚାଲିଛି ସିନା, ଆଉ ବଢ଼ିବାର ତ ଆଶା ନାହିଁ ।

 

–ତା ସତ, ତଥାପି–

 

ତଥାପି ଆଉ କ’ଣ ?

 

ଆପଣ ତ ଖବରକାଗଜ ଦେଖୁଥିବେ । କେତେ କମ ଜାଗାରେ ଚାକିରି ପାଇଁ ବିଜ୍ଞାପନ ବାହାରୁଛି । ତେବେ, ମୋ ଅଫିସରେ ଦୁଇଟା ଲୋଅର ଡିଭିଜନ ଆସିଷ୍ଟାଣ୍ଟ ପୋଷ୍ଟ ଖାଲି ଅଛି । ବିଜ୍ଞାପନ ଦଉ ନାଇଁ, ଏଇ ଆପଣଙ୍କ ଭଳିଆ କେତେ ଆସି ଯୁଟୁଛନ୍ତି ନିଜର ଲୋକ । ମୋହବତ୍ ତ ଜଗିବାକୁ ହେବ । ଆପଣ ରହିଯାନ୍ତୁ ଗୋଟାକରେ ?

 

ଗୋଟାଏ ଚିନାବାସନ ପ୍ଲେଟ ତଳେ, କଚାଡ଼ି ହୋଇ ପଡ଼ିଲା ପରି ଚିତ୍କାର କରି ଉଠିଲି ମୁଁ ।

 

–କ’ଣ କହିଲେ ?

 

ଆଖିରୁ ମୋର ଅଗ୍ନିସ୍ଫୁଲିଙ୍ଗ ବାହାରୁଥାଏ । ଏତେ ପରିଶ୍ରମର ପ୍ରତିଦାନ କ’ଣ ଏଇୟା-?

 

ମୋର ସେ ଉତ୍ତେଜନା ଦେଖି ସାହେବ ଅଳ୍ପ ହସି କହିଲେ, “ବହୁତ ଲୋକ ବାବୁ ଏମ. ଏ. ପାସ୍‍ କରି ମଧ୍ୟ ଏଇ ମୋର ଅଫିସରେ କାମ କରୁଛନ୍ତି ନା”

 

ଆଉ ଶୁଣିବାକୁ ଧୈର୍ଯ୍ୟ ନ ଥିଲା ।

 

ମାସିକ ଶହେ ଦେଢ଼ଶ ଟଙ୍କା ଯୋଉଠି ଜଣଙ୍କ ପିଛା ଖର୍ଚ୍ଚ ହୋଇ ଅଣ୍ଟୁ ନ ଥିଲା, ସେ ସତୁରୀ ଟଙ୍କାରେ ଗୋଟିଏ ପରିବାର ଚଳେଇବ–ପୁଣି କିରାଣୀ ହୋଇ ଏଇ କଟକ ସହରରେ ।

 

ମାର୍ଶାଲ, ପିଗୁ, ରବଟ୍‍ସନ, ରବୀନସନ୍ ଏସବୁର ଖୁବ୍ ସୁନ୍ଦର ବ୍ୟବହାର ହୋଇପାରିବ ଫାଇଲର ପୋକଖିଆ କାଗଜ ଭିତରେ ।

 

କଙ୍ଗୋ ଉପତ୍ୟାକାରେ ସିସି ମାଛି ପରି ମୁଁ ଗର୍ଜୁଥାଏ । ସାହେବଙ୍କର ହର୍ଷାନ୍ଵିତ କଣ୍ଠରୁ କେବଳ ଏତିକି ଅସ୍ପଷ୍ଟ ଭାବେ ଶୁଣୁଥାଏ, “ପିଲାଲୋକ, ଗରମ ରକ୍ତ, ବଳେ ବୁଝିଯିବ ଯେ ।”

 

ସାଇକେଲଟା ସେତେବେଳକୁ ଦ୍ରୁତଗତିରେ କଟ୍‍କଟ୍ କରି ଡାକି ଛୁଟିଲାଣି; ହଠାତ୍ ଚୌଧୁରୀବଜାର ଛକରେ ମୋର ଅସ୍ଥିର ଅସଂଲଗ୍ନ ଭାବନା ବାଧା ପାଇଲା ।

 

ବିରାଟ ଶୋଭାଯାତ୍ରା ଚାଲିଛି ।

 

‘‘ମହାତ୍ମା ଗାନ୍ଧୀ କି ଜୟ, ଜବାହାରଲାଲ ନେହେରୁ କି ଜୟ, ସ୍ଵାଧୀନ ଭାରତ କି ଜୟ-।”

 

ସମସ୍ତେ ଯୁବକ, ସମସ୍ତେ ଛାତ୍ର, ସମସ୍ତଙ୍କର ପ୍ରାଣରେ ଆଗାମୀ କାଲିର ନୂଆ ଦ୍ୟୋତନା ।

 

ମୋ’ର ସବୁ ଥିଲା ।

 

ମୁଁ ବି ଶୋଭାଯାତ୍ରାରେ ସିଂହରଡ଼ି ଦେଉଥିଲି ।

 

ଜାତୀୟ ସଂଗୀତ ନିଜେ ରଚନା କରି ନିଜେ ଆଗେ ଆଗେ ବୋଲି ଚାଲୁଥିଲି ।

 

ସବୁ ମରିଯାଇଛି ।

 

ସବୁ ସରିଯାଇଛି ! ନିଜକୁ ଅତି ସାନ ମନେହେଲା ।

 

ଦୁନିଆର ସମସ୍ତ ଆନନ୍ଦରୁ ମୁଁ ସତେ ବିଚ୍ୟୁତ ହୋଇପଡ଼ିଛି ।

 

ହଠାତ୍ ମନେ ପଡ଼ିଗଲା–ଚୌଧୁରୀବଜାରରୁ ପାନ ନେବାକୁ ହେବ, ପୁଣି ସଉଦାପତ୍ର । ଭାରି ଶୋଷ ଲାଗୁଥାଏ–ସର୍ବତ ଗ୍ଲାସେ । ନା, ସର୍ବତ ହୋଇପାରିବ ନାହିଁ–ସର୍ବମୋଟ ପକେଟରେ ଟଙ୍କେ ଚଉଦଣା–ଏଥିରେ ଡାଲି, ଲୁଣ, ତେଲ–ପାନକୁ ପଇସା ଅଣ୍ଟିବନି ।

 

ଶୋଭାଯାତ୍ରାର ଏଇ ଗୋରାତକତକ ଘର୍ମାକ୍ତ ମୁହଁଗୁଡ଼ିକରୁ କେତେଗୁଡ଼ିଏ ପୁଣି ଆର ଅଗଷ୍ଟ ପନ୍ଦରକୁ ବାଇକ୍ ଚଢ଼ି ବୁଲି ବୁଲି କଳା ପଡ଼ି ଯାଇଥିବେ । ତାଙ୍କୁ ହୁଏତ ଯଚାଯାଉଥିବ ଅଫିସ ପିଅନ ଚାକିରି ।

 

ସେତେବେଳକୁ ?

 

କନକର ସୌମ୍ୟ ମୁଖମଣ୍ଡଳ ଝରକା ଫାଙ୍କରୁ କୌତୂହଳ ବିସ୍ଫାରିତ ହୋଇ ଅନାଉଥାଏ ଏତେଗୁଡ଼ିଏ କଳକଳନାଦିନୀ ଗିରିନଦୀ ପ୍ରତି ।

 

କାହିଁକି ଆଜି ଏ ଶୋଭାଯାତ୍ରା ?

 

କାହିଁକି ଆଜି ଏ ସ୍ଲୋଗାନ ?

 

କାହିଁକି ଆଜି ଏ ସ୍ଵାଧୀନତା ସଂଖ୍ୟା ?

 

କାହିଁକି ଆଜି ଏ ମହୋତ୍ସବ ?

 

କାହିଁକି ଆଜି ଏ ସ୍ୱପ୍ନର ଇନ୍ଦ୍ରଜାଲ ?

 

କାହିଁକି ଏସବୁ ?

 

କାହିଁକି ?

 

ଓ ମନେ ନାଇଁ,

 

ଆଜି ଅଗଷ୍ଟ ପନ୍ଦର ପରା !

✽✽✽

 

ସେଇ ହସ ଟିକକ

 

କାରରୁ ଉତୁରି କଳିଙ୍ଗ ବେଲ୍‍ଟାରେ ହାତ ଦେଇଛି କି ନାଇଁ, ଗୃହର ପରିଚାରିକା ସାଦରେ ଅଭିଭାଷଣ କରିନେଲା ବୈଠକଖାନାକୁ ।

 

“ଏଇଠି ଅପେକ୍ଷା କରନ୍ତୁ, ଦିଦି ଅବିକା ଆସିବେ ।”

 

ସୁଲତାର ବୈଠକଖାନା । ଏଇ ତୁର୍କୀୟ କାର୍ପେଟ ଉପରେ ମୋର କ୍ରେପସୋଲ ଜୋତା କେତେଥର ନିଃଶବ୍ଦରେ ଅଭିସାର କରି ଫେରିଯାଇଛି । କେତେଥର ଜୀବନର ଶୁଭ୍ର ଚାନ୍ଦିନୀ ତଳେ ଚକୋରର ପୀୟୁଷ ଆକାଂକ୍ଷା ବଢ଼ିଚାଲିଛି ଏଇଠି । ସତର ବର୍ଷ ବୟସରେ ସୁଲତାର ତୈଳଚିତ୍ର ପ୍ରତିକୃତି ଏବେ ମଧ୍ୟ ସେଇ ସ୍ଥାନରେ ଦୋହଲୁଛି । ତାର ସଗୋଲ ମୁଖମଣ୍ଡଳର ନିମ୍ନାଂଶରେ ଚିବୁକର କମନୀୟ ମାଧୁରୀ ଶିଳ୍ପୀର ତୁଳୀରେ ଯଥେଷ୍ଟ ନିକ୍ଵଣ ଝାଡ଼ିଛି । ତା ପରେ ଯୁଗ୍ମବେଣୀ କନକ ଗଳାବାହି ଉନ୍ନତ ବକ୍ଷରେ ଲମ୍ବି ଯାଇଛି ଅନେକ ଦୂର ଯାଏଁ । ସବୁଠୁ ସୁନ୍ଦର–ତାର ସେଇ ଲଲିତ ଅଧରରେ ଲାଖିରହିଛି ମୋର ଚିରପରିଚିତ ହସଟିକକ । କେତେଥର ସେଇ କଜ୍ଜ୍ଵଳ- କଳା ନୟନ ଯୁଗଳରେ ମିଳନ-ପିପାସାର ସନ୍ଧାନ ପାଇଥିଲି ମୁଁ ।

 

ମାତ୍ର–ସୁଲତା ଏଯାଏ ବିବାହ କରିନି ।

 

କିନ୍ତୁ ମୁଁ–

 

ଓ, ସୁଲତା, ନମସ୍ତେ ।

 

ନମସ୍କାର, ବହୁତ ଦିନ ପରେ ଦେଖା, ନା । ଦେଢ଼ ଡଜନ ଚିଠିର ଖଣ୍ଡେ ମାତ୍ର ଉତ୍ତର ତ ମିଳି ନ ଥିଲା ଆପଣଙ୍କ ନିକଟରୁ ।

 

କ୍ଷମା କରିବ ସୁଲତା, ବ୍ୟସ୍ତ ଥିଲି । ମୋ ସ୍ତ୍ରୀର ଦେହ ବେମାର କିନା ।

 

ସୁଲତାର ତିରିଶ ବର୍ଷୀୟ ମୁହଁରେ ମନ୍ଦାରର ରକ୍ତିମା ଟିକକ ହଜିଗଲା । ନିଜକୁ କିଞ୍ଚିତ୍‍ ସମ୍ଭାଳି ନେବା ପାଇଁ ସେ ହସିଦେଲା ସେଇ ପରିଚିତ ହସ ଟିକକ ।

 

ମୁଗ୍‍ଧ ହେଲି ।

 

ସୁଲତାର ସ୍ଵଯତ୍ନବିନ୍ୟସ୍ତ କେଶ, ମଧ୍ୟରେ ଗୋଟିଏ ଧଳାବାଳ ଧରାପଡ଼ି ଯାଉଥାଏ । ସ୍ନୋ ଆଉ ରୁଜ୍‍ ଘଷା ଥିଲେ ସୁଦ୍ଧା ଗାଲର ଗୋରା ମଉଳି ଆସିଲାଣି । ସବୁ ଚାଲିଯାଇଛି; କିନ୍ତୁ ରହିଯାଇଛି ସେଇ ପରିଚିତ ହସଟି, ଠିକ ପୂର୍ବପରି, ତଳ ଓଠ ସାମାନ୍ୟ ଚଉଡ଼ା ହୋଇଯାଇ ମଝିରେ ନିମ୍ନକୁ ଦବି ଯାଇଥିବ; ଉପର ଓଠରୁ ଝରି ପଡ଼ୁଥିବ ପଦ୍ମମଧୁ ।

 

ଦୟା ହେଲା ।

 

ବିଦାୟ ନେଲି ସୁଲତାଠାରୁ ।

 

ସ୍ତ୍ରୀର ଦେହ ବେମାର, କେବେ ସମୟ ହେଲେ ଆସିବେ ।

 

ଗାଡ଼ି ଚାଲିଲା । ପାର୍କ ପାଖରେ, ରଖିଦେଇଛି କି ନାଇଁ ଘର ଭିତରୁ ବାହାରି ଆସିଲା ପରିଚିତ ହସର ଇଙ୍ଗିତ । ଆସନ୍ତୁ, ଆସନ୍ତୁ କହି ରୀତିମତ ‘ଶୁଭ୍ରା’ ମୋତେ ଭିଡ଼ିନେଲା ଘର ଭିତରକୁ ।

 

ଶୁଭ୍ରା ସାଥିରେ ମୋର ପରିଚୟ ଏଇ କେତେ ମାସ ହେଲା ହୋଇଛି । ଏଇ ପାର୍କରେ ମୋର ତା ସହିତ ଦେଖା । ଏହାରି ଭିତରେ ଆମ ଦିଜଣଙ୍କର ସଂପର୍କ ନିଗୂଢ଼ ହୋଇଆସିଛି । ଚା ତିଆରି କରୁ କରୁ ଶୁଭ୍ରାର ଅନିନ୍ଦିତ କପୋଳରେ ଛୋଟ ଛୋଟ ଝାଳଟୋପା ଝଲସିଉଠିଲା । ପକେଟରୁ ରୁମାଲ କାଢ଼ି ପୋଛିଦେଲି ।

 

କଥାବାର୍ତ୍ତା ଚାଲିଲା କେତେ ରାଇଜର ।

 

ଶୁଭ୍ରା ଧୀରେ ଧୀରେ ମୋର ବକ୍ଷଆଡ଼କୁ ଢଳିପଡ଼ିଲା । ମୋର ଓଠ ନିକଟରେ ତା’ର କୋମଳ ମୁହଁଟି ଧରାଇ ପଚାରିଲା, “ବିମଳ ବାବୁ, ତୁମେ ମୋତେ ଭଲପାଅ ?”

 

ଶୁଭ୍ରାର ଏଇ ବାରମ୍ବାର ପ୍ରଶ୍ନ ମୋତେ ବରାବର ଅନ୍ୟମନସ୍କ କରି ପକାଇଛି । ମୁଁ ଭୁଲିଯାଇଛି ସୁଲତାର ମୁଗ୍‍ଧ ହସ ସେତେବେଳେ ।

 

ଉତ୍ତରରେ ଶୁଭ୍ରାର ଗଳାରେ ମୋର ଦୁଇ ବାହୁ ବେଢ଼ାଇ ଆଣିଲି ।

 

ତା ପରେ–

 

–ଓଃ, ବୋଉଲୋ, ମରିଗଲି, ହେ ଭଗବାନ !

 

–କାହିଁକି ତୁମେ ସଦାବେଳେ ସେମିତି ହୁଅ କହିଲ ! ତୁମକୁ ଏକା ବେମାର ହୋଇଛି ନା କ’ଣ ?

 

ବିନତା ଅନାଇ ରହିଲା ନିର୍ବାକ ନିସ୍ପନ୍ଦ ଦୃଷ୍ଟିରେ ।

 

ଘରେ ଗୋଡ଼ ଦେଉଣୁ ନ ଦେଉଣୁ ଖାଲି–ଉଃ ଆଃ । ମଣିଷକୁ ରଖେଇ ଥୋଇ ଦେବେ ନାଇଁ । ଯେତିକି ବାହାରେ ରହୁଥିବ, ସେତିକି ଭଲ ।

 

ବିନତାର ବିନମ୍ର ଆଖିପତା ଛଳଛଳ ହୋଇଆସିଲା ।

 

କେତେବେଳେ ଆଉ ଘରେ ରହୁଛ ଯେ ! କାଶୀ କାଶୀ ଜୀବନ ଚାଲି ଯାଉଥିଲା । ଚାଲି ନ ଗଲା ବା କିଆଁ କେଜାଣି ? କହିଲି ଟିକିଏ ମୋ କତିରେ ବସ...

 

ଆଉ କହିପାରିଲାନି ସେ...

 

ଭୀରୁର ଭୟାକୁଳ ଭାଷା ତା’ କଣ୍ଠରେ–

 

କିଛି ନ ଶୁଣି ହରିଆକୁ ପଠାଇଦେଲି ଡାକ୍ତର ବାବୁଙ୍କ ନିକଟକୁ ।

 

ଡାକ୍ତର ପରୀକ୍ଷା କଲେ । ଫୁସଫୁସ ସାଂଘାତିକ ଭାବରେ ଦୁର୍ବଳ । ଯତ୍ନ ନିଅନ୍ତୁ ।

 

ଡାକ୍ତର ଚାଲିଗଲେ ।

 

ଧୀରେ ବିନତାର ମସ୍ତକକୁ ମୋ’ର କୋଳ ଭିତରେ ତୋଳି ଧରିଲି, ସ୍ତ୍ରୀ–ରାଣୀ ମୋ’ର ସେ । ଚିର ଅବହେଳିତ ମସ୍ତକରେ ଅଙ୍ଗୁଳି ସଂଚାଳନ କଲି ରହି ରହି । ଅଭିମାନିନୀର ଲୁହ-ଜୁଆର ଉଠି ଆସିଲା । କଇଁ କଇଁ ହୋଇ ସେ ଲୁହରେ ଭସାଇଦେଲା ମୋର ଜାମାର ଶେଷାଂଶ ।

 

ମୋର ଅନ୍ତର ଟିକିଏ ନରମି ଆସିଲା ।

 

ବାହାରେ କିଏ ଡାକୁଛି । ସନ୍ଧ୍ୟା ହେଲାଣି ।

 

କି ସୁଲତା, ତୁମେ ଏତେବେଳେ–

 

ଆପଣଙ୍କର ସ୍ତ୍ରୀ ଦେହ ଖରାପ କିନା, ଆସିଥିଲି ।

 

ହଁ ଟିକିଏ ଭଲ ଅଛି, ଆସ, ଆସ ।

ମୋରି ମୁହଁକୁ ଅନାଇ ସୁଲତା ହସିଦେଲା ସେଇ ହସ ଟିକକ ।

 

ମୋର ସବୁ କୋହ ଲିଭିଗଲା–ପତଳା ଫାନୁସ୍ ପରି ଆକାଶରେ ମିଳେଇଗଲା ମୋ ଭିତରର କୋମଳ ପ୍ରବୃତ୍ତି ଟିକକ । ବିନତାର ରୋଗକୁଞ୍ଚିତ କପୋଳରେ ମରଣର ତାଣ୍ଡବ ଛାଇ ମୋତେ ତା’ ପ୍ରତି ବୀତସ୍ପୃହ କରି ପକାଇଲା ମୁହୂର୍ତ୍ତକରେ ।

 

ସୁଲତା ମୋ ଦେହରେ ଘଷିହୋଇ ଚାଲିଗଲା ବିନତାର ଶେଯଆଡ଼କୁ । କି ଅଦ୍‍ଭୁତ ! ସେ ତା’ର ବାହୁଚିପା ବ୍ଲାଉଜ ତଳୁ ରୁମାଲଟିଏ କାଢ଼ି ବିନତାର ମୁହଁସାରା ପୋଛି ପକାଇଲା । ଦୁଇ ମିନିଟ୍ ପରେ ଦେଖିଲି ଦୁଇ ନାରୀ ପରସ୍ପର ସହ ମିଶି ଯାଇଛନ୍ତି ମୋର ଅବସ୍ଥିତିକୁ ଉପେକ୍ଷା କରି-

 

ଭଉଣୀ, ଟିକିଏ ଦହି ଖାଇବାକୁ ଇଚ୍ଛା ହେଉଛି । କେହି ଶୁଣୁ ନାହାନ୍ତି ।

 

ଏଥର ସୁଲତା ମୋ’ଆଡ଼େ ଅନେଇଲା ।

 

“ଆପଣ ଟିକିଏ ଦହି ଦେଇପାରନ୍ତି । ରୋଗୀର ଇଚ୍ଛାକୁ ଚାପା ଦେବାରେ କମ ବିଷାକ୍ତ ମନସ୍ତାତ୍ତ୍ଵିକ ଫଳ ଫଳେନି ବିମଳ ବାବୁ ।”

 

ଦହି ଆସିଲା ।

 

ସୁଲତା ଚାମଚେ ଦହି ପିଆଇଦେଲେ ।

 

ତୃପ୍ତିର ସ୍ପଷ୍ଟ ଅବଭାଷ ଫୁଟିଆରା ହୋଇଗଲା ସାରା ମୁହଁରେ ବିନତାର ।

 

ଆଉ ଚାମଚେ ଦହି ବାହାର କରି ସୁଲତା ମୋତେ ପଠାଇଲା ଆପଣ ଔଷଧ ଆଣନ୍ତୁ । ଏଇଥିରେ ମିଶାଇ ପିଆଇଦେବା ।

 

ସେଇଆ ହେଲା ।

 

ଔଷଧ ପୁଡ଼ିଆଟି ଅନ୍ୟ ଘରୁ ତାଙ୍କ ହାତକୁ ବଢ଼ାଇ ଦେଲି ।

 

ସୁଲତା ପୁଣି ଥରେ ମୋ ମୁହଁକୁ ଅନାଇ ଫିକ୍‍କିନା ହସିଦେଲା । ବିପର୍ଯ୍ୟସ୍ତ ହୋଇପଡ଼ିଲି ମୁଁ । ବିନତାର ଶୀର୍ଣ୍ଣ ଆଖି ଯୋଡ଼ିକରୁ ବାହାରି ଆସିଲା ଚପା ନିଶ୍ଵାସଟିଏ ।

 

ସୁଲତା ଚାଲିଯାଇଛି ।

 

ବିନତା ମୋର ଛାତିରେ ମଥା ରଖି ଚିରଦିନ ପାଇଁ ଆଖି ବୁଜିଦେଇଛି ।

 

ଡାକ୍ତରବାବୁ ବସି ବସି ଶୂନ୍ୟକୁ ଅନାଇଛନ୍ତି । ଷ୍ଟେଥୋସ୍କୋପଟା ବାଆଁ ହାତରୁ ଡାହାଣ ହାତ, ଡାହାଣ ହାତରୁ ବାଆଁ ହାତ କରୁଛନ୍ତି ଖାଲି ।

 

ସାତ ଦିନ ବିତିଯାଇଛି ।

 

ଶୁଭ୍ରା ଚିଠି ଲେଖିଛି–

 

"ବିମଳ ବାବୁ !

 

ଏ ଅସମୟରେ ଆପଣଙ୍କ ପାଖକୁ ଚିଠି ଦେଇ ଆପଣଙ୍କର ମର୍ମନ୍ତୁଦ ଯନ୍ତ୍ରଣାକୁ ବଢ଼ାଇବା ଉଚିତ ମନେ କରୁ ନ ଥିଲି । କିନ୍ତୁ କ'ଣ କରିବି ? ଆଉ ଶକ୍ତି ନାଇଁ ଆପଣଙ୍କର ଅନୁପସ୍ଥିତିକୁ ସହ୍ୟ କରିପାରିବାକୁ । ଚିଠି ପାଇ ଦୟାକରି ଟିକିଏ ଆସିବେ ।"

 

ମଟରରେ ଷ୍ଟାର୍ଟ ଦେଲି ।

 

ଶୁଭ୍ରାର ମୁହଁରେ ଆପାତ ଦୁଃଖର ଛାଇ ଦୁଇ ମିନିଟ୍ କଥାବାର୍ତ୍ତାରେ କଟିଗଲା । ମୋ ଦେହରେ ଲତାଇ ପଡ଼ି ସେ କହିଲା, "ମୋତେ କ'ଣ ଆଉ ତୁମେ ଭଲ ପାଅନି ?"

 

କାବା ହୋଇ ଅନାଇ ରହିଲି ତାଆରିଆଡ଼େ । ମୁଣ୍ଡରେ ମୋର ଝଡ଼ ବୋହୁଥାଏ । ବିନତାର ଅବହେଳିତ ମୁଖ, ସୁଲତାର ପରିଚିତ ହସ ସବୁ ସ୍ମୃତିପଟରୁ ଲିଭିଗଲା ।

 

କହି ପକାଇଲି, "ହଁ, ଏଥର ମୁଁ ତୁମକୁ ବିବାହ କରିବି ।"

 

ଶୁଭ୍ରା ଲାଜରେ ଝାଉଁଳି ପଡ଼ିଲା ।

 

ବିବାହ ହୋଇଗଲା, ବିନତା ସେ ପୁରକୁ ଚାଲିଯିବାର ଠିକ୍ ପନ୍ଦର ଦିନ ପରେ ।

 

ସୁଲତା ମୋର ବିବାହ ନିମନ୍ତ୍ରଣ ଗ୍ରହଣ କଲା ନାଇଁ, ଆସିବା ତ ଦୂରର କଥା । ତା' ଘରକୁ ଯାଇଥିଲି । ମୋତେ ଦେଖୁ ଦେଖୁ କାନ୍ଦିଉଠିଲା ସେ । ଫୁଲି ଫୁଲି ଚାଲିଗଲା ଘର ଭିତରକୁ-। ମୋର ଶତ ସାନ୍ତ୍ଵନା ଅରଣ୍ୟରୋଦନ ପରି ମିଳେଇଗଲା ବୈଠକଖାନାର ବାୟୁମଣ୍ଡଳରେ । ଫେରିଲି ।

 

ଦୁଇ ମାସ ବିତିଯାଇଛି ।

 

ହଠାତ୍ କାଇଁକି ଇଚ୍ଛା ହେଲା, ସୁଲତାର ଘରଆଡ଼େ ବୁଲି ଆସେ । ଶୁଭ୍ରାର କମ୍ର ବାହୁବନ୍ଧନରୁ ନିଜକୁ ମୁକୁଳାଇ ଦୁଇ ମାସ ପରେ ପୁଣି ଥରେ ମଟରର ଷ୍ଟିଅରିଙ୍ଗ୍ ଧରିଲି ।

 

ପୂର୍ବର ସେଇ ପରିଚାରିକା ଚାଲିଆସିଲା । ବେଦନାରେ ଅଙ୍ଗ ତାର ଗୁରୁ । ପଚାରିଲି, "ଦିଦି ? "

 

ଦିଦି ଶକ୍ତ ବେରାମ । ଡାକ୍ତର ତାଙ୍କୁ ଜଗି ବସିଛନ୍ତି ।

 

ମୋତେ ଖବର ଦେଲନି ?

 

ସେ ମନା କରିଥିଲେ ।

 

ଧଡ଼ାସ୍‍କିନା ଘର ଭିତରକୁ ପଶିଗଲି ।

 

ସୁଲତାର ଆଖିରୁ ଧାର ଧାର ଲୁହ ଗଡ଼ିଯାଉଛି । ମନେ ପଡ଼ିଗଲା ଠିକ ଦୁଇ ମାସ ତଳେ ବିନତାର ମୁଖମଣ୍ଡଳର ଛବି । ସୁଲତା ମୋ ଆଡ଼କୁ ଅନେଇଲା । ଏତେ ଦିନ ପରେ ତା'ର ନିୟମର ବ୍ୟତିକ୍ରମ ଘଟିଲା ଆଜି । ମୋ ଆଡ଼କୁ ଅନେଇ ମଧ୍ୟ ସେ ପୂର୍ବର ହସ ଟିକକ ଆଉ ହସିଦେଲା ନାଇଁ । ମୁହଁ ବୁଲାଇନେଲା ଅନ୍ୟ ଆଡ଼େ ।

 

ଡାକ୍ତରବାବୁ ନାଡ଼ି ପରୀକ୍ଷା କରୁଥିଲେ । ଚୌକିଟାଏ ଟାଣି ଆଣି ବସିପଡ଼ିଲି ଡାକିଲି–ସୁଲତା !

 

ଗୋଟିଏ ଅଥର୍ବ ସ୍ଥାଣୁ ପ୍ରତିମା ପରି ସେ ମୋ ଆଡ଼େ ଚାହିଁ ରହିଲା । ସତେ ଅବା କେଉଁ ଫସିଲ ଯୁଗର ନାରୀ ସେ–ମୋ ଭାଷା ତା’ର ବୋଧଗମ୍ୟ ହେଉ ନାଇଁ ।

 

ହାତ ଦୁଇଟା ତା’ର ଛାତିରୁ ସଧୀରେ ତୋଳିଆଣିଲି ।

 

ବନ୍ଧ ଭାଜିଗଲା । ଆଖିରୁ ଝରିଆସିଲା ଟୋପା ଟୋପା ତତଲା ଅଶ୍ରୁ । ଡାକ୍ତରବାବୁ ବାରଣ କଲେ । ମୁଁ ସାନ୍ତ୍ଵନା ଦେଲି ।

 

ବହୁକଷ୍ଟରେ ନିଜକୁ ସଂଯତ କରି କହିଲା ସେ–

 

ଆସିଲେ ଭଲ କଲେ । ମୃତ୍ୟୁ ପୂର୍ବରୁ ଜୀବନର ଗୋଟାଏ ହିସାବନିକାଶ ନ ହୋଇ ମରିଥିଲେ ପ୍ରେତାତ୍ମା ମୋ’ର ଶାନ୍ତି ପାଇ ନଥାନ୍ତା ।

 

ମୁଁ ତାକୁ କଥା ନ କହିବାକୁ ଅନୁରୋଧ କଲି । ମାନିଲାନି । ପଚାରିଲା–

 

ଶୁଭ୍ରା ଭଲ ଅଛି ?

 

ହଁ, ସେମିତି ।

 

ଆଜି କିପରି ମୁକୁଳି ଆସିଲେ ତା’ର ବାହୁବନ୍ଧନରୁ ?

 

କଣ୍ଠସ୍ଵର କ୍ଷୀଣତର ହୋଇ ଆସୁଥିଲା ।

ଛାଡ଼ନ୍ତୁ, କହିଚାଲିଲା ସେ, ସେଥିରେ ମୋର କିଛି ଯାଏ ଆସେ ନାଇଁ । ଆଜି ସେପାରିର ବଂଶୀ ଶୁଣୁଥିଲା ବେଳେ ଏ ପାରିର ବଂଶୀବାଦକର ପକ୍ଷପାତିତା ଉପରେ ସମାଲୋଚନା କରିବି ନାଇଁ ।

ମୁଁ ତୁମର ଯୋଗ୍ୟ ନୁହେଁ ବିମଳ ବାବୁ ! ମୋର ସବୁ ଆଶା ବିଫଳ ହୋଇଛି । ଆଜି ଜୀବନ-ଦୀପ ଲିଭିଗଲା ବେଳେ ମୋର ଧୂସର ଅତୀତକୁ ଅନାଉଛି ଖାଲି ।

ବ୍ୟସ୍ତ ହୁଅନି ଲତା, ଶୋଇପଡ଼ । ଦେହ ଭଲ ହେଲେ କଥାବାର୍ତ୍ତା ହେବା ।

ଭଲ ଆଉ ହେବିନି ମୁଁ । ଆପଣ ଆଉ ଡରନ୍ତୁ ନାଇଁ । ବିନତାକୁ ସିନା ଦୂର କରିଦେଲ, ଶୁଭ୍ରାକୁ ଠେଲି ଦେବାର ଶକ୍ତି ଓ ଆତ୍ମବିଶ୍ଵାସ ମୋର ନାଇଁ ।

କ’ଣ କହୁଛ ତୁମେ ?

କିଛି ନାଇଁ.....ଆଚ୍ଛା ବିମଳବାବୁ, ବିନତା ମଲା କିପରି ?

ଅସମ୍ଭବ ପ୍ରଶ୍ନ ! ରାଜଯକ୍ଷ୍ମାରେ ମଲା ପରା !

ହାଃ ହାଃ ହାଃ, ସେଇ ଆଲମାରି ଭିତରେ ଯୁ’ଶିଶି ଦିଶୁଛି ତା’ର ଭିତରେ ଯୁ’ଗୁଣ୍ଡ, ସେଇ ମାରିଚି ବିନତାକୁ ।

ମାନେ ?

ମାନେ ଅତି ସହଜ । ସେଦିନ ସନ୍ଧ୍ୟାରେ ଔଷଧ ପାଇଁ ଆପଣ ଅନ୍ୟ ଘରକୁ ଯାଇଥିଲାବେଳେ ଦହି ଚାମଚରେ ଏଇ ଗୁଣ୍ଡ ମୋର ଏଇ ହାତ ମିଶାଇଥିଲା । ଜାଣି ଜାଣି ଅଭାଗିନୀର ଜୀବନଦୀପକୁ ଫୁଙ୍କି ଲିଭେଇଦେଲି ମୁଁ ମୋର ଭବିଷ୍ୟତକୁ ତୋଳି ଧରିବା ପାଇଁ । ଏଇ ଡାକ୍ତରବାବୁ ପୋଷ୍ଟମର୍ଟମ କରି ଯକ୍ଷ୍ମାରେ ମୃତ୍ୟୁ ବୋଲି ସାର୍ଟିଫିକେଟ ଲେଖିଦେଲେ ମୋ’ଠାରୁ ଟଙ୍କା ନେଇ । ଆଉ ମୁଁ ? ଆଜି ଏଇଠି...

ହତାଶ ପ୍ରାଣର ଝୋଲମରା ହାହୁତାଶ ମୋର ଦିଗୁଣିତ ହୋଇଆସିଲା ତୁମର ଅପ୍ରତ୍ୟାଶିତ ବିବାହ ନିମନ୍ତ୍ରଣ ପାଇ । ସେଇଦିନୁ ମୁଁ ଶଯ୍ୟାଶାୟୀ ହୋଇଛି । କଳ୍ପନାର ଫୁଲଝର ମୋର ଜଳିଯାଇଛି । ଅନୁତାପ ତୁଷାନଳ ମତେ ପଳେ ପଳେ ଦହିପକାଇଛି ।

ଆଉ ଏ ଜୀବନରେ ବୋଧେ ଦେଖା ହେବନି–ନମସ୍କାର ।

ମୁଁ ବୋକାଙ୍କ ପରି ଅନାଇ ରହିଥାଏ ।

ସୁଲତାର ସୁଠାମ ମୁହଁ ହଠାତ୍ ରୋଗର ଯନ୍ତ୍ରଣାରେ ବିକୃତ ହୋଇଗଲା । ମୁଁ ଭୟ ପାଇ ଡେଇଁ ପଡ଼ିଲି । ସେ ଟିକିଏ ହସିଦେଲା । ଏ ଅନ୍ତିମ କାଳରେ ପୁଣି ତା ଓଠ ଦିଓଟିରୁ ଝରିପଡ଼ିଲା ସେଇ ହସ ଟିକକ ବିଦାୟର ବିଜୟ-ନିଶାଣ ଉଡ଼ାଇ ।

ମୁଁ ଥରେ ତାକୁ, ଥରେ ତା’ର ସପ୍ତଦଶ ବର୍ଷର ପ୍ରତିକୃତିକୁ ଅନାଉଥାଏ ।

Image

 

କମ୍ପନ ଥମିଯାଏ

–କ–

 

ଚାଳିଆଟି ଭିତରେ ଜହ୍ନ ଆଲୁଅ ତିଳ ତଣ୍ଡୁଳିତ ହୋଇ ପଡ଼ିଛି ବଡ଼ ବିପର୍ଯ୍ୟସ୍ତ ଭାବରେ-

 

ଶଇଳାର କପୋଳରେ ଅରାଏ ଜ୍ୟୋତ୍ସ୍ନା । ତା’ରି ଭିତରେ ଫିକା କଅଁଳିଆ ବାଳ କେରାକ ସଜାଡ଼ି ଦେଉ ଦେଉ ଛାତି ଭିତରେ ମୋର ମୁହଁ ପୂରାଇଦେଲା ସେ । ଆଶ୍ଵସ୍ତିର ଗଭୀର ଦୀର୍ଘନିଶ୍ଵାସ ବୁକୁତଳୁ ନିଗିଡ଼ି ପଡ଼ିଲା ନିଜର ଅଲକ୍ଷ୍ୟରେ ।

 

ଅଙ୍ଗୁଳିରେ ଚିବୁକକୁ ଅଳ୍ପ ଉଠାଇ ଧରି ପଚାରିଲି–

 

ଏ କ’ଣ ? ଏ ଦୀର୍ଘନିଶ୍ଵାସ କାହିଁକି ?

 

ମୌନ ରହିଲା ସେ ।

 

ଘର ଗୋଟାକର କାମ ସାରି, ଶାଶୁ, ଶ୍ୱଶୁରଙ୍କ ପଦ ମଞ୍ଚାଳି ଶଇଳା ଯଦି ମୋର ଛାତିରେ ଢଳିପଡ଼େ ଆଉ ତୃପ୍ତିରେ ନିଶ୍ଵାସଟିଏ ମାରେ, କି କୈଫିୟତ ଦେବ ସେ ତା’ର ?

 

ମୌନ ରହିଲା ସେ ।

 

ବହୁତ ପରିଶ୍ରମ କରିବାକୁ ପଡ଼ୁଛି ତୁମକୁ–ନୁହେଁ ?

 

ପଡ଼ୁଛି ନିଶ୍ଚୟ; କିନ୍ତୁ ତୁମର ନରମ ଛାତି ଭିତରେ ମୁହଁ ଗୁଞ୍ଜିଦେଲେ ସବୁ ମୁଁ ଭୁଲିଯାଏ; ସବୁ ମୋତେ ଲାଗେ ସ୍ଵପ୍ନ ପରି....

 

ମୃଦୁଳ କପୋଳରେ ଚୁମ୍ବନ ଲେଖୁ ଲେଖୁ ହସରେ ଲୋଟି ପଡ଼େ ସେ । ଆଲିଙ୍ଗନରେ ଅଙ୍ଗ ତା’ର ଉଡ଼ାଇ ରଖି ମୁଁ ଝରକା ଫାଙ୍କରେ ଅନାଇ ରହେ ଆକାଶରେ ଧବଳ ନୌକା ସମ ବେଗବତୀ ଚନ୍ଦ୍ରମାଆଡ଼େ ।

 

କେଡ଼େ ସୁନ୍ଦର ଏଇ ନିର୍ଜନ ରାତ୍ରି...

 

ପଚାରେ–

 

ରାଣୀ, ସତେ କ’ଣ ତୁମେ ମୋତେ ଅନ୍ତରଭରି ଭଲପାଅ ?

 

ଆମ ଦୁହିଁଙ୍କ ଭିତରେ ଚୁକ୍ତି ହୋଇଥାଏ ଯେ କୌଣସି ପ୍ରଶ୍ନର ଉତ୍ତରରେ ଯଦି ‘ହଁ’ କିମ୍ବା ‘ନାଇଁ’ କହିବାକୁ ପଡ଼ିବ, ତେବେ ତାହା ମୁହଁରେ ନ କହି ଚୁମ୍ବନରେ ଜଣାଇଦେବାକୁ ପଡ଼ିବ । ‘ହଁ’ ପାଇଁ ଦୁଇଟି ଚୁମ୍ବନ ଓ ‘ନାଇଁ’ ପାଇଁ ଗୋଟିଏ ।

 

ଶଇଳା ଉତ୍ତରରେ ଦୁଇଟି ଚୁମ୍ବନ ଆଙ୍କିଦେଲା ମୋ’ର କପୋଳରେ ।

 

ଶିହରି ଉଠିଲି ।

 

ଫଗୁଣ ଜ୍ୟୋତ୍ସ୍ନାର ଭୀରୁ ଅଭିସାର ଭିତରେ ସତେ ଯିମିତି ମୁଁ ନିଜକୁ ହଜେଇଦେଲି ।

 

ତା’ପରେ ଚାଲେ ଅନନ୍ତ କଳ୍ପନାର ଅଫୁରନ୍ତ ବିକାଶ । ଡବଲ୍ୟୁ ବି. ଇଟ୍‍ସଙ୍କର ଲେକ୍ ଆଇଲ୍‍ର ପଳାୟନପନ୍ଥୀ ମତବାଦଠାରୁ ଆରମ୍ଭ କରି ଦାନ୍ତେଙ୍କର ପ୍ରେମ-ପ୍ରବୀଣ ସନେଟ୍ ପର୍ଯ୍ୟନ୍ତ...

 

ବହୁତ ଅନୁରୋଧ ପରେ ଶଇଳା ଗୀତ ବୋଲେ କୋକିଳର କୁହୁତାନକୁ ବଳି ସେ ସଙ୍ଗୀତ–ପ୍ରଭାବିତ କରେ, ଧମନୀରେ ରକ୍ତ ନଚାଏ, ବିପ୍ଳବର ଆବାହନୀ ତୋଳେ, ପ୍ରାଣ ତନ୍ତ୍ରୀ ମୋର ଥରିଉଠେ ମୁହୂର୍ତ୍ତକ ପାଇଁ ।

 

“ଶଇଳା କହେ, ତୁମେ ମୋଠୁଁ ଗୀତ ଶୁଣୁଛ, ନିଜେ ତ ବୋଲୁନା ।”

 

–ମତେ ଯେ ଗୀତ ବୋଲିଆସେ ନାଇଁ ।

 

–ତୁମେ ଯେଉଁ କବିତାସବୁ କଣ୍ଠ ଝାଡ଼ି ଆବୃତି କର ମୁଁ ନ ଥିଲା ବେଳେ, ତାକୁଇ ବୋଲ ।

 

ଆଶ୍ଚର୍ଯ୍ୟ ହୁଏ, ସେ ନଥିଲାବେଳେ ମୁଁ ଯେ କଅଣ କରେ, ଶତ ଗୃହକର୍ମ ସତ୍ତ୍ୱେ ବି ସେ ସେଥିରେ କାନ ଦେଇଥାଏ କିମିତି କେଜାଣି ?

 

ନୂଆ ଶୀତରାତ୍ରି ସରିଆସେ......

 

ନବବିବାହିତ ଜୀବନରେ ମୋ’ର ସ୍ଥଳପଦ୍ମ ଫୁଟିଉଠେ ସତେ ।

Image

 

–ଖ–

 

ଶୋଇପଡ଼ ରାତି ବେଶୀ ହେଲାଣି–

 

କର ଲେଉଟାଇ ନେଇ ଧୀରେ ସଂଯତ ସୁରରେ କହିଲି ମୁଁ ।

 

ବିରାଟ କୋଠିଟାର ଶକ୍ତ ପଲଙ୍କ ଉପରେ ମ୍ଳାନ ଜ୍ୟୋତ୍ସ୍ନା ବିସ୍ତାରିତ ହୋଇପଡ଼ିଛି । ମଝିରେ ମଝିରେ ଝରକାର ଲୁହା ରେଲିଂଗୁଡ଼ା ବିକଟ ଛାୟା ଧରି ଖଟ ଉପରେ ପ୍ରତିଫଳିତ ଉଠିଛି-

 

–କାଲି ସକାଳେ ଦୁଇଟା କେସ, ଦୁଇ ଶହ ଟଙ୍କା କରି ଆଡ଼ଭାନ୍‍ସ ଆଣିସାରିଛି; କ’ଣ ହେଉଛି କେଜାଣି ? କେତେ ଭାବିବାକୁ ପଡ଼ିବ ଏଇସବୁ ନେଇ ।

 

ଶଇଳାର ବକ୍ଷ ଦୋହଲାଇ ଦୀର୍ଘନିଃଶ୍ଵାସ ବାହାରିଗଲା । ଆଜିର ଏ ଦୀର୍ଘନିଃଶ୍ଵାସ ଆଶ୍ଵସ୍ତିର ଦୀର୍ଘନିଃଶ୍ଵାସ ନୁହେଁ, ତା’ର ତଳେ ଲୁଚି ରହିଥିଲା ଶତ ଆଶ୍ରୁଳ ବେଦନା, ହାହାକାର !

 

ଭ୍ରୂକ୍ଷେପ କରି ନଥିଲି ମୁଁ ।

 

ଘରର ସମସ୍ତ କାମ କରିବା ପାଇଁ ଚାକର ଆଉ ପୂଜାରୀ ଅଛନ୍ତି, ପୁଣି କାହିଁକି ଏ ଦୀର୍ଘଶ୍ଵାସ ?

 

–ଶୁଣୁନ–ଆଜି ଗୋଟାଏ ନୂଆ ଗୀତ ରେଡ଼ିଓରେ ଦେଇଥିଲା ଲକ୍ଷ୍ନୌରୁ......

 

ଭୀରୁ ପରାଜିତାର ମନୋବୃତ୍ତି ତା ଭିତରେ ।

 

–ଶୋଇପଡ଼ କହୁଛି, ମିଛରେ କାହିଁକି ବକବକ ହୁଅ କହିଲ ? ତୁମର ସିନା ଦିନ ସରୁନି ଯେ ରେଡ଼ିଓ ଲଗେଇଛ !

 

ବହୁତ କିଛି ପରିବର୍ତ୍ତନ ହୋଇଯାଇଛି ।

 

ଜୀବନ-ସମରରେ ମୁମୂର୍ଷୁ ସୈନିକର ମନୋବୃତ୍ତି ଛାତି ତଳେ ମୋର ସୃଷ୍ଟି କରିସାରିଛି ଅସଂଖ୍ୟ କ୍ଷତ । ସ୍ଫୁଟୋନ୍ମୁଖ ପୁଷ୍ପକଳିର କମୋଳିମା ଉପରେ ଗ୍ରନ୍ଥିବହୁଳ ଅସଂଖ୍ୟ ଉତ୍ପୀଡ଼ନର ଦାଗ ଭିତରୁ ତା’ର ସୁରଭି ପରାଗ ଟିକକ ଉଡ଼ିଯାଇଛି ।

 

ଚାରୁ ଚାନ୍ଦିନୀର ତନ୍ଦ୍ରିଳ ପ୍ରଭାବ ମନ ଭିତରେ ଏତେ ଟିକିଏ ସ୍ଫୁରଣ ବି ସୃଷ୍ଟି କରିପାରୁନି ଆଜି ।

 

ଭିତରର ଶିଶୁ-କବି ମୋର ମରିଯାଇଛି ।

 

ଶଇଳା ପୁଣି ଥରେ ଦୀର୍ଘନିଃଶ୍ଵାସ ମାଇଲା ।

 

–ସେ ପଟକୁ ମୁହଁ କରି କାହିଁକି ଶୋଇଛ କହିଲ ?

 

ଏ ପାଖେ ଦେଖ, କି ସୁନ୍ଦର ଧବଳ ଜ୍ୟୋତ୍ସ୍ନା, ଗତାୟୁ ତମସାର ଫେନିଳ, ଉତ୍ତରଳ ଆତ୍ମସମର୍ପଣ; ଅଶ୍ରୁର ଅସହଣି ବନ୍ୟା ।

 

ଉତ୍ତର ଦେଇପାରିଲିନି ।

 

ଦିବସର କର୍ମକ୍ଳାନ୍ତ ଆଖିପତା ମୋର ଲାଗିଯାଉଥିଲା ।

 

ଖାଲି ସ୍ଵପ୍ନ ପରି ଶୁଭୁଥାଏ ଶଇଳାର ଅପସରାବିନିନ୍ଦି କଣ୍ଠସ୍ଵର ।

 

ଯଥେଷ୍ଟ ଆଘାତ ପାଇଲା ଶଇଳା ଏଥର ବୋଧହୁଏ ।

 

ଉତ୍ତେଜିତା ସର୍ପିଣୀ ପରି ଗର୍ଜିଉଠିଲା ହଠାତ୍‍ । ଦୁଇ ହାତରେ ଦୁଇ କାନ୍ଧକୁ ମୋର ହଲାଇଦେଇ ସେ କହିଲା–

 

–ନାଇଁ, ତୁମେ ଶୋଇପାରିବ ନାଇଁ ।

 

ଶଇଳାର କମ୍ର ମୁଖମଣ୍ଡଳ ଉପରେ ଚନ୍ଦ୍ରିକା ଇନ୍ଦ୍ରଜାଲ ରଚିତ ସତେ ! ଗୋଲ ଗୋଲ ସୁନାର କାନଦୁଲ୍‍ ଦୁଇଟା ମାଂସଳ କପୋଳକୁ ଆମନ୍ତ୍ରଣ କରି ଲମ୍ବି ଆସିଛି ରକ୍ତିମ ଅଧିରର ସୀମାନ୍ତ ଯାଏଁ..... । ଆକର୍ଣ୍ଣବିସ୍ତୃତ ଭ୍ରୂଲତା ତଳେ ଇନ୍ଦୀବର-ନୀଳ ଚକ୍ଷୁ ଯୁଗଳରୁ ବଡ଼ ଅସ୍ଵାଭାବିକ ଭାବରେ ବାହାରିଆସୁଛି ଦୁଇଧାର ନିଆଁର ଝଲକ ଧକ ଧକ ହୋଇ ।

 

ଏଡ଼େ ସୁନ୍ଦର ରୂପ ଭିତରେ ଏ ପ୍ରଚଣ୍ଡତା ଲୁଚି ରହିଥିଲା କିମିତି ?

 

ଆଶ୍ଚର୍ଯ୍ୟ ହେଲି.....

 

ସବୁଦିନ ସକାଳୁ ରାତି ଏଗାରଟା ଯାଏଁ କୁଆଡ଼ୁ ବୁଲିବୁଲି ଫେରିବ । ରାତିରେ ଟିକିଏ ଅବସର, ଟିକିଏ ଫୁରୁସତ୍‍; ଟିକିଏ ପ୍ରାଣ ଖୋଲି କଥାବାର୍ତ୍ତା କରିବସିଲା ବେଳକୁ ଯଦି ଇମିତି କର ଲେଉଟେଇ ସବୁଦିନ ଘୁଙ୍ଗୁଡ଼ି ମାରିବି.......

 

ମୋ ଜୀବନର ସଂପୂର୍ଣ୍ଣତା କେବଳ ଏଇ କୋଠାଘର ଭିତରେ ବିଜୁଳି ପଙ୍ଖା ତଳେ ରେଡ଼ିଓ ବଜାଇ ବଜାଇ ଆପଣାର ଯଉବନକୁ ଝରାଇଦେବାରେ ନୁହେଁ......

 

ସେ ନିମନ୍ତେ ମୁଁ ତ ତୁମକୁ ବିବାହ କରି ନଥିଲି, ଦେବତା ମୋ’ର ! ତା ଅପେକ୍ଷା ବରଂ ଆମର ସେଇ ଗାଆଁର ଦରିଦ୍ର କୁଟୀରରେ ବନ୍ଧୁଗହଣରେ ବେଶ୍‍ ଥିଲି ମୁଁ ।

 

ଅବିଶ୍ରାନ୍ତ ବାର୍ତ୍ତାର ବନ୍ୟା କିଞ୍ଚିତ୍‍ ଗତିରୋଧ କଲା ।

 

ଶୁଣିଥିଲି......

 

କୁହ ପ୍ରିୟତମ, ସତେ କ’ଣ ତୁମେ ମୋତେ ଆଉ ଭଲ ପାଉ ନାହଁ ? କାହିଁ ପୂର୍ବର ସେଇ ଉଷ୍ମ ଚୁମ୍ବନ ତ କେତେଦିନୁ ତୁମଠାରୁ ମୁଁ ପାଇ ନାହିଁ !

 

ସତ କୁହ........ସତ କୁହ ତୁମେ !

 

ଶଇଳାର ଅଙ୍ଗଯଷ୍ଟି ଘନ ଘନ କମ୍ପି ଉଠୁଥାଏ । ଶିଥିଳ ଜୁଡ଼ା ଶିଥିଳତର ହୋଇ ଛାତି ଉପରେ ମୋର ଲୋଟି ପଡ଼ିଲାଣି ସେତେବେଳକୁ । ନିରାଶାର ସ୍ପଷ୍ଟ ପ୍ରତୀକ ପରି ଝଋ ପଡ଼ିଥିଲା ଦୁଇ ତିନିଟା ଧଳା ମଲ୍ଲୀଫୁଲ......

 

ଆପଣାର ପୃଥୁଳ ବକ୍ଷ ଛାତି ଉପରେ ମୋ’ର ଚାପି ଧରି ସେ କହୁଥାଏ ।

 

ଘୃଣାରେ ନାସିକା ମୋର କୁଞ୍ଚିତ ହୋଇଗଲା ।

 

–କ’ଣ, ତୁମକୁ ଆଜି ପାଗଳାମି ଲାଗିଲାଣି କି ? ରାତି କେତେ ହେଲାଣି, ଦେହ ପରା ଖରାପ ହବ–ଶୋଇପଡ଼ ।

 

–ଶୋଇ ପଡ଼ିବି ? ଆଦୌ ଶୋଇବିନି ମୁଁ ଆଜି । ତୁମେ ଯେ ମତେ ଆଜି ପାଗଳ କରାଇ ଦେଇଛ ।

 

ପ୍ରିୟ ମୋ’ର, ସତେ କ’ଣ ଏତେ ଶୀଘ୍ର ଭୁଲିଗଲଣି ସେ ଦିନର ଏଇ ଜ୍ୟୋତ୍ସ୍ନାଧୌତ ରାତ୍ରି ? ଏହାକୁ ମିଶାଇ ମାତ୍ର ପାଞ୍ଚୋଟି ଆଶ୍ଵିନ ପୂର୍ଣ୍ଣିମା ବିତିଯାଇଛି ଇତି ମଧ୍ୟରେ । ଇଆରି ଭିତରେ ତୁମର ଏ ପରିବର୍ତ୍ତନ, ଏ ହତାଦାର କାହିଁକି ?

 

ସତ କୁହ..... ସତ କୁହ ପ୍ରିୟତମ, ତୁମେ ଆଉ କାହାରି ପ୍ରେମରେ ପଡ଼ିନାହଁ ତ !

 

ଚମକି ପଡ଼ିଲି ।

 

ଶଇଳାର ସନ୍ଦିଗ୍‍ଧ ଆଖିପତାତଳୁ ଏଇ ନୀରବ ଅଭିଯୋଗ ଆଜି ଭାଷା ପାଇଛି ସତେ ଯିମିତି ବହୁ କଷ୍ଟରେ.... । କି ଘୃଣ୍ୟ, କି ନୀଚ ଏ ହୃଦୟ ! !

 

ଛାତି ଭିତରେ ମୋର ଅଗ୍ନି ସଂଯୁକ୍ତ ହେଲା ମୁହୂର୍ତ୍ତକରେ । ସଂଯମର ବନ୍ଧ ଏଡ଼ି କହିଲି–

 

–ତୁମେ କ’ଣ ଶେଷକୁ ଏଇଆ ବିଶ୍ଵାସ କଲ ? ସାରାଦିନ ଖଟି ଖଟି ତୁମକୁ ସୁଖୀ କରାଇବାର ପ୍ରତିଦାନ କ’ଣ ଏଇଆ ? ଦୂର ହୁଅ ମୋ’ ସମ୍ମୁଖରୁ–ତୁମର ସାନ୍ନିଧି ଆଜି ଦୁର୍ବହ ହୋଇପଡ଼ିଛି–ତୁମେ ଚାଲିଯାଅ ।

 

ଛାତି ଉପରୁ ଶଇଳାକୁ ପେଲିଦେଲି ।

 

ଚକ୍ଷୁ ଫଟାଇ ଅଶ୍ରୁର ନିର୍ଝର ତିନ୍ତାଇଦେଲା ତା’ର କପୋଳ । ମନ ମୋର ଦୁର୍ବଳ ହୋଇଆସୁଥିଲା– ପାଷାଣ ପରି ଅନ୍ତରକୁ ମୋର ଦୃଢ଼ କରି ପୂର୍ବପରି ମୁହଁ ଫେରାଇ ଶୋଇ ରହିଲି ।

 

ଧୀରେ ଧୀରେ ଶଯ୍ୟା ତ୍ୟାଗକରି ଉଠିଲା । ପାଦ ଦୁଇଟା ମୋର ଦୁଇ ହାତରେ ଧରି ତହିଁରେ ଆପଣାର ମୁଣ୍ଡ ଲଗାଇ କହିଲା, ‘‘କ୍ଷମା କର ଦେବତା, ମୋ ଭୁଲ ପାଇଁ ଶାସ୍ତି ଦିଅ ।”

 

ଅଶ୍ରୁଳ ସେ ଭାଷା, କକର୍ଥନାଭରା ସେ ନିବେଦନ !

 

କର୍ଣ୍ଣପାତ କରିପାରିଲି ନାଇଁ ସେଥିପ୍ରତି !

 

ମୁଣ୍ଡ ଭିତରେ ମୋର ସଇତାନ କ୍ରୀଡ଼ା କରୁଥାଏ ।

 

ପାଦ ଦୁଇଟା ଛାଟିଦେଲି ।

 

ଅଦୂରରେ ଶଇଳା ପଡ଼ିଗଲା ।

 

ଭାବୁଥିଲି, ଯେଉଁ ସ୍ତ୍ରୀ ସ୍ଵାମୀକୁ ସନ୍ଦେହ କରେ, ତାକୁ ହୁଏତ ଏହା ହିଁ ଉପଯୁକ୍ତ ଶାସ୍ତି...

 

ମନେ ମନେ ଉତ୍କଟ ଆନନ୍ଦ ଲାଭ କରୁଥିଲି ।

 

ଭିତରର ଆହତ ପୌରୁଷ ମୋର ଗର୍ଜୁଥାଏ ।

 

କ୍ଳାନ୍ତ ତନୁ ଶେଷକୁ ଅବଶ ହୋଇପଡ଼ିଲା ।

 

ଆପଣାକୁ ସଧୀରେ ତୋଳିଧରି ରୋରୁଦ୍ୟମାନା ଶଇଳା ଭୂଇଁରେ କାନି ପାରି ନିଦ୍ରା ଗଲା ।

 

–ଗ–

 

ନମସ୍କାର ମିଷ୍ଟର୍‍ ଦାସ, କ’ଣ ଦୁଇ ଦୁଇଟା କେସରେ ଜିତିଲେ, ଖାଇବାକୁ କାଇଁ ?

 

ପଛଆଡ଼ୁ ଚିତ୍କାର କଲା ଶାନ୍ତିଲତା, କୁମାରୀ ଶନ୍ତିଲତା ପ୍ରଧାନ, ଏଇ ବର୍ଷ ଲ’ ପାଶ୍ କରି ନୂଆ ହୋଇ ଓକିଲାତି ଆରମ୍ଭ କରି ଦେଇଛି ଓଡ଼ିଆ ଝୁଅମାନଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି !!!

 

ଆଖିରେ ତା’ର ଔଜଲ୍ୟ ନାଇଁ; ବକ୍ଷତଳର ସୁରା ସରିଯାଇଛି ।

 

କୁତ୍ରିମ ପ୍ରଚକ୍ଷୁ ତଳେ କଣେଇ କଣେଇ ଚାହିଁ ମୃଦୁ ହସୁଛି ସେ... ।

 

ଦୁଇଟାଯାକ କେସରେ ଜିତିଛି । ମନ ଫୁର୍ତ୍ତି ଥାଏ; କିନ୍ତୁ ଘରକୁ ଯିବା କଥା ଭାବିଦେଲା ବେଳକୁ ମନ ମାରି ଯାଉଥାଏ ପୂରାପୂରି । ପୁଣି ହୁଏତ ହେବ କାଲି ରାତ୍ରି ପ୍ରହସନର ପୁନରାଭିନୟ । ଛାତି ଭୟରେ ଥରିଉଠିଲା । ଆଖି ଆଗରେ ନାଚିଗଲା ଶଇଳାର ପ୍ରଚଣ୍ଡ ମୁହଁର ରେଖାଗୁଡ଼ାକ ।

 

କହିଲି–କିଛି ପରବାଏ ନାଇଁ; ଚାଲନ୍ତୁ ସିନେମା ଯିବା; ଆଉ ଗ୍ରାଣ୍ଡ ହୋଟେଲ ହୋଇ ଫେରିବା ତାପରେ ।

 

–ଧନ୍ୟବାଦ–

 

କୃତ୍ରିମ ରକ୍ତିମାଯୁକ୍ତ ଓଠ ଦିଫାଳିରୁ ବାହାରିଆସିଲା ଶାନ୍ତିଲତାର ।

 

ନୂଆ ହୋଇ ନାରୀର– ଅନ୍ୟ ଜଣେ ନାରୀର ସାନ୍ନିଧ୍ୟ ।

 

କଳ୍ପନାର ହୁଏତ କେତେ କିଶୋରୀ ମନର ନାୟିକା ହୋଇଥିବେ;

 

କିନ୍ତୁ ବାସ୍ତବରେ ଯେ.....

 

ସିନେମା ଚାଲିଛି ।

 

ନ ଜାଣିଲା ପରି ଶାନ୍ତି ଆପଣା ହାତ ମିଳାଇ ଦେଇଛି ମୋ ହାତରେ । ଭୟରେ ଶିହରି ଉଠିଲି ମୁଁ ।

 

ଶାନ୍ତିଲତା ଆଉଜି ଆସିଲା ମୋ ଆଡ଼କୁ.... ଦେହର ସମସ୍ତ ଭାର ଲଦିଦେଲା ଜିମିତି ମୋ ଉପରେ.... ।

 

ନୂତନର ରୋମାଞ୍ଚ ଛାତିଭିତରେ କୁହୁକ ସୃଷ୍ଟି କରୁଥାଏ ।

 

ଗ୍ରାଣ୍ଡ ହୋଟେଲର ସୁସଜ୍ଜିତ କ୍ୟାବିନ...ନିରୋଳା, ଏକାଟିଆ, ପାଖରେ ଶାନ୍ତି–ଶିଥିଳବକ୍ଷା, ଆଲୁଳାୟିତା ଶାନ୍ତି....ଓଠାରେ ତା’ର ଗଭୀର ସମଭୋଗର ସ୍ପଷ୍ଟ ଇସାରା, ବୃଭୁକ୍ଷୁ କପୋଳ ତଳେ ଚୁମ୍ବନର ଆମନ୍ତ୍ରଣ....

 

ଲୋଳିତ ଚମଡ଼ା ଉପରେ ଅଧରର ସ୍ପର୍ଶ ।

 

ଯେଉଁ ଅଧର ପାଇଛି ଆଜି ରକ୍ତସୁରାର ମନମୋହିନୀ ସ୍ପର୍ଶ ନୂତନ ଏକ…. ମାଂସ ଚପ୍‍ ଆସିଛି, ମାଛ କଟଲେଟ ଆସିଛି । ପ୍ରାଣରେ ନିଆଁ ଲାଗିଛି ।

 

ଶାନ୍ତିର ପୃଥୁଳ କଟି ଚାରିପାଖରେ ବେଷ୍ଟିତ ହୋଇଆସିଲା ମୋର ବାହୁ, ଢଳିପଡ଼ିଲା ଶାନ୍ତିର ବିପୁଳ ବପୁ ମୋ ଉପରେ.....

 

ଶୀତ ସନ୍ଧ୍ୟାର ନିର୍ଜନ କୋଠରି ।

 

ଶାନ୍ତିଲତା ବାଧା ଦେଲାନି....

 

ପୁଲକି ଉଠିଲା କେବଳ.....

 

–କୁଆଡ଼େ ଥିଲା ଏତେବେଳଯାଏ–ସତ କୁହ ।

 

କାନ୍ଥ ଘଣ୍ଟାରେ ବାଜିଲା ବାରଟା ।

 

ଇସ, କ’ଣ ଖାଇଛ ? ତୁମେ ମୁହଁରୁ କି ଗନ୍ଧ !!

 

କିଛି ନାହିଁ, ଶୋଇପଡ଼ ।

 

ଅସ୍ଵାଭାବିକ ଗମ୍ଭୀର ହୋଇପଡ଼ିଥିଲି ମୁଁ ।

 

ଜଡତାଭରା କଣ୍ଠରେ ଔତ୍ସୁକ୍ୟର ସୂଚନା ଦେଖାଇ କହିଲା ଶଇଳା, “ପ୍ରିୟତମ, କ’ଣ ତୁମର ହୋଇଛି ? ଟିକିଏ ତୁମର ଡାଏରୀଟା ପଢ଼ି ଶୁଣାଇଲ ଆଜି । କି ସୁନ୍ଦର ଲେଖା–ଏତେବେଳଯାଏଁ ଏହାକୁଇ ମୁଁ ପଢ଼ୁଥିଲି ଆଉ କାନ୍ଦୁଥିଲି ।”

 

ନିଅ, ପଢ଼ ।

 

ହାତରେ ମୋର ଡାଏରୀଟା ଧରାଇଦେଲା ସେ । କି ହୋପ୍‍ଲେସ୍, କହୁଛି ମତେ କିଛି କୁହ ନାଇଁ । ଫିଙ୍ଗିଦେଲି ଡାଏରୀଟା ଘରମଝିକୁ ।

 

ତଟସ୍ଥ ହୋଇ ଶଇଳା ଡାଏରୀଟା ଉଠାଇନେଲା । ଭୀରୁ ଚାହାଣିରେ ଅପସରିଗଲା ଆର ଘରକୁ ।

 

ଝରକାବାଟେ ଅନେଇଲି....

 

ଡାଏରୀ ପୃଷ୍ଠାଗୁଡ଼ା ଚକିତ ନୟନରେ ପଢ଼ିଚାଲିଛି ସେ–ମୁହଁରେ ତା’ର ବୋଲି ହୋଇଯାଇଛି ସ୍ଵପ୍ନର କୁହେଳି ।

 

ଝରକାର ଦୁଆରଟା ଧଡ଼ାସ୍ କିନା ବନ୍ଦ କରିଦେଲି ।

 

ଓଭରକୋଟ୍‍ଟା ମଡ଼େଇ ବାହାରିଗଲି ବହଳ ଅନ୍ଧକାର ଭିତରକୁ, କାହାର ଅନ୍ଵେଷଣରେ ସତେ ଯିମିତି ।

✽✽✽

 

Unknown

ମରମର ତାଜ

 

ସିନେମାରୁ ଫେରୁଥିଲୁ ।

 

ମନ ଥିଲା ତନ୍ଦ୍ରା ବିଜଡ଼ିତ, ଠିକ୍‍ ଗୋଟିଏ ଦୁଃଖାନ୍ତକ ଉପନ୍ୟାସ ପଢ଼ିସାରିଲା ପରେ ଯେମିତି ଲାଗେ ।

 

ଘୋଡ଼ାଗାଡ଼ିଟା ମ୍ୟୁନିସିପାଲିଟି ବିଜୁଳିବତୀ ଖୁଣ୍ଟି ବାଟେ ଚାଲିଗଲା ବେଳେ ନଜର ପଡ଼ିଲା ସୁଲତାର ମୁହଁ ଉପରେ । ଦୁଇ ନୟନରୁ ଦୁଇ ବୁନ୍ଦା ଲୋତକ ଝରିପଡ଼ୁଛି, ପ୍ରତିଫଳି ଉଠୁଛି ବିଜୁଳି ଆଲୁଅରେ ମୁକ୍ତା ପରି ।

 

–ଏ କ’ଣ, ତୁମେ କାନ୍ଦୁଚ ସୁଲୁ ?

 

ମନ ଭିତରୁ ସମସ୍ତ ତନ୍ଦ୍ରା ଅପସରି ଯାଇଥିଲା । ରୁମାଲରେ ଲୁହ ପୋଛିଦେଇ ଅତି ଆଦରରେ ଚୁମ୍ବନ ଆଙ୍କିଦେଲି ସଇତାନର ରକ୍ତିମ କପୋଳରେ.... ।

 

ସୁଲତା ଶିହରି ଉଠିଲା ।

 

କହିଲା, କାହିଁକି ଏ ମୋହ ତୁମର ? ଚିରକାଳ କଣ ମନେ ରଖିଥିବ ! ମନେ ରଖିଥିବ ଏଇ ପ୍ରେମର ସଂଭାଷଣ !! ହୁଏତ– ।”

 

ଅଶ୍ରୁ ତା’ର କଣ୍ଠ ରୁଦ୍ଧ କରିଦେଲା ।

 

–ମାନେ ?

 

“କାନ୍ଥ ପରିଷ୍କାର କରି ସୁଲତା ପୁଣି ସ୍ଵର ବଦଳାଇ କହିଲା, କି ଭାଗ୍ୟବତୀ ମମତାଜ୍‍; ଚିରଦିନ ଲାଗି ରହିଗଲା ତାଙ୍କରି ପ୍ରେମର ଜ୍ଵଳନ୍ତ ଅବଦାନ; କିନ୍ତୁ–”

 

ସ୍ଵର ତା’ର ଜମାଟ ବାନ୍ଧିଗଲା ସତେ ଯିମିତି !

 

ବୁଝିଲି ।

 

ତାଜମହଲ ଚିତ୍ର ଏତେଦୂର ପ୍ରଭାବିତ କରିଛି ସୁଲତାକୁ ।

 

ମନ ମୋର ବୁଝିଲାନି ।

 

ଭୁଲ ବୁଝିଛ ସୁଲୁ, ମମତାଜ ହୁଏତ ସବୁଠାରୁ ଭାଗ୍ୟହୀନା ରମଣୀ । ଜାଣ କେତେ ଲହୁଲୁହରେ ଗଠିତ ଏଇ ତାଜ୍, କେତେ ନିରନ୍ନ କଙ୍କାଳସାରର ନିଃଶ୍ଵାସରେ ଏହାର ପ୍ରତିଖଣ୍ଡ ମର୍ମରପ୍ରସ୍ତର ଆଜି ମୁଣ୍ଡ ଟେକି ଛିଡ଼ା ହୋଇଛି, କେତେ ତୁମ ଆମ ଭଳି ନିଃସ୍ଵ ଦରିଦ୍ରର ପ୍ରତିବଦଳରେ ଆଜି ବାଦଶାହ ପ୍ରେମର ପ୍ରତୀକ ରଖି ଯାଇଛନ୍ତି । ! ହୋଇପାରେ ଏଠାରେ ଫୁଟିଉଠିଛି ପ୍ରେମର ଜୀବନ୍ତ ମିନାର; କିନ୍ତୁ ଏହାରି ମୂଳଦୁଆରେ ଚାପି ହୋଇଛନ୍ତି ଲକ୍ଷ ଲକ୍ଷ ମୁମୂର୍ଷୁ ଦରିଦ୍ର ପ୍ରଜା ଦୀନତାର ଧ୍ଵଜା ଉଡ଼ାଇ...

 

...ସେଠାରେ ପ୍ରେମର ସ୍ଥାନ କାଇଁ, ରାଣୀ ?

 

ମୁଁ ରୀତିମତ ବକ୍ତୃତା ଦେଉଥିଲି; ଏତେବେଳଯାଏଁ ମୌନ ହୋଇ ଯାହା ଭାବି ଯାଉଥିଲି, ତାହା ଯିମିତି ରୂପ ପାଉଛି ବକ୍ତାର ବାକ୍‍ଚାତୁରୀରେ ।

 

ଗାଡ଼ି ଘର ପାଖରେ ଅଟକିଥିଲା ।

 

ଦେଖିଲି ମୋର ଏତେ ବଡ଼ ବକ୍ତୃତା ଏତେ ଟିକିଏ ଫଳପ୍ରସୂ ହୋଇନି, ସୁଲତାର ମୁହଁର ରେଖାରେ କିଞ୍ଚିତ୍ ପରିବର୍ତ୍ତନ ମଧ୍ୟ ଦେଖାଦେଇନି–ଲଜ୍ଜିତ ହେଲି ।

 

ସେଦିନ ରାତ୍ରି ବଡ଼ ନିଃଶବ୍ଦ ହୋଇଉଠିଲା । ଶତ ଚେଷ୍ଟା ସତ୍ତ୍ୱେ ସୁଲତାକୁ ମୁଁ କଥା କୁହାଇ ପାରିଲିନି । ଚୁପ୍‍ରହି ସେ କ’ଣ ଭାବୁଥାଏ......ଆଉ ଭାବୁଥାଏ... ।

 

ରାତ୍ରିର ଶେଷ ଯାମକୁ ମୋ ଚକ୍ଷୁ ଭାରାକ୍ରାନ୍ତ ହୋଇଆସିଲା, ଆଖିପତା ଲାଗି ଯାଉଥିଲା ଧୀରେ... ଧୀରେ....

 

ଦୁଇ ହାତରେ ମତେ ଦୋହଲାଇ ଦେଇ ସୁଲତା ତା’ ମନକୁ ମନ କହିଉଠିଲା–

 

କୁହ ଦେବତା ମୋର, ଯଦି ମୁଁ ମରିଯାଏଁ, ତୁମେ ମୋର ସ୍ମୃତିକୁ ସାଇତି ରଖିବା ପାଇଁ କ’ଣ କରିବ ?

 

ଛି, ସିମିତି କୁହନ୍ତି ନା !

 

ନାଇଁ କୁହ ତୁମେ !

 

ମୁଁ ? ମୁଁ ତ ଆଉ ଗଢ଼ିପାରିବିନି କୋଟି କୋଟି ଟଙ୍କାର ତାଜମହଲ, ଦରିଦ୍ର ମୁଁ, ଗଢ଼ିରଖିବି ତୁମରି ପ୍ରତିମୂର୍ତ୍ତି ଛାତି ଭିତରେ ମୋର, ରକ୍ତର ତୁଳିକାରେ ଚିତ୍ରିତ ହେବ ସେ ।

 

ସତ କହୁଚ ତୁମେ ? କୁହ, ମୋତେ ଭୁଲିଯିବନି ତ !

 

କି କରୁଣତା ତା’ର କଣ୍ଠରେ, କି ବ୍ୟଥାର ରାଗିଣୀ ତା’ର ଅଧର ତଳେ !

 

ଏ ଅବିଶ୍ଵାସ କାହିଁକି ସୁଲୁ ? ମୁଁ ଯେ ତୁମକୁ ଅନ୍ତର ଭରି ଭଲପାଏ ।

 

ତୃପ୍ତିର ଦୀର୍ଘନିଶ୍ଵାସ ମାରି ସୁଲତା ନିଶ୍ଚିନ୍ତରେ ମୋ’ରି କୋଳରେ ବିଶ୍ରାମ ନେଲା ।

 

ତିନି ମାସ ବିତିଯାଇଛି–

 

ସୁଲତା ଚାଲିଯାଇଛି ଅତି ଆକସ୍ମିକ ଭାବରେ....ପ୍ରାଣରେ ମୋର ଗଭୀର କ୍ଷତ ସୃଷ୍ଟି କରିଦେଇ ।

 

ନୀରବରେ ଶୁଣୁଥିଲି ।

 

–ମୋ କଥା ଶୁଣୁନୁ ବୁଲୁ, କେତେ ଥର ଆଉ କହିବି କହିଲୁ, ବୁଢ଼ୀ ହେଲି, ବଳ ବଅସ ଖସିଲା, ଆଖିକି ଆଉ ଦିଶୁନି, ଆଉ କେତେଦିନ ଘର ଗୋଟାକର ପାଇଟି କରୁଥିବି, କହିଲୁ ?

 

ନୀରବରେ ଶୁଣୁଥିଲି ।

 

ଅଧିକ ଉତ୍ସାହିତ ହୋଇ ବୋଉ କହି ଚାଲିଥାଏ; ଭାବୁଥାଏ ବୋଧହୁଏ ତା କଥାଗୁଡ଼ାକ ମୋର ମସ୍ତିଷ୍କ ଭେଦ କରୁଛି ଧୀରେ...ଧୀରେ...

 

–ଯିଏ ଚାଲିଗଲା, ତାରି ବିଷୟ ଭାବି ଭାବି, ତାଆରି କଥା କାନିରେ ଗଣ୍ଠି ପକେଇ ବୁଲିଲେ ଲାଭ କଅଣ ବାବୁ ? ସେ କ’ଣ ଆଉ ଫେରିଆସିବ..

 

–ଘରଟା କିମିତି ଲାଗୁଚିରେ ରାଜୁ, ଇମିତି ଏକଲାଟା ଆଉ କେତେଦିନ ରହିବୁ ? ନୂଆବୋଉ ତ ଚାଲିଗଲା, ଆଉ ଗୋଟିଏ ନ ଆସିଲେ ଏ ଘର କ’ଣ ଆଉ ଚାହିଁ ସହିବ ?

 

–ମୁଁ ସେଇଆ କହିଲି ପୁଅ, ମୋ କଥା କ’ଣ ଶୁଣୁଛି ? ତୁମେ କୁହ; ତୁମେ କୁହ ।

 

ସମସ୍ତେ କହିଛନ୍ତି, ସମସ୍ତେ କହୁଛନ୍ତି, ସମସ୍ତେ କହିଲେ ।

 

ବିନତା ସାଥିରେ ମୋ’ର ବିବାହ ହୋଇଗଲା ବେଳକୁ କ୍ଷତ ଉପରେ ମୋର ବଳକା ବାନ୍ଧିଗଲାଣି । ପୁରାତନର ମୋହ, ପୁରାତନର ଉର୍ବର ମୃତ୍ତିକା ଉପରେ ମଥା ଟେକି ଉଠିଲାଣି ନୂତନ ତୃଣାବଳୀ...ନୂଆ ଉଦ୍ଭିଦ....

 

କଚେରୀରୁ ଫେରି ଚୌକି ଉପରେ ବସିପଡ଼ିଛ, ବିନୀତା ଆସି ପହଞ୍ଚିଲା ।

 

“ଆଜି ଏ ସଜବାଜ କାହିଁକି ? ଚା’ ଖାଇନିଅ ଆଗେ–’’

 

ବାଧ୍ୟ ଶିଶୁଟି ପରି ଚା ଜଳଖିଆ ଖାଇ ପ୍ରଶ୍ନବାଚକ ମୁହଁରେ ଅନାଇରହିଲା ବିନୀତା ପ୍ରତି...

 

“ଆଜି ସିନେମା ଯିବା ?”

 

“ସିନେମା ? କି ଫିଲିମ୍ ?”

 

“ତାଜମହଲ । ଅନେକ ଦିନ ପରେ ଆସିଛି; ଖୁବ୍‍ ଭଲ ହୋଇଛି ବୋଲି ସମସ୍ତେ କହୁଛନ୍ତି; ଯିବା ନିଶ୍ଚେ !”

 

“ତାଜମହଲ, ତା-ଜ-ମ-ହ-ଲ !”

 

ମନ ଭିତରେ ତିନି ଥର ଆଉଡେଇ ଆଣିଲି ନାଆଟା । ମନ-ଗହୀର ଭିତରୁ ଅମାନିଆ ଭୂତଟାଏ ଚେଇଁ ଉଠିଲା ସତେ ଯେମିତି–

 

ତାଜମହଲ !!!

 

ଇମିତି ବସିଗଲ କାହିଁକି ? ଦିହ ଭଲ ଲାଗୁନି କି ? ନ ହେଲେ ଥାଉ–

 

ବିନୀତାର ଈଷତ୍ ଆରକ୍ତ ଅଭିମାନବୋଳା ଅଧର ଆଡ଼େ ଅନେଇ ରହିଥାଏ ନିର୍ବାକ ଦୃଷ୍ଟିରେ...

 

ଘର ଭିତରକୁ ପଶିଆସିଲା କୋହଲା ପବନ ପୁଳାଏ....ଧଡ଼ଧାଡ଼୍‍ ହୋଇ ଝରକାଗୁଡ଼ାକ ବନ୍ଦ ହୋଇଗଲା ହଠାତ୍ ।

 

କାନ୍ଥର ହୁଗୁଳା କଣ୍ଟାରୁ ଖସିପଡ଼ିଲା ଫଟୋଟାଏ ପବନର ତୋଡ଼ରେ....କାଚଗୁଡ଼ାକ ଚୂନ ହୋଇଗଲା..... ଘର ସିମେଣ୍ଟ ଚଟାଣ ଉପରେ ବିଛାଡ଼ି ହୋଇ ପଡ଼ିଲା ଗୁଣ୍ଡ ଗୁଣ୍ଡ କାଚଗୁଡ଼ାକ...

 

ବିନୀତା ଦୌଡ଼ିଯାଇ ଗୋଟେଇ ଆଣିଲା ଫଟୋଟାକୁ–ଆହା ତାଜମହଲ ଫଟୋଟା ଭାଜିଗଲା ! କେଡ଼େ ସୁନ୍ଦର ଫଟୋଟାଏ...କି ଆଦରରେ ସୁଲତା ଏଇଟିକୁ ପ୍ରଦର୍ଶନୀରୁ କିଣି ଟାଙ୍ଗିଥିଲା...

 

ଈଷତ୍ ଅନ୍ଧକାର ଭିତରେ ବିନୀତା ବୋଧହୁଏ ଲକ୍ଷ୍ୟ କରିପାରିଲାନି–ମୋର ଦୁଇ ନୟନରୁ ଝରିପଡ଼ିଲା ଦୁଇ ଧାରା ଲୋତକ...

 

ତରତରରେ ରୁମାଲ ବୁଲାଇ ଆଣିଲି....

 

ବାହାରେ ବଗିବାଲା ପାଟି କରୁଥାଏ–ମାଆ, ଜଲଦି ଆସନ୍ତୁ, ସିନେମା ବେଳ ହୋଇଯାଉଛି ଯେ–

Image

 

ଛଦ୍ମବେଶୀ

 

ଶାରଦୀୟ ପୂଜାର ଅଭିସମ୍ଭାର ଘେନି କୃଷ୍ଣ ନଗରୀର ଧୁମମୟ ଆବହାଓ୍ୟାରୁ ମୁକ୍ତବାୟୁ କ୍ରୋଡ଼କୁ ଫେରୁଥାଏ । ମନ ମୋର ସଦ୍ୟ ମୁକ୍ତ ପକ୍ଷୀ ତୁଲ୍ୟ ନିରଳସ ନିରାଡ଼ମ୍ବର ଜୀବନରେ ଭାସି ବୁଲୁଥାଏ–ଭବିଷ୍ୟତର ସୁନେଲି ଚିତ୍ରକୁ କଳ୍ପନା କରି କରି ଜୀବନର ଘଣ୍ଟା କଣ୍ଟା ଆଉ ମିନିଟ୍ କଣ୍ଟାର ଗତି ପରି ଦିନଗୁଡ଼ାକ ମୋ ନିକଟରେ ବଡ଼ ଦୁଃସହ । ସେଥିରୁ ଟିକିଏ ବେଆଡ଼ା, ଟିକିଏ ବିଚ୍ୟୁତି କେଡ଼େ ସୁଖପ୍ରଦ ! ସେଇ ଆଶାରେ ଏଇ ଶାରଦୀୟ ଅବକାଶ ମତେ କରିଦେଇଥାଏ ଆଶାତୀତ ଭାବରେ ହର୍ଷାନ୍ଵିତ ଓ ଆକାଶୀ କଳ୍ପନାର କ୍ରୀଡ଼ନକ ।

 

ଆସନ୍ ସୋଲ୍ ଗାଡ଼ିରୁ ଓହ୍ଲାଇ ବସ୍ ପାଇବା ଆଶା ଖୁବ୍ କମ୍ ଥାଏ ।

 

ଟ୍ରେନର ଧୂମକୁଣ୍ଡଳୀରୁ କୋଇଲାଗୁଣ୍ଡିଯାକ ଉଡ଼ି ଉଡ଼ି ପବନରେ ଭାସି ବୁଲୁଥାଏ । ସାବ୍‍ନା ଧାନବିଲ ଭିତରେ ମୁଣ୍ଡଟେକି ଚାହିଁଥାଆନ୍ତି ପଞ୍ଝାକୁ ପଞ୍ଝା କଙ୍କାଳ–ଆମର ବର୍ତ୍ତମାନ ସଭ୍ୟତାର ପ୍ରତୀକ ସ୍ୱରୂପ । ସାନ ମୁହଁଟି ଭିତରେ ନିସ୍ତେଜ କୋଟରଗତ ଚକ୍ଷୁଦି’ଟା ଜୁଳୁଜୁଳୁ ଦିଶୁଥାଏ । ଗୋଟାଏ ମସ୍ତବଡ଼ ପେଟ–ଦିହ ଫୁଙ୍ଗୁଳା, ବାଳ କହରା, ଆଚ୍ଛାଦନ କହିଲେ, ଗୋଟିଏ ଚିରା ଦେଖି ଦେଖି ମୋର ମସ୍ତିସ୍କ ଭିତରେ ଝଡ଼ର ପରିକଳ୍ପନା ହୋଇଥାଏ । ମୁଁ ଖାଲି ଚାହିଁଥାଏ ।

 

ବସ୍‍ ପାଇଲି । ଚାଉଳ ବସ୍ତା ଗୋଟାକ ଉପରେ ଗୋଟାଏ ଲଦିଦେଲା ଭଳିଆ ଆମମାନଙ୍କୁ ଡ୍ରାଇଭର ମଟର ଭିତରେ ଖୁନ୍ଦି ଦେଇ ଯେତେବେଳେ କବାଟ ଲଗେଇଦେଇ ମଟରରେ ଷ୍ଟାର୍ଟ ଦେଲା, ସେତେବେଳେ ମୋର ମନେପଡ଼ିଲା ଲର୍ଡ଼ କ୍ଲାଇବ୍‍ଙ୍କ ଅମଳର ଅନ୍ଧକୂପ ହତ୍ୟାର ବିଭୀଷିକା । ଅନ୍ଧକୂପ ହତ୍ୟା ଦମନ ନୀତିରେ ପ୍ରୟୋଗ କରାହେଉଥିଲା ସେ ଯୁଗରେ, ଏ ଯୁଗରେ ସଭ୍ୟ ମନୁଷ୍ୟ ଆପେ ଆପେ ଅନ୍ଧକୂପ ହତ୍ୟାକୁ ବରଣ କରେ ଅନନ୍ୟୋପାୟ ହୋଇ । ଏତିକି ତଫାତ୍ ।

 

ପାଖ ବେଞ୍ଚରୁ ଜଣେ ଯୁବତୀ ଅତିରିକ୍ତ ଚାପା ପାଇ ବାମନୋନ୍ମୁଖୀ ହୋଇ ପଡ଼ିଲେ । ବଡ଼ ବିରକ୍ତ ହୋଇ ଡ୍ରାଇଭର ଗାଡ଼ି ରଖିଲା । ସମସ୍ତେ ତିମିମାଛ ଭଳିଆ ପେଟେ ଲେଖାଏଁ ଥଣ୍ଡା ପବନ ପୂରାଇ ଗାଡ଼ିକୁ ଫେରିଆସିଲୁ ।

 

ଗାଡ଼ି ଚାଲିଲା–

 

ତା’ ସାଥିରେ କଳ୍ପନାରେ ଉଡ଼ିବୁଲିଲା ମୋର ବିପ୍ଳବୀ ମନ । ଗୋଟାଏ କଡ଼ ସିଟରେ ନିଜକୁ ଯଥାସାଧ୍ୟ ସଙ୍କୁଚିତ କରି ବସି ଚାହିଁରହିଥାଏ ଦୂରକୁ । ଦିଗ୍‍ବଳୟର ସୀମାରେଖା ଭେଦି ପାହାଡ଼ର ବୁକୁ ଚିରି ଆଖି ମୋର ଛୁଟି ଚାଲିଥାଏ ଅନନ୍ତ ପଥରେ–ବିଶ୍ଵକୋଳରେ ଲକ୍ଷ ନିଃସ୍ଵ ପ୍ରାଣୀର ନିରସ କଙ୍କାଳକ୍ଷୟ ଜୀବନର ଅନୁସନ୍ଧାନରେ । ନିଃସ୍ଵ ଦରିଦ୍ରଙ୍କର ଆର୍ତ୍ତନାଦ ନିବାରିବା ପାଇଁ ମୁ ଖୋଜି ବୁଲୁଥାଏ କୌଣସି ଏକ ପ୍ରତିଷେଧକ । ମୁଁ ଭାବେ–ଭାବି ଭାବି ମସ୍ତକ ମୋର ପୀଡ଼ିତ ହୁଏ ।

 

ତରୁଣା ମନରେ ମୋର ମୋହ ଆଉ ସ୍ନେହର ଆକର୍ଷଣ ବଡ଼ ଜଟିଳ ହୋଇପଡ଼େ । ଭାବେ, ଦୁନିଆର ଏଇ ନିଷ୍ପେଷିତ ପଦଦଳିତଙ୍କ ସହ ମୋର ସମ୍ବନ୍ଧ କଅଣ ? ଏମାନଙ୍କୁ ନେଇ ମୋର ବୟସ ଓ ଯୌବନକୁ ଅଣହେଳା କରିବି କାହିଁକି ? ପାଖ ସିଟର ସେଇ ଯୁବତୀଙ୍କ ଆଡ଼କୁ ଅନେଇଲି । ସେ ମୋତେ କେତେବେଳୁ ଅନେଇଥିଲେ କି କ’ଣ ମୁଁ ଚାହିଁଲାମାତ୍ରେ ଦିହିଙ୍କ ଆଖି ସମାନ ହୋଇଗଲା । ସେତେବେଳେ ମୁଁ ଦୁନିଆକୁ ଭୁଲିଗଲି । ପଶୁ ପରି ତାଙ୍କର ମୁହଁଆଡ଼େ ଅନାଇ ରହିଲି । ସେ ବସ୍‍ ଆରପାଖକୁ ମୁହଁ ଫେରାଇନେଲେ । ମୁଁ ଭାବିଲି, ଜୀବନର ବୁଭୁକ୍ଷୁ ଯୌବନକୁ ପଦରେ ଠେଲିଦେଇ ଗୁଡ଼ିଏ କଙ୍କାଳଙ୍କ ସାଥିରେ ମାତିବା ନିହାତି ବୋକାମୀ । ମୋ ଉକ୍ତି ପାଇଁ ଢେର ଯୁକ୍ତି ବାଢ଼ିଥିଲି ସେତେବେଳେ ।

 

ହଠାତ ଗାଡ଼ି ଖୁବ୍‍ ଜୋରରେ ବ୍ରେକ ଦେଇ ରହିଗଲା ବିନା ସଙ୍କେତରେ । ଭାବନା–ଖିଅ ଛିଡ଼ିଗଲା । ଆର ବେଞ୍ଚରୁ ଜଣେ ତେଲୁଗୁ ଭଦ୍ରଲୋକ ଖଣ୍ଡିଏ ବିଡ଼ି ଧରାଇ ଦିଆସିଲଟା ଲଗାଉ ଲଗାଉ କହିଲେ । “କି ହେବାର ବାବୁ !”

 

ମୁଁ ତାଙ୍କ କଥାର କୌଣସି ଉତ୍ତର ନ ଦେଇ ଝରକାବାଟେ ଡେଇଁପଡ଼ିଲି । ବାକି କେତେକ ସୁବିଧାବାଦୀ ଏତିକିବେଳେ ଗୋଡ଼ ହାତ ଲମ୍ବାଇ ଫରଚା ହୋଇ ବସିପଡ଼ିଲେ ।

 

ଆଗ ମଟର ଚକାକୁ ଲାଗି ଗୋଟିଏ ଅସ୍ଥିସାର ସ୍ତ୍ରୀ ମୁଣ୍ଡରେ ହାତଦେଇ ବସିଯାଇଛି । ଆଖିରୁ ଦି’ଟୋପା ଲୁହ ବାହାରି ଶୁଖିଯାଇଛି । ମଟର ତାକୁ ହଟାଇ ଆଗକୁ ଯାଇପାରୁ ନାହିଁ । ମୁଁ କିଛି ବୁଝିପାରିଲିନି । ଆମେ ଯେତେ ଡାକିଲେ ବି ସ୍ତ୍ରୀଟି ନିଶ୍ଚଳ ପ୍ରତିମା ପରି ବସିରହିଲା । ବାଧ୍ୟ ହୋଇ ଆମେ ହାତକୁଢ଼ ଭଳିଆ ତାକୁ ସେଠୁ ଟେକିନେଇ ଟିକିଏ ଦୂରରେ ଥୋଇଦେଲୁ । ମଟରଗାଡ଼ି ଟିକିଏ ଆଗକୁ ଯାଇ ଅଟକିଲା । ଏଥର ବୁଝିଲୁ ସେ ସ୍ତ୍ରୀଟି କାହିଁକି ସେପରି ଭାବରେ ବସିଛି । ମଟର ଚକା ତଳେ ଗୋଟିଏ ସାତ ଆଠ ବର୍ଷର ଶିଶୁ ଚାପା ପାଇ ଶେଷ ନିଶ୍ଵାସ ମାରୁଛି । ମଟର ତଳେ ରହି ଯାଇଥିବାରୁ ଦିଶୁ ନଥିଲା । ମୁଁ ତାଉପରେ ଝୁଙ୍କିପଡ଼ି ଅନେଇଲି । ଦେଖିଲି ଛାତି ଉପରେ ହାତଗୁଡ଼ା ତାର ଲୋଚାକୋଚା ହୋଇଯାଇଛି । ଆଖି ଡୋଳା ଦି’ଟା ନିଜ ଜାଗାରୁ ବାହାରି ଆସିଛି । ତା’ପଛେ ପଛେ ଦି’ଧାର ରକ୍ତ ସେହି ଡୋଳା ପଛେ ପଛେ ବାହାରି ଆସିଛି । ନୁଖୁରା ଦିହଟାରେ ଖଡ଼ିଗାର ପଡ଼ିଯିବ । ଦିହରୁ ଗୋଟାଏ ଫୁରୁକୁଟିଆ ଗନ୍ଧ ବାହାରି ପବନରେ ଭାସୁଛି । ମୁଁ ଆଉ ଚାହିଁ ପାରିଲିନି । ପଛକୁ ଫେରି ଅନେଇଲି–ଜଣେ ଭଦ୍ରଲୋକଙ୍କ ଆଖିରୁ ଧାର ଧାର ଲୁହ ବହିଯାଉଛି । ଯେତେ ସଂଯତ ହେବାକୁ ଚେଷ୍ଟା କରୁଛନ୍ତି, ପାରୁ ନାହାନ୍ତି । ମୁଁ ତାଙ୍କ ନିକଟକୁ ଚାଲି ଆସିଲି–ତାଙ୍କ ଭିତରେ ଜଣେ ସମଦୁଃଖୀର ସନ୍ଧାନ ପାଇ ।

 

ଏ ଦୃଶ୍ୟ ବେଶୀ ସମୟ ରହିଲାନି । ସ୍ତ୍ରୀଟି ନିଜର ଅସ୍ଥିଳ ଶରୀରଟାକୁ ଉଠାଇ ନେଇ ଖୁବ ଶ୍ରୀଘ୍ର ଦୂର ତୋଟା ତଳେ ମିଶିଗଲା । ନିର୍ମମ ଡ୍ରାଇଭରର ହର୍ଣ୍ଣରେ ତନ୍ଦ୍ରା ଭାଜିଲା । ମୁଁ ନିଃସହାୟ ପରି ସେଇ ଭଦ୍ରଲୋକଙ୍କ କାନ୍ଧକୁ ଆଉଜି ପଡ଼ିଯାଇ ମଟରରେ ପୁଣି ଭର୍ତ୍ତି ହେଲି । କର୍ତ୍ତବ୍ୟର ନିଷ୍ଠୁର ବେସୁରା ରାଗିଣୀ ଗାଇ ଗାଡ଼ି ଚାଲିଲା ।

 

ସ୍ତରସ୍ତର ଜୀମୂତାବରଣ ତଳେ ସୂର୍ଯ୍ୟର ଶେଷ ରଶ୍ମି ଲିଭିଗଲା । ପଶ୍ଚିମ ଦିଗରେ କ୍ଷଣିକ ରକ୍ତିମା ପାହାଡ଼ର ଉତ୍ତୁଙ୍ଗ ଚୂଡ଼ା ତଳେ ଲୀନ ହୋଇଗଲା । ମୁଁ ଅନ୍ୟମନସ୍କ ଭାବରେ ସେଇ ବିଚିତ୍ର ସୁଷମାଆଡ଼େ ଏକଧ୍ୟାନରେ ଚାହିଁଥାଏ । ମନେହେଉଥାଏ ଯିମିତି ମୁଁ ଚୋରା ବାଲିର ଗୋଟାଏ ପ୍ରକାଣ୍ଡ ଚଡ଼ା ଉପରେ ଠିଆ ହୋଇଛି । ଯେତିକି ଦମ୍ଭର ସହିତ ଛିଡ଼ା ହେବାକୁ ଚେଷ୍ଟା କରୁଛି, ଗୋଡ଼ ସେତିକି ଭିତରକୁ ଭିତରକୁ ପଶିଯାଉଛି । ମୁଁ ବିହ୍ୱଳ ଭୋଇ ଦୂର ଦିଗ୍‍ବଳୟ ଆଡ଼େ ସାହାଯ୍ୟ ପାଇଁ ଅନେଇଛି ।

 

“ଆଉ ଭାବିଲେ କ’ଣ ହେବ ବାବୁ ? ଏଇ ତ ଦୁନିଆ–’’

 

ହଠାତ ନୀରବତା ଭାଜିଗଲା । ମୁଁ ଗାଡ଼ି ଭିତରକୁ ମୁହଁ ଫେରାଇ ଚାହିଁଲି । କେତେବେଳୁ ମୁଁ ଯେ ସେଇ ଭଦ୍ରଲୋକଙ୍କ ଉପରେ ମୋର ସମସ୍ତ ଭାର ଲଦିଦେଇ ବସିଛି, ମୋ’ର ଆଉ ଖିଆଲ ରହିଲା ନାଇଁ; ଦେଖିଲି ମଟର ଭିତରର ସମସ୍ତ ଯାତ୍ରୀଙ୍କ ଦୃଷ୍ଟି ମୋରିଠାରେ ନିବଦ୍ଧ । ସେ ଯୁବତୀ ମଧ୍ୟ ଦ୍ଵିଗୁଣ ଆଗ୍ରହରେ ମୋ’ଆଡ଼େ ଚାହିଁଛନ୍ତି । ବଡ଼ ଅପ୍ରତିଭ ବୋଧ କଲି । ନିଜର ଦୁର୍ବଳତା ଯଥାସାଧ୍ୟ ଚାପି ରଖି କହିଲି, “ହଁ ତା ନୁହେଁ ଆଉ କ’ଣ ?”

 

ତା’ପରେ ଭଦ୍ରଲୋକଙ୍କ ସାଥିରେ ବେଶ ସୌହାର୍ଦ୍ଦ୍ୟର ସହିତ କଥାବାର୍ତ୍ତା ଚାଲିଲା । ଦେଖିଲି, ଭଦ୍ରଲୋକ ବଡ଼ ବେଶୀ ଭାବ ପ୍ରବଣ । ଗରିବମାନଙ୍କର ଦୁଃଖ ବର୍ଣ୍ଣନା କରୁ କରୁ କାନ୍ଦି ପକାଉଥାଆନ୍ତି । ମୁଁ ଆଗ୍ରହର ସହିତ ଶୁଣୁଥାଏ । ଦୁହିଙ୍କ ପ୍ରକୃତି ଏକ ହୋଇଥିବାରୁ ଦୁହେଁ ଖୁବ ଶ୍ରୀଘ୍ର ବନ୍ଧୁ ପାଲଟିଗଲୁ । ମୁଁ ଭାବନା କବଳରୁ ମୁକ୍ତି ପାଇ ସେଇ ବନ୍ଧୁଙ୍କ ସହ ଆଳାପରେ ମାତିଗଲି ।

 

କିଛିଦୂର ଗଲା ପରେ ବନ୍ଧୁ ଜଣକ ବସରୁ ଉତୁରିଗଲେ । ଗଲାବେଳେ ସାହେବୀ ଭଙ୍ଗରେ ମୋର ବାଁ ହାତଟା ହଲାଇଦେଇ ନମସ୍କାର କରି ହସି ହସି ଚାଲିଗଲେ । ତାଙ୍କ ସହିତ ସେ ଯୁବତୀ ମଧ୍ୟ ଓହ୍ଲାଇଲେ । ସେ ଏହା ଭିତରେ କଥୋପକଥାନରେ ଯୋଗ ଦେଇ ନୀରସ ବସ୍‍ ଭ୍ରମଣକୁ ସରସ କରି ଦେଇଥିଲେ । ସେ ଗଲାବେଳେ ନିହାତି ପରିଚିତାଙ୍କ ପରି ମତେ ଆକ୍ଷରିକ ଅର୍ଥରେ ଆଲିଙ୍ଗନ କରି ବିଦାୟ ନେଲେ । ନାରୀ ଅଙ୍ଗର ଉଷ୍ଣ ନିଶ୍ଵାସ ମତେ ଅନୁଭୂତ କରିଦେଲା-। ମୁଁ ଥଙ୍ଗେଇ ଥଙ୍ଗେଇ ଗୋଟାଏ ନମସ୍କାର କଲି । ସେ ସେତେବେଳକୁ ବସ୍‍ ବାହାରେ-

 

ଏତେ ଅଳ୍ପ ସମୟ ବନ୍ଧୁତା ଏତେ ଘନିଷ୍ଠ ହୋଇ ପଡ଼ିଥିଲା ଯେ ସେ ଚାଲିଗଲା ପରେ ତାଙ୍କର ଅନୁପସ୍ଥିତି ଅନୁଭବ କଲି ।

 

ବସ୍‍ ଚାଲିଲା–

 

ହଠାତ୍‍ ଦୂର ରାସ୍ତାରୁ ଦୁଇ ପରିଚିତ ମୁଖରୁ ବାହାରି ଆସିଲା ତାନେ ତୃପ୍ତିର ହସ । ମୋର ମନେହେଲା ସତେ ଯେମିତି ସେ ଦୁହେଁ ବସ ଭିତରୁ ବାହାରି ଯାଇଛନ୍ତି କୌଣସି ଅମୂଲ୍ୟ ରତ୍ନ ସାଥିରେ ନେଇ ।

 

ଆଶ୍ଚର୍ଯ୍ୟ ହେଲି । କାରଣ ଅନୁମାନ କରିପାରିଲିନି ।

 

କେତେଦୂର ଯିବା ପରେ କଣ୍ଡକ୍ଟର କହିଲା, “ବାବୁ, କେଉଁଯାଏ ଯିବେ ?”

 

–ସୁନ୍ଦର ଗ୍ରାମ ।

 

–ଆଚ୍ଛା ଦିଅନ୍ତୁ, ତିନି ଟଙ୍କା ଦୁଇ ଆଣ ।

 

ମୁଁ ମନିବ୍ୟାଗଟା ପାଇଁ ଛାତି ପକେଟରେ ହାତ ମାରିଲି । କାଗଜପତ୍ରଗୁଡ଼ାକ ଉଞ୍ଚା ହୋଇ ହାତକୁ ଲାଗିଲା । ହାତଟା ପକେଟରେ ପୂରାଇ ସବୁ କାଗଜପତ୍ର ବାହାରକୁ ଆଣି ଦେଖିଲି ମନିବ୍ୟାଗଟା ନାଇଁ ।

 

ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ସାଙ୍ଗେ ସାଙ୍ଗେ ଫାଉଣ୍ଟେନ ପେନ୍‍ଟା ପାଇଁ ହାତ ମାରି ଦେଖିଲି ସେଇଟି ବି ଠିକ୍‍ ସ୍ଥାନରେ ନାଇଁ ।

 

ହାତ ବ୍ୟାଗରେ ରଖିଦେଇ ନାହିଁ ତ !

 

ହାତ ବ୍ୟାଗଟି ଝିଙ୍କି ଆଣି ଲୁଗାପଟା ଦି’ଖଣ୍ଡ ଟାଣି ଆଣିଲି । ତା’ ସାଥିରେ ମନିବ୍ୟାଗଟା ଖସିଆସିଲା । ଖୁବ ତରତରରେ ହାତ ପୂରାଇ ଟଙ୍କା କାଢ଼ିଲାବେଳକୁ ଦେଖେ ଚମଡ଼ା ମୁଣିଟା ଫାଙ୍କା–ସେଥିରେ ଗୋଟିଏ କପର୍ଦ୍ଦକ ନାଇଁ । ଟଙ୍କା କୁଆଡ଼େ ଗଲା ? କଲମଟା ବି ନାଇଁ ।

 

ଥାନା ପାଖରେ ଘଣ୍ଟି ଠଂ ଠଂ କରି ବାଜିଲା ସାତ ।

 

ଡବଲ କଫ୍‍ ସାର୍ଟର ହାତଟା ଉପରକୁ ଘୁଞ୍ଚାଇ ଆଣି ବିଜୁଳିବତୀ ଆଲୁଅରେ ସମୟ ମିଳେଇବା ପାଇଁ ରିଷ୍ଟୱାଚଟା ଆଡ଼କୁ ଚାହିଁଲି । ଦେଖିଲି ଘଣ୍ଟାଟି ବି ଠିକ୍‍ ଜାଗାରେ ନାଇଁ । ମୁଁ ସ୍ଵପ୍ନ ଦେଖୁନି ତ ? ଦି’ ଆଖିକି ମଳିଲି । କଚଟି ଉପରେ ଆଙ୍ଗୁଳି ଚାଳନ କଲି । କାଇଁ ?

 

ବଡ଼ ହତାଶ ଲାଗିଲା । ମତେ ଜଣାଗଲା ପୃଥିବୀଟା ଯିମିତି ମୋ ଆଗରେ ଘୂରୁଛି, ଗଛ ପତ୍ରଗୁଡାକ ପବନରେ ଉଡ଼ୁଛନ୍ତି ।

 

କଣ୍ଡକ୍ଟର ପଚାରିଲା–

 

ବାବୁ, କଅଣ ହେଲା କି ?

 

ସବୁ ବିଷୟ କହିଲି ।

 

ମଟରଟାଯାକ ଖୋଜା ହେଲା । ମିଳିଲା ନାଇଁ ।

 

ସେତେବେଳକୁ ସେଇ ଭଦ୍ରଲୋକ ଓ ସେଇ ଯୁବତୀଙ୍କ ଛଡ଼ା ତ ଆଉ କେହି ଯାଇ ନାହାନ୍ତି !

 

ବ୍ୟାପାର କ’ଣ ବୁଝିବାକୁ ମୋ’ର ମସ୍ତିସ୍କ ଠିକ୍‍ ନ ଥାଏ ।

 

ସମବେଦନାରେ ଯେ ଦରିଦ୍ର, ଦୁଃସ୍ଥ ପାଇଁ ଅକାତରରେ ଅଶ୍ରୁ ଢାଳିପାରେ, ତା’ ତଳେ ଯେ ସଇତାନ୍‍ ଲୁଚି ଶୋଇଛି, ଏକଥା ବୁଝିବାକୁ ମୋର ମୁଣ୍ଡ ଅତିରିକ୍ତ ଭାବରେ ଗରମ ହୋଇ ଯାଇଥାଏ ।

Image

 

କର୍ମ କର୍ତ୍ତା କ୍ରିୟା

 

ଷ୍ଟେସନରେ ପହଞ୍ଚିଲା ବେଳକୁ ସତକୁସତ ଦେବବ୍ରତ ଆସି ନାହାନ୍ତି । ଏତେ ବଡ଼ ଷ୍ଟେସନ...ସାତୁଟା ପ୍ଲାଟଫର୍ମ...ମଣିଷଗୁଡ଼ା ଖାଲି ବଢ଼ପାଣି ପେଟା ବୁରୁଜରେ ବାଡ଼େଇ ହୋଇ ଗଣ୍ଠି ପଡ଼ିପଡ଼ିକା ଧାଇଁଲା ପରି ଧାଇଁଛନ୍ତି ।

 

ରତ୍ନା ଭାବିଲା...ସତେ କ’ଣ ଦେବବ୍ରତ ଭୁଲିଗଲେ ! ଯେତେହେଲେ ସ୍ଵାମୀ ତ !

 

ରତ୍ନା ଅବଗୁଣ୍ଠନ ଖୋଲି ଆପଣାର ନୀଳ ନୀଳ ଆୟତାକ୍ଷିକୁ ଅଯଥା କଷ୍ଟ ଦେଇ କେତେ ଅନେଇଲା... ହୁଏତ ଦେବବ୍ରତ ତା’ର ମନ ପରିବର୍ତ୍ତନ କରିଥିବ...ଦୀର୍ଘ ଦିନର ବିରହ ପରେ ମିଳନର ଏ ବ୍ରାହ୍ମମୁହୂର୍ତ୍ତ ପାଇଁ ସବୁ କାମ ଛାଡ଼ି ଧାଇଁ ଆସିଥିବ ଅନ୍ତତଃ ।

 

କିନ୍ତୁ...

 

ଦୀର୍ଘନିଶ୍ଵାସ ଛାଡ଼ିଲା ରତ୍ନା । ଆପଣାର ସାମାନ୍ କୁଲିଦ୍ଵାରା ବୋଝାଇ କରି ଲୋହିତ ଭ୍ୟାନିଟି ବ୍ୟାଗରୁ ନାଲି ରଙ୍ଗର ଟିକଟ ଖଣ୍ଡିକ କାଢ଼ି ଷ୍ଟେସନ ବାହାରକୁ ଆସିଲା ସେ । ସଙ୍ଗେ ସଙ୍ଗେ ରିକ୍‍ସାବାଲାଠାରୁ ଆରମ୍ଭ କରି ଟ୍ୟାକ୍‍ସିବାଲା ପର୍ଯ୍ୟନ୍ତ ସମସ୍ତେ ରତ୍ନାକୁ ତା’ର ଲକ୍ଷ୍ୟସ୍ଥଳକୁ ବୋହିନେବା ପାଇଁ ତିଆର । ଜଣେ ତାର ସୁଟ୍‍କେଶ ନେଇ ଲଦି ଦେଲାଣି ତ ଆଉ ଜଣେ ବେଡ଼ିଂ ନେଇ ରଖୁଛି...ରତ୍ନାର ଆଖିରେ ଲୁହ ଜକେଇ ଆସିଲାଣି... ଆଉ ଟିକକରେ ହୁଏତ..ଛୋଟ ପିଲାଙ୍କ ପରି ଭୋ ଭୋ ରଡ଼ି ଛାଡ଼ିବ ସେ ।

 

ସଙ୍ଗେ ସଙ୍ଗେ ଗହଳି କାଟି ଦାଢ଼ିଆ ଜଣେ ସଲାମ ବଜାଇଲା ରତ୍ନାକୁ...ଏଁ, ଏ ଯେ ସଂଗ୍ରାମ ସିଂ...ପୋଲିସ ସାହେବଙ୍କର ଡ୍ରାଇଭର...ମାଳିନୀ ସ୍ଵାମୀଙ୍କର ଡ୍ରାଇଭର ।

 

(ଆଃ, ମାଳିନୀ...ସୌଭାଗ୍ୟବତୀ ମାଳିନୀ...ସ୍ଵାମୀ କେବଳ ପୁଲିସ ଅଫିସର ନୁହନ୍ତି ସାହିତ୍ୟିକ ମଧ୍ୟ)

 

ସଂଗ୍ରାମ ସିଂ କହୁଛି...

 

–ଇସ୍ ତରଫ୍ ଆଇୟେ ମେମ୍ ସାହେବ... ଗାଡ଼ି ମହଜୁଦ୍ ହୈ...”

 

ରତ୍ନା କାନ୍ଦିଲା...

 

ଶୋକଶ୍ରୁ ନୁହେଁ, ଆନନ୍ଦାଶ୍ରୁ ଗଡିପଡ଼ିଲା ରତ୍ନାର ଆଖିକୁ ଚିରି...ତା’ର ଚିର ଅବହେଳିତ ଜୀବନରେ ଏଇ ଯେ ଟିକିଏ ଆଶ୍ଵାସନା...ସତେ ଯିମିତି ମୁରୁଭୂମି ଭିତରେ ଓଏସିସ୍ ।

 

ଅପରିଚିତ ଜନସମୂହ ଭିତରେ ଯିମିତି ରତ୍ନା ପାଇଚି ଗୋଟିଏ ପରିଚିତ ଚଡ଼ା...ଇସ୍...କି ଶାନ୍ତିପ୍ରଦ !

 

ଗହଳି କାଟି ବିରାଟ ଚେଭରଲେଟ୍ ଗାଡ଼ି ପାଖରେ ପହଞ୍ଚିଲା ବେଳକୁ ରତ୍ନା ଦେଖିଲା ଏ ଯେ ନିଜେ ଶ୍ଵେତପଦ୍ମବାବୁ...ଅଙ୍ଗଭଙ୍ଗୀରେ ପ୍ରାଣପ୍ରାଚୁର୍ଯ୍ୟର ନମୁନା ଫୁଟାଇ ନମସ୍କାର ଜଣାଉଛନ୍ତି ।

 

ଶ୍ଵେତପଦ୍ମବାବୁ ମାଳିନୀର ସ୍ଵାମୀ...ପୁଲିସ ସାହେବ ।

 

ଏ ପ୍ରକାର ଅଚିନ୍ତ୍ୟପୂର୍ବ ପରିସ୍ଥିତିରେ ସମ୍ମୁଖୀନ ହେବାକୁ ରତ୍ନା ଯିମିତି ପ୍ରସ୍ତୁତ ନ ଥିଲା-

 

...ଆରେ ଆପଣ ଯେ ଏତେ କଷ୍ଟ କରି...

 

ତୁଣ୍ଡରୁ କଥା ବାହାରୁନି ରତ୍ନାର...ମୁହଁ ଶତଚେଷ୍ଟା ସତ୍ଵେ ରକ୍ତବର୍ଣ୍ଣ ଧରୁଛି ।

 

...କଷ୍ଟ ଆଉ କ’ଣ ମିସେସ୍ ଦାସ...ଏଇ ଟିକିଏ ଦେବବ୍ରତ ଯାଇଛି କଲ୍ ରେ...ମୋତେ ସକାଳେ ଫୋନ କରୁ କରୁ କହିଲା, ଆପଣ ଆସୁଛନ୍ତି । ମୋ’ର ପରମ ସୌଭାଗ୍ୟ ଯେ ଆପଣଙ୍କୁ ନିଜେ ନେଇଯିବି ଏଠୁ । ଆସୁ ଆସୁ ଟିକିଏ ଡେରି ହୋଇଗଲା । ଅସୁବିଧା ହେଲା ବୋଧହୁଏ...

 

କଥା ତ ନୁହେଁ...ଅମୃତ ଯିମିତି ଝରୁଛି ଶ୍ଵେତପଦ୍ମବାବୁଙ୍କ ତୁଣ୍ଡରୁ...ଦିନେ କେବେ ତ ଦେବବ୍ରତ ଏପରି ପଦେ କଥା କହିନି ରତ୍ନାକୁ । ଯଦି ଏପରି ସୁରୁଚିସମ୍ପନ୍ନ କଥାର ଶହେ ଭାଗରୁ ଭାଗେ ଦେବବ୍ରତ କହିଥାଆନ୍ତେ, ତେବେ ରତ୍ନା ତା’ର ଚରଣରଜ୍ଜୁରେ ଚିରକାଳ ଆବଦ୍ଧ ରହି ପୋଷ ମାନିଥାଆନ୍ତା ।

 

କିନ୍ତୁ ଦେବବ୍ରତ ଡାକ୍ତର...ତା’ର ସବୁବେଳେ କାମ...ସତେ ଯିମିତି ଶ୍ଵେତପଦ୍ମବାବୁଙ୍କର ଆଉ କାମ ନାଇଁ–ସେ ଜିଲ୍ଲାଟାର ଶାସନ ତଦାରଖ୍ କରୁ ନାହାନ୍ତି !

 

ଏତେଦିନ ପରେ ରତ୍ନା ଫେରୁଛି ପିତ୍ରାଳୟରୁ...ପ୍ରତିଜ୍ଞା କରିଥିଲା ଆଉ ଫେରିବନି ଅଣହେଳାର ଏ ଦୁର୍ଗମ ବ୍ୟୁହ ଭିତରକୁ । କିନ୍ତୁ ତାହା କି କେବେ ହୁଏ...ମନ ବୁଝେ କେତେକେ...

 

କିନ୍ତୁ ଦେବବ୍ରତ ଚାଲିଯାଇଛି ସେଇ କଲରେ...ଆଃ ଦେବବ୍ରତ ।

 

ମୁହଁ ଉପରୁ ସ୍ଵପ୍ନର ରକ୍ତିମାକୁ ଯଥାସାଧ୍ୟ ଦୁରକରି ରତ୍ନା ପଚାରିଲା...

 

–ବହୁ ଧନ୍ୟବାଦ...ମାଳିନୀ କାଇଁ ?

 

–ମାଳିନୀ...ଓ...ବସନ୍ତୁ...ବସନ୍ତୁ ।

 

ନିଜେ ଗାଡ଼ିର ଦରଜା ଖୋଲି ରତ୍ନାର ବାହୁରେ ମୃଦୁ ସ୍ପର୍ଶ କରି ଗାଡ଼ି ଭିତରକୁ ଉଠିବାରେ ସାହାଯ୍ୟ କଲେ ଶ୍ଵେତପଦ୍ମବାବୁ...ସେ ହାତର ସ୍ପର୍ଶରେ କଅଣ ଥିଲା କେଜାଣି, ରତ୍ନା ସମ୍ମୋହିତ ହେଲା...ଅସହାୟ ପରି ଗଦି ଭିତରକୁ ନିଜକୁ ନିକ୍ଷେପ କଲା ସେ । ଗାଡ଼ି ଭିତରର କଟ୍‍ସି ଲାଇଟ୍ ଆଲୋକ ବିଛାଡ଼ି ଦେଉଥାଏ ରତ୍ନାର ମୁହଁରେ ବଡ଼ ଅଶ୍ଳୀଳ ଭାବରେ...

 

ସେ ମୁହଁ ଘୋଡ଼ାଇଲା ।

 

ଆର ପାଖ କବାଟଖୋଲି ଶ୍ଵେତପଦ୍ମବାବୁ ରତ୍ନା ପାଖରେ ବସିପଡ଼ିଲେ ।

 

ଆପଣାର ଘୋଡ଼େଇ ହୋଇଥିବା ହାତ ପାପୁଲିର ଫାଙ୍କରେ ରତ୍ନା ଦେଖିଲା, ଶ୍ଵେତପଦ୍ମବାବୁ ସତେ ଯିମିତି ଆପଣାର ନାମର ସାର୍ଥକ ସୃଷ୍ଟି । ଛଅ ଫୁଟ ଉଞ୍ଚର ଚେହେରା...ଦେହରେ କେଉଁଠି ପଳେ ହେଲେ ଅଧିକ ମାଂସ କି ଚର୍ବି ନାଇଁ...ସୁଗଠିତ ବପୁ...ଆଖିରେ କିମିତି ନରମ ନରମ ଭାବ...ପିଲାଦିନେ ପରା ସେ ବାବୁରିବାଳ ରଖୁଥିଲେ...ମାଳିନୀ କୁହେ...କିନ୍ତୁ ପୋଲିସରେ ଯୋଗଦେଲା ପରେ ସେ ସୌକ୍‍କୁ ବଳି ଦେବାକୁ ପଡ଼ିଛି । ଆଖିରେ ସୁନେଲି ଚଷମା...ଓଠରେ ଦାମୀ ସିଗାରେଟ୍ ।

 

ସଙ୍ଗେ ସଙ୍ଗେ କଟ୍‍ସି ଲାଇଟ୍ ଲିଭିଗଲା ଦୁଆର ବନ୍ଦ କରିଦେବା କ୍ଷଣି...ରତ୍ନାର ନିରୀକ୍ଷଣ ସେତିକିରେ ବନ୍ଦ ହେଲା ।

 

ଓ, ଆପଣ ଖୁବ୍‍ କ୍ଳାନ୍ତ ରତ୍ନା ଦେବୀ ..ଟିକିଏ ସେ ପଛ ପାଖ କାଚଟା ଖୋଲିଦିଏଁ...ପବନ ପାଇବେ...

 

ଉହୁଁକିପଡ଼ି ରତ୍ନାର ପଛପାଖର କାଚ ଖୋଲିବସିଲେ ଶ୍ଵେତପଦ୍ମବାବୁ.... ତାଙ୍କର ଦେହର ସାରା ଓଜନ ଯିମିତି ଉଜାଡି ହୋଇ ପଡ଼ୁଥିଲା ରତ୍ନାର ନରମ ଦେହରେ....ବେଶ୍ ଡେରି ଲାଗିଲା କାଚ ଝରକାଟା ଖୋଲିବାକୁ...ଅନେକ ଦିନୁ ଖୋଲି ନାଇଁ କି ନା, କଳଙ୍କି ଧରିଯାଇଛି ।

 

–ମୁଁ ଜାଣେ ଏଇ ଟ୍ରେନ୍ ଜର୍ଣ୍ଣି...ଓଃ ମୁଁ ମୋଟେ ପାରେନି ରତ୍ନାଦେବୀ...ମୋ’ର ମସ୍ତିଷ୍କ କିମିତି ଘାଁ ଘାଁ କରି ଉଠେ ମାତ୍ର କେଇଟା ଷ୍ଟେସନ ଗଲେ...ମୋର ଏଇ ‘ଚେଭ୍’ ଖଣ୍ଡିକ ପରମ ବନ୍ଧୁ...ଯୁଆଡ଼େ ଚାହେଁ ସେଠିକି ମୋତେ ବହିନିଏ...ଯିମିତି ବିଷ୍ଣୁଙ୍କର ଗରୁଡ଼...

 

...ଅଥବା ଗଣେଶଙ୍କର ମୂଷା ।

 

ମୁହଁରୁ କଥା ଛଡ଼େଇ କହିଲା ରତ୍ନା । ହାଃ ହାଃ ହାଃ...ହସି ହସି ଦୁହେଁ ଯାକ ଗଡ଼ିଗଲେ-

 

ସଂଗ୍ରାମ ସିଂ ଗାଡ଼ି ଛାଡ଼ି ଦେଇଥିଲା ୩୦ ମାଇଲ ବେଗରେ...

 

ସଂଗ୍ରାମ ସିଂ...ରୋକୋ ଜେରା । ଟିକିଏ ନେସକେଫ ଖାଇଗଲେ କିମିତି ହୁଅନ୍ତା ଏଇ ରେସ୍ତୋରାଁରେ ରତ୍ନାଦେବୀ ?

 

ରତ୍ନାର ଆଉ ନିଜର ଇଛା ବୋଲି କିଛି ନାଇଁ । ସତେ ଯିମିତି ପାଷାଣୀ ଅହଲ୍ୟା ଭିତରେ ପ୍ରାଣପ୍ରାଚୁର୍ଯ୍ୟର ପୌର୍ଣ୍ଣମାସୀ...ସେ ମୁଗ୍ଧା...ଅଥବା ନିଦାଘର ତପ୍ତ ବାତାବରଣ ଭିତରେ ଯିମିତି ଝରିପଡ଼ୁଛି ସିକ୍ତ ଶୀତଳ ଫୁଆର ।

 

ଶୀତତାପ ଯନ୍ତ୍ରସନ୍ନିହିତ ରେସ୍ତୋରାଁ ଭିତରେ ପଶିଲେ ରତ୍ନା ଓ ଶ୍ଵେତପଦ୍ମବାବୁ...ୱେଟର ସଲାମ ଠୁଙ୍କିଲା ଗେଟ୍‍ ଖୋଲିବା ପାଇଁ । ସଙ୍ଗେ ସଙ୍ଗେ ତା’ ହାତରେ ସାବ୍‍ଜା ରଙ୍ଗର ନୋଟ ଖଣ୍ଡେ ଗୁଞ୍ଜିଦେଲେ ଶ୍ଵେତପଦ୍ମବାବୁ... ସେଇଟା କାଇଦା...

 

ଭିତରେ ପଶି ଯାଉ ଯାଉ ଦର୍ପଣରେ ପ୍ରତିବିମ୍ବିତ ହେଲା ଦୁହିଁଙ୍କର ମୂର୍ତ୍ତି....। ପରସ୍ପରସଂଲଗ୍ନ... ଶିହରିଉଠିଲା ରତ୍ନା...ରେସ୍ତୋରାଁ ଯାକର ଚକ୍ଷୁ ଯିମିତି ଘୂରିଆସିଲା ଏଇ ଶୋକପାଶୋରା ଦମ୍ପତି (?)ଙ୍କ ଆଡ଼େ...

 

ରତ୍ନାର ଅଶ୍ଵସ୍ତିକୁ ବଢ଼ାଇବାକୁ ଯେପରି ଶ୍ଵେତପଦ୍ମବାବୁ ମଝିର ବଡ଼ ଟେବୁଲଟାରେ ଯାଇ ବସିଲେ ।

 

ଆହାର, ପାନୀୟର ବରାଦ ଦେଇ ଚାରିଆଡ଼େ ଆଖି ବୁଲେଇଲେ ଶ୍ଵେତପଦ୍ମବାବୁ...

 

–ଏଇ ଦେଖନ୍ତୁ ରତ୍ନା ଦେବୀ...ସେ ପେଣ୍ଟିଙ୍ଗ୍‍ଟା ଆଡ଼େ... ମଡର୍ଣ୍ଣ ପେଣ୍ଟିଙ୍ଗ୍...ଆଧୁନିକ କଳା...ଇଲେକ୍ଟ୍ରିକ ତାର ଉପରେ ମାଛରଙ୍କା ଚଢ଼େଇ ବସିଛି । ବିଚରା ଦେହସାରା ବିଜୁଳି ସଞ୍ଚରି ଗଲାଣି । ତାକୁ ଉପହାସ କରିବା ପାଇଁ ଯିମିତି ମାଛ ନିଜେ ଆସି ତା’ ଉପରେ ବୁଲୁଛି...କି ଯେ କଳ୍ପନା...ଆପଣ ଯାହା କୁହନ୍ତୁ ରତ୍ନା ଦେବୀ ! ଆଧୁନିକ ଆର୍ଟ ପରି ଆଧୁନିକ କବିତା ମଧ୍ୟ ଧୀରେ ଧୀରେ ଅବୋଧ ହୋଇଯାଉଛି ।

 

ଏ ତ ରତ୍ନାର ପ୍ରିୟ ସବଜେକ୍‍ଟ । କେତେ ଯୁକ୍ତି କରିଛି ଅଧ୍ୟାପକ ବିମଳ ବାବୁଙ୍କ ସହିତ ମଡର୍ଣ୍ଣ କବିତା ନେଇ...ରାଉତରାଠାରୁ ରଥ ପର୍ଯ୍ୟନ୍ତ...କିପରି ଜାଣିଲେ ଶ୍ଵେତପଦ୍ମବାବୁ ରତ୍ନାର ମନକଥା ।

 

ରତ୍ନା ବାଚାଳ ହେଲା । ଚିପା ଓଠ ଦିଫାଳ ହେଲା, ମୁକ୍ତା ପରି ଦନ୍ତପନ୍ତି ନିଅନ୍‍ ଲାଇଟରେ ସ୍ପଟିକବର୍ଣ୍ଣ ଧରିଲା, ଅବଗୁଣ୍ଠନ ଖସିପଡ଼ି ଦେଖାଦେଲା ଗଭୀର ଗଭା ଓ ତା ମଝିରେ ରକ୍ତ ଶୀତଳ ଗୋଲାପ ।

 

–ଏ ତ କବିତା ନୁହେଁ ଶ୍ଵେତପଦ୍ମବାବୁ...କବିତାର ଆତ୍ମହତ୍ୟା...ନା ନା, ତା’ ବି ନୁହେଁ– ମୁଁ ଭାବେ ଅତ୍ୟାଧୁନିକ ଯୁଗରେ କବିତାକୁ ରୀତିମତ ସର୍ବସାଧାରଣ ସମକ୍ଷରେ ଅତ୍ୟାଚାର କରିଯାଉଛି, ଆଉ ସମସ୍ତେ ବସି ବସି ମଜା ଦେଖୁଛନ୍ତି । ଯିଏ କଲମ ଧରିଲା, ସେ ଲେଖିଲା କବିତା । ଯେଉଁ କବିତା ଯେତିକି ଅବୋଧ୍ୟ, ସେ ପରା ସେତିକି ଉଚ୍ଚକୋଟିର !

 

କିନ୍ତୁ ରତ୍ନାଦେବୀ ! ଆପଣ ଟି. ଏସ୍. ଇଲିଅଟ, ଷ୍ଟିଫେନ୍‍ ସ୍ପେଣ୍ଡର୍, ଏଜରା ପାଉଣ୍ଡ ଏମାନଙ୍କର ଲେଖା ତ ପଢ଼ିଛନ୍ତି ।

 

ବିପ୍ଳବ ସୃଷ୍ଟିହେଲା ରତ୍ନା ମନରେ...

 

ପଢ଼ିଛି, ପଢ଼ିଛି; ଢେର ପଢ଼ିଛି । କାହିଁ ରାଣୀ, କାହିଁ ଚନ୍ଦ୍ରକାଣୀ ? ଏଗୁଡ଼ା ସବୁ ପ୍ଲାଜିଆରିଜମ୍ ଶ୍ଵେତପଦ୍ମବାବୁ, ବିରାଟ ହନୁକରଣ...ଆମର ସମାଲୋଚକ ନାହାନ୍ତି ନଚେତ ପ୍ରତ୍ୟେକ କବିତାକୁ ଟିକିନିଖି ଆଲୋଚନା କଲେ ଦେଖିବେ, ସେଥିରେ ନା ଅଛି ଇଲିଅଟଙ୍କର ଅନ୍ତର୍ନିହିତ ଭାବଧାରା ନା ଏଜରା ପାଉଣ୍ଡଙ୍କର ଉଗ୍ର ଆଧୁନିକତା । ସେସବୁର ତିକ୍ତ ସମୀକରଣ...ଖେଚେଡ଼ି...

 

ରତ୍ନା, ବିବ୍ରତ ବିଚଳିତ ରତ୍ନା...ବେଶ ସୁନ୍ଦର ଦେଖାଯାଉଥିଲା ସେ । ତା’ର ସୁସଜ୍ଜିତ କୁନ୍ତଳ କପୋଳ ଉପରେ ଖସି ପଡ଼ୁଥିଲା ଉତ୍ତେଜନାଜନିତ ତାଡ଼ନାରେ...ଶ୍ଵେତପଦ୍ମ ଯିମିତି ପିଇଯାଉଥିଲେ ସେ ରୂପରାଶିକୁ । ରତ୍ନା ଅନୁଭବ କଲା କେଉଁ ଏକ ପରିରାଇଜର ରାଜକନ୍ୟା ସେ...ଆଉ ଶ୍ଵେତପଦ୍ମବାବୁ ରାଜକୁମାର...ତା’ର ଆଉ ମନେ ନାଇଁ ସେ ପଚାରୁଥିଲା ଟିକକ ଆଗରୁ–ମାଳିନୀ କାଇଁ ?

 

ସେ ହଠାତ୍ ଚୁପ୍ ହୋଇଗଲା । ଶ୍ଵେତପଦ୍ମବାବୁ ଯେପରି ଚମକି ପଡ଼ିଲେ । ଯିମିତି ତାଙ୍କର ସ୍ଵପ୍ନର ସୌଧ ଟକୁରା ଟୁକୁରା ହୋଇଗଲା ଏ ସହସା ନୀରବତାରେ ।

 

କିନ୍ତୁ ମିସେସ ଦାସ, ଆପଣ ଯାହା କହନ୍ତୁ ଗୋଟିଏ କଥା ସତ, ଆମର ସମାଲୋଚନା ବୋଲି କିଛି ନାଇଁ । ଯାହା ଅଛି ତାହା କେବଳ ଶସ୍ତା ନିନ୍ଦାବାଦ । ଏଇ ଦେଖନ୍ତୁ ନା ଏବେ ଚାଲିଛି ଜଣେ ବିଶିଷ୍ଟ ଲେଖକଙ୍କର ବହି...ସେଇଟା କୁଆଡ଼େ ଜଣେ ଆମେରିକାନ୍ ମହିଳାଙ୍କ ଲିଖିତ କୌଣସି ଉପନ୍ୟାସର ମର୍ମାନୁବାଦ । ଏଇଟା କ’ଣ ?

 

କଥା ଛଡ଼ାଇ କହିଉଠିଲା ରତ୍ନା–

 

–ସେ କଥା ସତ ହୋଇପାରେ ଶ୍ଵେତପଦ୍ମବାବୁ...କିନ୍ତୁ ଆପଣ କ’ଣ ହଲପ କରି କହିପାରିବେ ଗୋଟିଏ ଅନ୍ୟଟିକୁ ପ୍ରଭାବିତ କରି ନାଇଁ ? ମୁଁ ଦୁଇଟିଯାକ ପଢ଼ିଛି । ତଥାପି ଦୁହିଁଙ୍କର ଶୈଳୀ ଭିନ୍ନ...ସେ ତାକୁ ନିଜସ୍ଵ କରିନେଇପାରିଛନ୍ତି । ସେଇଟାକୁ ପ୍ଲାଜିଆରିଜମ କହିବାକୁ ପ୍ରସ୍ତୁତ ନୁହେଁ ।

 

ରତ୍ନାର ଆଖିରେ ଅସାମାନ୍ୟ ଦୀପ୍ତି ।

 

ଶ୍ଵେତପଦ୍ମବାବୁ ହସିଲେ, ତାଙ୍କର ବଳିଷ୍ଠ ଓଠରେ ହସ ବେଶ୍ ମନାଏ ।

 

ଦୁହେଁ ରେସ୍ତୋରାଁ ଛାଡ଼ି ଗାଡ଼ିରେ ବସିଲେ ।

 

ଗାଡ଼ି ସହରତଳି ଛାଡ଼ି ଆସ୍ତେ ଆସ୍ତେ ଅନ୍ଧାର ଭିତରେ ଛୁଟିଚାଲିଲା । ପ୍ରାୟ ପାଞ୍ଚ ମାଇଲ ପରେ ତାଙ୍କର ଘର ।

 

ସହର ଧୂମଳ ବାତାବରଣ ଧୀରେ ଧୀରେ ଅପସରି ଯାଉଛି । ସୁଲୁସୁଲୁ ବହୁଛି ପବନ-। ରତ୍ନାର ଆଖିରେ କ୍ଳାନ୍ତି । ତା’ର ଟଣକି ଯାଇଥିବା ସ୍ନାୟୁ ଯେପରି ଆସ୍ତେ ଆସ୍ତେ ନରମି ଉଠୁଛି ଏ ଅପୂର୍ବ ସାନ୍ନିଧ୍ୟ ଓ ଅକଥନୀୟ ସୌହାର୍ଦ୍ଦ୍ୟରେ...

 

ତା’ର ଆଖି ଲାଗି ଆସିଥିଲା ।

 

ଶ୍ଵେତପଦ୍ମବାବୁ ସିଗାରେଟରେ ନିଆଁ ଧରେଇଲେ ।

 

ରତ୍ନାର ଅବଚେତନ ମନ ଗୁମୁରି ଉଠିଲା...ଏଇ ବୋଧେ ତା’ର ଚିର ଇପ୍‍ସିତ ଜଗତ...ତା’ ଜୀବନର ପଟ୍ଟଭୂମିକା ଉପରେ ଶ୍ଵେତପଦ୍ମବାବୁଙ୍କର ଏଇ ଅଭୂତପୂର୍ବ କ୍ଷଣିକ ଆବିର୍ଭାବ ଯେପରି ଯୁଗ ଯୁଗ ସାଧନାର ସିଦ୍ଧି । ହୁଏତ ଶ୍ଵେତପଦ୍ମବାବୁଙ୍କୁ...

 

...ଛିଃ...

 

ମାଳିନୀର ସେ ବନ୍ଧୁ...

 

ତା’ର ସ୍ଵାମୀ ବିଷୟରେ...ଛିଃ...

 

ଏଁ, ମାଳିନୀ କାଇଁ ?

 

–ମାଳିନୀ କାଇଁ ଶ୍ଵେତପଦ୍ମବାବୁ ?

 

ଶ୍ଵେତପଦ୍ମବାବୁ ସିଗାରେଟର କୁଣ୍ଡଳୀକୃତ ଧୂମ ଭିତରେ ନିଜକୁ ହଜେଇ ଦେଇଥିଲେ ଯିମିତି । ଏତେ ସମ୍ମାନ; ଏତେ ପଦମର୍ଯ୍ୟାଦା, ଏତେ ସାର୍ଥକତା ଯେମିତି ତାଙ୍କୁ ମନେ ହେଉଥିଲା କନଟ୍ ପ୍ଲେସ୍‍ର ଆସୁରୀ ଆଲୋକରେ ସଂତ୍ରାସ ପରି...ନା ଅଛି ତା’ର କାୟା ନା ଅଛି ସେଥିରେ ମାନୁଷିକତାର ସତ୍ତା...ହୃଦୟ ପରିବର୍ତ୍ତେ ମସ୍ତିଷ୍କର ବିଶ୍ଳେଷଣ କରି କରି ଏ ଜୀବନ ପ୍ରତି ସେ ଯେପରି ହୋଇ ପଡ଼ିଛନ୍ତି ବିତସ୍ପୃହ । ନିରର୍ଥକ ଏ ଜୀବନ...

 

ଏଇ ଅଧଘଣ୍ଟାକର ଚର୍ଚ୍ଚା ରତ୍ନାଦେବୀଙ୍କର ସହିତ ସତେ ଯେମିତି ତାଙ୍କୁ ଗୋଟାଏ ମୁହୂର୍ତ୍ତ ପାଇଁ ଫେରେଇ ନେଇଛି ଅତୀତକୁ...ସେଇ ସୁନ୍ଦର ବଳିଷ୍ଠ ଅତୀତ...ଯାହାକୁ ଝୁରିବା ହିଁ ସାର ହୁଏ...ଯାହାକୁ ହଜେଇ ଦେଇ ଖୋଜି ହୁଏନା...ଥରେ ଭାଙ୍ଗିଦେଲେ ଗଢ଼ି ହୁଏନା...ଜୀବନଯାକ ବଳିଯିବାକୁ ପଡ଼େ ।

 

ତାଙ୍କର ସେଇ ମଳିଛିଆ ଖବରକାଗଜ ଭିତରେ ଗୁଡ଼ା ହୋଇଥିବା ପ୍ରକାଶିତ ଅପ୍ରକାଶିତ ଲେଖାଗୁଡ଼ିକ ଉପରେ ଆଖି ବୁଲାଇ ଯେପରି ଚହଲିଉଠେ ମନ...ଇଚ୍ଛାହୁଏ ଖାକିର ଏ ପୋଷାକ, ଚମଡ଼ାର ଏ ବେଲ୍‍ଟ ଆଉ ଗରମକନାର ଏ ଟୋପି ସବୁ ଏକାଠି ଗଦାକରି ପେଟ୍ରୋଲ ଢାଳି ଜାଳିଦିଅନ୍ତେ, ଆଉ ସିଧାସଳଖ ଧାଇଁଯାଆନ୍ତେ ଅନ୍ତର ଯୁଆଡ଼େ ଚାହେଁ ସେହି ଆଡ଼କୁ ଆଉ କୁହନ୍ତେ...ମୁଁ ଫେରିଆସିଛି । ମୁଁ ଫେରିଆସିଛି ରତ୍ନା...

 

ଏ ରତ୍ନା...

 

ରତ୍ନା ଯେ ଏଇ ନିକଟରେ । ପଚାରୁଛି ମାଳିନୀ କାଇଁ ? ମାଳିନୀ ?

 

ଗାଡ଼ି ଆସି ପୋର୍ଟିକୋରେ ଛିଡ଼ା ହେଲାଣି ।

 

ରତ୍ନା ହସୁଛି ।

 

କ’ଣ ସ୍ଵପ୍ନ ଦେଖୁଥିଲେ କି କବି ?

 

ହେଃ ,ହୋଃ ,ହୋଃ...

 

କୃତ୍ରିମ ହସ ହସିଲେ ଶ୍ଵେତପଦ୍ମବାବୁ ଅନ୍ତରର ଆଦ୍ରତାକୁ ଘୋଡ଼େଇ ରଖିବା ପାଇଁ

 

ଓହ୍ଲେଇ ପଡ଼ି ଗାଡ଼ିରେ କବାଟ ଖୋଲି ଧରିଲେ ରତ୍ନା ପାଇଁ ସେ...

 

ଟିକିଏ ପଦାର୍ପଣ କରନ୍ତୁ ଏ ଦରିଦ୍ର କୁଟୀରରେ ରତ୍ନା ଦେବୀ !

 

...କିନ୍ତୁ...

 

ଓ, ଘରକୁ ଯିବେ ତ ! ଦେବବ୍ରତ ବୋଧହୁଏ ଫେରି ନ ଥିବ । ସେଠି ଏକା ବସି କ’ଣ କରିବେ ? ବସନ୍ତୁ ମୁଁ ଫୋନ କରୁଛି ।

 

ହାଲୋ….. ହାଲୋ....

 

କାଠ ଟ୍ରେରେ ଟେଲିଫୋନ ଧରି ଚପ୍ରାସି ଠିଆ ହୋଇଥିଲା ।

 

ସାହେବ ଆସି ନାହାନ୍ତି ? ଆଚ୍ଛା ଛାଡ଼ିଦିଅ ।

 

କିଏ ଟେଲିଫୋନ ଧରିଥିଲା ‌ଶ୍ୱେତପଦ୍ମବାବୁ !

 

ଶଙ୍କର.... ଜଣେ ନୂଆ ବାବୁର୍ଚ୍ଚି ରଖିଛି ଦେବବ୍ରତ ଆଜିକାଲି ଆପଣ ଗଲା ପରେ....

 

ରତ୍ନାର ମୁହଁ ଯେପରି ଏ ଶୀତ ଦିନରେ ମଧ୍ୟ ଗରମ ଝାଞ୍ଜି ବାଜିଲା ପରି ଜଳିଉଠିଲା । ଚୁପ୍‍କରି ଓହ୍ଲେଇଲା ସେ ଗାଡ଼ିଭିତରୁ । ଏଥର ମଧ୍ୟ ରତ୍ନାର ବାହୁରେ ମୃଦୁ ସ୍ପର୍ଶ କରି ସାହାଯ୍ୟ କଲେ ଶ୍ଵେତପଦ୍ମବାବୁ....

 

.....ସେଟା କାଏଦା...

 

ଚପଲ ଭିତରେ ଶାଢ଼ି ଛନ୍ଦି ହୋଇ ଓଲଟି ପଡ଼ିଥାଆନ୍ତା ରତ୍ନା । କିନ୍ତୁ ଶ୍ଵେତପଦ୍ମଙ୍କର ବଜ୍ରମୁଷ୍ଟି ତାଙ୍କୁ ବଞ୍ଚାଇଦେଲା ।

 

ଓଃ କି ଜୋର ଲୋକଟାର ! ସାରା ବାହୁମୂଳ ଦରଜ ହୋଇଗଲା ଜିମିତି ଯିମିତି ରତ୍ନାଙ୍କର ।

 

ଦୁହେଁ ଭିତରେ ଯାଇ ବସିଲେ ଡ୍ରଇଂ ରୁମରେ ।

 

କଫର ବରାଦ ଦିଆଗଲା । ପୁଞ୍ଜାଏ କି ପାଞ୍ଚୁଟା ଚପ୍ରାସି ଦାଉଡ଼ା ଦଉଡ଼ି କରି ହୁକୁମ ତାମିଲ କରିବାକୁ ଲାଗିଲେ ।

 

ରତ୍ନା କହିଲେ ଆଉ ଆପଣଙ୍କର ଲେଖନୀରୁ କାଇଁ ଗୋଟିଏ ହେଲେ ବି ଲେଖା ଦେଖୁ ନାହୁଁ ଶ୍ଵେତପଦ୍ମ ବାବୁ ! କ’ଣ ପୋଲିସ ଚାକିରିରେ ମୋହ....

 

ମୋହ ! ହୋ ହୋ ହୋ ହସେଇଲେ ରତ୍ନା ଦେବୀ.....

 

ମୋହ କୁହନ୍ତୁନି ରତ୍ନା ଦେବୀ ! କୁହନ୍ତୁ ଚାପା....

 

ଆପଣାର ଜଙ୍ଘ ଓ ଆଣ୍ଠୁ ଉପରେ ହାତ ପିଟି ପିଟି ହସି ହସି ଲୋଟି ପଡ଼ିଲେ ଶ୍ଵେତପଦ୍ମ ବାବୁ....

 

ପୋଲିସ ଚାକିରିର ମୋହ... ?

 

ବଳିଷ୍ଠ ତନୁର ଅଭିକର୍ଷରେ ସତେ ଯେମିତି ରତ୍ନା ଗୁଡ଼େଇ ତୁଡ଼େଇ ହୋଇ ପାଖକୁ ଲାଗିଆସୁଥିଲା ଶ୍ଵେତପଦ୍ମବାବୁଙ୍କର । ଇସ୍‍ ଲୋକଟାର କି ଅସାଧାରଣ ସୌନ୍ଦର୍ଯ୍ୟ ! କି ମନମୁଗ୍ଧକାରୀ ପ୍ରତିଭା !!

 

ଏଇ ଦେଖନ୍ତୁ... ଏଇ ଦେଖନ୍ତୁ ରତ୍ନାଦେବୀ... କାଲି ରାତି ଦୁଇଟାରେ ନାଇଟ ରାଉଣ୍ଡରୁ ଫେରି କ’ଣ ଦି’ଧାଡ଼ି ଗାରେଇ ଦେଇଥିଲି । ସମୟ କାଇଁ ରତ୍ନାଦେବୀ, କୁହନ୍ତୁ ନା...... ଏ ଜଞ୍ଜାଳକୁ ନେଇ ଆଉ କବିତାର ପୂଜା କ’ଣ ସମ୍ଭବ ହୁଏ ?

 

ରତ୍ନାଦେବୀ ଝୁଙ୍କିପଡ଼ି ବସିଥିଲେ ଶ୍ଵେତପଦ୍ମବାବୁଙ୍କ ହାତର ଲେଖାଟା… ବେକରୁ ତଳକୁ ଲମ୍ବି ଆସିଥିବା ନାଲି ଟେରେଲିନ୍‍ ଟାଇଟା ଘଷି ହୋଇଯାଉଥିଲା ରତ୍ନାର ଗାଲରେ.... ସେ ଉଲ୍ଲସି ଉଠୁଥିଲେ । ସେ ଉଲ୍ଲାସ କାହା ପାଇଁ ?

 

ଶେଷ ପର୍ଯ୍ୟନ୍ତ ପଢ଼ିସାରିଲା ବେଳକୁ ରତ୍ନାର ଗାଲ ଆଉ କାନମୂଳରେ ଖାଲି ଉଷୁମ ଉଷୁମ ଲହରୀ ଛୁଟିଛି... ଇସ ଏତେ ସ୍ପଷ୍ଟ ସ୍ଵାଦୁପୂର୍ଣ୍ଣ ଲେଖା... କାଇଁ କେବେ ତ ସେ ଏପରି ଲେଖା ପଢ଼ିଲା ପରି ମନେ ହେଉ ନାଇଁ !

 

ସଳଖି ହୋଇ ବସିଲା ରତ୍ନା.....

 

–ଖୁବ ସୁନ୍ଦର ହୋଇଛି ଯାହା କୁହନ୍ତୁ । ଯଦି ତରତର ହୋଇ ଲେଖି ପାରିଲେ ଏଡ଼େ ସୁନ୍ଦର, ତେବେ–

 

(ହଠାତ୍‍ ମନରେ ପ୍ରଶ୍ନ–ମାଳିନୀ କାଇଁ ?)

 

ଆଚ୍ଛା ଆପଣ କେତେବେଳେ ବହିପତ୍ର ପଢାପଢ଼ି କରନ୍ତି ?

 

–ବହିପତ୍ର ! ହଁ ଛୋଟକାଟର ଲାଇବ୍ରେରୀଟିଏ ଅଛି ମୋର । ସେତେବେଳେ ମୁହୂର୍ତ୍ତେ ସମୟ ପାଇଲେ ସେଇଠି ବସି ପୃଷ୍ଠା ଓଲଟାଉଥାଏ....

 

ଦେଖିବେ....ଦେଖିବେ ମୋର ଲାଇବ୍ରେରୀ....

 

ରତ୍ନାର ଓଠରେ ଭାଷା ନାଇଁ.... ମୁହଁରେ ଅସାମାନ୍ୟ ଆଗ୍ରହର ଦୀପ୍ତି ।

 

ଦୁହେଁ ଭିତର ଘର ପଶିଲେ । ଦୁଇ ଚାରିଟା କାଚ ଆଲମାରୀରେ ଭର୍ତ୍ତି ବହି...ଇଂରାଜୀ, ଓଡ଼ିଆ, ବଙ୍ଗଳା, ହିନ୍ଦୀ.... କେତେ କ’ଣ ?

 

ଡନ୍‍ଲପ୍ ପିଲ୍ଲୋ ଦିଆ ଦୁଇ ଚାରିଟା ଚୌକି ଓ ଟେବୁଲ.... କାଗଜ, କଲମ ଓ ଦୁଆତ । ରତ୍ନା ଯେପରି ଆଲ୍ଲାଉଦିନର କୁହୁକ ଗର୍ତ୍ତରେ ପହଞ୍ଚିଛି ।

 

ଏତେ ବହି, ତାକୁ ପୁଣି ସବୁ ପଢ଼ିଛନ୍ତି ଶ୍ଵେତପଦ୍ମବାବୁ ଆପଣାର ସବୁ କାମଧନ୍ଦା ସତ୍ତ୍ୱେ-

 

(ମାଳିନୀ କାଇଁ ? ଆଃ ମାଳିନୀ !)

 

ଶିଶୁଙ୍କ ପରି ପରସ୍ତେ ନାଚିବାକୁ ଇଚ୍ଛା ହେଲା ରତ୍ନାର....

 

ପ୍ରତି ଆଲମାରି ଖୋଲି ଗୋଟି ଗୋଟି ବହି ଦେଖିବାରେ ଲାଗିଗଲା ସେ ।

 

ଏଇ ଦେଖନ୍ତୁ ରତ୍ନା ଦେବୀ....

 

ରତ୍ନାର ପଛପଟେ ଛିଡ଼ା ହୋଇ ଶ୍ଵେତପଦ୍ମ ବାବୁ କହୁଥିଲେ ।

 

କଲିକତାର ଫୁଟ୍‍ପାଥ୍‍ରୁ ଆବିଷ୍କାର କରିଥିଲି ଥରେ ଏ ଉଜ୍ଜ୍ଵଳ ରତ୍ନ... ବର୍ଣ୍ଣାଡ଼ଶ’ଙ୍କର ସଂପୂର୍ଣ୍ଣ ଲେଖା ମାତ୍ର ଦେଢ଼ ଟଙ୍କାରେ ।

 

ଏ ହେଉଛି ବଙ୍କିମ ଚାଟର୍ଜୀଙ୍କର ପୂର୍ଣ୍ଣ ପାଣ୍ଡୁଲିପି...

 

ଶ୍ଵେତପଦ୍ମଙ୍କର ତପ୍ତ ନିଃଶ୍ଵାସ ରତ୍ନାର ବେକ ଓ କାନମୂଳରେ ବାଜୁଛି ।

 

ଏ ସୋମରସେଟ୍ ସୋମଙ୍କର ସଂପୂର୍ଣ୍ଣ ଗଳ୍ପାବଳି ।

 

ଶିରଶିରେଇ ଉଠୁଛି ରତ୍ନା....

 

ଏ ହେଲା ପୃଥିବୀର ଶ୍ରେଷ୍ଠ ଗଳ୍ପଗୃଚ୍ଛ ।

 

ରତ୍ନା ବୋଧହୁଏ ମୂର୍ଚ୍ଛିତା ହୋଇପଡ଼ିବ... କସ୍ତୁରୀମୃଗ ପରି ନିଜର ଗନ୍ଧରେ ନିଜେ ଆକୁଳ ସେ...ଏ ଯେପରି ତା’ର ସ୍ଵପ୍ନର ନନ୍ଦନକାନନ....ପିଲାଦିନେ ସେ ଶୋଇ ଶୋଇ ସ୍ଵପ୍ନ ଦେଖୁଥିଲା....ଏଇପରି ଗୋଟିଏ ଘର.....ଏହିପରି ବହିର ଆଲମିରା...ଏହିପରି ସୁନ୍ଦର ପରିପାଟୀପୂର୍ଣ୍ଣ ଆସବାବ....ତାହାରି ଭିତରେ ପ୍ରଜାପତି ପରି ଘୂରି ବୁଲୁଥିବ ସେ ଏ ବହିରୁ ସେ ବହିକୁ ମହୁ ଚୋଷି ଚୋଷି....ସାଥିରେ ତା’ର ଥିବେ ‘‘ସେ’’...ଗୋଟା ପରେ ଗୋଟା ବହି ପଢ଼ୁପଢ଼ୁ ଯେତେବେଳେ କ୍ଳାନ୍ତିରେ ଆଖିପତା ଲାଗି ଆସୁଥିବ, ଆଉଜି ପଡ଼ୁଥିବ ସେ “ତାଙ୍କରି” କୋଳରେ....ଆଉ ସେ ହସି ହସି ତା’ର ଆଖିପତାରେ କର ସଂଚାଳନ କରି କହୁଥିବେ ଗୋଟିଏ ବାକ୍ୟ… କର୍ମ, କର୍ତ୍ତା, କ୍ରିୟାର ଗୋଟିଏ ସମଷ୍ଟି...

 

“ତୁମକୁ ମୁଁ ଭଲ ପାଏଁ”....

 

ଆଖିପତା ବୁଜି ହୋଇଆସିଲା ରତ୍ନାର…ସେଥିରେ ଭାରି ରହିଥିଲା କ୍ଳାନ୍ତି, ଅବସାଦ ଆଉ ସମ୍ମୋହନ... ଜଳିଉଠୁଛି ଲୋମମୂଳ... ଜୀବନର ସକଳ ସଫଳତା ଯେପରି ଦାନା ବାନ୍ଧିଛି ତା’ର ପ୍ରତି ଭ୍ରୂଲୋମରେ…ସେ ଯେପରି ଖସିଯାଉଛି... ଖସିଯାଉଛି ତଳକୁ...ନରମ କାଦୁଅର ବୋଲ ଅବା ପାତଳ ଶିଉଳିରେ ଯିମିତି ଖସଡ଼ି ଯାଉଛି ପାଦ....ଆଃ କି ଆରମ ସେ ଖସଡ଼ି ଯିବାରେ !

 

ତା’ର ଯେମିତି ଆଉ ସାହସ ନାଇଁ ଏତେ ପ୍ରାଣପ୍ରାଚୁର୍ଯ୍ୟର ସାମନା କରିବାକୁ ଏତେବେଳେ ।

 

ଆଖିପତାରେ ତା’ର ନୀଳ ନାଇଲନ୍ ଆଲୁଅ... ମୁହଁର ସୀମାରେ ବଳିଷ୍ଠ ଆଉ ଗୋଟିଏ ମୁହଁ...ରତ୍ନା ଜାଣି ମଧ୍ୟ ଅପସରି ଗଲା ନାଇଁ... ଅପସରି ପାରିଲା ନାଇଁ ସେ... ସେ ମୁହଁର ନୀଳିମ ବିବରକୁ ଯେପରି ଖାଲି ଶୁଭୁଛି “ସିସମ୍‍ ଫାଙ୍କ୍‍” “ସିସମ୍‍ ଫାଙ୍କ୍‍”–ତୁମକୁ ମୁଁ ଭଲପାଏଁ “ତୁମକୁ ଭଲପାଏଁ” ରତ୍ନା ଦେବୀ... ଓଠ ତା’ର ଈଷତ ଲହରିତ ହୋଇଉଠିଲା ଗୋଟିଏ ପ୍ରାଣପ୍ରାଚୁର୍ଯ୍ୟମୟ ସ୍ମୃତିରେ....

 

ସେପାଖ ଘରେ ଟେଲିଫୋନ ବାଜୁଥିଲା... ଆଉ ଆଉ ବାଜୁଥିଲା... (ମାଳିନୀ କାଇଁ....ମାଲିନୀ ???)

Image

 

ଆସାନ୍ ସୋଲ୍

 

ଚିହ୍ନିପାରୁନାହାନ୍ତି ଆଜ୍ଞା, ନମସ୍କାର !

 

ନମସ୍କାର, ଆରେ ତୁମେ କୁଆଡ଼େ ? କେତେଦିନ ପରେ ଦେଖା । ବେଶ୍‍ ତ ସ୍ୱାସ୍ଥ୍ୟର ଉନ୍ନତି ହୋଇଯାଇଛି ଈଆ ଭିତରେ ଆଉ କଅଣ କରୁଛ ଆଜିକାଲି–ଶୁଣେଁ ।

 

ସାଇକେଲଟା ଆଉଜେଇ ଦେଇ ଟ୍ରାଉଜର କ୍ଳିପ୍‍ଟା ଖୋଲୁ ଖୋଲୁ ଉତ୍ତର ଦେଲି–ଯାହା ଦେଖୁଛନ୍ତି ସେଇଆ ।

 

ମାନେ ?

 

ଆସାନସୋଲ ଗାଡ଼ି ଭୀମ ଫୁତ୍କାରରେ ପ୍ଲାଟଫର୍ମ କମ୍ପାଇ ପଶି ଆସୁଥିଲା ।

 

ବନ୍ଧୁଙ୍କର ପ୍ରଶ୍ନବାଚକ ଆଖି ଦୁଇଟା ପ୍ରତି ନଜର ନ ଦେଇ ଆରମ୍ଭ କରିଦେଲି–ଆଉ କଅଣ ? ଡେପୁଟି କଲେକ୍ଟର ହେଲେ, ବାହା ସାହା ହେଲେ, ଖବର କାଗଜରେ ନାଆଁ ବାହାରିଲା-। କାଇଁ ଆମମାନଙ୍କୁ ତ କିଛି ମିଳିଲା ନାହିଁ ?

 

ଜନତାକୁ ଦୁଇ ପାଖକୁ ଆଡ଼େଇ ଦେଇ ଅକ୍ଷୟ ଆପଣାର ଅଜ୍ଞାତସାରରେ ଅଗ୍ରସର ହୋଇଥିଲା ମୁସଲମାନ ହୋଟେଲ ନିକଟକୁ । ମାଂସ କଟଲେଟର ଉଷୁମ ଉଷୁମ ବାସ୍ନା ପ୍ଲାଟଫର୍ମର ଦୂଷିତ ବାତାବରଣ ଭିତରେ କ୍ଷୁଧାର ସଂଚାର କରୁଥିଲା ।

 

ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ଅକ୍ଷୟ ପଶିଲା ହୋଟେଲ ଭିତରକୁ ଅତି ଅନିଚ୍ଛା ସତ୍ତ୍ୱେ ।

 

କ୍ୟା ବାବୁଜୀ ?

 

ଦୋ ଅମ୍‍ଲେଟ୍‍ ।

 

ହଁ ଏବେ ପୋଷ୍ଟିଙ୍ଗ୍‍ କେଉଁଠି ? ଜୟପୁରରେ ନା । ଭଲ ଜାଗା–ଏଜେନ୍‍ସି ଆଲାଉନ୍‍ସ ମିଳୁଥିବ–ହେଲେ ଜଳବାୟୁ ସେତେ ଭଲ ନୁହେଁ ।

 

ଜଳବାୟୁ, ହଁ–

 

ଅନ୍ୟମନସ୍କ ହୋଇପଡ଼ିଲା ଅକ୍ଷୟ ।

 

ସାମନା ଟେବୁଲରେ ମିଆଁ ଜଣେ ଢକଢକ କରି ଗିଲାସେ ପାଣି ଉଦରସ୍ଥ କରୁଥିଲେ ।

 

ଚା’ର ବରାଦ ଦେଇ କହିଲି–କଟକ କୁଆଡ଼େ ଚାଲି ଆସିଥିଲ ? କ’ଣ କିଛି କାମରେ– ହଁ ସେଇମିତି ?

 

ଅକ୍ଷୟର ହଠାତ ଆନ୍ତରିକତା ଲୋପ ପାଉଥିବାର ଦେଖି ଖୁସି ଲାଗୁଥାଏ ଯେତିକି ଦୁଃଖ ମଧ୍ୟ ଆସୁଥାଏ ।

 

ଘଣ୍ଟାକୁ ଅନାଇ କହିଲା ସେ–

 

ଭାଇ, ଗାଡ଼ି ଛାଡ଼ିବା ସମୟ ହେଲାଣି, ଟିକିଏ ଚଞ୍ଚଳ–

 

ଆରେ ଯାଃ, ମଫସଲିଆଙ୍କ ପରି ତ କ’ଣ କହିଲଣି ତୁମେ ! ଇଞ୍ଜିନ ପରା ପାଣି ନେବାକୁ ଯାଇଛି !

 

ଚା କପରୁ ଶେଷ ବିନ୍ଦୁ ଚା ସରିଆସିଲା ।

 

ପହିଲେ ଉଠିପଡ଼ କହିଲି, ଅକ୍ଷୟ, ତୁମେ ଆସୁଥା । ମୁଁ ପାନର ବରାଦ ଦେଉଛି, ଅକାରଣ ଡେରି ହବ କାହିଁକି ?

 

ଅକ୍ଷୟ ଚାହିଁଲା ମୋଆଡ଼େ, ହସିଲା । ସେ ହସରୁ ସବୁ ଜୀବନ ଯିମିତି କିଏ ଲୁଟି ନେଇଯାଉଛି ।

 

ସାମାନ୍ୟ ଦଶ’ଣା ବାର’ଣାର ଜଳଖିଆ ପାଇଁ ଅକ୍ଷୟର ମନ ଭିତରେ କି ଆନ୍ଦୋଳନ !

 

ପ୍ଲାଟଫର୍ମ ଉପରକୁ ଉଠିଯାଇ ମୁଁ ଦେଖିଥିଲି ଅକ୍ଷୟ କିମିତି ପ୍ଲାଷ୍ଟିକ ମଣିବ୍ୟାଗରୁ ତା’ର ଟଙ୍କାକିଆ ନୋଟଟିଏ କାଢ଼ି ଅତି ସନ୍ତର୍ପଣରେ ହୋଟେଲ ମାଲିକକୁ ବଢ଼ାଇ ଦେଉଛି–

 

ଇଚ୍ଛା ହେଲା ଖୁବ ବଡ଼ ପାଟି କରି ହସିବାକୁ–

 

ଦଳେ କଲେଜ ଛାତ୍ର ପାଖଦେଇ ଚାଲିଗଲେ... ଧକ୍କା ମାରି ନ ମାରିଲା ପରି । ଗାଡ଼ିର ଡବାମାନଙ୍କର ଝିଅମାନଙ୍କ ଉପରେ ଟିପ୍‍ପଣୀ ଦେଇ ଚାଲିଥାନ୍ତି ସେମାନେ । କିଏ ସେମାନଙ୍କର ବିଚାର ଅନୁସାରେ ଠିକ୍‍ ପାଶ୍‍ମାର୍କ ରଖିବ, କିଏ ବା ଅନର୍ସ ପାଇବାର ଯୋଗ୍ୟ–କିନ୍ତୁ ଫାଷ୍ଟକ୍ଲାସ ନୁହେଁ–ଖୁବ ନିର୍ଦ୍ଦୟ ପରୀକ୍ଷକ ଏମାନେ ପରୀକ୍ଷକ ହେବାର ସାଧ ମେଣ୍ଟାଇ ନିଅନ୍ତି ଏଇ ପ୍ରକାରେ-। ଯୌବନର ପ୍ରାରମ୍ଭରେ ନୂଆ ନିଶା ମଜଗୁଲ କରି ରଖିଥାଏ କଲେଜର ଲୌହ ଆବେଷ୍ଟନୀ ଭିତରର ଜୀବଗୁଡ଼ିକୁ; ପ୍ରାଚୀର ଟପି ବାହାରିଲେ କି ଦଶା ହେବ ଏମାନଙ୍କର ? ଦୟା ଆସେ....

 

ଅକ୍ଷୟକୁ ଆଗତୁରା ଖଣ୍ଡେ ସିଗାରେଟ ବଢ଼ାଇଦେଇ ଦିଆସିଲର ନିଆଁ ଧରେଇଦେଲି-। ପାଖ ଦେଇ ତରୁଣୀ ଚାଲିଗଲେ ହେଜେଲିନ୍ ସୂକ୍ଷ୍ମ ବାତାବରଣ ସୃଷ୍ଟି କରିଦେଇ । ଅକ୍ଷୟର ଆଖି ବୁଲିଗଲା ସେଇଆଡ଼େ; ଦିଆସିଲ କାଠିଟା ଖସିପଡ଼ିଲା ତଳେ । ନବବିବାହିତ ବୁକୁତଳେ ହୁଏତ ଅକ୍ଷୟର ପରିଶ୍ରାନ୍ତ ଝରିପଡ଼ୁଥିଲା– କେଉଁଠି ଟିକିଏ ଖଟ୍‍କା ରହି ଯାଇଥିଲା ସତେ ଯେମିତି-

 

ପଚାରିଲା–କିଏ କି ରାଜୁ ?

 

କେଜାଣି ଭାଇ, ତିନିବର୍ଷ ହେଲା ତ କଲେଜ ସହିତ ସବୁ ସମ୍ପର୍କ ତୁଟିଲା । କେହି ଜଣେ ହୋଇଥିବେ ସେଇ କଲେଜର ରୂପସୀ–କହିଲି ।

 

ଦୀର୍ଘନିଃଶ୍ଵାସ ଛାଡ଼ିଲା ଅକ୍ଷୟ । ପାଣି ନେଇ ଫେରି ଆସୁଥିବା ରେଳଇଞ୍ଜିନର ତୋଫା ଆଲୁଅରେ ଅକ୍ଷୟ ଆଡ଼େ ଚାହିଁଲି.... ମୁହଁ ତା’ର ଅସନ୍ତୋଷ ଆଉ ନୈରାଶ୍ୟର ସ୍ପଷ୍ଟ ଆଭାସ ।

 

କାହିଁକି ? କାହିଁକି ?

 

ହୁଇଲର୍ କମ୍ପାନୀ ଜାଣି ସାରିଲାଣି ବାବୁ କିଛି ବହି କିଣନ୍ତି ନାହିଁ–ଖାଲି ଗୁଡାଏ ଘଣ୍ଟାଘଣ୍ଟି କରି ଯାଆନ୍ତିଫେରି । ମନା କରି ହୁଏ ନାହିଁ । ଟ୍ରାଉଜର ଅଛି । ନେକ୍ ଟାଇ ଅଛି, ଆଉ ଅଛି ଟିସଟ୍ ଘଡ଼ି… ରୋଲ୍ଡ଼ଗୋଲ୍ଡ଼ ଚଷମା, ନିଶତଳେ ମନରଞ୍ଜନୀ ହସର ଝଲକ । ବାବୁ ଯେଉଁ ବହି ଦେଖାନ୍ତି, ସେ ବହିର କାଟତି ହୁଏ ।

 

ଶଙ୍କରସ ଉଇକ୍‍ଲିର ବିଶେଷ ସଂଖ୍ୟାଟା ଦେଖେଇଲା ।

 

ଅକ୍ଷୟ ଝୁଙ୍କିପଡ଼ି ମୋ ସାଥିରେ ଦେଖିଲା ।

 

ଭାରତବର୍ଷରେ ଏପରି ହାସ୍ୟର ପତ୍ରିକା ବିରଳ । ଅକ୍ଷୟ !

 

ଆମେ ଆଉ ଜାଣିଲୁ କଅଣ ? ସେଇ ବଣ ଜଙ୍ଗଲ ଭିତରେ ଗୁଡ଼ାଏ ଅନାର୍ଯ୍ୟଙ୍କ ସଙ୍ଗେ ମିଶି ମିଶି ଜୀବନ ଯିବା ଉପରେ ।

 

ସହାନୁଭୂତିରେ ଗଳା ସରଳ କରି କହିଲି ।

 

–ତା’ ସତ, ଭାଇ ତା’ ସତ । କିନ୍ତୁ ଏଆଡ଼କୁ ଆସିବାକୁ ଚେଷ୍ଟା କରୁ ନାହଁ ?

 

–ତା ହେଇପାରୁଛି କେଉଁଠି ? ପରିଚୟ ଥିଲେ ତ ହୁଏ ।

 

ଆସିଥିଲି ସେଇଥିପାଇଁ... ଦେଖାଯାଉ ।

 

ଗାଡ଼ି ଛାଡ଼ିବା ଘଣ୍ଟି ଦେଇଥିଲା ।

 

ଏତେବେଳକୁ ଜଣାପଡ଼ିଲା ଅକ୍ଷୟର ହଠାତ୍‍ କଟକରେ ଆବିର୍ଭାବର କାରଣ ।

 

ଯୋଡ଼ିଏ ଟଙ୍କା ଦେଇ ପତ୍ରିକାଟି କିଣିଲା ଅକ୍ଷୟ ।

 

ହୁଇଲର କମ୍ପାନୀବାଲା କୃତଜ୍ଞତାରେ ଚାହିଁଲା ମୋ ଆଡ଼େ ।

 

–ଆଚ୍ଛା, ରାଜ, ତୋ ହାଲ୍‍ଚାଲ୍ ତ କିଛି କହିଲୁ ନାହିଁ ! ପୁଣି ସେଇ ଜଟିଳ ପ୍ରଶ୍ନ ।

 

–ମୋ ହାଲଚାଲ୍ । କହିଲି ପରା, ମତେ ଯିମିତି ଦେଖୁଛ ସିମିତି ।

 

–ମାନେ ? କ’ଣ ଲ’ ପଢୁଛୁ ?

 

–ନାଇଁ ।

 

–ଚାକିରି ପାଇଲୁଣି ?

 

–ନାଇଁ ।

 

–ତେବେ କରୁଛୁ କ’ଣ ?

 

ଗାର୍ଡ଼ ନେଳିଆ ଆଲୁଅ ହଲେଇବାକୁ ଆରମ୍ଭ କରୁଥିଲା ।

 

ଭାଗ୍ୟବଶତଃ ଉତ୍ତରକୁ ଅପେକ୍ଷା ନ କରି ଅତି ନିକଟ ଇଣ୍ଟରକ୍ଲାସ ଡବାରେ ଚଢ଼ିଲା ଅକ୍ଷୟ ।

 

ପଚାରିଲି–କ’ଣ ଇଣ୍ଟର୍‍ ?

 

–ଆଉ ଟି.ଏ.

 

ସେକେଣ୍ଡ କ୍ଳାସର । ସେତିକି ତ ଲାଭ ।

 

ଆସାନ୍ ସୋଲ୍ ଗାଡ଼ି କମ୍ପି ଉଠିଥିଲା ।

 

ଅକ୍ଷୟ ଝରକା ଭିତରୁ ରୁମାଲ ହଲେଇ ହଲେଇ ଦୂର ଦିଗ୍‍ବଳୟ ସହିତ ମିଶି ଯାଉଥିଲା ।

 

ସେଇଆଡ଼େ ଚାହିଁ ରହିଥିଲି ମୁଁ ।

 

ଗେଟ୍ ଟିକେଟ୍ କଲେକ୍ଟର ପଚାରିଲା, ବାବୁ, ଆପଣଙ୍କର ଟିକଟ୍ ?

 

–ମାନେ ?

 

–ପ୍ଲାଟଫର୍ମ ଟିକଟ୍ ।

 

ଆଉ ଜଣେ ଟିକେଟ କଲେକ୍ଟର ପାଖକୁ ଲାଗିଆସି କହିଲା, ‘‘ବାବୁ ସବୁଦିନେ ଆସନ୍ତି ଇମିତି’’

 

ଦୁହିଁଙ୍କୁ ଟିକିଏ ଅନେଇ ଟ୍ରାଉଜରରେ କ୍ଲିପ୍ ଖୋସିଲେ ଆଉ ଥରେ ।

Image

 

ଜନକ ଆଉ ପ୍ରେମିକ

–କ–

 

ରୋଜ୍ ସକାଳେ ସେ ଟାଉନ୍ ବସରେ କଚିରିକୁ ଗଲାବେଳେ ତା’ ଆଗ ସିଟ୍‍ରେ ସେଇ ଯୁବତୀକୁ ଦେଖେ ଏବଂ କ୍ରମେ କ୍ରମେ ନିଜର ଅଜାଣତରେ ସେ ସେଇ ଯୁବତୀକୁ ଭଲପାଏ ।

 

ବସ୍‍ରୁ ଓହ୍ଲାଇ ଯୁବତୀ ମହିଳା ସ୍କୁଲକୁ ଚାଲିଯାଏ, ଆଉ ସିଏ ବି ସେଇଠି ଓହ୍ଲେଇ କଚିରିକୁ ଯାଏ । ଯୁବତୀ ସୁନ୍ଦରୀ, ହାତୀଦାନ୍ତ ପରି ଦେହର ରଙ୍ଗ, ଆଖିର ଡୋଳା ୱାଟର୍‍ମ୍ୟାନ୍ କାଳିଠାରୁ ବି ଆହୁରି ବେଶୀ କଳା, ଆଉ ସ୍ନିଗ୍‍ଧ । ପ୍ରତିଦିନ ସେଇ ଗଳିରାସ୍ତାରୁ ସେ ବାହାରି ଆସେ; ବସ୍ ପୂରା ବ୍ରେକ୍ ଦେଇ ଅଟକେଇବା ପୂର୍ବରୁ ଦଉଡ଼ି ଦଉଡ଼ି ଗାଡ଼ିରେ ଚଢ଼ିଥାଏ– ଧଇଁସଇଁ ହୋଇ ଭିତରେ ପଶି ନିଜର ଚାରିପାଖକୁ ଥରେ ଅନେଇଦିଏ ।

 

ଯେତେବେଳେ ନରେଶ ପ୍ରଥମେ ସେଇ ଯୁବତୀକୁ ଦେଖିଲା, ଯୁବତୀର ମୁହଁଟି ତାକୁ ମୋହି ନେଇଥିଲା ସବୁଠାରୁ ବେଶୀ । ଜୀବନରେ ସମୟେ ସମୟେ ମଣିଷ ଏପରି ସୁନ୍ଦରୀ ସ୍ତ୍ରୀ ଭେଟେ ଯେ, ତା’ ର ପରିଚୟ ନ ବୁଝି ବି ତାକୁ ନିଜର ବାହୁପାଶରେ ବାନ୍ଧି ପକାଇବାର ଆକାଂକ୍ଷା ମନଭିତରେ ରାଜୁତି କରେ ସବୁଠୁ ବେଶୀ । ସେ ପାଗଳ ହୋଇପଡ଼େ । ଉଷା ସିମିତି ଜଣେ । ସେ ନରେଶର ଭିତିରି ଅଭିଳାଷର ସୁରାକ ପାଇଥିଲା ତା’ର ଗୋପନୀୟ ଆଶାର ସନ୍ଧାନ ନେଇଥିଲା ଏବଂ ସବୁଥର ପ୍ରତ୍ୟୁତ୍ତର ଦେଇଥିଲା ମଧ୍ୟ ।

 

ନିଜର ଚେଷ୍ଟା ସତ୍ତ୍ୱେ ବି ନରେଶ ତାକୁ ଟିକିନିଖି କରି ନ ଚାହିଁ ରହିପାରେନି । ଲାଜରେ ଉଷାର ମୁହଁ ନାଲି ପଡ଼ିଥାଏ–ନରେଶ ତା’ ଦେଖି ଅନ୍ୟଆଡ଼େ ଆଖି ବୁଲାଇନିଏ; କିନ୍ତୁ ମୁହୂର୍ତ୍ତକ ପରେ ଅମାନିଆ ଆଖି ଦି’ଟା ପୁଣି ବୁଲିଆସେ ସେଇଠିକି । ଦୁହେଁ ଦୁହିଙ୍କର ଅତି ନିକଟେଇ ଆସିଲେ ।

 

ବସରେ ଲୋକ ବେଶୀ ହୋଇଥିଲେ ନରେଶ ଉଷାକୁ ଏଣିକି ନିଜର ଜାଗାଟା ଛାଡ଼ିଦିଏ । ଇଆରି ଭିତରେ ଉଷା ଆଉରି ଆଗେଇ ଯାଇଛି । ନରେଶକୁ ଦେଖିଲେ ସେ ଟିକିଏ ହସିଦେଇ ତାକୁ ଅଭିବାଦନ ଜଣାଏ । ନରେଶ ତାକୁ ଅନେଇଲେ ସେ ଆଖିପତା ନୂଆଁଇନିଏ ସତ, କିନ୍ତୁ ଜଣାପଡ଼େ ଯିମିତି ସେଇଟା ତାକୁ ଭାରି ଭଲ ଲାଗେ ।

 

ଶେଷକୁ କଥାବାର୍ତ୍ତା ହେଲା । ବେଶ୍ ନିବିଡ଼ ପ୍ରଣୟ ଜମି ଆସିଲା– ଦିନ ଅଧଘଣ୍ଟାକର ପ୍ରଣୟ– ନରେଶର ରୁଟିନରେ ସଜୀବ ଅଧଘଣ୍ଟା ଗୋଟିଏ ସେ । ଫାଇଲ ଭିତରେ ସେ ସେଇ ଛବି ଦେଖେ, ଯୁଆଡ଼େ ଚାହିଁଲେ ବି ତାହାରି ମୁହଁ ଦିଶିଯାଏ–ମନେହୁଏ ସତେ ଯିମିତି ସେଇ ଟିକି ଶରୀରଟି ଉପରେ ଅଧିକାର ସ୍ଥାପନ କରିବା ନରେଶ ମନରେ ଦିଏ ବହୁତ ବେଶୀ ଆହ୍ଲାଦ । ସେ ଆନନ୍ଦରେ ଥରିଉଠେ ।

 

ଏବେ ଉଷା ତା’ ସହିତ କରମର୍ଦ୍ଦନ କରେ । ନରେଶ ସେଇ କୋମଳ ଅଙ୍ଗୁଳିଗୁଡ଼ିକର ମୃଦୁ ଚାପା ପରଦିନ ଯାଏ ସାଇତି ରଖେ ।

 

ତେବେ ଉଷା ତାକୁ ଭଲ ପାଉଥିଲା ନିଶ୍ଚୟ । କାରଣ ଦୋଳପୂର୍ଣ୍ଣିମା ଛୁଟିରେ ସେ ତା’ ସାଥିରେ ପୁରୀ ଯିବ ବୋଲି କଥା ଦେଲା । ନରେଶର ଛାତି ପୂରିଉଠିଲା ।

 

ଉଷାକୁ ପହିଲେ ରେଳଷ୍ଟେସନରେ ଦେଖି ନରେଶକୁ ଆଶ୍ଚର୍ଯ୍ୟ ଲାଗିଲା । କିନ୍ତୁ ଉଷା କହିଲା, ଦେଖନ୍ତୁ, ‘‘ଯିବା ପୂର୍ବରୁ ମୁଁ ଆପଣଙ୍କୁ କିଛି କହିବାକୁ ଚାହେ । ଆହୁରି ୨୦ ମିନିଟ୍ ଅଛି–ମୁଁ ୟା ଭିତରେ ମୋର ଯାହା କହିବା କଥା, କହି ସାରିଥିବି ଯେ !”

 

ତା’ ପରେ ସେ ନିଜର ବେପଥୁମୟ ଶରୀରକୁ ନରେଶର ପୃଥୁଳ ବାହୁରେ ଆଉଜେଇ ଦେଇ କହିଲା, ‘‘ମୁଁ ଆପଣଙ୍କ ସାଥିରେ ଯିବି ଯଦି ଆପଣ ପ୍ରତିଜ୍ଞା କରନ୍ତି ଯେ.....ଯେ....ଆପଣ......ମୋ’ ପ୍ରତି କୌଣସି ପ୍ରକାର ଅସଦ୍ ବ୍ୟବହାର ଦେଖାଇବେ ନାଇଁ । ନଚେତ୍.....”

 

ସେ ହଠାତ୍ ଲାଲ ପଡ଼ିଗଲା । ଆଉ କିଛି କହିପାରିଲିନି । ନରେଶ କ’ଣ କହିବ, କିଛି ଜାଣିପାରିଲାନି । ସେ ଏକା ସାଥିରେ ଆଶା ଓ ନିରାଶାର ମଝିରେ ଗୋଟିପଣେ ଥରିବାକୁ ଲାଗିଲା-। ମନ ଗହୀର ତଳୁ କିଏ ଯିମିତି କହିଲା, ‘‘ହଁ, ସେଇୟା ହଉ ।’’ କିନ୍ତୁ ରାତିଗୋଟାଯାକ ତ ତା’ ଶିରାରେ ତାତିଲା ରକ୍ତ ବୋହିବାକୁ ସେ ପ୍ରଶ୍ରୟ ଦେଇଛି । ବର୍ତ୍ତମାନ ନାଚାର–କରିବ କ’ଣ-?

 

ତାକୁ ଚୁପ୍ ଦେଖି ଉଷା କହିଲା, ‘‘ଦେଖନ୍ତୁ, ଯଦି ଆପଣ ଏଇ ପ୍ରତିଜ୍ଞା ନ କରନ୍ତି, ତେବେ ମୁଁ ଏଇଠାରୁ ଚାଲିଯାଉଛି । ‘‘କଣ୍ଠରେ ତା’ ର ଅଶ୍ରୁ, ନୟନରେ ମିନତିର ବ୍ୟର୍ଥ-ପ୍ରୟାସ ।

 

ନରେଶ ତା’ ହାତକୁ ଟିକିଏ ଚିପିଦେଇ କହିଲା, “ହଁ, ଆପଣଙ୍କ ଯାହା ଇଚ୍ଛା, ସେଇୟା ହେବ ।

 

“କୁହୁଡ଼ିର ଆବରଣ କଟିଗଲା । ଭାରାକ୍ରାନ୍ତ ମୁଖରେ ଲାବଣ୍ୟ ଝରିପଡ଼ିଲା । ଉଷା କହିଲା, “ସତେ ନା’ ?”

 

ନରେଶ ତା’ ଆଖି ଭିତରକୁ ଅନେଇ କହିଲା, “ହଁ, ନିଶ୍ଚୟ !”

 

‘‘ତେବେ ଟିକଟ୍ ଆଣନ୍ତୁ ।’’

 

ଭରା ଗାଡ଼ିରେ କଥାବାର୍ତ୍ତାରେ ସୁଯୋଗ ମିଳି ନ ଥିଲା । ସାମାନ୍ୟ ବିଶ୍ରାମ ପରେ ଦୁହେଁଯାକ ବୁଲି ବାହାରିଲେ ସମୁଦ୍ରକୂଳଆଡ଼େ । ଦୁହେଁଯାକ ସମୁଦ୍ରର ଧାରେ ଧାରେ ଚାଲିଥାଆନ୍ତି-। ସୂର୍ଯ୍ୟ ଅସ୍ତ ହୋଇ ମଧ୍ୟ ହୋଇ ନ ଥାନ୍ତି । ଲହରୀ ଗୋଟିକି ଗୋଟି ଆସି ଦୁହିଙ୍କର ପାଦ ଧୋଇଦେଇ ଯାଉଥାଏ । ଦୁହେଁ ହାତ ଧରାଧରି ହୋଇ ଚାଲିଥାନ୍ତି । ଜନସମାଗମ ଅଞ୍ଚଳ ଛାଡ଼ି ସେମାନେ ଆହୁରି ନିର୍ଜନିଆ ଜାଗାକୁ ଚାଲିଗଲେ । ସମୁଦ୍ରର କରୁଣ ଗର୍ଜନ ଶୁଭୁଥାଏ ଦୁଇଟି ପ୍ରାଣର ରୁଦ୍ଧ ହତାଶା ପରି–ଦୁହେଁ ଦୁହିଙ୍କର ଏତେ ନିକଟରେ .... ପୁଣି ଏତେ ଦୂରରେ-

 

ନିରାଟ ବାଲିତଟର ଗୋଟିଏ ସ୍ଥାନରୁ ଝାଉଁବଣ ଆରମ୍ଭ ହେଲା–ବଡ଼ ସାନ ଅସୁମାରି ଝାଉଁଗଛ ପବନରେ ଦୋଳାୟିତ ହୋଇ ମର୍ମରି ଉଠୁଛି । ପ୍ରାୟ ଦୁଇ ତିନି ମାଇଲ ଲମ୍ବର ବଣ–ସୁନ୍ଦର, ଚମତ୍କାର । ନରେଶ କହିଲା, ‘‘ଦେଖିଲଣି, ଝାଉଁଗଛ କି ସୁନ୍ଦର ଦିଶୁଛି ! ହେଇଟି, ତା’ରି ଅନ୍ତରାଳରେ ସୂର୍ଯ୍ୟ ବିଦାୟ ମାଗିବାକୁ ଆସୁଛନ୍ତି ।’’

 

ଉଷାର ଛାତି ଉଲୁସି ଉଠିଲା । ଝାଉଁର ମର୍ମର ତା’ ପ୍ରାଣରେ ସ୍ପନ୍ଦନ ଆଣିଲା । ମନ୍ତ୍ରମୁଗ୍‍ଧ ପରି ସେ କହିଲା, “କି ଚମତ୍କାର !”

 

ଉଭୟେ ଝାଉଁବଣ ଭିତରେ ପଶିଲେ । ନରମା ଗଛଟିଏ ବାଛି ତା’ରି ତଳେ ଦୁହେଁ ବସିଗଲେ ଲଗାଲଗି ହୋଇ । ସମୁଦ୍ରକୂଳିଆ କାକର-ପବନ ଟିକିଏ ଜୋରରେ ବହିଗଲା । ଦୁହିଙ୍କର ମଥା ଉପରେ ସହସ୍ର ଝାଉଁବୀଥି ପ୍ରଣୟର କରୁଣ-କାହାଣୀ ଗାଇଗଲା–ନୈବେଦ୍ୟ ପରି ପୁଳାଏ ସରୁସରୁ ପତ୍ର ଝରିପଡ଼ିଲା ଦୁହିଙ୍କ ମଥାରେ । ଅସ୍ତ ସୂର୍ଯ୍ୟର ସ୍ନିଗ୍‍ଧ ପାଟଳିମା ସମୁଦ୍ର ଲହରୀର ତାଳେ ତାଳେ ଭାସିଆସିଲା– ଝାଉଁବୀଥି ମର୍ମରିଲା, ଆଉ ମର୍ମରିଲା ।

 

ଉଭୟେ ଉଭୟକୁ କୋମଳ ଭାବରେ ଆଲିଙ୍ଗନ କଲେ । ତା’ପରେ ପରସ୍ପରର ଆଲିଙ୍ଗନ-ପାଶ ନିବିଡ଼ ହୋଇଆସିଲା । ସେଇ ବାଲି ଉପରେ ଉପରେ ଦୁହେଁ ବସିରହିଲେ, ନିଜ ନିଜ ଭିତରେ ସୂତାଏ ମାତ୍ର ବ୍ୟବଧାନ ନ ରଖି । ଦୁହେଁ ଦୁହିଙ୍କୁ ଚୁମ୍ବନ କଲେ–ଭୁଲିଗଲେ ଚାରିଆଡ଼ର ପରିସ୍ଥିତି । ଉଷାର ନୟନ ମୁଦି ହୋଇ ଯାଇଥିଲା–ସେ ନରେଶକୁ ଆପଣା ବାହୁରେ ଭିଡ଼ିନେଲା କିଛି ନ ଭାବି, ଆପଣାର ଅଜାଣତରେ । ଇନ୍ଦ୍ରିୟବୁଭୁକ୍ଷା ତା’ର ସାରା ଶରୀରରେ ରୋମାଞ୍ଚ ସୃଜିଗଲା–ଶେଷରେ ସେ ନିଜକୁ ଅଜାଣତରେ ନରେଶ ନିକଟରେ ପୂର୍ଣ୍ଣ ସମର୍ପଣ କରିଦେଲା ।

 

ହଠାତ୍ ଉଷା ନିଜକୁ ଫେରିପାଇଲା । ଉଠିପଡ଼ି ନିଜର ଦୁରବସ୍ଥାରେ ନିଜେଇ ଥରିଉଠିଲା–ଆଖିଡୋଳା ଫାଟି ଝରି ପଡ଼ିଲା ତପ୍ତ ଅଶ୍ରୁ, ଘଞ୍ଚ ବକ୍ଷଦେଶ ଦୁଃଖରେ ଉଠିଲା, ପଡ଼ିଲା–ସେ କାନ୍ଦିଲା–ବଡ଼ ପାଟିକରି କାନ୍ଦିଲା ।

 

‘‘ନରେଶ ବାବୁ, ଆପଣ ପ୍ରତିଜ୍ଞା କଲା ପରେ–’’

 

କାନ୍ଦି କାନ୍ଦି ସେ ନରେଶକୁ ପଛରେ ପକେଇଦେଇ ଆଗରେ ଚାଲିଗଲା । ଗାଡ଼ିରେ ଦୁହେଁ ଫେରିଲେ । କଟକ ଆଉ ଷ୍ଟେସନରେ ସେ ଜନଗହଳି ଭିତରେ ହଜିଗଲା କୁଆଡ଼େ ।

 

ତହିଁଆର ଦିନ ବସରେ ଦେଖାହେଲା । ଉଷା କହିଲା, ‘‘ମୋର ଆପଣଙ୍କ ସାଥିରେ କଥାବାର୍ତ୍ତା ଅଛି । ‘‘ଦୁହେଁ ବସରୁ ଓହ୍ଲାଇଲେ । ଉଷା କହିଲା, ‘‘କାଲି ଯାହା ଘଟିଯାଇଛି, ତା’ପରେ ମତେ ଆପଣଙ୍କର ନିକଟରୁ ଚିର ବିଦାୟ ନେବାକୁ ପଡ଼ିବ ।’’

 

‘‘କାହିଁକି ?” –ପଚାରିଲା ନରେଶ ।

 

‘‘କାରଣ ମୁଁ ପାରିବି ନାଇଁ, ମୁଁ ଆଉ ପାରିବି ନାଇଁ– ବିଦାୟ ।“

 

ହପ୍ତାଏ ଯାଏଁ ଦୁହିଙ୍କର ଭେଟ ହେଲା ନାହିଁ । ନରେଶ ତା’ର ଠିକଣା ବି ଜାଣିନି । ତେଣୁ ସେ ଭାବିଲା, ନିଶ୍ଚୟ ସେ ତାକୁ ଚିରଦିନ ଲାଗି ହଜେଇଛି । ନଅ ଦିନ ଦିନ ନରେଶ ଦୁଆରେ କିଏ ଡାକିଲା । ନରେଶ ଦେଖିଲା–ଉଷା । ଉଷା ନରେଶର ପ୍ରସାରିତ ବାହୁ ଭିତରେ ପଶିଗଲା–ଆଉ ବାଧା ଦେଲାନି । ତିନି ମାସ କଟିଗଲା ।

 

ନରେଶ ମନରେ ଏଣିକି ଆସିଲା କ୍ଳାନ୍ତି । ଉଷାର ତରଳ ରୂପକାନ୍ତି ତାକୁ ଆଉ ଆହ୍ଲାଦ ଦେଲା ନାଇଁ ଏବଂ ସେ ଯେତେବେଳେ ଜାଣିଲା ଯେ ଉଷାର ଉଦରରେ ଶିଶୁ–ସେ ସେଇ ରାତି ଲୁଚି ଲୁଚି କଟକ ଛାଡ଼ିଲା ଉଷାର ମସ୍ତକରେ ବଜ୍ର ପ୍ରହାର କରି । ଉଷା ଆସି ନିଜର ଦରିଦ୍ର ବୁଢ଼ୀ ମାଆ ଆଗରେ ସବୁ କଥା ମାନିଗଲା । ଠିକ୍ ସମୟରେ ଉଷାର କୋଳରେ ଶୋଭା ପାଇଲା ଗୋଟିଏ ଶିଶୁ-ପୁଅଟିଏ ।

 

ବର୍ଷ ପରେ ବର୍ଷ ଅତିକ୍ରମି ଯାଇଛି, ନରେଶ ଏଇକ୍ଷଣି ବୃଦ୍ଧ । ତା’ ଜୀବନରେ ପରିବର୍ତ୍ତନ ନାଇଁ, ଆଶା ନାଇଁ, ଅଭିଳାଷ ନାଇଁ । ଅଛି ଅତୀତର ଅଲିଭା ଚିତାଗ୍ନି–ତା’ର ଶରୀରକୁ ଅନ୍ତଃସାରଶୂନ୍ୟ କରି ଖାଇଯାଉଛି । ଏବେ ସେ ଦିନର ସେଇ ସମୟରେ ଶେଯରୁ ଉଠେ, ସେଇ ରାସ୍ତାରେ ଯାଏ, ସେଇ ଦୁଆର-ବନ୍ଧକୁ ଡେଇଁ ଭିତରକୁ ପଶେ, ସେଇ ଦରବାନ୍ ତାକୁ ସଲାମ ବଜାଏ । ସେଇ ଅଫିସରେ, ସେଇ ଚୌକିରେ ସେଇ ଫାଇଲ ସେ ରାମ୍ପେ । ଜୀବନଟା ତାର ଏକୁଟିଆ–ବଡ଼ ନିଛାଟିଆ । ଦିନଟା ସାଥି କିରାଣୀ ମେଳରେ କଟିଯାଏ–ରାତିରେ କଟେ ଅଭିଆଡ଼ୀ ମେସରେ । ପ୍ରତି ରବିବାର ନଈକୂଳରେ ଘଣ୍ଟାଏ କାଳ ବୁଲି ଫେରେ । ସେତିକି ତା’ ଜୀବନରେ ଆରାମ ।

 

ସେ ଦିନ ରବିବାର । କାଠଯୋଡ଼ିକୂଳରେ ସେ ବୁଲୁଛି । ହଠାତ୍‍ କ’ଣ ଦେଖି ସେ ଚମକି ପଡ଼ିଲା । ତା’ର ପାଖ ଦେଇ ସ୍ତ୍ରୀଟିଏ ଚାଲିଗଲେ ଦୁଇ ହାତରେ ଯୋଡ଼ିଏ ଶିଶୁଙ୍କୁ ଚଲେଇ ଚଲେଇ–ଗୋଟିଏ ପୁଅ, ଆରଟି ଝିଅ ।

 

ସେ ଉଷା ।

 

ଉଷା ତାକୁ ଚିହ୍ନିପାରିଲା ନାହିଁ । ନରେଶ ରୁଦ୍ଧଶ୍ଵାସ ହୋଇ ସିମେଣ୍ଟ ବେଞ୍ଚରେ ପଡ଼ିଗଲା । ପୁଣି ଉଠିଲା ଉଷାକୁ ଦେଖିବାକୁ । ଉଷା ସେତେବେଳକୁ ବସିସାରିଛି । ତା’ ପାଖରେ ପୁଅଟି ସ୍ଥିରଦୃଷ୍ଟିରେ ଛିଡ଼ା ହୋଇଛି । ଝିଅଟି ଧୂଳିରେ ଘୁଷୁରି ଘୁଷୁରି ବାଲିଘର ତିଆରି କରୁଛି । ସେ ନିଶ୍ଚୟ ଉଷା । କିନ୍ତୁ ତା’ ଆଖିରେ ଆଉ ସେ ଚଞ୍ଚଳିଆ ସ୍ଵଭାବ ନାଇଁ । ଦେହରେ ସାଧାସିଧା ଶାଢ଼ି ଖଣ୍ଡେ–ନୟନକୋଣରେ ଗାମ୍ଭୀର୍ଯ୍ୟ ଆଉ ମର୍ଯ୍ୟାଦାର ସ୍ପଷ୍ଟ ଚିହ୍ନ । ନରେଶ ଦୂରରୁ ତାକୁ ଅନେଇ ରହିଲା । ତା’ ନିକଟକୁ ଯିବାକୁ ତାର ଆଉ ସାହସ ପାଇଲାନି । ଏତିକିବେଳେ ତା’ ପୁଅଟି ତା’ଆଡ଼କୁ ଅନେଇଦେଲା । ସାରା ଶରୀରରେ ରୋମାଞ୍ଚ ଖେଳିଗଲା ନରେଶର । ସେ ନିଶ୍ଚୟ ତାହାରି ପୁଅ–ଏଥିରେ ସନ୍ଦେହ ନାଇଁ । ୧୦ ବର୍ଷ ବେଳେ ନରେଶର ଗୋଟିଏ ଫଟୋଗ୍ରାଫ୍ ପରି ପୁଅଟିର ଚେହେରା–କି ସୁନ୍ଦର ! ସେ ଲୁଚିରହି ଦେଖିଲା ।

 

ସେଦିନ ରାତିରେ ତାକୁ ନିଦ ହେଲା ନାଇଁ । ପୁଅଟିର ଭାବନା ତାକୁ ତିଳ ତିଳ କରି ଖାଇପକାଇଲା । ସେ ଉଷାର ଘରକୁ ଗଲା । ପଡ଼ିଶା ଘରର ବାବୁ ଜଣକ କହିଲେ, ‘‘ଜଣେ ଯୁବକ ଉଷାର ଦୁର୍ଦ୍ଦଶାରେ ସମବେଦନା ଦେଖାଇ ତାକୁ ବାହା ହୋଇଛନ୍ତି ସମାଜ ବିରୁଦ୍ଧରେ ସମ୍ମୁଖ ସମର କରି । ନରେଶର ପୁଅକୁ ମଧ୍ୟ ସେ ନିଜର ପୁଅ ପରି ଭାବନ୍ତି ଓ ସେତିକି ସ୍ନେହ ଆଦର କରନ୍ତି ।’’

 

ପ୍ରାୟ ପ୍ରତି ରବିବାର ଦିନ ତା’ ସହିତ ନରେଶର ଦେଖାହୁଏ । ସବୁଦିନ ନରେଶର ଛାତି ଭିତରେ ଛୁରି ଚାଲିଯାଏ–ମନ ହୁଏ, ତା’ ପୁଅକୁ ଟାଣିଆଣି ଛାତି କତିରେ ଭିଡ଼ିଧରନ୍ତା ଟିକିଏ–ତା’ ମୁହଁସାରା ଚୁମ୍ବନରେ ଛାଇଦିଅନ୍ତା–ତାକୁ ସାଥିରେ ନେଇ କୁଆଡ଼େ ପଳାଇଯାଆନ୍ତା କେଜାଣି !

 

ବୃଦ୍ଧ ଅବିବାହିତର ନିରୋଳା ନିଛାଟିଆ ଜୀବନ ତା’ର ସମସ୍ତ ଧୈର୍ଯ୍ୟ ଭାଙ୍ଗିଦେଲା । କେହି ଏବେ ତାକୁ ପଚାରନ୍ତି ନାହିଁ । ତା’ ଛାତି ଭିତରେ ତୁହାଇ ତୁହାଇ ସନ୍ତାନ ବାତ୍ସଲ୍ୟ ଜାଗିଉଠେ । ଅତୃପ୍ତ ସ୍ନେହଦାନ ଲାଳସାରେ ସେ ପାଗଳ ହୋଇପଡ଼େ । ଏହିପରି ମନୋଭାବର ତାଡ଼ନାରେ ଦିନେ ସେ ଉଷା ଆସୁଥିଲାବେଳେ ତା’ ସାମନାରେ ଛିଡ଼ା ହୋଇଯାଇ ନିରକ୍ତିଆ ଥରିଲା ଓଠରେ ପଚାରିଲା–

 

‘‘ମତେ ଚିହ୍ନିପାରୁନା ?”

 

ଉଷା ତା ମୁହଁକୁ ଚାହିଁଲା ମାତ୍ରେ କଳା ପଡ଼ିଗଲା । ଭୟରେ ଚିତ୍କାର କରି ଛୁଆ ଦିଓଟିକୁ ଏକପ୍ରକାରେ ଘୋଷାରି ଘୋଷାରି ଚାଲିଗଲା । ନରେଶ ମେସ୍‍କୁ ଫେରି ମସିଆ ତକିଆକୁ ଆଖିର ଲୁହରେ ଭିଜାଇଲା ।

 

ମାସ ମାସ ବିତିଗଲା । ରାତିଦିନ ଯନ୍ତ୍ରଣାରେ ସେ ବ୍ୟତିବ୍ୟସ୍ତ ହୋଇପଡ଼ିଲା । ଉଷା ସହ ତାର ଆଉ ଦେଖାହେଲାନି । ସେ ଖୁସିରେ ପ୍ରାଣତ୍ୟାଗ କରନ୍ତା କିମ୍ବା ପର୍ବତ ପ୍ରମାଣ ବିପଦର ସମ୍ମୁଖୀନ ହୋଇପାରନ୍ତା ଯଦି ପ୍ରତିଦାନରେ ସେ ଆଙ୍କିପାରନ୍ତା ତା’ର ପୁଅଟିର କଅଁଳ ଗାଲରେ ଏକ ଦୀର୍ଘ ଚୁମ୍ବନ । ସେ ଉଷା ନିକଟକୁ ଚିଠି ଲେଖିଲା–ପ୍ରାୟ କୋଡ଼ିଏ ଖଣ୍ଡ ଚିଠି ଲେଖିଲେ ମଧ୍ୟ ଉତ୍ତର ମିଳିଲା ନାଇ । ଶେଷରେ ସେ ଶେଷ ପ୍ରୟାସ କଲା ଉଷାର ସ୍ଵାମୀ ପାଖକୁ ଖଣ୍ଡିଏ ଚିଠି ଲେଖି–

 

‘‘ମହାଶୟ,

 

ମୋ ନାଁ ଶୁଣି ଚମକିବେନି । ମୁଁ ନର-ରାକ୍ଷସ, ମାନୁଛି । କିନ୍ତୁ ଦୟାକରି ଆପଣଙ୍କର ମୂଲ୍ୟବାନ୍ ସମୟରୁ ପାଞ୍ଚୋଟି ମିନିଟ୍ ମୋ ପାଇଁ ନଷ୍ଟ କରି ପାରିବେ କି ?”

 

ତହିଁଆର ଦିନ ଡାକରେ ଚିଠି ଆସିଲା–

 

‘‘କାଲି ସକାଳ ଆଠଟା ବେଳେ ଆପଣଙ୍କୁ ଅପେକ୍ଷା କରିଥିବି ।’’

 

ତହିଁଆର ଦିନ ଯେତେବେଳେ ସେ ଉଷାର ବସା ପାଖରେ ପହଞ୍ଚିଲା ତା’ର ଛାତି ଏତେ ଜୋରରେ ଥରିଲା ଯେ ମନେ ହେଲା, ସେଇକ୍ଷଣି ହୃତ୍‍କ୍ରିୟା ବନ୍ଦ ହୋଇଯିବନି ତ ! ତା’ର ମନେ ହେଉଥାଏ–ସତେ ଯେମିତି କିଏ ଜାଣେ ତା’ ଛାତିଭିତରେ ଘୋଡ଼ା ଦୌଡ଼ କରୁଛି । ଶେଷରେ ପାହାଚ ଉଠି ଦୁଆର ନିକଟରେ ହାତ ମାରିଲା । ଗୋଟିଏ ଚାକର ତାକୁ ଘର ଭିତରର ବୈଠକଖାନାକୁ ଡାକିନେଲା ।

 

ବୈଠକଖାନାର ଚୌକିରେ ବସି ନରେଶ ଭାବୁଥାଏ, ସତେ ଯିମିତି ଗୋଟାଏ ତୁମୁଳ ସମରର ସମ୍ମୁଖୀନ ହେବାକୁ ପଡ଼ୁଛି ତାକୁ । ଘରଭିତରୁ ଜଣେ ଦୀର୍ଘକାୟ ବଳିଷ୍ଠ ବ୍ୟକ୍ତି ପ୍ରବେଶ କଲେ । ନରେଶ ଉଠିପଡ଼ି ‘‘କହିଲା, ଆପଣ.....ଆପଣ....ମୋତେ ଜାଣନ୍ତି କି ନା....ମୋ ନାଁ ମୋ ନାଁ...

 

‘‘ଆପଣଙ୍କର କହିବା ଦରକାର ନାଇଁ । ମୋ ସ୍ତ୍ରୀ ସେସବୁ ମୋତେ କହିଛି । ‘‘କଣ୍ଠରେ ତାଙ୍କର ସାଧୁସୁଲଭ ଗାମ୍ଭୀର୍ଯ୍ୟର ସ୍ପଷ୍ଟ ଝଙ୍କାର ।

 

ନରେଶ ‘‘କହିଲା, ଆଚ୍ଛା, ମୁଁ କେବଳ ଏତିକି କହିବାକୁ ଚାହେଁ ।’’

 

ଉଷାର ସ୍ଵାମୀ ଉଠିପଡ଼ି ଡାକିଲେ, “କୁନ, କୁନ !” ସଙ୍ଗେ ସଙ୍ଗେ ଦଶ ବର୍ଷର ପିଲାଟିଏ ଡେଇଁ ଡେଇଁ ଘରେ ପଶିଯାଇ ତାର ବାପା ପାଖକୁ ଦୌଡ଼ିଗଲା । ନୂଆ ଲୋକଟିଏ ଦେଖି ହଠାତ୍ ଅଟକିଯିବାରୁ ଉଷାର ସ୍ଵାମୀ ତାକୁ ଚୁମ୍ବନ କରି କହିଲେ, ‘‘ସେ ବାବୁଙ୍କ କୋଳକୁ ଯାଅ ।’’

 

ଶିଶୁଟି ନରେଶ ଆଡ଼କୁ ଧୀରେ ଧୀରେ ଆସି ତା’ ଆଡ଼କୁ ଅବାକ ହୋଇ ଅନେଇ ରହିଲା ।

 

‘ନରେଶ ହାତରୁ ହାତ ବାଡ଼ିଟା ଖସିପଡ଼ିଲା–ପର ମୁହୂର୍ତ୍ତରେ ସେ ନିଜେ ବୋଧେ ଖସି ପଡ଼ିଥାନ୍ତା । ଉଷାର ସ୍ୱାମୀ ଭଦ୍ରତା ଖାତିରରେ ମୁହଁ ବୁଲାଇନେଇ ଝରକା ବାଟେ ବାହାରକୁ ଅନାଇଲେ ।

 

ଛୁଆଟି ବିଚାରା ଆଶ୍ଚର୍ଯ୍ୟ ହୋଇ ଭଦ୍ରଲୋକଙ୍କ ମୁହଁକୁ ଚାହିଁଥାଏ । ବାଡ଼ିଟାକୁ ଉଠାଇନେଇ ସେ ନରେଶର ହାତରେ ଧରେଇଦେଲା ।

 

ନରେଶ ତା’ ପୁଅକୁ ଦୁଇ ହାତରେ ସାଉଣ୍ଟି ଆଣି ଛାତିପାଖରେ ଚାପି ଧରିଲା । ସେଇଠୁ ତା’ ଗାଲରେ, କପାଳରେ, ଆଖିରେ, ମୁହଁରେ, ବାଳରେ ଚୁମ୍ବନର ଆସ୍ତରଣ ବିଛେଇ ଦେଇଗଲା । ଛୁଆଟି ଅପ୍ରତ୍ୟାଶିତ ଭାବରେ ଚୁମ୍ବନର ଏତେ ବଡ଼ ଅସରା ସହି ନ ପାରି କଅଁଳ ଟିକି ଟିକି ହାତରେ ଅଟକେଇବାକୁ ଚେଷ୍ଟା କରୁଥାଏ ।

 

ହଠାତ୍ ନରେଶ ତାକୁ କୋଳରୁ ଉତ୍ତାରି ଦେଇ ଦଉଡ଼ି ଚାଲିଗଲା । ଆଉ ପାଟି କରିଉଠିଲା–‘‘ବିଦାୟ...ବିଦାୟ...”

 

ଘରଭିତରୁ ଝରକାର ପର୍ଦ୍ଦା ଉଠାଇ ଝଳି ଉଠିଥିଲା ଦିଓଟି ନୟନ–ଲୁହରେ ଢଳଢଳ, ମସୃଣ, ସୁନ୍ଦର ନିଶ୍ଚୟ–

 

କାହାର ସେ ?

 

ଉଷାର ବୋଧେ... ।

 

*(କୌଣସି ବିଦେଶୀ ଗଳ୍ପର ଛାୟାରେ)

Image

 

ଉପହାର

–୧–

 

ପୌଷର ପାଂଶୁଳ ସନ୍ଧ୍ୟା । ଅଭିଜାତ ଅପରାହ୍ନର ଶୀତାର୍ତ୍ତ ରକ୍ତିମା ପଶ୍ଚିମ ଗଗନରେ କେତେବେଳୁ ଲିଭିଯାଇଛି । ରାସ୍ତା ଉପରେ ବିଜୁଳିବତୀ ଅନ୍ଧକାର କାଟି ଜଳିଉଠିଛି ଖୁବ୍‍ ତେଜରେ-। ସେଇ ଅସୀମ ଅନ୍ଧକାର ଭିତରେ ନିଜର ଅସୀମ ଶରୀର ବୁଡ଼ାଇ ରଖି ନୀରବରେ ବସି ରହିଥିଲି-। ପୂର୍ବ ଗଗନର ଚନ୍ଦ୍ର ଉଦୟ ମନପ୍ରାଣ ଦେଇ ଲକ୍ଷ୍ୟ କରୁଥିଲି ମୋର କଳ୍ପନା ଅଙ୍କିତ ଚିତ୍ରଟିକୁ ତୁଳୀରେ ରୂପ ଦେବା ପାଇଁ ।

 

“ସୁର... !”

 

ବାହାରେ ରିକ୍‍ସାବାଲାର ଘଣ୍ଟି ଓ ବଗିବାଲାର ଚାବୁକ ପ୍ରହାର ସହିତ ଦୁର୍ବୋଧ୍ୟ ପ୍ରଳାପ ବାୟୁମଣ୍ଡଳକୁ ବିଷାକ୍ତ କରି ପକାଇଥିଲା ମୁହୂର୍ତ୍ତକ ପାଇଁ । ଚକ୍ଷୁପତାରେ ମୋର ଶୈତ୍ୟ ସନ୍ଧ୍ୟାର ତନ୍ଦ୍ରା ବାହାରର ସବୁ ପ୍ରକାର ବିଘ୍ନ ପ୍ରତି ମୋତେ କରିଥିଲା ଜଡ଼, ଆକାଲୁଆ, ଶୀତଳ ।

 

ଆବେଗ ଓ ଆଶ୍ଳେଷମୟ କଣ୍ଠର ଭାଷା ପବନରେ ତରଙ୍ଗାୟିତ ହୋଇ ଘୂରିବୁଲିଲା । ଆହୁରି ଦ୍ରୁତ ଗତିରେ....

 

“ସୁର..... ।’’

 

ନିଶାର ଅର୍ଦ୍ଧଯାମରେ ସ୍ଵପ୍ନିଳ ରୂପସୀ ପଛରେ ସଂଜ୍ଞାହୀନ ବ୍ୟକ୍ତି ଚାଲିଥିଲା ବେଳେ ଯିମିତି ପଛରୁ କେହି ଜଣେ ତା’ର ନାଁ ଧରି ଡାକିଦେଲେ ଯେପରି ସେ ସ୍ଵପ୍ନପୁରୀର ଆଲୋକିତ ପଥରୁ ରାସ୍ତାର କଣ୍ଟକିତ ପଥକୁ ଖସିଆସି ଚମକି ପଡ଼େ, ସିମିତି ମୁଁ ଚମକିପଡ଼ିଲି ବଡ଼ ଅପ୍ରତ୍ୟାଶିତ ଭାବରେ ।

 

ସନ୍ଧ୍ୟା ରାତ୍ରିରେ ପରିଣତ ହେଲାଣି । ଚନ୍ଦ୍ର ଉଦିତ ହୋଇ ବାରିଆଡ଼ ସଜନା ଗଛ ଉପରକୁ ଉଠିଗଲେଣି । କାନ୍ଧ ମସ୍ତକରେ ମୋର କାକରର ସ୍ତୂପ । ନିଶୀଥର ସୂଚନା ଦେଇ ଟେଁ ଟେଁଇଆଟାଏ ମୁଣ୍ଡ ଉପରେ ଉଡ଼ିଗଲା ଖୁବ୍ ଜୋରରେ ତା’ର ପକ୍ଷ ମୋର କେଶ ସ୍ପର୍ଶ କରି ନ କଲା ଭଳି ।

 

–‘‘କିହୋ ଶିଳ୍ପୀ, ଆଜି କ’ଣ ଖିଆପିଆ ହେବନି କି ?”

 

କାହାର ଆଶ୍ଳେଷଭରା କଣ୍ଠ ପଛରୁ ପଚାରିଲା ।

 

ସଦ୍ୟ ନିଦ୍ରୋତ୍‍ଥିତ ପରି ଆଖି ମଳି ମଳି କହିଲି–

 

‘‘ହଁ, ଭାଉଜ, ସବୁଦିନ ତ ଖାଉଛେଁ, ଆଜି ପରି ଆଉ ଦିନେ ଇମିତି ଗୋଟାଏ ମୁହୂର୍ତ୍ତ ଆସିବ ନା ?”

 

‘‘କାହିଁକି, ଆଜି କ’ଣ ହେଲା କି ?” ଭାଉଜ ମୃଦୁ ହସି କହିଲେ ।

 

‘‘ସେ କଥା ବୁଝାଇବାର ନୁହେଁ, ଅନୁଭବ କରିବାର କଥା । ହଉ ଚାଲ ଯିବା ।’’

 

ସ୍ନେହମୟୀ ଭାଉଜଙ୍କ କାନ୍ଧରେ ଭରାଦେଇ ପକ୍‍କା ଉପରୁ ଓହ୍ଲେଇ ଆସିଲି ନିର୍ବୋଧ ଶିଶୁଟି ପରି ।

 

-୨-

 

ବାହାରେ ସଜଳ ତୋଫାନ ବହୁଥାଏ । ଟେବୁଲ ଲ୍ୟାମ୍ପର ନିଷ୍ପ୍ରଭ ଆଲୁଅରେ ଚିତ୍ରଟିକୁ ତୁଳୀର ସମାପ୍ତିସ୍ପର୍ଶ ଦେଉଥାଏ । ମନର ସମସ୍ତ ଶକ୍ତିକୁ କେନ୍ଦ୍ରୀଭୂତ କରି ।

 

ଭ୍ରୂଲତା ଆକର୍ଣ୍ଣ ବିସ୍ତୃତି, ଚକ୍ଷୁର ଟଳମଳ ଭସାଣ, ଅଧରୋଷ୍ଠରେ ରଙ୍ଗଣୀ ଫୁଲର ଅରୁଣିମା, କେଶ ଓ ବକ୍ଷୋଜର ଅସଂଯତ ଭାବ, କର୍ଣ୍ଣ ପଦ୍ମର ଦୋଦୁଲ୍ୟମାନ ଭଙ୍ଗୀ, କପୋଳର ସଲଜ୍ଜ ପାଟଳିମା ସବୁ ଯେପରି ନିଖୁଣ ଭାବରେ ଫୁଟିଉଠିଲା ଜହ୍ନ ଆଲୁଅରେ ମୋର କବି ପ୍ରାଣରେ ବାହାରର ଝଡ଼ ସାଥିରେ ସମତାଳ ବିପ୍ଲବ ସୂଚାଇ ।

 

ଚା’ ପିଆଲାରୁ ଶେଷବିନ୍ଦୁ ପର୍ଯ୍ୟନ୍ତ ଚା’ ଶୋଷାଡ଼ି ନେଲି ନିଜର ଉତ୍ତେଜିତ ମନକୁ ଥଣ୍ଡା କରିବା ପାଇଁ; କିନ୍ତୁ ଜ୍ଵଳନ୍ତ ନିଆଁରେ ଶୁଖିଲା ଜାଳେଣି ପତ୍ର ପକାଇଦେଲେ ତାହା ଆହୁରି ଜୋରରେ ଜଳିଉଠିଲା ପରି ମୋର ମସ୍ତିଷ୍କ ଆହୁରି ଗରମ ହୋଇଗଲା । ଅସହାୟ ପରି ଓଠରେ ସିଗାରେଟ ଖଣ୍ଡେ ଧରାଇ ଆରାମ ଚୌକିରେ ବସିପଡ଼ିଲି । ଜଳନ୍ତା ସିଗାରେଟର କୁଣ୍ଡଳୀକୃତ ଧୂମକୁ ନିରୀକ୍ଷଣ କରୁ କରୁ ଭାବିଗଲି ବହୁତ ଗଳ୍ପ, ଉପନ୍ୟାସର ନାୟକ ପରି–

 

‘ସେ କ’ଣ ମୋତେ ଭଲ ପାଏ ?’

 

ସେଇ ଗୋଟିଏ ଚିରନ୍ତନ ପ୍ରଶ୍ନ–ଯାହାର ସମାଧାନ ପାଇଁ ମଣିଷର ଯୁଗଯୁଗ ବିତିଯାଇଛି, କେତେ ଅମୂଲ୍ୟ ଜୀବନ ଅକାଳରେ ଝଡ଼ିପଡ଼ିଛି ।

 

ରୂପର ନୀରବ ପୂଜାରୀ ମୁଁ । ମୋର ନିସ୍ତରଙ୍ଗ ତରୁଣ ପ୍ରାଣରେ ଭରା ହୋଇ ତାକୁ ଉଦବେଳ ଓ ଉତ୍‍କୂଳ କରିଥିଲା, ‘‘ସ୍ନେହରେଖା”....ମୋ’ର ସହଚରୀ । ତା’ରି ପ୍ରେରଣାରେ ମତୁଆଳ ହୋଇ ମୁଁ କଲମ ଛାଡ଼ି ତୁଳୀକୁ ଧରିଥିଲି, ଗଦ୍ୟ ଛାଡ଼ି ପଦ୍ୟକୁ ବରି ନେଇଥିଲି କୌଣସି ପ୍ରତିଦାନ କେବେ ଦାବି ନ କରି ।

 

ପ୍ରତ୍ୟହ ତାକୁ କ୍ଲାସରେ ଦେଖେ, ଆଖି ପୂରାଇ ଦେଖେ । ବାସ୍ ସେତିକି, ସେଇପର୍ଯ୍ୟନ୍ତ-। ତାକୁ ଟପିଯିବାର ଧୃଷ୍ଟତା କେବେହେଲେ ହୋଇ ନାହିଁ । କାରଣ ସେପରି କରିବାର ମୋ ପ୍ରାଣରେ ଗୋଟାଏ ଆନନ୍ଦ କୁହୁଳି କୁହୁଳି ଜଳେ ଯାହା ମୋତେ ଦିଏ ଉନ୍ମାଦନା- ପ୍ରଚୋଦନା-। ସେତିକି ଜାଣିବା ଛଡ଼ା ତାର ପିତାମାତା ବା ପରିଚୟ ସମ୍ବନ୍ଧରେ ଜାଣିବାକୁ ଚେଷ୍ଟା କରି ନାହିଁ-। ବେଜୋରିଆ ଛାତିଟା ମୋର କିଆଁ ସେ ବିଷୟରେ ଅନୁସନ୍ଧାନ କରିବାକୁ ବରାବର ବାଧା ଦେଇଆସିଛି । ତେଣୁ ଉତ୍ତରର ଆଶା ନ ରଖି ବରାବର ଗୋଟାଏ ପ୍ରଶ୍ନ ମୋତେ ଖାଇପକାଇଛି–‘ସେ ମୋତେ ଭଲ ପାଏ ???’

 

କେଜାଣି ? କିଏ କହିବ ? ନିର୍ଲଜ୍ଜ ପରି ଏଇଟା ଅନ୍ୟ କାହାକୁ କହିବି କେମିତି ? ତେଣୁ ତୁଳାଗଦାରେ ନିଆଁ ଝୁଲଟାଏ ପଡ଼ି ଯାଇଥିଲେ ଯେମିତି ତାହା ଆସ୍ତେ ଆସ୍ତେ ବ୍ୟାପିଯାଏ, ସେମିତି ସେଇ ଗୋଟାଏ ପ୍ରଶ୍ନ ମୋର ଅଲକ୍ଷ୍ୟରେ ସମସ୍ତ କାର୍ଯ୍ୟକଳାପକୁ ପ୍ରଭାବିତ କରିଛି । ଫଳରେ ମୋର ଫଟୋ ଆଲବମରେ ଗୋଟିକି ଗୋଟି ଚିତ୍ର ବଢ଼ିଚାଲିଛି । ପରିତୃପ୍ତି ନାହିଁ–

 

ଅର୍ଦ୍ଧଦଗ୍‍ଧ ସିଗାରେଟର ଧୂମାଳ ବାତାବରଣ ଭେଦ କରି ମୋ ଆଗରେ ପହଞ୍ଚିଲେ ଆସି ଭାଉଜ । ଏଡ଼େବଡ଼ ପରିବାରଟାରେ ଗୋଟିଏ ପ୍ରାଣୀ–ଯେ ମୋର ସମବେଦନା ଅନୁଭବ କରନ୍ତି, କିନ୍ତୁ କାହିଁକି କେଜାଣି ଓଠ ଚାପି ବରାବର ହସନ୍ତି । ସେଥିରେ ବ୍ୟଙ୍ଗ ନ ଥାଏ । କୌଣସି ଫୁଟିଆର ହୋଇ ନ ଥିବା ରହସ୍ୟର ସୂଚନା ପାଏ ମୁଁ । ନିଜେ ଧରା ପଡ଼ିଯିବି, ଏ ଭୟରେ ନ ବୁଝିଲେ ବି ପଚାରିପାରେନି ।

 

ପକ୍ଷିଣୀ ଯେପରି ବିପଦ ଆଶଙ୍କା କରି ନିଜର ଶାବକମାନଙ୍କୁ ବକ୍ଷତଳେ ଲୁଚାଇ ରଖେ, ସେହିପରି ଚିତ୍ରଟିକି ଅତି ତରତରରେ ତକିଆ ତଳେ ପୂରାଇଦେଲି । ମୋର ଅସଂଯତ ଭାବ ଓ ହାତରେ ଜଳନ୍ତା ସିଗାରେଟ ଦେଖି ଭାଉଜ ସବୁ ବୁଝିନେଲେ କି କ’ଣ ପଚାରିଲେ–

 

‘‘ଭୟ କରନା ସୁର ! ମୁଁ ତୁମର ମାନସୀକୁ ଚୋରେଇ ନେଉ ନାହିଁ ଯେ । ‘‘ଅବାଧ୍ୟ ଛାତ୍ର ନିଜର ଦୋଷ ସ୍ଵୀକାର କଲା ପରି ଚିତ୍ରଟି ଦେଇଦେଲି ତାଙ୍କ ହାତରେ । ମୁଗ୍‍ଧ ହୋଇ ଚାହିଁ ରହିଲେ ସେ । କୌତୂହଳରେ ସାରା ମୁଖ ତାଙ୍କର ତେଜିୟାନ୍ ହୋଇଗଲା । ପଚାରିଲେ–

 

‘‘ଏ କିଏ ସୁର ?”

 

‘‘ଯେ କୌଣସି ଯୁବତୀ, କୌଣସି ଜଣକୁ ତ ଲକ୍ଷ୍ୟ କରାଯାଇନି ।’’

 

“ହୁଁ ।’’

 

କିଛି ସମୟ ପରେ କହିଲେ, ‘‘ହଁ କ’ଣ କହୁଥିଲି କି, ଏ ଦୋଳ ଛୁଟିରେ ଆମ ଗାଁଆଡ଼େ ବୁଲିଗଲେ କିମିତି ହୁଅନ୍ତା ?”

 

ହଠାତ୍ ଏପରି ପ୍ରସ୍ତାବ ଶୁଣିବାକୁ ପ୍ରସ୍ତୁତ ନ ଥିଲି । ତେବେ ମନ୍ଦ ତ ନୁହେଁ । ଭାବି ଦେଖିଲି, ଅନ୍ତତଃ ମୋର ମସ୍ତିଷ୍କର ଏ ପ୍ରକାର ଉତ୍ପୀଡ଼ନରୁ ରକ୍ଷା ପାଆନ୍ତି କିଛିଦିନ ପାଇଁ ଗାଁର ନିସର୍ଗ ସୁଷମାରେ ନିଜକୁ ବୁଡ଼େଇ ରଖି ।

 

ମୋର ନୀରବତା ଲକ୍ଷ୍ୟକରି ଭାଉଜ କହିଲେ–

 

‘‘ଅସୁବିଧା ହେବ ନିଶ୍ଚୟ ଆମ ଦରିଦ୍ର ଗାଁରେ । ସହରର ଦୋତାଲା କୋଠା, ବିଜୁଳି ଆଲୁଅ କାହୁଁ ମିଳିବ ?

 

‘‘ଦରିଦ୍ର ଧନୀ କଥା ଉଠୁ ନାହିଁ ଭାଉଜ ! ମୌନଂ ସମ୍ମତି ଲକ୍ଷଣମ୍ ।’’

 

-୩-

 

ଭାଉଜଙ୍କର ଘର । ମଫସଲର ବେଶ ଗୋଟିଏ ଖାନଦାନ କୁଟୁମ୍ବ । ମାଟିର ଲେପ ଉପରେ ଝୋଟିର ଚିତ୍ର ପ୍ରତି କାନ୍ଥରେ ଦାଉ ଦାଉ କରି ଉଠୁଛି–ସେଇ ନୀରବ ସ୍ତ୍ରୀ ଶିଳ୍ପୀ ଉଦ୍ଦେଶ୍ୟରେ ମଥା ମୋର ନତ ହୋଇଗଲା । ଆଠ ବଖରା ମଜଭୁତ ଆଟୁଘର । ତା’ ଛଡ଼ା ଗାଈ ବଳଦ ତ ମାମୁଲି କଥା ।

 

ଭାଉଜଙ୍କ ଘର ବେଶ୍ ନିରୋଳା, ଏକୁଟିଆ । ଘରେ ଭାଉଜଙ୍କର ବାପ ମା’ଙ୍କୁ ଛାଡ଼ିଦେଲେ ଆଉ କେହି ନ ଥିଲା ପରି ଲାଗିଲା । ଗୋଟିଏ ବଡ଼ ଘରେ ମୋର ରହିବା ପାଇଁ ଭାଉଜ ସବୁ ବନ୍ଦୋବସ୍ତ କରିଦେଲେ । ଖଟ ପାଖରେ ଗୋଟିଏ ଝରକା । ଝରକା ପାଖକୁ ଲାଗି ବୁଦୁବୁଦୁକିଆ ଜଙ୍ଗଲ । ଜଙ୍ଗଲ ଶେଷରେ ଗୋଟିଏ କ୍ଷୀଣ ଜଳଧାରା ଦିଗ୍‍ବଳୟ ସାଥିରେ ମିଶିଗଲା ପରି ଦିଶୁଛି । ତା’ରି ଉପରେ ଅସ୍ତ ସୂର୍ଯ୍ୟର ଶେଷ ରକ୍ତଛିଟା ଶିଳ୍ପୀ ପ୍ରାଣରେ ଉପାଦାନ ଯୋଗାଏ ଜାଣି ଭାଉଜ ମୋର ସବୁ ସୁବିଧା କରି ଦେଇଥିଲେ । ମନ ମଧ୍ୟରେ ଭାଉଜଙ୍କ ପ୍ରତି କୃତଜ୍ଞତା ଜଣାଇଲି ।

 

କ୍ଳାନ୍ତି ଅପନୋଦନ ପରେ ଦେଖିଲି ବାହାରେ ସନ୍ଧ୍ୟା ନଇଁ ଆସିଛି । ଝରକାବାଟେ ମେଞ୍ଚାଏ ନାଲି ଆଲୁଅ ସିଧା ଆସି ପଡ଼ିଛି ମୋ ମୁହଁ ଉପରେ । ଉଠିପଡ଼ି ଅନେଇଲି–ସେଇ ଜଳଧାର ନିକଟରେ ଗୋଟିଏ କୃଷ୍ଣକାୟ ମୂର୍ତ୍ତି । ବସନ ଭୂଷଣରୁ ସ୍ତ୍ରୀ ପରି ଜଣାଗଲା । ସାଙ୍ଗେ ସାଙ୍ଗେ କାଗଜଟାଏ ଟାଣିନେଇ ସିଲ୍‍ହୋଏଟ୍ ଚିତ୍ରଟାଏ ଆଙ୍କିବସିଛି, ଘର ଭିତରକୁ ଭାଉଜ ବୋଧେ ପଶିଆସିଲେ । ଘରଯାକ ଅନ୍ଧାର । ଅସ୍ତ-ରବିର ଶେଷ ଆଲୋକର ସହାୟତାରେ ଚିତ୍ରଟା ଆଙ୍କି ପକାଉଥିଲି । ଭାଉଜ ଡାକିଲେ–‘‘ଖାଇବେ ଆସନ୍ତୁ । “

 

ଭାଉଜଙ୍କ କଣ୍ଠରେ ଅନିର୍ବଚନୀୟ କୋମଳତା ଓ ସମ୍ବୋଧନରେ ଆଶାତୀତଭାବେ ସମ୍ମାନସୂଚକ ସର୍ବନାମର ବ୍ୟବହାର ଲକ୍ଷ୍ୟକରି ଆନନ୍ଦରେ ହାତ ଧରି ଟାଣିଆଣିଲି ପାଖକୁ । ଏଇ ଅନିନ୍ଦ୍ୟ ସୁନ୍ଦର ଶୋଭାକୁ ଉଭୟେ ଉପଭୋଗ କରିବାକୁ ଅନେକଥର ଭାଉଜଙ୍କୁ ଇମିତି ପାଖକୁ ଟାଣିଆଣି ଦେଖାଇଛି ସୂର୍ଯ୍ୟୋଦୟର ପାଟଳ ସୁଷମା, ଅର୍ଦ୍ଧରାତ୍ରିର ତାରକିତ ଆକାଶ, ମଧ୍ୟାହ୍ନର ଲେଲିହାନ ମରୀଚିକା । ଭାଉଜ ତ ବିନା ସଙ୍କୋଚରେ ମୋର ଶିଳ୍ପୀ-ପ୍ରାଣକୁ ସମର୍ଥନ କରି ଆସିଛନ୍ତି । ଶିଳ୍ପୀର ହୃଦୟ-ତନ୍ତ୍ରୀରେ ଯେତେ ରାଗିଣୀ ଉଠିଛି, ଭାଉଜଙ୍କ ନାରୀ-ପ୍ରାଣରେ ସେତିକି ତା'ର ପ୍ରତିକ୍ରିୟା ପଡ଼ିଛି । ସେଥି ନିମିତ୍ତ ନିଃସଙ୍କୋଚରେ ଆଜିର ଏହି ମନ୍ଦିର ସନ୍ଧ୍ୟାର ଦୁର୍ଲଭ ଦୃଶ୍ୟ ଦେଖାଇବାକୁ ପାଖକୁ ଟାଣିଆଣି କହିଲି–

 

"ଚାହିଁଲ ଦେଖି, ସେହି ଦୂର ନଦୀ-ଧାରରେ ଯେଉଁ କିଶୋରୀଟି ଜଳପୂର୍ଣ୍ଣ କଳସୀଟି କାଖରେ ଥୋଇ ଫେରୁଛି, ଅଙ୍ଗରେ ତାର ଫୁଟିଛି ରସାଣ ଲାବଣ୍ୟ, ନିତମ୍ବଚୁମ୍ବୀ କୁନ୍ତଳରେ ଭାସିଆସିଛି ବନ୍ଧନର ପିପାସା । ଏଇ ଦେଖ, ଦୁଷ୍ଟ ସମୀର କିପରି ତାର ଅଞ୍ଚଳଟାକୁ ଟାଣିନେବାବେଳେ ନିଜକୁ ସଂଯତ କରିବାକୁ ଯାଇଁ ସେ କିପରି କୌଶଳରେ ଟାଣିନେଉଛି ତା'ର ଉଚ୍ଛୃଙ୍ଖଳ ବାସନକୁ । କି କଥା କହୁ ନାହଁ ଯେ !"

 

"ଅନୁଭବ କରୁଛି ।"

 

"ବେଶ୍ ଅନୁଭବ କର ।"

 

ଚିତ୍ରାଙ୍କନରେ ମନ ଦେବାକୁ ଲାଗିଲି ।

 

ସେ ପଚାରିଲେ, "ଏଇ କ'ଣ ତୁମର ମାନସୀ ସୁର ?"

 

ମନେହେଲା ସତେ ଯେପରି ଭାଉଜ ଆଠ ଦଶ ବର୍ଷ ସାନ ହୋଇଯାଇ ଏ ପ୍ରଶ୍ନ ପଚାରୁଛନ୍ତି । ଦୁନିଆର ଝଡ଼ଝଞ୍ଜା ସହିବାର ଢେର ପୂର୍ବରୁ ତାଙ୍କର ସ୍ଵରରେ ଯେଉଁ ଲାଳିତ୍ୟ ଥିବ ତା' ଆଜି ଫୁଟିଉଠିଛି ଏଇ କଥା ପଦରେ । ଭାରି ଭଲ ଲାଗିଲା । ତାଙ୍କୁ ଆଉ ପାଖକୁ ଟାଣିନେଇ କହିଲି–

 

"ଭାରି ପିଲା ହେଇଗଲାଣି ଭାଉଜ ବାପଘର ମାଡ଼ୁ ମାଡ଼ୁ । ମୋର ମାନସୀ ? ହଁ ମାନସୀ ସେ....ମାନସରେ ହିଁ ରହିବ । ବାହାରକୁ ବାହାରିବାର ଆନନ୍ଦ ପାଇବ ନାହିଁ ।’’

 

‘‘ମାନେ ?” –କଣ୍ଠରେ ଔତ୍ସୁକ୍ୟର ସୂଚନା ।

 

‘‘ମାନେ ମୋର ମାନସୀ ଯେ ତୁମର ସଂପୂର୍ଣ୍ଣ ଅପରିଚିତା, ମୋର କଲେଜସାଥି–“

 

‘‘ନାମ ।’’

 

ସନ୍ଧ୍ୟା ରାତ୍ରିରେ ପରିଣତ ହେଲାଣି । ଯୁବତୀ ଜଣକ ପାଣି ଧରି ନଈକୂଳରୁ ଚାଲିଗଲେଣି । ବାହାରେ ଜମାଟବନ୍ଧା ବହଳିଆ ଅନ୍ଧାର । ଘରେ ଭାଉଜ ଓ ମୁଁ । ଭାଉଜଙ୍କ ପ୍ରତି ମୋର ଏ ପ୍ରକାର ଅନନୁଭୂତପୂର୍ବ ଆକର୍ଷଣ ବଡ଼ ନୂଆ ଲାଗିଲା । ତାଙ୍କର ଏ ପ୍ରକାର ବ୍ୟଗ୍ରତା ଓ ଚପଳତା ତ କେବେ ଦେଖିନି । ତେବେ ଆମ ଘରେ ଶାଶୁଘର ବୋଲି କଣ ଏତେ ସ୍ଵାଧୀନ ଭାବରେ ବୁଲିଚାଲି ପାରୁ ନ ଥିବାରୁ ତାଙ୍କର ଏ ପ୍ରକାର ପରିବର୍ତ୍ତନ ହୋଇଛି ଏଠି ? ହୋଇଥିବ । ଭାଉଜଙ୍କ କଅଁଳ ହାତଟିକୁ ବେଦନାଭରା ଛାତି ଉପରକୁ ଟାଣିଆଣିଲି । ଟିକିଏ ସଙ୍କୋଚ କଲେ ସେ । କହିଲି–

‘‘ନାଁ ? ହଁ ସ୍ନେହରେଖା ।’’

ଅତର୍କିତ ଭାବରେ ଘରକୁ ଜଣେ କେହି ଆଲୁଅ ନେଇ ପଶି ଆସିଲେ । ମୁଁ କିଂକର୍ତ୍ତବ୍ୟବିମୂଢ ହୋଇ ହାତଟାକୁ ଛାଡ଼ି ନ ପାରି ଶିଥିଳ ମୁଠାରେ ଧରିରଖିଲି । ଲଣ୍ଠନଟା ଟେବୁଲ ଉପରେ ଥୋଇ ଠିଆହେଲେ ।

ଏ କ’ଣ ? ଭାଉଜ ! ଯାହାର ହାତ ଧରି ପକାଇଥିଲି, ସେ ଏହା ଭିତରେ ହାତ ଛଡ଼ାଇନେଇ ଗଲେଣି ! ! ଭାବିଲି, ସ୍ଵପ୍ନଦେଖୁନାଇଁ ତ ?

ଯେତେବେଳେ ଭାଉଜ ତାଙ୍କ ସ୍ପଷ୍ଟ ପାଟିରେ କହିଲେ, ‘‘ସ୍ନେହ ! ସୁରଙ୍କୁ ଡାକିବାକୁ ପଠାଇଥିଲି, ଏତେ ଡେରି ହେଲା ଯେ ‘‘ସେତେବେଳେ ଲଜ୍ଜାରେ ମୁହଁ ମୋର କଳା ପଡ଼ିଗଲା । ଦୋଷୀ ପରି ମୁହଁ ଶୁଖାଇ ନ ଯଯୌ ନ ତସ୍ଥୌ ଅବସ୍ଥାରେ ପଡ଼ି ଭାଉଜଙ୍କ ଆଡ଼କୁ ଚାହିଁବାକୁ ସାହସ ପାଇଲା ନାହିଁ ।

କେତେ ମିନିଟ୍ ପରେ ଭାଉଜ ମୋ ଆଲବମ୍‍ଟା ଟାଣିନେଇ ମୋ ଆଗରେ ରଖିଦେଇ କହିଲେ, ସୁର !” ଦେଖିଲ ତୁମର ଏଇ ଚିତ୍ର ଆଉ ଏଇ ରକ୍ତମାଂସମୟ ଚିତ୍ରପିତୁଳା ପରି ଏଇ ମୋର ଟିକି ଭଉଣୀଟି । ଦୁହିଁଙ୍କୁ ତୁଳନା କର, ତୁମର ଶିଳ୍ପୀ ଆଖିରୁ ।

ସେତେବେଳକୁ ଯୁବତୀ ଜଣକ ଲଜ୍ଜାରେ ଶେଷଥର ପାଇଁ ଉଦ୍ୟମ କରି ଚାଲିଯିବା ଉପରେ । ଅନାଇ ଦେଖିଲି, ମୋର ସ୍ଵପ୍ନର ଅନୁବାଦ ହୋଇଛି ସତରେ ।

ଭାଉଜ ଗୋଟାଏ ହାତରେ ପଳାୟନମାନ ଯୁବତୀଙ୍କ ହାତ ଧରି ଅନ୍ୟ ହାତ ନେଇ ଏକାଠି କରି କହିଲେ–

‘‘ଚିତ୍ରୀ ! ଏଇ ଦୋଳ ପୂର୍ଣ୍ଣିମାରେ ତୁମକୁ ମୋର ଏଇ ଚିତ୍ରଟି ଉପହାର ।

Image